Bible 2 India Mobile
[VER] : [ODIYA]     [PL]  [PB] 
 <<  Judges 3 >> 

1ଇସ୍ରାଏଲ ମଧ୍ୟରେ ଯେଉଁମାନେ କିଣାନ-ଦେଶୀୟ ଯୁଦ୍ଧସକଳ ଜାଣି ନ ଥିଲେ, ସେହି ଲୋକମାନଙ୍କୁ ପରୀକ୍ଷା କରିବା ନିମନ୍ତେ

2ଓ ଇସ୍ରାଏଲ-ସନ୍ତାନଗଣର ପୁରୁଷ-ପରମ୍ପରାକୁ ଶିକ୍ଷା ଦେବା ନିମନ୍ତେ, ଅର୍ଥାତ୍‍, ଯେଉଁମାନେ ଆଗେ ଯୁଦ୍ଧ ଜାଣି ନ ଥିଲେ, ସେମାନଙ୍କୁ ତାହା ଶିଖାଇବା ପାଇଁ ସଦାପ୍ରଭୁ ଏହି ଗୋଷ୍ଠୀୟ ଲୋକମାନଙ୍କୁ ଅବଶିଷ୍ଟ ରଖିଲେ, ଯଥା,

3ପଲେଷ୍ଟୀୟମାନଙ୍କ ପାଞ୍ଚ ଅଧିପତି, ପୁଣି ବାଲ୍‍ହର୍ମୋନ୍‍ ପର୍ବତଠାରୁ ହମାତରେ ପ୍ରବେଶ କରିବା ପଥ ପର୍ଯ୍ୟନ୍ତ ଲିବାନୋନ୍‍ ପର୍ବତ-ନିବାସୀ ସମସ୍ତ କିଣାନୀୟ ଓ ସୀଦୋନୀୟ ଓ ହିବ୍ବୀୟ ଲୋକ ।

4ଏମାନଙ୍କ ଦ୍ୱାରା ଇସ୍ରାଏଲକୁ ପରୀକ୍ଷା କରିବା ନିମନ୍ତେ, ଅର୍ଥାତ୍‍, ସଦାପ୍ରଭୁ ସେମାନଙ୍କ ପିତୃଲୋକଙ୍କୁ ମୋଶାଙ୍କ ଦ୍ୱାରା ଯେ ଯେ ଆଜ୍ଞା ଆଦେଶ କରିଥିଲେ, ତାହାସବୁ ସେମାନେ ଶୁଣିବେ କି ନାହିଁ, ଏହା ଜାଣିବା ନିମନ୍ତେ, ଅବଶିଷ୍ଟ ରଖାଗଲେ ।

5ଏଥି ଉତ୍ତାରେ ଇସ୍ରାଏଲ-ସନ୍ତାନଗଣ ହିତ୍ତୀୟ ଓ ଇମୋରୀୟ ଓ ପିରିଷୀୟ ଓ ହିବ୍ବୀୟ ଓ ଯିବୂଷୀୟ ଓ କିଣାନୀୟ ଲୋକମାନଙ୍କ ମଧ୍ୟରେ ବାସ କଲେ ।

6ପୁଣି ସେମାନେ ସେମାନଙ୍କ କନ୍ୟାଗଣଙ୍କୁ ଆପଣାମାନଙ୍କର ଭାର୍ଯ୍ୟା ରୂପେ ଗ୍ରହଣ କଲେ ଓ ଆପଣା ଆପଣା କନ୍ୟାମାନଙ୍କୁ ସେମାନଙ୍କ ପୁତ୍ରଗଣକୁ ବିବାହ କରିବା ନିମନ୍ତେ ଦେଲେ, ଆଉ ସେମାନଙ୍କ ଦେବତାମାନଙ୍କର ସେବା କଲେ ।

7ଅନନ୍ତର ଇସ୍ରାଏଲ-ସନ୍ତାନଗଣ ସଦାପ୍ରଭୁଙ୍କ ଦୃଷ୍ଟିରେ ଯାହା ମନ୍ଦ, ତାହା କଲେ ଓ ସଦାପ୍ରଭୁ ସେମାନଙ୍କ ପରମେଶ୍ୱରଙ୍କୁ ପାସୋରି ବାଲ୍‍ ଦେବଗଣର ଓ ଆଶେରା ଦେବୀଗଣର ସେବା କଲେ ।

8ତହିଁରେ ଇସ୍ରାଏଲ ପ୍ରତି ସଦାପ୍ରଭୁଙ୍କର କ୍ରୋଧ ପ୍ରଜ୍ୱଳିତ ହୁଅନ୍ତେ, ସେ ଅରାମ-ନହରୟିମର ରାଜା କୂଶନ୍-ରିଶୀୟାଥୟିମ୍‍ର ହସ୍ତରେ ସେମାନଙ୍କୁ ବିକ୍ରୟ କଲେ; ତହୁଁ ଇସ୍ରାଏଲ-ସନ୍ତାନଗଣ ଆଠ ବର୍ଷ ପର୍ଯ୍ୟନ୍ତ ସେହି କୂଶନ୍‍-ରିଶୀୟାଥୟିମ୍‍ର ସେବା କଲେ ।

9ଏଥି ଉତ୍ତାରେ ଇସ୍ରାଏଲ-ସନ୍ତାନଗଣ ସଦାପ୍ରଭୁଙ୍କ ନିକଟରେ କ୍ରନ୍ଦନ କରନ୍ତେ, ସଦାପ୍ରଭୁ ଇସ୍ରାଏଲ ସନ୍ତାନଗଣ ପାଇଁ କାଲେବ୍‍ଙ୍କର କନିଷ୍ଠ ଭ୍ରାତା କନସର ପୁତ୍ର ଅତ୍ନୀୟେଲଙ୍କୁ ଉଦ୍ଧାରକର୍ତ୍ତା ରୂପେ ଉତ୍‌ଥାପନ କଲେ ଓ ସେ ସେମାନଙ୍କୁ ଉଦ୍ଧାର କଲେ ।

10ପୁଣି ସଦାପ୍ରଭୁଙ୍କର ଆତ୍ମା ତାଙ୍କଠାରେ ଅଧିଷ୍ଠିତ ହୁଅନ୍ତେ, ସେ ଇସ୍ରାଏଲର ବିଚାର କଲେ ଓ ସେ ଯୁଦ୍ଧ କରିବା ନିମନ୍ତେ ବାହାରିଲେ, ଆଉ ସଦାପ୍ରଭୁ ସେହି ଅରାମୀୟ ରାଜା କୂଶନ୍‍-ରିଶୀୟାଥୟିମ୍‍କୁ ତାହା ହସ୍ତରେ ସମର୍ପଣ କଲେ; ପୁଣି କୂଶନ୍‍-ରିଶୀୟାଥୟିମ୍‍ ଉପରେ ତାହାର ହସ୍ତ ପ୍ରବଳ ହେଲା ।

11ତହିଁରେ ଚାଳିଶ ବର୍ଷ ପର୍ଯ୍ୟନ୍ତ ଦେଶ ବିଶ୍ରାମ ପାଇଲା । ଏ ଉତ୍ତାରେ କନସର ପୁତ୍ର ଅତ୍ନୀୟେଲ ମଲା ।

12ଅନନ୍ତର ଇସ୍ରାଏଲ-ସନ୍ତାନଗଣ, ସଦାପ୍ରଭୁଙ୍କ ଦୃଷ୍ଟିରେ ଯାହା ମନ୍ଦ, ତାହା ପୁନର୍ବାର କଲେ; ଏହେତୁ ସଦାପ୍ରଭୁଙ୍କ ଦୃଷ୍ଟିରେ ଯାହା ମନ୍ଦ, ତାହା ସେମାନେ କରିବାରୁ ସଦାପ୍ରଭୁ ଇସ୍ରାଏଲ ବିରୁଦ୍ଧରେ ମୋୟାବର ରାଜା ଇଗ୍ଲୋନକୁ ସବଳ କଲେ ।

13ତହୁଁ ସେ ଅମ୍ମୋନ ଓ ଅମାଲେକ-ସନ୍ତାନଗଣକୁ ଆପଣା ନିକଟରେ ଏକତ୍ର କଲା ଓ ସେ ଯାଇ ଇସ୍ରାଏଲକୁ ଆଘାତ କରି ଖର୍ଜ୍ଜୁରପୁର ଅଧିକାର କଲା ।

14ତହିଁରେ ଇସ୍ରାଏଲ-ସନ୍ତାନଗଣ ଅଠର ବର୍ଷ ପର୍ଯ୍ୟନ୍ତ ମୋୟାବୀୟ ରାଜା ଇଗ୍ଲୋନର ସେବା କଲେ ।

15ତହୁଁ ଇସ୍ରାଏଲ-ସନ୍ତାନଗଣ ସଦାପ୍ରଭୁଙ୍କ ନିକଟରେ କ୍ରନ୍ଦନ କରନ୍ତେ, ସଦାପ୍ରଭୁ ସେମାନଙ୍କ ପାଇଁ ଉଦ୍ଧାରକର୍ତ୍ତା ରୂପେ ବିନ୍ୟାମୀନ ବଂଶୀୟ ଗେରାର ପୁତ୍ର ଏହୂଦକୁ ଉତ୍ପନ୍ନ କଲେ, ସେ ବାଁହାତିଆ ଥିଲେ । ପୁଣି ଇସ୍ରାଏଲ-ସନ୍ତାନଗଣ ତାହା ଦ୍ୱାରା ମୋୟାବୀୟ ରାଜା ଇଗ୍ଲୋନ ନିକଟକୁ ଭେଟୀ ପଠାଇଲେ ।

16ତହିଁରେ ଏହୂଦ ଆପଣା ନିମନ୍ତେ ଏକ ହସ୍ତ ଦୀର୍ଘ ଦ୍ୱିଧାର ଖଡ଼୍‍ଗ ନିର୍ମାଣ କରାଇ ଆପଣା ଦକ୍ଷିଣ ଜଙ୍ଘରେ ବସ୍ତ୍ର ଭିତରେ ବାନ୍ଧିଲେ ।

17ତହୁଁ ସେ ମୋୟାବୀୟ ରାଜା ଇଗ୍ଲୋନ ନିକଟକୁ ସେହି ଭେଟୀ ନେଲେ; ସେହି ଇଗ୍ଲୋନ ଏକ ମୋଟା ଲୋକ ଥିଲା ।

18ଆଉ ସେ ଭେଟୀ ଦେଇ ସାରିଲା ଉତ୍ତାରେ ଭେଟୀ ଦ୍ରବ୍ୟବାହକ ଲୋକମାନଙ୍କୁ ପଠାଇଦେଲେ ।

19ମାତ୍ର ସେ ଆପେ ଗିଲ୍‍ଗଲସ୍ଥ ପଥରଖଣିଠାରୁ ବାହୁଡ଼ି ଆସି କହିଲେ, ହେ ରାଜନ୍‍, “ମୁଁ ଆପଣଙ୍କ ପାଇଁ ଏକ ଗୁପ୍ତ ଖବର ଆଣିଛି ।" ତେବେ ରାଜା କହିଲା, ତୁନି ହୋଇ ଥାଅ । ତହୁଁ ତାହା ନିକଟରେ ଠିଆ ହେବାର ସମସ୍ତ ଲୋକ ତାହା ଛାମୁରୁ ବାହାରି ଗଲେ ।

20ଏଥିରେ ଏହୂଦ ତାହା ନିକଟକୁ ଗଲେ; ସେତେବେଳେ ସେ ଆପଣା ଗ୍ରୀଷ୍ମକାଳୀନ ଉପର ମହଲାରେ ଏକାକୀ ବସିଥିଲା । ତହିଁରେ ଏହୂଦ କହିଲେ, ଆପଣଙ୍କ ପାଇଁ ପରମେଶ୍ୱରଙ୍କଠାରୁ ଆମ୍ଭର ଏକ କଥା ଅଛି; ତହୁଁ ସେ ଆପଣା ସିଂହାସନରୁ ଉଠିଲା ।

21ତେବେ ଏହୂଦ ଆପଣା ବାମ ହସ୍ତ ବଢ଼ାଇ ଦକ୍ଷିଣ ଜଙ୍ଘରୁ ଖଡ଼୍‍ଗ ନେଇ ତାହାର ପେଟ ଭୁସିଲେ;

22ତହିଁରେ ଖଡ଼୍‍ଗ ସହିତ ମୁଠା ମଧ୍ୟ ପଶିଗଲା, ଆଉ ଖଡ଼୍‍ଗ ଚର୍ବିରେ ଲାଖି ରହିବାରୁ ସେ ତାହା ପେଟରୁ ବାହାର କଲେ ନାହିଁ ଓ ଖଡ଼୍‍ଗ ପଛଭାଗରେ ବାହାରିଲା ।

23ଏ ଉତ୍ତାରେ ଏହୂଦ ତାହାକୁ ରୁଦ୍ଧକରଣାର୍ଥେ ସେହି ଉପର ମହଲାର କବାଟ ବନ୍ଦ କରି ଅର୍ଗଳ ଲଗାଇ ପାବଚ୍ଛ ପଥ ଆଡ଼କୁ ବାହାରିଗଲେ ।

24ସେ ବାହାରିଗଲା ଉତ୍ତାରେ ରାଜାର ଦାସମାନେ ଆସିଲେ ଓ ସେମାନେ ଦେଖିଲେ ଯେ, ଦେଖ, ସେହି ଉପର ମହଲାର କବାଟ ଅର୍ଗଳ-ବଦ୍ଧ ହୋଇଅଛି; ଏଥିରେ ସେମାନେ କହିଲେ, ସେ ଅବଶ୍ୟ ଆପଣା ଗ୍ରୀଷ୍ମକାଳୀନ ଭିତର କୋଠରିରେ ଆପଣା ପାଦ ଢାଙ୍କୁ ଅଛନ୍ତି ।

25ତହୁଁ ସେମାନେ ଲଜ୍ଜିତ ହେବା ପର୍ଯ୍ୟନ୍ତ ଅପେକ୍ଷା କଲେ; ମାତ୍ର ଦେଖ, ସେ ଉପର ମହଲାର କବାଟ ଫିଟାଇଲା ନାହିଁ; ଏହେତୁ ସେମାନେ କଞ୍ଚିକାଠି ନେଇ କବାଟ ଫିଟାଇଲେ; ତହିଁରେ ଦେଖ, ସେମାନଙ୍କର ପ୍ରଭୁ ମରି ଭୂମିରେ ପଡ଼ିଅଛି ।

26ମାତ୍ର ସେମାନେ ବିଳମ୍ବ କରି ରହିବା ବେଳେ ଏହୂଦ ପଳାଇ ସେହି ପଥର ଖଣି ପାର ହୋଇ ସିୟୀରାକୁ ଚାଲିଗଲେ ।

27ପୁଣି ସେ ସେହି ସ୍ଥାନରେ ପହୁଞ୍ଚି ଇଫ୍ରୟିମ ପର୍ବତମୟ ଦେଶରେ ତୂରୀ ବଜାଇଲେ, ତହିଁରେ ଇସ୍ରାଏଲ ସନ୍ତାନଗଣ ତାଙ୍କ ସହିତ ପର୍ବତମୟ ଦେଶରୁ ଆସନ୍ତେ, ସେ ସେମାନଙ୍କର ଅଗ୍ରଗାମୀ ହୋଇ ଚାଲିଲେ ।

28ପୁଣି ସେ ସେମାନଙ୍କୁ କହିଲେ, ମୋ' ପଛେ ପଛେ ଆସ; କାରଣ ସଦାପ୍ରଭୁ ତୁମ୍ଭମାନଙ୍କ ଶତ୍ରୁ ମୋୟାବୀୟମାନଙ୍କୁ ତୁମ୍ଭମାନଙ୍କ ହସ୍ତରେ ସମର୍ପଣ କରିଅଛନ୍ତି । ତହୁଁ ସେମାନେ ତାଙ୍କ ପଛେ ପଛେ ଚାଲି ମୋୟାବୀୟମାନଙ୍କ ବିରୁଦ୍ଧରେ ଯର୍ଦ୍ଦନ ଘାଟମାନ ହସ୍ତଗତ କରି କୌଣସି ଲୋକକୁ ପାର ହେବାକୁ ଦେଲେ ନାହିଁ ।

29ସେତେବେଳେ ସେମାନେ ମୋୟାବର ଊଣାଧିକ ଦଶ ହଜାର ଲୋକଙ୍କୁ ବଧ କଲେ, ପ୍ରତ୍ୟେକେ ବୃହତକାୟ ଓ ବିକ୍ରମଶାଳୀ ଲୋକ ଥିଲା; କେହି ପଳାଇ ପାରିଲା ନାହିଁ ।

30ଏହିରୂପେ ମୋୟାବ ସେହି ଦିନ ଇସ୍ରାଏଲ ହସ୍ତାଧୀନରେ ବଶୀଭୂତ ହେଲା । ତହୁଁ ଦେଶ ଅଶୀ ବର୍ଷ ପର୍ଯ୍ୟନ୍ତ ବିଶ୍ରାମ ପାଇଲା ।

31ଆଉ ଏହୂଦଙ୍କ ପରେ ଅନାତର ପୁତ୍ର ଶମ୍‍ଗର (ବିଚାରକର୍ତ୍ତା) ହେଲେ, ସେ ପଲେଷ୍ଟୀୟ ଛଅ ଶହ ଲୋକଙ୍କୁ ଗୋକଣ୍ଟକ ପାଞ୍ଚଣ ଦ୍ୱାରା ବଧ କଲେ; ସେ ମଧ୍ୟ ଇସ୍ରାଏଲର ଏକ ଉଦ୍ଧାରକର୍ତ୍ତା ଥିଲେ ।


  Share Facebook  |  Share Twitter

 <<  Judges 3 >> 


Bible2india.com
© 2010-2024
Help
Dual Panel

Laporan Masalah/Saran