1ଅନନ୍ତର ଏହୂଦଙ୍କର ମୃତ୍ୟୁ ପରେ, ଇସ୍ରାଏଲ ସନ୍ତାନଗଣ ସଦାପ୍ରଭୁଙ୍କ ଦୃଷ୍ଟିରେ ଯାହା ମନ୍ଦ, ତାହା ପୁନର୍ବାର କଲେ ।
2ତହିଁରେ ସଦାପ୍ରଭୁ ହାତ୍ସୋରରେ ରାଜତ୍ୱକାରୀ କିଣାନୀୟ ରାଜା ଯାବୀନ୍ର ହସ୍ତରେ ସେମାନଙ୍କୁ ବିକ୍ରୟ କଲେ; ଅନ୍ୟ ଦେଶୀୟମାନଙ୍କ ହରୋଶୋତ୍-ନିବାସୀ ସୀଷରା ତାହାର ସେନାପତି ଥିଲା ।
3ଏଥିରେ ଇସ୍ରାଏଲ-ସନ୍ତାନଗଣ ସଦାପ୍ରଭୁଙ୍କ ନିକଟରେ କ୍ରନ୍ଦନ କଲେ; କାରଣ ତାହାର ନଅ ଶହ ଲୌହ ରଥ ଥିଲା; ପୁଣି ସେ କୋଡ଼ିଏ ବର୍ଷ ପର୍ଯ୍ୟନ୍ତ ଇସ୍ରାଏଲ-ସନ୍ତାନଗଣ ପ୍ରତି ଶୋଷଣ ଓ କଠୋର ଅତ୍ୟାଚାର କଲା ।
4ସେସମୟରେ ଲପ୍ପିଦୋତର ଭାର୍ଯ୍ୟା ଦବୋରା ଭବିଷ୍ୟଦ୍ବକ୍ତ୍ରୀ ଇସ୍ରାଏଲର ବିଚାର କଲେ ।
5ସେ ଇଫ୍ରୟିମର ପର୍ବତମୟ ଦେଶସ୍ଥିତ ରାମା ଓ ବୈଥେଲ୍ ମଧ୍ୟରେ ଥିବା ଦବୋରା ନାମକ ଖର୍ଜ୍ଜୁରବୃକ୍ଷ ମୂଳେ ବାସ କଲେ; ପୁଣି ଇସ୍ରାଏଲ-ସନ୍ତାନଗଣ ବିଚାରାର୍ଥେ ତାହା ନିକଟକୁ ଗଲେ ।
6ଆଉ ସେ ଲୋକ ପଠାଇ କେଦଶ-ନପ୍ତାଲିରୁ ଅବୀନୋୟମର ପୁତ୍ର ବାରକ୍କୁ ଡକାଇ କହିଲେ, ସଦାପ୍ରଭୁ ଇସ୍ରାଏଲର ପରେମଶ୍ୱର କି ଆଜ୍ଞା ଦେଇ କହି ନାହାନ୍ତି, ଯେ ତାବୋର ପର୍ବତକୁ ଯାଅ, ପୁଣି ଆପଣା ସଙ୍ଗେ ନପ୍ତାଲି-ସନ୍ତାନ ଓ ସବୂଲୂନ୍-ସନ୍ତାନଗଣର ଦଶ ହଜାର ଲୋକଙ୍କୁ କଢ଼ାଇ ନିଅ ?
7ତହିଁରେ ଆମ୍ଭେ ଯାବୀନ୍ର ସେନାପତି ସୀଷରାକୁ ଓ ତାହାର ରଥ ଓ ଜନତାକୁ କୀଶୋନ୍ ନଦୀ କତିକି ତୁମ୍ଭ ନିକଟକୁ କଢ଼ାଇ ଆଣିବା ଓ ଆମ୍ଭେ ତାହାକୁ ତୁମ୍ଭ ହସ୍ତରେ ସମର୍ପଣ କରିବା ।
8ତହୁଁ ବାରକ୍ ଦବୋରାଙ୍କୁ କହିଲା, ତୁମ୍ଭେ ଯେବେ ମୋ' ସଙ୍ଗେ ଯିବ, ତେବେ ମୁଁ ଯିବି; ମାତ୍ର ତୁମ୍ଭେ ମୋ' ସଙ୍ଗେ ନ ଗଲେ, ମୁଁ ଯିବି ନାହିଁ ।
9ତେବେ ସେ କହିଲେ, ମୁଁ ନିଶ୍ଚୟ ତୁମ୍ଭ ସଙ୍ଗେ ଯିବି; ତଥାପି ଏହି ଯାତ୍ରାରେ ତୁମ୍ଭର ଯଶ ହେବ ନାହିଁ; କାରଣ ସଦାପ୍ରଭୁ ସୀଷରାକୁ ଏକ ସ୍ତ୍ରୀ ହସ୍ତରେ ବିକ୍ରୟ କରିବେ । ଏ ଉତ୍ତାରେ ଦବୋରା ଉଠି ବାରକ୍ ସଙ୍ଗରେ କେଦଶକୁ ଗଲେ ।
10ପୁଣି ବାରକ୍, ସବୂଲୂନ୍ ଓ ନପ୍ତାଲିକି ଏକତ୍ର କେଦଶକୁ ଡକାଇଲା; ଏରୂପେ ସେ ଦଶ ହଜାର ପଦାତିକ ସୈନ୍ୟ ଆପଣା ସଙ୍ଗରେ ଘେନି ଯାତ୍ରା କଲା ଓ ଦବୋରା ତାହା ସଙ୍ଗେ ଗଲେ ।
11ସେସମୟରେ କେନୀୟ ହେବର କେନୀୟମାନଙ୍କଠାରୁ, ଅର୍ଥାତ୍, ମୋଶାଙ୍କ ପତ୍ନୀ-ଭ୍ରାତା ହୋବବ୍ର ସନ୍ତାନମାନଙ୍କଠାରୁ ପୃଥକ୍ ହୋଇ କେଦଶ ନିକଟବର୍ତ୍ତୀ ସାନନ୍ନୀମରେ ଥିବା ଅଲୋନ ବୃକ୍ଷ ପର୍ଯ୍ୟନ୍ତ ତମ୍ବୁ ସ୍ଥାପନ କରିଥିଲା ।
12ଲୋକମାନେ ସୀଷରାକୁ କହିଲେ ଯେ, ବାରକ୍ (ଅବୀନୋୟମର ପୁତ୍ର) ତାବୋର ପର୍ବତ ଉପରକୁ ଯାଇଅଛି ।
13ତହିଁରେ ସୀଷରା ଆପଣାର ନଅ ଶହ ଲୌହରଥ ଯାକ ଓ ଅନ୍ୟ ଦେଶୀୟମାନଙ୍କ ହରୋଶୋତ୍ଠାରୁ କୀଶୋନ୍ ନଦୀ ପର୍ଯ୍ୟନ୍ତ ଆପଣା ସଙ୍ଗୀ ସମସ୍ତ ଲୋକଙ୍କୁ ଏକତ୍ର କଲା ।
14ସେତେବେଳେ ଦବୋରା ବାରକ୍କୁ କହିଲେ, ଉଠ, କାରଣ ଆଜି ସଦାପ୍ରଭୁ ସୀଷରାକୁ ତୁମ୍ଭ ହସ୍ତରେ ସମର୍ପଣ କରିବାର ଦିନ; ସଦାପ୍ରଭୁ କି ତୁମ୍ଭର ଅଗ୍ରଗାମୀ ହୋଇ ଯାଇ ନାହାନ୍ତି ? ତହିଁରେ ବାରକ୍ ଓ ତାହା ପଛେ ଦଶ ହଜାର ଲୋକ ତାବୋର ପର୍ବତରୁ ଓହ୍ଲାଇ ଗଲେ ।
15ତହୁଁ ସଦାପ୍ରଭୁ ବାରକ୍ ସମ୍ମୁଖରେ ସୀଷରାକୁ ଓ ତାହାର ସମସ୍ତ ରଥ ଓ ତାହାର ସୈନ୍ୟସମୂହକୁ ଖଡ଼୍ଗ ଧାରରେ ଅସ୍ତବ୍ୟସ୍ତ କଲେ; ଏଥିରେ ସୀଷରା ରଥରୁ ଓହ୍ଲାଇ ପାଦଗତିରେ ପଳାଇଲା ।
16ମାତ୍ର ବାରକ୍ ଅନ୍ୟ ଦେଶୀୟମାନଙ୍କ ହରୋଶୋତ୍ ପର୍ଯ୍ୟନ୍ତ ସମସ୍ତ ରଥ ଓ ସୈନ୍ୟ ପଛେ ପଛେ ଗୋଡ଼ାଇଲା; ତହିଁରେ ସୀଷରାର ସମସ୍ତ ସୈନ୍ୟ ଖଡ଼୍ଗ ଧାରରେ ପତିତ ହେଲେ; ଜଣେ ହେଁ ଅବଶିଷ୍ଟ ରହିଲା ନାହିଁ ।
17ତଥାପି ସୀଷରା ପାଦଗତିରେ ପଳାଇ ସେହି କେନୀୟ ହେବରର ଭାର୍ଯ୍ୟା ଯାୟେଲର ତମ୍ବୁ ଆଡ଼କୁ ଗଲା; କାରଣ ସେସମୟରେ ହାତ୍ସୋରର ରାଜା ଯାବୀନ୍ ଓ କେନୀୟ ହେବର-ବଂଶ ମଧ୍ୟରେ ଶାନ୍ତିଚୁକ୍ତି ଥିଲା ।
18ଏଥିରେ ଯାୟେଲ ସୀଷରାକୁ ଭେଟିବାକୁ ବାହାରେ ଯାଇ ତାହାକୁ କହିଲା, ହେ ମୋହର ପ୍ରଭୁ, ଭିତରକୁ ଆସନ୍ତୁ, ମୋହର କତିକି ଆସନ୍ତୁ, ଭୟ ନ କରନ୍ତୁ; ତହିଁରେ ସେ ତାହା ଆଡ଼କୁ ଫେରି ତମ୍ବୁ ଭିତରକୁ ଯାଆନ୍ତେ, ସେ ଏକ କମ୍ବଳରେ ତାହାକୁ ଘୋଡ଼ାଇ ରଖିଲା;
19ସେତେବେଳେ ସୀଷରା ତାହାକୁ କହିଲା, ମୋତେ ଟିକିଏ ଜଳ ପିଆଅନା; ମୁଁ ତୃଷିତ ଅଟେ । ତହିଁରେ ସେ ଦୁଗ୍ଧକୁମ୍ପା ଫିଟାଇ ପାନ କରିବାକୁ ଦେଇ ତାକୁ ଘୋଡ଼ାଇ ରଖିଲା ।
20ଏଉତ୍ତାରେ ସୀଷରା ତାହାକୁ କହିଲା, ତୁମ୍ଭେ ତମ୍ବୁ ଦ୍ୱାରରେ ଛିଡ଼ା ହୋଇଥାଅ, ଯେବେ କେହି ଆସି ତୁମ୍ଭକୁ ପଚାରି କହେ, ଏଠାରେ କୌଣସି ମନୁଷ୍ୟ ଅଛି କି ? ତେବେ ତୁମ୍ଭେ କହିବ, କେହି ନାହିଁ ।
21ଅନନ୍ତର ହେବରର ଭାର୍ଯ୍ୟା ଯାୟେଲ ତମ୍ବୁ-ମେଖ ଓ ହାତୁଡ଼ି ହାତରେ ନେଇ ଧୀରେ ଧୀରେ ତାହା ପାଖକୁ ଯାଇ ତାହାର କର୍ଣ୍ଣମୂଳରେ ସେହି ମେଖ ମାରନ୍ତେ, ତାହା ଫୁଟି ଭୂମିକି ଗଲା; କାରଣ ସେ ଘୋର ନିଦ୍ରାରେ ଥିଲା; ତେଣୁ ସେ ମୂର୍ଚ୍ଛିତ ହୋଇ ମଲା ।
22ଆଉ ଦେଖ, ବାରକ୍ ସୀଷରାର ପଛେ ପଛେ ଗୋଡ଼ାଉ ଗୋଡ଼ାଉ ଯାୟେଲ ତାହାକୁ ଭେଟିବା ପାଇଁ ବାହାରକୁ ଯାଇ କହିଲା, ଆସ, ତୁମ୍ଭେ ଯାହାକୁ ଖୋଜୁଅଛ, ମୁଁ ସେହି ମନୁଷ୍ୟକୁ ଦେଖାଇବି । ତହିଁରେ ସେ ତାହା ନିକଟକୁ ଆସିଲା; ଆଉ ଦେଖ, ସୀଷରା ମୃତ ହୋଇ ପଡ଼ିଅଛି, ଆଉ ତାହାର କର୍ଣ୍ଣ ମୂଳ ଭିତରେ ତମ୍ବୁ-ମେଖ ରହିଅଛି ।
23ଏହିରୂପେ ପରମେଶ୍ୱର ସେହି ଦିନ କିଣାନୀୟ ରାଜା ଯାବୀନ୍ଙ୍କୁ ଇସ୍ରାଏଲ-ସନ୍ତାନଗଣ ସମ୍ମୁଖରେ ନତ କଲେ ।
24ଏ ଉତ୍ତାରେ ଇସ୍ରାଏଲ-ସନ୍ତାନଗଣ କିଣାନୀୟ ରାଜା ଯାବୀନ୍ଙ୍କୁ ସଂହାର କରିବା ପର୍ଯ୍ୟନ୍ତ ସେହି କିଣାନୀୟ ରାଜା ଯାବୀନ୍ ବିରୁଦ୍ଧରେ ସେମାନଙ୍କ ହସ୍ତ ଆହୁରି ଆହୁରି ପ୍ରବଳ ହେଲା ।