Bible 2 India Mobile
[VER] : [ODIYA]     [PL]  [PB] 
 <<  Judges 17 >> 

1ଇଫ୍ରୟିମ-ପର୍ବତମୟ ଦେଶରେ ମୀଖା ନାମରେ ଜଣେ ଲୋକ ଥିଲା ।

2ସେ ଆପଣା ମାତାକୁ କହିଲା, ତୁମ୍ଭଠାରୁ ଯେଉଁ ଏଗାର ଶହ ଖଣ୍ଡ ରୂପା ନିଆ ଯାଇଅଛି, ଯହିଁ ବିଷୟରେ ତୁମ୍ଭେ ଶାପ ଦେଇଅଛ ଓ ମଧ୍ୟ ମୋହର କର୍ଣ୍ଣରେ କହିଅଛ, ଦେଖ, ସେହି ରୂପା ମୋର ନିକଟରେ ଅଛି, ମୁଁ ତାହା ନେଇଅଛି; ତହିଁରେ ତାହାର ମାତା କହିଲା, ଆମ୍ଭ ପୁତ୍ର ସଦାପ୍ରଭୁଙ୍କର ଆଶୀର୍ବାଦପାତ୍ର ହେଉ ।

3ଏଥିରେ ସେ ସେହି ଏଗାର ଶହ ଖଣ୍ଡ ରୂପା ଆପଣା ମାତାକୁ ଫେରାଇ ଦିଅନ୍ତେ, ତାହାର ମାତା କହିଲା, ଗୋଟିଏ ଖୋଦିତ ଓ ଗୋଟିଏ ଢଳା ପ୍ରତିମା ବନାଇବାକୁ ମୁଁ ଆପଣା ପୁତ୍ର ନିମନ୍ତେ ସଦାପ୍ରଭୁଙ୍କ ଉଦ୍ଦେଶ୍ୟରେ ଆପଣା ହସ୍ତରୁ ଏହି ରୂପା ନିତାନ୍ତ ପବିତ୍ର କରୁଅଛି; ଏଣୁ ଏବେ ମୁଁ ତାହା ତୁମ୍ଭକୁ ଫେରାଇ ଦେବି ।

4ମୀଖା ଆପଣା ମାତାକୁ ସେହି ରୂପା ଫେରାଇ ଦେଲା ଉତ୍ତାରେ ତାହାର ମାତା ଦୁଇ ଶହ ଖଣ୍ଡ ରୂପା ସୁନାରୀକୁ ଦିଅନ୍ତେ, ସେ ଗୋଟିଏ ଖୋଦିତ ପ୍ରତିମା ଓ ଗୋଟିଏ ଢଳା ପ୍ରତିମା ବନାଇଲା ଓ ତାହା ମୀଖାର ଗୃହରେ ରହିଲା ।

5ପୁଣି ଏହି ମୀଖାର ଏକ ଦେବାଳୟ ଥିଲା ଓ ସେ ଏକ ଏଫୋଦ ଓ କେତେକ ଠାକୁର ନିର୍ମାଣ କରି ଆପଣା ପୁତ୍ରମାନଙ୍କ ମଧ୍ୟରୁ ଜଣକୁ ନିଯୁକ୍ତ କରନ୍ତେ, ସେ ଯାଜକ ହେଲା ।

6ସେ ସମୟରେ ଇସ୍ରାଏଲ ମଧ୍ୟରେ କୌଣସି ରାଜା ନ ଥିଲା ଓ ଯାହା ଦୃଷ୍ଟିରେ ଯାହା ଭଲ ଦିଶିଲା, ସେ ତାହା କଲା ।

7ସେସମୟରେ ଯିହୁଦା ବଂଶୀୟ ବେଥଲିହିମ-ଯିହୁଦାର ଏକ ଲେବୀୟ ଯୁବା ଲୋକ ସେଠାରେ ପ୍ରବାସ କରୁଥିଲା ।

8ପୁଣି ସେ ଯେଉଁଠାରେ ସ୍ଥାନ ପାଇପାରେ, ସେଠାରେ ପ୍ରବାସ କରିବା ନିମନ୍ତେ ସେ ନଗରରୁ, ଅର୍ଥାତ୍‍, ବେଥଲିହିମ ଯିହୁଦାରୁ ପ୍ରସ୍ଥାନ କଲା ଓ ସେ ଯାତ୍ରା କରୁ କରୁ ଇଫ୍ରୟିମ-ପର୍ବତମୟ ଦେଶସ୍ଥ ଏହି ମୀଖାର ଗୃହ ପର୍ଯ୍ୟନ୍ତ ଆସିଲା ।

9ତହିଁରେ ମୀଖା ତାହାକୁ ପଚାରିଲା, ତୁମ୍ଭେ କେଉଁଠାରୁ ଆସିଲ ? ସେ ଉତ୍ତର କଲା, ମୁଁ ବେଥଲିହିମ-ଯିହୁଦାର ଏକ ଲେବୀୟ ଲୋକ, ଯେଉଁଠାରେ ମୁଁ ସ୍ଥାନ ପାଇ ପାରିବି, ସେଠାରେ ପ୍ରବାସ କରିବାକୁ ମୁଁ ଯାଉଅଛି ।

10ତହିଁରେ ମୀଖା ତାହାକୁ କହିଲା, ମୋର ସଙ୍ଗେ ବାସ କର, ମୋର ପିତା ଓ ଯାଜକ ହୁଅ; ତହିଁରେ ମୁଁ ତୁମ୍ଭକୁ ବାର୍ଷିକ ଦଶ ଖଣ୍ଡ ରୂପା ଓ ଏକ ସାଜ ପୂରା ପୋଷାକ ଓ ତୁମ୍ଭର ପଡ଼ି ଦେବି । ତହିଁରେ ସେ ଲେବୀୟ ଲୋକ ଗଲା ।

11ପୁଣି ସେ ଲେବୀୟ ଲୋକ ସେହି ମନୁଷ୍ୟ ସଙ୍ଗେ ବାସ କରିବାକୁ ସମ୍ମତ ହେଲା; ଆଉ ସେ ଯୁବା ଲୋକ ତାହାର ଗୋଟିଏ ପୁତ୍ର ପରି ହେଲା ।

12ଏଥି ଉତ୍ତାରେ ମୀଖା ସେହି ଲେବୀୟକୁ ନିଯୁକ୍ତ କରନ୍ତେ, ସେ ଯୁବା ଲୋକ ମୀଖାର ଯାଜକ ହୋଇ ତାହାର ଗୃହରେ ରହିଲା ।

13ତହିଁରେ ମୀଖା କହିଲା, ମୁଁ ଜାଣେ, ଏବେ ସଦାପ୍ରଭୁ ମୋହର ମଙ୍ଗଳ କରିବେ, କାରଣ ମୋହର ଯାଜକ ହେବା ପାଇଁ ମୁଁ ଜଣେ ଲେବୀୟକୁ ପାଇଲି ।


  Share Facebook  |  Share Twitter

 <<  Judges 17 >> 


Bible2india.com
© 2010-2024
Help
Dual Panel

Laporan Masalah/Saran