Bible 2 India Mobile
[VER] : [ODIYA]     [PL]  [PB] 
 <<  Leviticus 2 >> 

1ଆଉ, କେହି ସଦାପ୍ରଭୁଙ୍କ ଉଦ୍ଦେଶ୍ୟରେ ଭକ୍ଷ୍ୟ ନୈବେଦ୍ୟ ଆଣିଲେ, ସରୁ ମଇଦା ତାହାର ନୈବେଦ୍ୟ ହେବ; ପୁଣି ସେ ତହିଁ ଉପରେ ତୈଳ ଢାଳି କୁନ୍ଦୁରୁ ଦେବ;

2ପୁଣି ତାହା ହାରୋଣର ପୁତ୍ର ଯାଜକମାନଙ୍କ ନିକଟକୁ ଆଣିବ; ତହିଁରେ ଯାଜକ ତହିଁରୁ ମୁଠାଏ ସରୁ ମଇଦା ଓ କିଛି ତୈଳ ଓ ସମସ୍ତ କୁନ୍ଦୁରୁ ନେବ; ପୁଣି ଯାଜକ ସ୍ମରଣାର୍ଥକ ଅଂଶ ରୂପେ ତାହା ବେଦି ଉପରେ ଦଗ୍ଧ କରିବ; ତାହା ସଦାପ୍ରଭୁଙ୍କ ଉଦ୍ଦେଶ୍ୟରେ ତୁଷ୍ଟିଜନକ ଆଘ୍ରାଣାର୍ଥେ ଅଗ୍ନିକୃତ ଉପହାର ହେବ ।

3ଏହି ଭକ୍ଷ୍ୟ ନୈବେଦ୍ୟର ଅବଶିଷ୍ଟ ଅଂଶ ହାରୋଣର ଓ ତାହାର ପୁତ୍ରମାନଙ୍କର ହେବ; ସଦାପ୍ରଭୁଙ୍କର ଅଗ୍ନିକୃତ ଉପହାର ମଧ୍ୟରେ ତାହା ମହାପବିତ୍ର ।

4ଆଉ ଯଦି ତୁମ୍ଭେ ଭକ୍ଷ୍ୟ ନୈବେଦ୍ୟ ରୂପେ ତନ୍ଦୁରରେ ରନ୍ଧନ ହୋଇଥିବା ଦ୍ରବ୍ୟ ଦିଅ, ତେବେ ତାହା ତୈଳ ମିଶ୍ରିତ ଓ ତାଡ଼ିଶୂନ୍ୟ ସରୁ ମଇଦାର ପିଠା ଅବା ତୈଳାକ୍ତ ସରୁ ଚକୁଳି ହେବ ।

5ଆଉ ଯଦି ପଲମରେ ଭଜା ଦ୍ରବ୍ୟ ତୁମ୍ଭର ଭକ୍ଷ୍ୟ ନୈବେଦ୍ୟ ହୁଏ, ତେବେ ତାହା ତୈଳ ମିଶ୍ରିତ ଓ ତାଡ଼ିଶୂନ୍ୟ ସରୁ ମଇଦାର ପିଠା ହେବ ।

6ତୁମ୍ଭେ ତାହା ଖଣ୍ଡ ଖଣ୍ଡ କରି ତହିଁ ଉପରେ ତୈଳ ଢାଳିବ; ତାହା ଭକ୍ଷ୍ୟ ନୈବେଦ୍ୟ ।

7ଆଉ ଯଦି କରେଇରେ ରନ୍ଧନ ହୋଇଥିବା ଦ୍ରବ୍ୟ ତୁମ୍ଭର ଭକ୍ଷ୍ୟ ନୈବେଦ୍ୟ ହୁଏ, ତେବେ ତାହା ତୈଳରେ ରନ୍ଧନ ହୋଇଥିବା ସରୁ ମଇଦାର ହେବ ।

8ତୁମ୍ଭେ ଏହିସବୁ ଦ୍ରବ୍ୟରେ ପ୍ରସ୍ତୁତ ଭକ୍ଷ୍ୟ ନୈବେଦ୍ୟ ସଦାପ୍ରଭୁଙ୍କ ଛାମୁକୁ ଆଣିବ; ଆଉ ତାହା ଯାଜକକୁ ଦେବ, ତହୁଁ ସେ ବେଦି ନିକଟକୁ ଆଣିବ ।

9ପୁଣି, ଯାଜକ ସେହି ଭକ୍ଷ୍ୟ ନୈବେଦ୍ୟରୁ ସ୍ମରଣାର୍ଥକ ଅଂଶ ନେଇ ବେଦି ଉପରେ ଦଗ୍ଧ କରିବ; ତାହା ସଦାପ୍ରଭୁଙ୍କ ଉଦ୍ଦେଶ୍ୟରେ ତୁଷ୍ଟିଜନକ ଆଘ୍ରାଣାର୍ଥେ ଅଗ୍ନିକୃତ ଉପହାର ହେବ ।

10ପୁଣି ସେହି ଭକ୍ଷ୍ୟ ନୈବେଦ୍ୟର ଅବଶିଷ୍ଟ ଅଂଶ ହାରୋଣର ଓ ତାହାର ପୁତ୍ରଗଣଙ୍କର ହେବ; ସଦାପ୍ରଭୁଙ୍କର ଅଗ୍ନିକୃତ ଉପହାର ମଧ୍ୟରେ ତାହା ମହାପବିତ୍ର ।

11ତୁମ୍ଭେମାନେ ସଦାପ୍ରଭୁଙ୍କ ଉଦ୍ଦେଶ୍ୟରେ ଯେକୌଣସି ଭକ୍ଷ୍ୟ ନୈବେଦ୍ୟ ଉତ୍ସର୍ଗ କରିବ, ତାହା ତାଡ଼ିଯୁକ୍ତ ହେବ ନାହିଁ, ଯେହେତୁ ତୁମ୍ଭେମାନେ ସଦାପ୍ରଭୁଙ୍କ ଉଦ୍ଦେଶ୍ୟରେ ଅଗ୍ନିକୃତ ଉପହାର ରୂପେ ତାଡ଼ି କି ମଧୁ ଦଗ୍ଧ କରିବ ନାହିଁ ।

12ତୁମ୍ଭେମାନେ ପ୍ରଥମଜାତ ଫଳର ନୈବେଦ୍ୟ ରୂପେ ତାହା ସଦାପ୍ରଭୁଙ୍କ ଉଦ୍ଦେଶ୍ୟରେ ଉତ୍ସର୍ଗ କରିବ, ମାତ୍ର ତୁଷ୍ଟିଜନକ ଆଘ୍ରାଣାର୍ଥେ ତାହା ବେଦି ଉପରକୁ ଆସିବ ନାହିଁ ।

13ଆଉ ତୁମ୍ଭେ ଆପଣା ଭକ୍ଷ୍ୟ ନୈବେଦ୍ୟର ପ୍ରତ୍ୟେକ ଦ୍ରବ୍ୟ ଲବଣାକ୍ତ କରିବ; କଦାପି ତୁମ୍ଭେ ଆପଣା ଭକ୍ଷ୍ୟ ନୈବେଦ୍ୟକୁ ତୁମ୍ଭ ପରମେଶ୍ୱରଙ୍କ ନିୟମସୂଚକ ଲବଣରହିତ ହେବାକୁ ଦେବ ନାହିଁ; ତୁମ୍ଭର ସମସ୍ତ ନୈବେଦ୍ୟ ସହିତ ଲବଣ ଉତ୍ସର୍ଗ କରିବ ।

14ପୁଣି ଯଦି ତୁମ୍ଭେ ଆପଣା ପ୍ରଥମ ଫଳର ନୈବେଦ୍ୟ ସଦାପ୍ରଭୁଙ୍କ ଉଦ୍ଦେଶ୍ୟରେ ଉତ୍ସର୍ଗ କର, ତେବେ ତୁମ୍ଭ ପ୍ରଥମଜାତ ଫଳର ନୈବେଦ୍ୟ ରୂପେ ଅଗ୍ନିରେ ଭଜା ଶିଷା, ଅର୍ଥାତ୍‍, ମର୍ଦ୍ଦିତ କୋମଳ ଶିଷା ଉତ୍ସର୍ଗ କରିବ ।

15ପୁଣି ତହିଁ ଉପରେ ତୈଳ ଦେବ ଓ କୁନ୍ଦୁରୁ ରଖିବ; ତାହା ଭକ୍ଷ୍ୟ ନୈବେଦ୍ୟ ।

16ତହୁଁ ଯାଜକ ତହିଁର ସ୍ମରଣାର୍ଥକ ଅଂଶ ରୂପେ କିଛି ମର୍ଦ୍ଦିତ ଶସ୍ୟ, କିଛି ତୈଳ ଓ ସମସ୍ତ କୁନ୍ଦୁରୁ ଦଗ୍ଧ କରିବ; ତାହା ସଦାପ୍ରଭୁଙ୍କ ଉଦ୍ଦେଶ୍ୟରେ ଅଗ୍ନିକୃତ ଉପହାର ।


  Share Facebook  |  Share Twitter

 <<  Leviticus 2 >> 


Bible2india.com
© 2010-2024
Help
Dual Panel

Laporan Masalah/Saran