Bible 2 India Mobile
[VER] : [ODIYA]     [PL]  [PB] 
 <<  Judges 7 >> 

1ଅନନ୍ତର ଯିରୁବ୍ବାଲ୍‍, ଅର୍ଥାତ୍‍, ଗିଦିୟୋନ୍‍ ଓ ତାଙ୍କର ସଙ୍ଗୀ ସମସ୍ତ ଲୋକ ପ୍ରଭାତରେ ଉଠି ହାରୋଦ ନିର୍ଝର ନିକଟରେ ଛାଉଣି କଲେ; ସେ ସମୟରେ ମିଦୀୟନର ଛାଉଣି ସେମାନଙ୍କ ଉତ୍ତର ଆଡ଼େ ମୋରି ପର୍ବତ ନିକଟସ୍ଥ ତଳଭୂମିରେ ଥିଲା ।

2ଏଥି ଉତ୍ତାରେ ସଦାପ୍ରଭୁ ଗିଦିୟୋନ୍‍ଙ୍କୁ କହିଲେ, ତୁମ୍ଭ ସଙ୍ଗୀ ଲୋକମାନେ ଏତେ ଅଧିକ ଯେ, ଆମ୍ଭେ ମିଦୀୟନୀୟମାନଙ୍କୁ ସେମାନଙ୍କ ହସ୍ତରେ ସମର୍ପଣ କରି ନ ପାରୁ; କଲେ, ଆମ୍ଭ ନିଜ ହସ୍ତ ଆମ୍ଭକୁ ଉଦ୍ଧାର କରିଅଛି, ଏହା କହି ଇସ୍ରାଏଲ ଅବା ଆମ୍ଭ ବିରୁଦ୍ଧରେ ଦର୍ପ କରିବ ।

3ଏଣୁ ଏବେ ଏହା କର, ଯେ କେହି ଭୟାର୍ତ୍ତ ଓ କମ୍ପିତ, ସେ ଫେରି ଗିଲୀୟଦ ପର୍ବତରୁ ଚାଲିଯାଉ, ଏହା କହି ଲୋକମାନଙ୍କ କର୍ଣ୍ଣରେ ଘୋଷଣା କର । ତହିଁରେ ଲୋକମାନଙ୍କ ମଧ୍ୟରୁ ବାଇଶ ହଜାର ଲୋକ ଫେରିଗଲେ ଓ ଦଶ ହଜାର ଲୋକ ରହିଲେ ।

4ତହୁଁ ସଦାପ୍ରଭୁ ଗିଦିୟୋନ୍‍ଙ୍କୁ କହିଲେ, ତଥାପି ବହୁତ ଲୋକ ଅଛନ୍ତି; ସେମାନଙ୍କୁ ଜଳ ନିକଟକୁ ଆଣ, ସେଠାରେ ଆମ୍ଭେ ତୁମ୍ଭ ନିମନ୍ତେ ସେମାନଙ୍କୁ ପରୀକ୍ଷା କରିବା; ତହିଁରେ ଆମ୍ଭେ ଯାହା ବିଷୟରେ ତୁମ୍ଭକୁ କହିବା, ଏ ତୁମ୍ଭ ସଙ୍ଗରେ ଯିବ, ସେ ତୁମ୍ଭ ସଙ୍ଗରେ ଯିବ; ପୁଣି ଯାହା ବିଷୟରେ ଆମ୍ଭେ ତୁମ୍ଭକୁ କହିବା, ଏ ତୁମ୍ଭ ସଙ୍ଗରେ ଯିବ ନାହିଁ, ସେ ଯିବ ନାହିଁ ।

5ତେଣୁ ସେ ଲୋକମାନଙ୍କୁ ଜଳ ନିକଟକୁ ଆଣିଲେ; ତହିଁରେ ସଦାପ୍ରଭୁ ଗିଦିୟୋନ୍‍ଙ୍କୁ କହିଲେ, କୁକ୍‍କୁର ପରି ଆପଣା ଜିହ୍ୱାରେ ଚାକୁ ଚାକୁ କରି ଜଳ ଖାଇବା ପ୍ରତ୍ୟେକ ଲୋକକୁ, ସେହିପରି ପାନ କରିବାକୁ ଆଣ୍ଠୁ ଉପରେ ନଇଁ ପଡ଼ିବା ପ୍ରତ୍ୟେକ ଲୋକକୁ ପୃଥକ୍‍ କର ।

6ତହିଁରେ ଯେଉଁମାନେ ଆପଣା ଆପଣା ମୁଖରେ ହାତ ଦେଇ ଚାକୁ ଚାକୁ କରି ଜଳ ଖାଇଲେ, ସେମାନେ ସଂଖ୍ୟାରେ ତିନି ଶହ ଲୋକ ହେଲେ; ମାତ୍ର ଅବଶିଷ୍ଟ ଲୋକ ସମସ୍ତେ ଜଳପାନ କରିବାକୁ ଆଣ୍ଠୁ ଉପରେ ନଇଁ ପଡ଼ିଲେ ।

7ତହୁଁ ସଦାପ୍ରଭୁ ଗିଦିୟୋନ୍‍ଙ୍କୁ କହିଲେ, ଯେଉଁ ତିନି ଶହ ଲୋକ ଚାକୁ ଚାକୁ କରି ଜଳ ଖାଇଲେ, ସେମାନଙ୍କ ଦ୍ୱାରା ଆମ୍ଭେ ତୁମ୍ଭମାନଙ୍କୁ ଉଦ୍ଧାର କରିବା ଓ ମିଦୀୟନୀୟମାନଙ୍କୁ ତୁମ୍ଭ ହସ୍ତରେ ସମର୍ପଣ କରିବା; ଆଉ ସମସ୍ତ ଲୋକ ଆପଣା ଆପଣା ସ୍ଥାନକୁ ଚାଲି ଯାଆନ୍ତୁ ।

8ଏଥିରେ ଲୋକମାନେ ଆପଣା ଆପଣା ହସ୍ତରେ ଖାଦ୍ୟଦ୍ରବ୍ୟ ଓ ତୂରୀ ଘେନିଲେ; ପୁଣି ସେ ଇସ୍ରାଏଲର ସମସ୍ତ ଲୋକଙ୍କୁ ଆପଣା ଆପଣା ତମ୍ବୁକୁ ବିଦାୟ କଲେ, ମାତ୍ର ସେହି ତିନି ଶହ ଲୋକଙ୍କୁ ରଖିଲେ; ସେ ସମୟରେ ମିଦୀୟନୀୟ ଛାଉଣି ତାହାର ନୀଚସ୍ଥ ତଳଭୂମିରେ ଥିଲା ।

9ଅନନ୍ତର ସେହି ରାତ୍ରିରେ ସଦାପ୍ରଭୁ ତାଙ୍କୁ କହିଲେ, ଉଠ, ସେହି ଛାଉଣିକି ଓହ୍ଲାଇ ଯାଅ; କାରଣ ଆମ୍ଭେ ତୁମ୍ଭ ହସ୍ତରେ ତାହା ସମର୍ପଣ କଲୁ ।

10ମାତ୍ର ତୁମ୍ଭେ ଯିବାକୁ ଭୟ କଲେ, ତୁମ୍ଭ ଦାସ ଫୁରାକୁ ସଙ୍ଗେ ନେଇ ଛାଉଣିକି ଓହ୍ଲାଇ ଯାଅ ।

11ଆଉ, ସେମାନେ ଯାହା କହନ୍ତି, ତୁମ୍ଭେ ତାହା ଶୁଣିବ; ତହିଁ ଉତ୍ତାରେ ଛାଉଣିକି ଓହ୍ଲାଇ ଯିବା ପାଇଁ ତୁମ୍ଭ ହସ୍ତ ବଳବାନ ହେବ । ତହିଁରେ ସେ ଆପଣା ଦାସ ଫୁରା ସହିତ ଛାଉଣିରେ ଥିବା ସସଜ୍ଜ ଲୋକମାନଙ୍କ ବାହାରସ୍ଥ ସୀମାର ପ୍ରାନ୍ତ ପର୍ଯ୍ୟନ୍ତ ଗଲେ ।

12ସେହି ମିଦୀୟନୀୟ ଓ ଅମାଲେକୀୟ ଓ ପୂର୍ବଦେଶୀୟ ଲୋକମାନେ ବହୁସଂଖ୍ୟକ ହେତୁରୁ ପଙ୍ଗପାଳ ପରି ତଳଭୂମିରେ ପଡ଼ି ରହିଥିଲେ; ସେମାନଙ୍କର ଓଟ ବହୁସଂଖ୍ୟକ ହେତୁରୁ ସମୁଦ୍ରତୀରସ୍ଥ ବାଲି ପରି ଅସଂଖ୍ୟ ଥିଲେ ।

13ପୁଣି ଗିଦିୟୋନ୍‍ ଉପସ୍ଥିତ ହେଲା ବେଳେ, ଦେଖ, ଜଣେ ଲୋକ ଆପଣା ସଙ୍ଗୀକି ଗୋଟିଏ ସ୍ୱପ୍ନ ଜଣାଇ କହିଲା, ଦେଖ, ମୁଁ ସ୍ୱପ୍ନ ଦେଖିଲି ଯେ, ଏକ ଯବ-ରୁଟି ମିଦୀୟନୀୟ ଛାଉଣି ଆଡ଼କୁ ଗଡ଼ି ତମ୍ବୁକୁ ଆସି ଆଘାତ କରନ୍ତେ, ତାହା ପଡ଼ିଗଲା; ପୁଣି ତାକୁ ଓଲଟାଇ ପକାନ୍ତେ, ସେହି ତମ୍ବୁ ଶୋଇ ପଡ଼ିଲା ।

14ତହୁଁ ତାହାର ସଙ୍ଗୀ ଉତ୍ତର କରି କହିଲା, ଏହା ଇସ୍ରାଏଲୀୟ ଯୋୟାଶର ପୁତ୍ର ଗିଦିୟୋନ୍‍ଙ୍କର ଖଡ଼୍‍ଗ ଛଡ଼ା ଆଉ କିଛି ନୁହେଁ; ପରମେଶ୍ୱର ମିଦୀୟନକୁ ଓ ସମୁଦାୟ ସୈନ୍ୟଦଳକୁ ତାହା ହସ୍ତରେ ସମର୍ପଣ କରିଅଛନ୍ତି ।

15ସେତେବେଳେ ଗିଦିୟୋନ୍‍ ସେହି ସ୍ୱପ୍ନର କଥା ଓ ତହିଁର ଅର୍ଥ ଶୁଣି ପ୍ରଣାମ କଲେ; ପୁଣି ସେ ଇସ୍ରାଏଲ ଛାଉଣିକି ଫେରି ଆସି କହିଲେ, ଉଠ, କାରଣ ସଦାପ୍ରଭୁ ତୁମ୍ଭମାନଙ୍କ ହସ୍ତରେ ମିଦୀୟନୀୟ ସୈନ୍ୟଦଳକୁ ସମର୍ପଣ କରିଅଛନ୍ତି ।

16ତହୁଁ ସେ ସେହି ତିନି ଶହ ଲୋକଙ୍କୁ ତିନି ଦଳରେ ବିଭାଗ କରି ସେସମସ୍ତଙ୍କ ହସ୍ତରେ ତୂରୀ ଓ ଶୂନ୍ୟ କଳଶ ଓ କଳଶ ମଧ୍ୟରେ ଦିହୁଡ଼ି ଦେଲେ ।

17ଆଉ ସେ ସେମାନଙ୍କୁ କହିଲେ, ତୁମ୍ଭେମାନେ ମୋ' ପ୍ରତି ଦୃଷ୍ଟି ରଖି ମୋ' ପରି କର୍ମ କର; ପୁଣି ମୁଁ ଛାଉଣି ବାହାରସ୍ଥ ସୀମା-ପ୍ରାନ୍ତରେ ଉପସ୍ଥିତ ହେଲେ ଯେରୂପ କରିବି, ତୁମ୍ଭେମାନେ ମଧ୍ୟ ସେରୂପ କରିବ ।

18ଯେତେବେଳେ ମୁଁ ଓ ଆମ୍ଭ ସଙ୍ଗୀ ସମସ୍ତେ ତୂରୀ ବଜାଇବୁ, ସେତେବେଳେ ତୁମ୍ଭେମାନେ ମଧ୍ୟ ସମୁଦାୟ ଛାଉଣିର ଚାରିଆଡ଼େ ତୂରୀ ବଜାଅ ଓ କୁହ, (ଖଡ଼୍‍ଗ) ସଦାପ୍ରଭୁଙ୍କ ପକ୍ଷ ଓ ଗିଦିୟୋନ୍‍ଙ୍କର ପକ୍ଷ ।

19ଅନନ୍ତର ମଧ୍ୟାହ୍ନ-ପ୍ରହରର ଆରମ୍ଭରେ ମିଦୀୟନୀୟମାନେ ନୂତନ ପ୍ରହରୀ ସ୍ଥାପନ କରନ୍ତେ, ଗିଦିୟୋନ୍‍ ଓ ତାଙ୍କର ସଙ୍ଗୀ ଏକ ଶହ ଲୋକ ଛାଉଣିର ବାହାରସ୍ଥ ସୀମା-ପ୍ରାନ୍ତରେ ଉପସ୍ଥିତ ହେଲେ; ପୁଣି ସେମାନେ ତୂରୀ ବଜାଇ ସେମାନଙ୍କ ହସ୍ତରେ ଥିବା କଳଶ କଚାଡ଼ି ଭାଙ୍ଗି ପକାଇଲେ ।

20ଏରୂପେ ତିନିଦଳସ୍ଥ ଲୋକ ତୂରୀ ବଜାଇଲେ ଓ କଳଶ ଭାଙ୍ଗିଲେ, ପୁଣି ବାମ ହସ୍ତରେ ଦିହୁଡ଼ି ଓ ଦକ୍ଷିଣ ହସ୍ତରେ ବଜାଇବା ତୂରୀ ଧରିଲେ ଓ ସେମାନେ ଡାକ ପକାଇ କହିଲେ, ଖଡ଼୍‍ଗ, ସଦାପ୍ରଭୁଙ୍କ ପକ୍ଷ ଓ ଗିଦିୟୋନ୍‍ଙ୍କର ପକ୍ଷ ।

21ପୁଣି ସେମାନେ ପ୍ରତ୍ୟେକ ଛାଉଣି ଚାରିଆଡ଼େ ଆପଣା ଆପଣା ସ୍ଥାନରେ ଠିଆ ହୋଇ ରହିଲେ; ତହିଁରେ ସୈନ୍ୟଦଳ ଦଉଡ଼ାଦଉଡ଼ି କଲେ; ତେବେ ଇସ୍ରାଏଲୀୟ ଲୋକମାନେ ଜୟଧ୍ୱନି କରି ସେମାନଙ୍କୁ ପଳାୟନ କରାଇଲେ ।

22ପୁଣି ସେମାନେ ସେହି ତିନି ଶହ ତୂରୀ ବଜାନ୍ତେ, ସଦାପ୍ରଭୁ ପ୍ରତ୍ୟେକ ଲୋକର ଖଡ଼୍‍ଗ ଆପଣା ସଙ୍ଗୀ ଓ ସମୁଦାୟ ସୈନ୍ୟଦଳ ବିରୁଦ୍ଧରେ ଚଳାଇଲେ; ତହିଁରେ ସୈନ୍ୟଦଳ ସରୋଦା ଆଡ଼େ ବୈଥ୍‍-ଶିଟା ପର୍ଯ୍ୟନ୍ତ, ଟବ୍ବତ ନିକଟସ୍ଥ ଆବେଲମହୋଲାର ସୀମା ପର୍ଯ୍ୟନ୍ତ ପଳାୟନ କଲେ ।

23ଏଥି ଉତ୍ତାରେ ନପ୍ତାଲି ଓ ଆଶେର୍‍ ଓ ସମୁଦାୟ ମନଃଶି ଦେଶରୁ ଇସ୍ରାଏଲୀୟ ଲୋକେ ଏକତ୍ରିତ ହୋଇ ମିଦୀୟନୀୟମାନଙ୍କ ପଛେ ପଛେ ଗୋଡ଼ାଇଲେ ।

24ପୁଣି ଗିଦିୟୋନ୍‍ ଇଫ୍ରୟିମର ପର୍ବତମୟ ସମସ୍ତ ଦେଶର ଚାରିଆଡ଼େ ଏହି କଥା କହିବାକୁ ଦୂତ ପଠାଇଲେ, ମିଦୀୟନ ବିରୁଦ୍ଧରେ ଓହ୍ଲାଇ ଆସ ଓ ସେମାନଙ୍କ ଆଗେ ବୈଥ୍‍ବାରା ପର୍ଯ୍ୟନ୍ତ ସମସ୍ତ ଜଳ, ମଧ୍ୟ ଯର୍ଦ୍ଦନ ହସ୍ତଗତ କର; ତହିଁରେ ଇଫ୍ରୟିମର ସମସ୍ତ ଲୋକ ଏକତ୍ରିତ ହୋଇ ବୈଥ୍‍-ବାରା ପର୍ଯ୍ୟନ୍ତ ସମସ୍ତ ଜଳ, ମଧ୍ୟ ଯର୍ଦ୍ଦନ ହସ୍ତଗତ କଲେ ।

25ଏଥିରେ ସେମାନେ ଓରେବ୍‍ ଓ ସେବ୍‍ ନାମକ ମିଦୀୟନର ଦୁଇ ଅଧିପତିଙ୍କୁ ଧରିଲେ; ପୁଣି ସେମାନେ ଓରେବ୍‍କୁ ଓରେବ୍‍-ଶୈଳ ନିକଟରେ ବଧ କଲେ, ଆଉ ସେବ୍‍କୁ ସେମାନେ ସେବ୍‍-ଦ୍ରାକ୍ଷାଯନ୍ତ୍ର ନିକଟରେ ବଧ କରି ମିଦୀୟନର ପଛେ ପଛେ ଗୋଡ଼ାଇଲେ; ପୁଣି ସେମାନେ ଓରେବ୍‍ ଓ ସେବ୍‍ର ମସ୍ତକ ଯର୍ଦ୍ଦନ ସେପାରିକି ଗିଦିୟୋନ୍‍ଙ୍କ ନିକଟକୁ ଆଣିଲେ ।


  Share Facebook  |  Share Twitter

 <<  Judges 7 >> 


Bible2india.com
© 2010-2024
Help
Dual Panel

Laporan Masalah/Saran