Bible 2 India Mobile
[VER] : [ODIYA]     [PL]  [PB] 
 <<  Judges 8 >> 

1ଅନନ୍ତର ଇଫ୍ରୟିମର ଲୋକମାନେ ଗିଦିୟୋନ୍‌ଙ୍କୁ କହିଲେ, ତୁମ୍ଭେ ମିଦୀୟନ ସଙ୍ଗେ ଯୁଦ୍ଧ କରିବାକୁ ଗଲା ବେଳେ ଆମ୍ଭମାନଙ୍କୁ ଯେ ଡାକିଲ ନାହିଁ, ତୁମ୍ଭେ ଆମ୍ଭମାନଙ୍କ ପ୍ରତି ଏ କି କଥା କଲ ? ପୁଣି ସେମାନେ ତାଙ୍କ ସଙ୍ଗରେ ଅତ୍ୟନ୍ତ ବିବାଦ କଲେ ।

2ଏଥିରେ ସେ ସେମାନଙ୍କୁ କହିଲେ, ଏବେ ତୁମ୍ଭମାନଙ୍କ ତୁଲ୍ୟ ମୁଁ କେଉଁ କର୍ମ କରିଅଛି ? ଅବୀୟେଷ୍ରୀୟର ସମସ୍ତ ଦ୍ରାକ୍ଷାଫଳ ସଂଗ୍ରହଠାରୁ କି ଇଫ୍ରୟିମର ଦ୍ରାକ୍ଷାଫଳ ରାଁ କରିବାର ଶ୍ରେଷ୍ଠ ନୁହେଁ ?

3ପରମେଶ୍ୱର ତୁମ୍ଭମାନଙ୍କ ହସ୍ତରେ ସିନା ମିଦୀୟନର ଓରେବ୍‍ ଓ ସେବ୍‍ ଦୁଇ ଅଧିପତିଙ୍କୁ ସମର୍ପଣ କଲେ, ମାତ୍ର ତୁମ୍ଭମାନଙ୍କ ତୁଲ୍ୟ ମୁଁ କେଉଁ କର୍ମ କରି ପାରିଲି ? ତେବେ ତାଙ୍କର ଏହି କଥା କହିବାରେ ତାଙ୍କ ପ୍ରତି ସେମାନଙ୍କର କ୍ରୋଧ ନିବୃତ୍ତ ହେଲା ।

4ଏଉତ୍ତାରେ ଗିଦିୟୋନ୍‍ ଯର୍ଦ୍ଦନକୁ ଆସି ତାହା ପାର ହେଲେ; ସେ ଓ ତାଙ୍କ ସଙ୍ଗୀ ସେହି ତିନି ଶହ ଲୋକ କ୍ଳାନ୍ତ ହେଲେ ହେଁ ପଛେ ପଛେ ଗୋଡ଼ାଉଥାଆନ୍ତି ।

5ପୁଣି ସେ ସୁକ୍‍କୋତର ଲୋକମାନଙ୍କୁ କହିଲେ, ମୁଁ ନିବେଦନ କରୁଅଛି, ଆମ୍ଭର ପଶ୍ଚାଦ୍‍ଗାମୀ ଲୋକମାନଙ୍କୁ ରୁଟି ଦିଅ; କାରଣ ସେମାନେ କ୍ଳାନ୍ତ ହୋଇଅଛନ୍ତି ଓ ମୁଁ ମିଦୀୟନର ରାଜା ସେବହ ଓ ସଲମୁନ୍ନର ପଛେ ପଛେ ଗୋଡ଼ାଉଅଛି ।

6ତହିଁରେ ସୁକ୍‍କୋତର ଅଧିପତିମାନେ କହିଲେ, ସେବହ ଓ ସଲମୁନ୍ନର ହାତ ତୁମ୍ଭର ହସ୍ତଗତ ହେଲାଣି ଯେ, ଆମ୍ଭେମାନେ ତୁମ୍ଭ ସୈନ୍ୟଗଣକୁ ରୁଟି ଦେବୁ ?

7ତହିଁରେ ଗିଦିୟୋନ୍‍ କହିଲେ, ଏ ସକାଶୁ ସଦାପ୍ରଭୁ ସେବହ ଓ ସଲମୁନ୍ନକୁ ମୋ' ହସ୍ତରେ ସମର୍ପଣ କଲେ, ମୁଁ ପ୍ରାନ୍ତରର କାନକୋଳି କଣ୍ଟକାଦି ଦ୍ୱାରା ତୁମ୍ଭମାନଙ୍କ ମାଂସ ଚିରିବି ।

8ତହୁଁ ସେ ସେଠାରୁ ପନୂୟେଲକୁ ଉଠି ଯାଇ ସେଠାର ଲୋକମାନଙ୍କୁ ସେହିପରି କହିଲେ, ତହିଁରେ ସୁକ୍‍କୋତର ଲୋକମାନେ ଯେପରି ଉତ୍ତର କରିଥିଲେ, ପନୂୟେଲର ଲୋକମାନେ ମଧ୍ୟ ସେହିପରି ଉତ୍ତର ଦେଲେ ।

9ତେବେ ସେ ପନୂୟେଲର ସେହି ଲୋକମାନଙ୍କୁ କହିଲେ, ମୁଁ କୁଶଳରେ ଫେରି ଆସିଲେ (ତୁମ୍ଭମାନଙ୍କ) ଏହି ଗଡ଼ ଭାଙ୍ଗି ପକାଇବି ।

10ଏହି ସମୟରେ ସେବହ ଓ ସଲମୁନ୍ନ କର୍କୋରରେ ଥିଲେ ଓ ସେମାନଙ୍କର ସଙ୍ଗୀ ସୈନ୍ୟଦଳ ଊଣାଧିକ ପନ୍ଦର ହଜାର ଲୋକ ଥିଲେ; ପୂର୍ବଦେଶୀୟ ଲୋକମାନଙ୍କର ସମସ୍ତ ସୈନ୍ୟଦଳ ମଧ୍ୟରୁ ଏମାନେ କେବଳ ଅବଶିଷ୍ଟ ରହିଥିଲେ; କାରଣ ଖଡ଼୍‍ଗଧାରୀ ଏକଲକ୍ଷ କୋଡ଼ିଏ ହଜାର ଲୋକ ହତ ହୋଇଥିଲେ ।

11ଏ ଉତ୍ତାରେ ଗିଦିୟୋନ୍‍ ନୋବହ ଓ ଯଗ୍‍-ବିହର ପୂର୍ବଦିଗରେ ତମ୍ବୁ ନିବାସୀମାନଙ୍କ ପଥ ଦେଇ ଉଠି ଯାଇ ସେହି ସୈନ୍ୟଦଳକୁ ଆଘାତ କଲେ; ଯେହେତୁ ସେହି ସୈନ୍ୟଦଳ ନିର୍ଭୟରେ ଥିଲେ ।

12ସେତେବେଳେ ସେବହ ଓ ସଲମୁନ୍ନ ପଳାୟନ କଲେ; ଏଣୁ ସେ ସେମାନଙ୍କର ପଛେ ପଛେ ଗୋଡ଼ାଇଲେ; ପୁଣି ମିଦୀୟନର ସେହି ଦୁଇ ରାଜା ସେବହ ଓ ସଲମୁନ୍ନକୁ ଧରି ସମସ୍ତ ସୈନ୍ୟଙ୍କୁ ଉଦ୍‍ବିଗ୍ନ କଲେ ।

13ତହୁଁ ଯୋୟାଶର ପୁତ୍ର ଗିଦିୟୋନ୍‍ ହେରସର ଘାଟି ଦେଇ ଯୁଦ୍ଧରୁ ଫେରି ଆସିଲେ ।

14ପୁଣି ସେ ସୁକ୍‍କୋତର ଲୋକମାନଙ୍କ ମଧ୍ୟରୁ ଜଣେ ଯୁବାକୁ ଧରି ପଚାରିଲେ; ତହିଁରେ ସେ ସୁକ୍‍କୋତର ଅଧିପତି ଓ ତହିଁର ପ୍ରାଚୀନମାନଙ୍କ ସତସ୍ତରି ଜଣର ନାମ ତାଙ୍କ ପାଇଁ ଲେଖାଇ ଦେଲା ।

15ଏଥି ଉତ୍ତାରେ ସେ ସୁକ୍‍କୋତର ଲୋକମାନଙ୍କ ନିକଟକୁ ଆସି କହିଲେ, ସେବହ ଓ ସଲମୁନ୍ନକୁ ଦେଖ, ଏମାନଙ୍କ ବିଷୟରେ ତୁମ୍ଭେମାନେ ପରା ଆମ୍ଭକୁ ତୁଚ୍ଛ କରି କହିଥିଲ, “ସେବହ ଓ ସଲମୁନ୍ନର ହାତ କି ତୁମ୍ଭର ହସ୍ତଗତ ହେଲାଣି ଯେ, ଆମ୍ଭେମାନେ ତୁମ୍ଭର କ୍ଳାନ୍ତ ଲୋକମାନଙ୍କୁ ରୁଟି ଦେବୁ ?”

16ତହୁଁ ସେ ସେହି ନଗରର ପ୍ରାଚୀନମାନଙ୍କୁ ଧରିଲେ ଓ ପ୍ରାନ୍ତରର କାନକୋଳି କଣ୍ଟକାଦି ନେଇ ତଦ୍ଦ୍ୱାରା ସୁକ୍‍କୋତର ଲୋକମାନଙ୍କୁ ଶିକ୍ଷା ଦେଲେ ।

17ପୁଣି ସେ ପନୂୟେଲ ଗଡ଼ ଭାଙ୍ଗି ପକାଇଲେ ଓ ନଗରସ୍ଥ ଲୋକମାନଙ୍କୁ ବଧ କଲେ ।

18ଆଉ ସେ ସେବହକୁ ଓ ସଲମୁନ୍ନକୁ କହିଲେ, ତୁମ୍ଭେମାନେ ତାବୋରରେ ଯେଉଁ ଲୋକମାନଙ୍କୁ ବଧ କଲ, ସେମାନେ କି ପ୍ରକାର ଲୋକ ? ତହିଁରେ ସେମାନେ ଉତ୍ତର କଲେ, ଆପଣ ଯେପରି ସେମାନେ ସେପରି, ପ୍ରତ୍ୟେକେ ରାଜପୁତ୍ର ପରି ଥିଲେ ।

19ତେବେ ସେ କହିଲେ, ସେମାନେ ତ ମୋହର ଭାଇ, ମୋ' ମାତାର ପୁତ୍ର; ମୁଁ ଜୀବିତ ସଦାପ୍ରଭୁଙ୍କ ନାମ ନେଇ କହୁଅଛି, ତୁମ୍ଭେମାନେ ଯେବେ ସେମାନଙ୍କୁ ବଞ୍ଚାଇ ରଖିଥାଆନ୍ତ ତେବେ ମୁଁ ତୁମ୍ଭମାନଙ୍କୁ ବଧ କରନ୍ତି ନାହିଁ ।

20ତହୁଁ ସେ ଆପଣା ଜ୍ୟେଷ୍ଠ ପୁତ୍ର ଯେଥରକୁ କହିଲେ, ଉଠ, ସେମାନଙ୍କୁ ବଧ କର, ମାତ୍ର ସେ ଯୁବା ଆପଣା ଖଡ଼୍‍ଗ ବାହାର କଲା ନାହିଁ, କାରଣ ସେ ଯୁବା ଥିବାରୁ ଭୟ କଲା ।

21ତହିଁରେ ସେବହ ଓ ସଲମୁନ୍ନ କହିଲେ, ତୁମ୍ଭେ ଉଠି ଆମ୍ଭମାନଙ୍କୁ ଆଘାତ କର; କାରଣ ଯେ ଯେପରି ପୁରୁଷ, ତାହାର ସେପରି ବୀରତ୍ୱ । ଏ ଉତ୍ତାରେ ଗିଦିୟୋନ୍‍ ଉଠି ସେବହକୁ ଓ ସଲମୁନ୍ନକୁ ବଧ କଲେ, ପୁଣି ସେମାନଙ୍କ ଓଟମାନଙ୍କ ଗଳାର ସମସ୍ତ ଚନ୍ଦ୍ରହାର କାଢ଼ି ନେଲେ ।

22ଅନନ୍ତର ଇସ୍ରାଏଲ-ଲୋକମାନେ ଗିଦିୟୋନ୍‍ଙ୍କୁ କହିଲେ, ତୁମ୍ଭେ ଓ ତୁମ୍ଭ ପୁତ୍ର, ମଧ୍ୟ ତୁମ୍ଭ ପୁତ୍ରର ପୁତ୍ର ଆମ୍ଭମାନଙ୍କ ଉପରେ କର୍ତ୍ତୃତ୍ୱ କର; କାରଣ ତୁମ୍ଭେ ମିଦୀୟନର ହସ୍ତରୁ ଆମ୍ଭମାନଙ୍କୁ ଉଦ୍ଧାର କରିଅଛ ।

23ତହିଁରେ ଗିଦିୟୋନ୍‍ ସେମାନଙ୍କୁ କହିଲେ, ମୁଁ ତୁମ୍ଭମାନଙ୍କ ଉପରେ କର୍ତ୍ତୃତ୍ୱ କରିବି ନାହିଁ, କିଅବା ମୋ' ପୁତ୍ର ତୁମ୍ଭମାନଙ୍କ ଉପରେ କର୍ତ୍ତୃତ୍ୱ କରିବ ନାହିଁ; ସଦାପ୍ରଭୁ ତୁମ୍ଭମାନଙ୍କ ଉପରେ କର୍ତ୍ତୃତ୍ୱ କରିବେ ।

24ପୁଣି ଗିଦିୟୋନ୍‍ ସେମାନଙ୍କୁ କହିଲେ, ମୁଁ ତୁମ୍ଭମାନଙ୍କ ନିକଟରେ ଏହି ନିବେଦନ କରୁଅଛି ଯେ, ତୁମ୍ଭେମାନେ ପ୍ରତ୍ୟେକେ ଆପଣା ଆପଣା ଲୁଟିତ ନଥ ଆମ୍ଭକୁ ଦିଅ । କାରଣ ସେମାନେ ଇଶ୍ମାଏଲୀୟ ଲୋକ ଥିବାରୁ ସେମାନଙ୍କର ସୁବର୍ଣ୍ଣ ନଥ ଥିଲା ।

25ତହିଁରେ ସେମାନେ ଉତ୍ତର କଲେ, ଆମ୍ଭେମାନେ ତାହା ଅବଶ୍ୟ ଦେବୁ । ପୁଣି ସେମାନେ ବସ୍ତ୍ର ବିଛାଇ ପ୍ରତ୍ୟେକେ ତହିଁ ମଧ୍ୟରେ ଆପଣା ଆପଣା ଲୁଟିତ ନଥ ପକାଇଲେ ।

26ତହିଁରେ ଚନ୍ଦ୍ରହାର ଓ ଝୁମୁକା ଓ ମିଦୀୟନୀୟ ରାଜାମାନଙ୍କ ପରିଧେୟ ବାଇଗଣିଆ ରଙ୍ଗ ବସ୍ତ୍ର ଓ ସେମାନଙ୍କ ଓଟର ଗଳାହାର ଛଡ଼ା ତାଙ୍କର ବାଞ୍ଛିତ ସୁବର୍ଣ୍ଣ ନଥର ପରିମାଣ ଏକ ସହସ୍ର ସାତ ଶହ ଶେକଲ ସୁବର୍ଣ୍ଣ ହେଲା ।

27ତହୁଁ ଗିଦିୟୋନ୍‍ ତହିଁରେ ଏକ ଏଫୋଦ ବନାଇ ଆପଣାର ଅଫ୍ରା ନାମକ ନଗରରେ ରଖିଲେ; ଆଉ ସମସ୍ତ ଇସ୍ରାଏଲ ତହିଁର ପଶ୍ଚାଦ୍‍ଗମନ କରି ସେଠାରେ ବ୍ୟଭିଚାରୀ ହେଲେ; ପୁଣି ତାହା ଗିଦିୟୋନ୍‍ଙ୍କ ପ୍ରତି ଓ ତାଙ୍କର ବଂଶ ପ୍ରତି ଫାନ୍ଦ ସ୍ୱରୂପ ହେଲା ।

28ଏହିରୂପେ ମିଦୀୟନ ଇସ୍ରାଏଲ-ସନ୍ତାନମାନଙ୍କ ସମ୍ମୁଖରେ ବଶୀଭୂତ ହେଲା ଓ ସେମାନେ ଆଉ ଆପଣାମାନଙ୍କ ମସ୍ତକ ଉଠାଇଲେ ନାହିଁ । ତହୁଁ ଗିଦିୟୋନ୍‍ଙ୍କର ସମୟରେ ଦେଶ ଚାଳିଶ ବର୍ଷ ବିଶ୍ରାମ ପାଇଲା ।

29ଅନନ୍ତର ଯୋୟାଶର ପୁତ୍ର ଯିରୁବ୍ବାଲ୍‍ ଯାଇ ତାଙ୍କ ନିଜ ଗୃହରେ ବାସ କଲେ ।

30ସେହି ଗିଦିୟୋନ୍‍ର ଔରସଜାତ ସତୁରି ଜଣ ପୁତ୍ର ଥିଲେ; କାରଣ ତାଙ୍କର ଅନେକ ଭାର୍ଯ୍ୟା ଥିଲେ ।

31ପୁଣି ଶିଖିମରେ ତାଙ୍କର ଯେଉଁ ଉପପତ୍ନୀ ଥିଲା, ସେ ମଧ୍ୟ ତାଙ୍କର ଏକ ପୁତ୍ର ଜନ୍ମ କଲା, ତହିଁରେ ସେ ତାହାର ନାମ ଅବୀମେଲକ୍‍ ରଖିଲେ ।

32ଏଥି ଉତ୍ତାରେ ଯୋୟାଶର ପୁତ୍ର ଗିଦିୟୋନ୍‍ ଉତ୍ତମ ବୃଦ୍ଧାବସ୍ଥାରେ ମଲେ, ପୁଣି ଅବୀୟେଷ୍ରୀୟମାନଙ୍କ ଅଫ୍ରାରେ ତାଙ୍କ ପିତା ଯୋୟାଶର କବରରେ କବର ପାଇଲେ ।

33ଅନନ୍ତର ଗିଦିୟୋନ୍‍ ମଲା କ୍ଷଣି ଇସ୍ରାଏଲ ଲୋକମାନେ ଫେରି ବାଲ୍‍-ଦେବତାଗଣର ପଶ୍ଚାଦ୍‍ଗାମୀ ହୋଇ ବ୍ୟଭିଚାରୀ ହେଲେ, ପୁଣି ବାଲ୍‍-ବରୀତକୁ ଆପଣାମାନଙ୍କର ଦେବତା ମାନିଲେ ।

34ଆଉ ଚତୁର୍ଦ୍ଦିଗସ୍ଥିତ ଶତ୍ରୁଗଣ ହସ୍ତରୁ ଇସ୍ରାଏଲ ସନ୍ତାନଗଣକୁ ରକ୍ଷା କରିଥିଲେ ଯେଉଁ ସଦାପ୍ରଭୁ ସେମାନଙ୍କ ପରମେଶ୍ୱର, ତାହାଙ୍କୁ ସେମାନେ ସ୍ମରଣ କଲେ ନାହିଁ ।

35କିଅବା ଯିରୁବ୍ବାଲ୍‍, ଅର୍ଥାତ୍‍, ଗିଦିୟୋନ୍‍ ଇସ୍ରାଏଲ ପ୍ରତି ଯେରୂପ ସଦୟ ହୋଇଥିଲେ, ସେମାନେ ତଦନୁସାରେ ତାଙ୍କର ବଂଶ ପ୍ରତି ଦୟା ବ୍ୟବହାର କଲେ ନାହିଁ ।


  Share Facebook  |  Share Twitter

 <<  Judges 8 >> 


Bible2india.com
© 2010-2024
Help
Dual Panel

Laporan Masalah/Saran