Bible 2 India Mobile
[VER] : [ODIYA]     [PL]  [PB] 
 <<  Judges 19 >> 

1ଇସ୍ରାଏଲ ମଧ୍ୟରେ ରାଜା ନ ଥିବା ସମୟରେ ଏପରି ଘଟିଲା ଯେ, ଇଫ୍ରୟିମ-ପର୍ବତମୟ ଦେଶର ଅନ୍ତଃପ୍ରଦେଶରେ ପ୍ରବାସୀ ଏକ ଲେବୀୟ ଲୋକ ବେଥଲିହିମ-ଯିହୁଦାରୁ ଏକ ଉପପତ୍ନୀ ଗ୍ରହଣ କଲା ।

2ପୁଣି ତାହାର ଉପପତ୍ନୀ ତାହା ବିରୁଦ୍ଧରେ ବ୍ୟଭିଚାର କରି ତାହା ନିକଟରୁ ବାହାରି ଯାଇ ବେଥଲିହିମ-ଯିହୁଦାରେ ଆପଣା ପିତୃଗୃହରେ ଚାରି ମାସ କାଳ ରହିଲା ।

3ଏଥି ଉତ୍ତାରେ ତାହାର ଉପପତି ତାହାକୁ ପ୍ରୀତିବଚନ କହି ଫେରାଇ ଆଣିବାକୁ ଆପଣା ସଙ୍ଗେ ଏକ ଦାସ ଓ ଦୁଇ ଗର୍ଦ୍ଦଭ ନେଇ ତାହା ନିକଟକୁ ଗଲା; ତହିଁରେ ସେହି ସ୍ତ୍ରୀ ତାହାକୁ ଆପଣା ପିତୃଗୃହକୁ ଆଣିଲା; ତହିଁରେ ସେହି ଯୁବତୀର ପିତା ସେହି ବ୍ୟକ୍ତିକି ଦେଖି ତାହା ସହିତ ସାକ୍ଷାତ କରି ଆନନ୍ଦିତ ହେଲା ।

4ଏହେତୁରୁ ଲେବୀୟ ଲୋକର ଶ୍ୱଶୁର ସେହି ଯୁବତୀର ପିତା ତାହାକୁ ଅଟକାଇଲା, ତହୁଁ ସେ ତାହା ସଙ୍ଗେ ତିନି ଦିନ ରହିଲା, ପୁଣି ସେମାନେ ଭୋଜନପାନ କରି ସେଠାରେ ରାତ୍ରି କ୍ଷେପଣ କଲେ ।

5ପୁଣି ଚତୁର୍ଥ ଦିନ ସେମାନେ ଅତି ପ୍ରଭାତରେ ଉଠିଲେ ଓ ସେ ପ୍ରସ୍ଥାନ କରିବାକୁ ଉଦ୍ୟତ ହୁଅନ୍ତେ, ସେହି ଯୁବତୀର ପିତା ଆପଣା ଜୁଆଁଇକି କହିଲା, ମୁଠିଏ ଆହାର କରି ପ୍ରାଣ ତୃପ୍ତ କର; ତହିଁ ଉତ୍ତାରୁ ଆପଣା ବାଟରେ ଯିବ ।

6ତହୁଁ ସେ ଦୁହେଁ ଏକତ୍ର ବସି ଭୋଜନପାନ କଲେ; ଏଥିରେ ସେହି ଯୁବତୀର ପିତା ସେହି ଲେବୀୟ ଲୋକକୁ କହିଲା, ଅନୁଗ୍ରହ କରି ଏହି ରାତ୍ରିଟି ରହି ଯାଅ, ଆପଣା ମନକୁ ଖୁସି କର ।

7ତଥାପି ସେ ପ୍ରସ୍ଥାନ କରିବାକୁ ଉଠିଲା; ମାତ୍ର ତାହାର ଶ୍ୱଶୁର ତାହାକୁ ଅନୁରୋଧ କରନ୍ତେ, ସେ ପୁନର୍ବାର ରାତ୍ରି କ୍ଷେପଣ କଲା ।

8ପୁଣି ସେ ପଞ୍ଚମ ଦିନ ଅତି ପ୍ରଭାତରେ ଉଠି ପ୍ରସ୍ଥାନ କରିବାକୁ ଉଦ୍ୟତ ହେଲା; ତହିଁରେ ଯୁବତୀର ପିତା କହିଲା, ଅନୁଗ୍ରହ କରି ଆପଣା ପ୍ରାଣ ତୃପ୍ତ କର, ତୁମ୍ଭେମାନେ ଅପରାହ୍ନ ପର୍ଯ୍ୟନ୍ତ ରୁହ; ଏଥିରେ ସେ ଦୁହେଁ ଭୋଜନ କଲେ ।

9ଏଥି ଉତ୍ତାରେ ସେ ଲେବୀୟ ପୁରୁଷ ଓ ତାହାର ଉପପତ୍ନୀ ଓ ଦାସ ପ୍ରସ୍ଥାନ କରିବାକୁ ଉଠନ୍ତେ, ତାହାର ଶ୍ୱଶୁର ସେହି ଯୁବତୀର ପିତା ତାହାକୁ କହିଲା, ଦେଖ, ଏବେ ତ ସନ୍ଧ୍ୟା ନିକଟ ହେଉଅଛି, ଅନୁଗ୍ରହ କରି ରାତ୍ରିଟି ରହି ଯାଅନ୍ତ ଦେଖ, ଦିନ ଗଡ଼ି ଯାଉଛି, ଏଠାରେ ମନ ଖୁସି କରିବା ପାଇଁ ରାତ୍ରିଟି କ୍ଷେପଣ କର; କାଲି ବଡ଼ି ସକାଳୁ ଉଠି ଆପଣା ବାଟରେ ଘରକୁ ଯିବ ।

10ମାତ୍ର ସେ ଲୋକ ସେହି ରାତ୍ରି ରହିବାକୁ ଅସମ୍ମତ ହୋଇ ଉଠି ପ୍ରସ୍ଥାନ କଲା ଓ ଯିବୂଷ, ଅର୍ଥାତ୍‍, ଯିରୂଶାଲମ ନିକଟରେ ଉପସ୍ଥିତ ହେଲା; ପୁଣି ତାହା ସଙ୍ଗେ ସସଜ୍ଜ ଯୋଡ଼ିଏ ଗଧ ଓ ମଧ୍ୟ ତାହାର ଉପପତ୍ନୀ ଥିଲେ ।

11ସେମାନେ ଯିବୂଷର ନିକଟବର୍ତ୍ତୀ ହେବା ବେଳକୁ ପ୍ରାୟ ଦିନ ଶେଷ ହୋଇଥିଲା; ଏଥିରେ ଦାସ ତାହାର ମୁନିବକୁ କହିଲା, ବିନୟ କରୁଅଛି, ଆସ, ଆମ୍ଭେମାନେ ଯିବୂଷୀୟମାନଙ୍କ ଏହି ନଗରକୁ ଯାଇ ସେଠାରେ ରାତ୍ରି କ୍ଷେପଣ କରୁ ।

12ମାତ୍ର ତାହାର ମୁନିବ ତାହାକୁ କହିଲା, ଆମ୍ଭେମାନେ ବିଦେଶୀୟମାନଙ୍କ ନଗରକୁ ଯିବୁ ନାହିଁ, ତାହା ଇସ୍ରାଏଲ ସନ୍ତାନଗଣର ନୁହେଁ; ମାତ୍ର ଆମ୍ଭେମାନେ ଗିବୀୟା ଯାଏ ଯିବୁ ।

13ପୁଣି ସେ ଆପଣା ଦାସକୁ କହିଲା, ଆସ, ଆମ୍ଭେମାନେ ଏହି ଦୁଇ ସ୍ଥାନରୁ କୌଣସି ଏକ ସ୍ଥାନକୁ ଯାଉ; ପୁଣି ଗିବୀୟା କି ରାମାରେ ରାତ୍ରି କାଟିବା ।

14ତେଣୁ ସେମାନେ ଆପଣା ପଥରେ ଚାଲିଗଲେ; ପୁଣି ବିନ୍ୟାମୀନର ଅଧିକାରସ୍ଥ ଗିବୀୟାର ନିକଟବର୍ତ୍ତୀ ହେବା ବେଳେ ସୂର୍ଯ୍ୟ ଅସ୍ତ ହେଲା ।

15ତହୁଁ ସେମାନେ ଗିବୀୟାରେ ରାତ୍ରି କାଟିବା ପାଇଁ ବାଟ ଛାଡ଼ି ଗଲେ; ପୁଣି ସେମାନେ ନଗର ଭିତରକୁ ଯାଇ ଦାଣ୍ଡରେ ବସିଲେ; କାରଣ ରାତ୍ରି କାଟିବା ପାଇଁ ସେମାନଙ୍କୁ ଆପଣା ଘରକୁ ନେବାକୁ କେହି ନ ଥିଲା ।

16ସେତେବେଳେ ଦେଖ, ଜଣେ ବୃଦ୍ଧ ସନ୍ଧ୍ୟା କାଳେ ଆପଣା କ୍ଷେତ୍ରର କର୍ମରୁ ଆସୁଥିଲା; ସେ ଇଫ୍ରୟିମ ପର୍ବତମୟ ଦେଶର ଲୋକ ଓ ଗିବୀୟାରେ ପ୍ରବାସ କରୁଥିଲା; ମାତ୍ର ସେ ସ୍ଥାନର ଲୋକମାନେ ବିନ୍ୟାମୀନ ବଂଶୀୟ ଥିଲେ ।

17ପୁଣି ସେ ଲୋକ ଅନାଇ ନଗରର ଦାଣ୍ଡରେ ସେହି ପଥିକକୁ ଦେଖିଲା ଓ ସେହି ବୃଦ୍ଧ ଲୋକ ପଚାରିଲା, ତୁମ୍ଭେ କେଉଁଠାକୁ ଯାଉଅଛ ? ପୁଣି କେଉଁଠାରୁ ଆସିଅଛ ?

18ତହିଁରେ ସେ ତାହାକୁ କହିଲା, ଆମ୍ଭେମାନେ ବେଥଲିହିମ-ଯିହୁଦାରୁ ଇଫ୍ରୟିମ-ପର୍ବତମୟ ଦେଶର ଅନ୍ତଃପ୍ରଦେଶକୁ ଯାଉଅଛୁ; ଆମ୍ଭେ ସେହି ସ୍ଥାନର ଲୋକ ଓ ବେଥ୍‍ଲିହିମ୍‍-ଯିହୁଦାକୁ ଯାଇଥିଲୁ; ଏବେ ମୁଁ ସଦାପ୍ରଭୁଙ୍କ ଗୃହକୁ ଯାଉଅଛି; ମାତ୍ର କେହି ମୋତେ ଆପଣା ଘରକୁ ନେବାକୁ ନାହିଁ ।

19ତଥାପି ଆମ୍ଭ ପାଖରେ ଆମ୍ଭମାନଙ୍କ ଗଧ ପାଇଁ ପାଳକୁଟା ଓ ଦାନା, ଉଭୟ ଅଛି; ମଧ୍ୟ ମୋ' ପାଇଁ ଓ ତୁମ୍ଭର ଏହି ଦାସୀ ପାଇଁ ଓ ତୁମ୍ଭ ଦାସ ସଙ୍ଗେ ଥିବା ଏହି ଯୁବା ପାଇଁ ରୁଟି ଓ ଦ୍ରାକ୍ଷାରସ ଅଛି; କୌଣସି ବିଷୟରେ କିଛି ଅଭାବ ନାହିଁ ।

20ତହୁଁ ସେହି ବୃଦ୍ଧ ଲୋକ କହିଲା, ତୁମ୍ଭର ମଙ୍ଗଳ ହେଉ; ଯେ କୌଣସିମତେ ହେଉ, ତୁମ୍ଭର ସବୁ ଅଭାବର ଭାର ମୋହର ଉପରେ; କୌଣସିମତେ ଦାଣ୍ଡରେ ରୁହ ନାହିଁ ।

21ତହିଁରେ ସେ ସେମାନଙ୍କୁ ଆପଣା ଘରକୁ ଆଣି ଗଧମାନଙ୍କୁ ଖାଦ୍ୟ ଦେଲା, ପୁଣି ସେମାନେ ପାଦ ଧୋଇ ଭୋଜନପାନ କଲେ ।

22ସେମାନେ ଆପଣା ଆପଣା ମନକୁ ଖୁସି କଲା ବେଳେ, ଦେଖ, ନଗରର ଲୋକ କେତେକ ପାପାଧମ ସନ୍ତାନ କବାଟରେ ମାରି ମାରି ଘରର ଚାରିପାଖ ଘେରିଲେ; ପୁଣି ସେମାନେ ସେହି ଗୃହକର୍ତ୍ତା ବୃଦ୍ଧ ଲୋକକୁ କହିଲେ, ତୁମ୍ଭ ଗୃହକୁ ଯେଉଁ ମନୁଷ୍ୟ ଆସିଅଛି, ତାହାକୁ ବାହାରକୁ ଆଣ, ଆମ୍ଭେମାନେ ତାହା ସହିତ ଶାରୀରିକ ସମ୍ବନ୍ଧ କରିବା ।

23ତହିଁରେ ସେହି ଗୃହକର୍ତ୍ତା ବାହାରକୁ ସେମାନଙ୍କ ନିକଟକୁ ଯାଇ କହିଲା, ନାହିଁ ନାହିଁ, ଆମ୍ଭର ଭ୍ରାତୃଗଣ, ବିନୟ କରୁଅଛୁ, ଏପରି ଦୁଷ୍କର୍ମ କର ନାହିଁ; ଏ ପୁରୁଷ ଆମ୍ଭ ଘରକୁ ଆସିଅଛି, ଏଥିପାଇଁ ଏହି ମୂଢ଼ତାର କର୍ମ ନ କର ।

24ଦେଖ, ମୋହର ଅବିବାହିତା କନ୍ୟା ଓ ସେ ଲୋକର ଉପପତ୍ନୀ ଅଛି; ମୁଁ ସେମାନଙ୍କୁ ଆଣି ଦେଉଛି ପଛେ, ତୁମ୍ଭେମାନେ ସେମାନଙ୍କୁ ଭ୍ରଷ୍ଟ କର ଓ ଯାହା ତୁମ୍ଭମାନଙ୍କ ଦୃଷ୍ଟିରେ ଭଲ, ତାହା ସେମାନଙ୍କ ସଙ୍ଗେ କର; ମାତ୍ର ଏହି ପୁରୁଷ ପ୍ରତି ଏପରି କୌଣସି ମୂଢ଼ତା ନ କର ।

25ତଥାପି ସେମାନେ ତାହା କଥା ଶୁଣିଲେ ନାହିଁ; ତେଣୁ ସେହି ଲେବୀୟ ପୁରୁଷ ଆପଣା ଉପପତ୍ନୀ କି ଧରି ବାହାରକୁ ସେମାନଙ୍କ କତିକି ଆଣିଲା; ତହିଁରେ ସେମାନେ ସେହି ସ୍ତ୍ରୀ ସହିତ ଶାରୀରିକ ସମ୍ବନ୍ଧ କଲେ ଓ ପ୍ରଭାତ ପର୍ଯ୍ୟନ୍ତ ରାତ୍ରିଯାକ ତାହା ପ୍ରତି ଅତ୍ୟାଚାର କଲେ; ପୁଣି ପ୍ରଭାତ ହେବା ବେଳକୁ ତାହାକୁ ଛାଡ଼ିଦେଲେ ।

26ତହୁଁ ରାତ୍ରି ପାହାନ୍ତା ବେଳକୁ ସେହି ସ୍ତ୍ରୀ ତାହାର ସ୍ୱାମୀ ରହୁଥିବା ଲୋକର ଗୃହଦ୍ୱାର ନିକଟରେ ଆଲୁଅ ହେବା ପର୍ଯ୍ୟନ୍ତ ପଡ଼ି ରହିଲା ।

27ଏଥି ଉତ୍ତାରେ ପ୍ରଭାତ ହୁଅନ୍ତେ, ତାହାର ସ୍ୱାମୀ ଉଠି ଆପଣା ବାଟରେ ଯିବା ପାଇଁ ଗୃହଦ୍ୱାର ଫିଟାଇ ବାହାରକୁ ଗଲା; ମାତ୍ର ଦେଖ, ତାହାର ଉପପତ୍ନୀ ସେହି ସ୍ତ୍ରୀ ଗୃହଦ୍ୱାର ନିକଟରେ ପଡ଼ିଛି, ତାହାର ଦୁଇ ହାତ ଦ୍ୱାରବନ୍ଧ ଉପରେ ଅଛି ।

28ତହୁଁ ସେ ତାହାକୁ କହିଲା, ଉଠ, ଚାଲ ଆମ୍ଭେମାନେ ଯିବା; ମାତ୍ର ସେ ଉତ୍ତର ଦେଲା ନାହିଁ; ତେବେ ସେ ତାହାକୁ ଗଧ ଉପରକୁ ନେଲା; ଆଉ ସେହୀ ଲେବୀୟ ପୁରୁଷ ଉଠି ଆପଣା ସ୍ଥାନକୁ ପ୍ରସ୍ଥାନ କଲା ।

29ଅନନ୍ତର ସେ ଆପଣା ଗୃହରେ ପହଞ୍ଚିଲା ଉତ୍ତାରେ ଖଣ୍ଡେ ଛୁରୀ ନେଇ ଆପଣା ଉପପତ୍ନୀର ଅସ୍ଥିର ଖଞ୍ଜ ଅନୁସାରେ ବାର ଖଣ୍ଡରେ ବିଭକ୍ତ କରି ଇସ୍ରାଏଲର ସମସ୍ତ ଅଞ୍ଚଳକୁ ପଠାଇଲା ।

30ତହିଁରେ ଯେତେ ଲୋକ ତାହା ଦେଖିଲେ, ସମସ୍ତେ କହିଲେ, ଇସ୍ରାଏଲ-ସନ୍ତାନଗଣ ମିସର ଦେଶରୁ ବାହାରି ଆସିବା ଦିନାବଧି ଆଜି ପର୍ଯ୍ୟନ୍ତ ଏପରି କର୍ମ କେବେ କରାଯାଇ ନାହିଁ କି ଦେଖାଯାଇ ନାହିଁ; ଏ ବିଷୟରେ ମନୋଯୋଗ କର, ମନ୍ତ୍ରଣା ନିଅ ଓ କୁହ ।


  Share Facebook  |  Share Twitter

 <<  Judges 19 >> 


Bible2india.com
© 2010-2024
Help
Dual Panel

Laporan Masalah/Saran