Bible 2 India Mobile
[VER] : [ODIYA]     [PL]  [PB] 
 <<  Judges 14 >> 

1ଅନନ୍ତର ଶାମ୍‍ଶୋନ୍‍ ତିମ୍ନାକୁ ଯାଇ ସେ ସ୍ଥାନରେ ପଲେଷ୍ଟୀୟମାନଙ୍କ କନ୍ୟାଗଣ ମଧ୍ୟରେ ଗୋଟିଏ ସ୍ତ୍ରୀଲୋକକୁ ଦେଖିଲା ।

2ତହୁଁ ସେ ଆସି ଆପଣା ପିତା ଓ ମାତାକୁ କହିଲା, ମୁଁ ତିମ୍ନାରେ ପଲେଷ୍ଟୀୟମାନଙ୍କ କନ୍ୟାଗଣ ମଧ୍ୟରେ ଗୋଟିଏ ସ୍ତ୍ରୀଲୋକ ଦେଖିଅଛି; ଏଣୁ ତୁମ୍ଭେମାନେ ଏବେ ତାହାକୁ ଆଣି ମୋତେ ବିବାହ ଦିଅ ।

3ତେବେ ତାହାର ପିତା ଓ ମାତା ତାହାକୁ କହିଲେ, ତୁମ୍ଭ ଭ୍ରାତୃଗଣର ଅବା ଆମ୍ଭ ସମୁଦାୟ ଲୋକଙ୍କର କନ୍ୟାଗଣ ମଧ୍ୟରେ କି ଜଣେ ସ୍ତ୍ରୀ ନାହିଁ, ଯେ ତୁମ୍ଭେ ଅସୁନ୍ନତ ପଲେଷ୍ଟୀୟମାନଙ୍କ ମଧ୍ୟରୁ ଭାର୍ଯ୍ୟା ଗ୍ରହଣ କରିବାକୁ ଯିବ ? ତହିଁରେ ଶାମ୍‍ଶୋନ୍‍ ଆପଣା ପିତାକୁ କହିଲା, ତାହାକୁ ମୋ' ପାଇଁ ଆଣ ; ସେ ମୋ' ଦୃଷ୍ଟିରେ ପସନ୍ଦ ।

4ମାତ୍ର ପଲେଷ୍ଟୀୟମାନଙ୍କ ପ୍ରତିକୂଳରେ ଛିଦ୍ର ପାଇବା ଚେଷ୍ଟାରେ ଏହି ଘଟଣା ଯେ ସଦାପ୍ରଭୁଙ୍କ ଆଡ଼ୁ ହେଲା, ଏହା ତାହାର ପିତାମାତା ଜାଣିଲେ ନାହିଁ । ସେ ସମୟରେ ପଲେଷ୍ଟୀୟମାନେ ଇସ୍ରାଏଲ ଉପରେ କର୍ତ୍ତୃତ୍ୱ କରୁଥିଲେ ।

5ଏଥି ଉତ୍ତାରେ ଶାମ୍‍ଶୋନ୍‍ ଓ ତାହାର ପିତାମାତା ତିମ୍ନାକୁ ଯାଇ ତିମ୍ନାସ୍ଥିତ ଦ୍ରାକ୍ଷାକ୍ଷେତ୍ରରେ ଉପସ୍ଥିତ ହେଲେ । ତହିଁରେ ଦେଖ, ଏକ ଯୁବା ସିଂହ ତାହାକୁ ହାବୁଡ଼ି ଗର୍ଜନ କଲା ।

6ତହୁଁ ସଦାପ୍ରଭୁଙ୍କ ଆତ୍ମା ଶାମ୍‍ଶୋନ୍‍ ଉପରେ ଆସିବା କ୍ଷଣି, ସେ ଛେଳିଛୁଆକୁ ବିଦୀର୍ଣ୍ଣ କଲା ପରି ତାହାକୁ ବିଦୀର୍ଣ୍ଣ କରି ପକାଇଲା, ମାତ୍ର ଶାମ୍‍ଶୋନ୍‍ ହାତରେ କିଛି ନ ଥିଲା । ତଥାପି ସେ ଆପଣାର ଏହି କର୍ମର କଥା ଆପଣା ପିତାମାତାଙ୍କୁ କହିଲା ନାହିଁ ।

7ଏଥି ଉତ୍ତାରେ ଶାମ୍‍ଶୋନ୍‍ ଯାଇ ସେହି ସ୍ତ୍ରୀ ସଙ୍ଗରେ କଥାବାର୍ତ୍ତା କଲା ଓ ସେ ସ୍ତ୍ରୀ ଦୃଷ୍ଟିରେ ପସନ୍ଦ ହେଲା ।

8ପୁଣି କିଛି ଦିନ ଉତ୍ତାରେ ସେ ସେହି ସ୍ତ୍ରୀକୁ ଗ୍ରହଣ କରିବା ପାଇଁ ପୁନର୍ବାର ଗଲା, ସେତେବେଳେ ସେ ସେହି ସିଂହର ଶବ ଦେଖିବାକୁ ବାଟ ବୁଲି ଯାଆନ୍ତେ, ଦେଖ, ସେହି ସିଂହ ଦେହରେ ମହୁମାଛିର ଝାଙ୍କ ଓ ମହୁ ଅଛି ।

9ତେଣୁ ସେ ହାତରେ କିଛି ନେଇ ତାହା ଖାଇ ଖାଇ ଆପଣା ପିତାମାତାଙ୍କ ନିକଟକୁ ଗଲା ଓ ସେ ସେମାନଙ୍କୁ ଦିଅନ୍ତେ, ସେମାନେ ଖାଇଲେ । ମାତ୍ର ସେ ଯେ ସିଂହ ଦେହରୁ ସେହି ମହୁ ନେଇଥିଲା, ଏହା ସେମାନଙ୍କୁ ଜଣାଇଲା ନାହିଁ ।

10ଏଥି ଉତ୍ତାରେ ତାହାର ପିତା ସେହି ସ୍ତ୍ରୀ ନିକଟକୁ ଗଲା । ପୁଣି ଶାମ୍‍ଶୋନ୍‍ ତିମ୍ନାରେ ଗୋଟିଏ ଭୋଜି କଲା; କାରଣ ଯୁବାମାନଙ୍କର ସେପରି କରିବାର ରୀତି ଥିଲା ।

11ପୁଣି ସେମାନେ ତାହାକୁ ଦେଖନ୍ତେ, ତାହା ସଙ୍ଗେ ରହିବା ପାଇଁ ତିରିଶ ଜଣ ମିତ୍ର ଆଣିଲେ ।

12ତହିଁରେ ଶାମ୍‍ଶୋନ୍‍ ସେମାନଙ୍କୁ କହିଲା, ମୁଁ ତୁମ୍ଭମାନଙ୍କୁ ଗୋଟିଏ ପ୍ରହେଳିକା କହେ । ତୁମ୍ଭେମାନେ ଯେବେ ଏହି ଭୋଜିର ସାତଦିନ ମଧ୍ୟରେ ତହିଁର ଅର୍ଥ ବାହାର କରି ମୋତେ ଜଣାଇବ, ତେବେ ମୁଁ ତୁମ୍ଭମାନଙ୍କୁ ତିରିଶ ମସିନା ବସ୍ତ୍ର ଓ ତିରିଶ ସାଜ ପୋଷାକ ଦେବି ।

13ମାତ୍ର ଯେବେ ତୁମ୍ଭେମାନେ ମୋତେ ତହିଁର ଅର୍ଥ ଜଣାଇ ନ ପାରିବ, ତେବେ ତୁମ୍ଭେମାନେ ମୋତେ ତିରିଶ ମସିନା ବସ୍ତ୍ର ଓ ତିରିଶ ସାଜ ପୋଷାକ ଦେବ । ଆଉ ସେମାନେ ତାହାକୁ କହିଲେ, ତୁମ୍ଭର ପ୍ରହେଳିକା କୁହ, ଆମ୍ଭେମାନେ ତାହା ଶୁଣିବୁ ।

14ତହିଁରେ ସେ ସେମାନଙ୍କୁ କହିଲା, ଖାଦକଠାରୁ ଖାଦ୍ୟ ଓ ବଳବାନ୍‍ଠାରୁ ମିଷ୍ଟତା ନିର୍ଗତ ହେଲା । ମାତ୍ର ସେମାନେ ତିନି ଦିନ ଯାଏ ପ୍ରହେଳିକାର ଅର୍ଥ ଜଣାଇ ପାରିଲେ ନାହିଁ ।

15ତହୁଁ ଚତୁର୍ଥ ଦିନରେ ସେମାନେ ଶାମ୍‍ଶୋନ୍‍ର ଭାର୍ଯ୍ୟାକୁ କହିଲେ, ପ୍ରହେଳିକାର ଅର୍ଥ କହିବା ପାଇଁ ତୁମ୍ଭେ ଆପଣା ସ୍ୱାମୀକି ମଣାଅ, ନୋହିଲେ ଆମ୍ଭେମାନେ ତୁମ୍ଭକୁ ଓ ତୁମ୍ଭର ପିତୃଗୃହକୁ ଅଗ୍ନିରେ ଦଗ୍‍ଧ କରିବୁ । ଆଉ ତୁମ୍ଭେମାନେ ଆମ୍ଭମାନଙ୍କୁ ନିର୍ଦ୍ଧନ କରିବାକୁ ଡାକିଛ ପରା ? ନୁହେଁ ?

16ତହିଁରେ ଶାମ୍‍ଶୋନ୍‍ର ଭାର୍ଯ୍ୟା ତାହାକୁ ଧରି କାନ୍ଦି କହିଲା, ତୁମ୍ଭେ କେବଳ ମୋତେ ଘୃଣା କରୁଅଛ, କିଛି ପ୍ରେମ କରୁ ନାହଁ; ତୁମ୍ଭେ ମୋ' ଲୋକଙ୍କ ସନ୍ତାନମାନଙ୍କୁ ଗୋଟିଏ ପ୍ରହେଳିକା କହିଅଛ, ମାତ୍ର ତାହା ମୋତେ ବୁଝାଇ ଦେଇ ନାହଁ । ତହିଁରେ ସେ ତାହାକୁ କହିଲା, ଦେଖ, ମୁଁ ଆପଣା ପିତା କି ମାତାକୁ ବୁଝାଇ ଦେଇ ନାହିଁ, ଆଉ କି ତୁମ୍ଭକୁ ବୁଝାଇ ଦେବି ?

17ପୁଣି ସେ ଭୋଜିର ସପ୍ତମ ଦିନ ପର୍ଯ୍ୟନ୍ତ ତାହାକୁ ଧରି କାନ୍ଦିଲା; ତହିଁରେ ସେ ତାହାକୁ ନିତାନ୍ତ ଅନୁରୋଧ କରିବାରୁ ଶାମ୍‍ଶୋନ୍‍ ସପ୍ତମ ଦିନରେ ତାହା ତାହାକୁ ବୁଝାଇଦେଲା; ତହୁଁ ସେ ଆପଣା ଲୋକଙ୍କ ସନ୍ତାନମାନଙ୍କୁ ସେହି ପ୍ରହେଳିକା ବୁଝାଇଦେଲା ।

18ଏଥି ଉତ୍ତାରେ ସପ୍ତମ ଦିନ ସୂର୍ଯ୍ୟାସ୍ତ ପୂର୍ବରେ ନଗରସ୍ଥ ଲୋକମାନେ ତାହାକୁ କହିଲେ, ମଧୁଠାରୁ ଆଉ ମିଷ୍ଟ କଅଣ ? ଓ ସିଂହଠାରୁ ବଳବାନ କିଏ ? ତହିଁରେ ଶାମ୍‍ଶୋନ୍‍ ସେମାନଙ୍କୁ କହିଲା, ତୁମ୍ଭେମାନେ ମୋର ଛଡ଼ା(ଅଳ୍ପବୟଷ୍କା ଗାଈ)ରେ ହଳ କରି ନ ଥିଲେ, ମୋର ପ୍ରହେଳିକାର ଭେଦ ପାଇ ନ ଥାଆନ୍ତ ।

19ଅନନ୍ତର ସଦାପ୍ରଭୁଙ୍କ ଆତ୍ମା ଶାମ୍‍ଶୋନ୍‍ ଉପରେ ଆସିବା କ୍ଷଣି, ସେ ଅସ୍କିଲୋନକୁ ଯାଇ ସେଠାରେ ତିରିଶ ଜଣଙ୍କୁ ବଧ କଲା ଓ ସେମାନଙ୍କଠାରୁ ଲୁଟଦ୍ରବ୍ୟ ନେଇ ପ୍ରହେଳିକାର ଅର୍ଥକାରୀମାନଙ୍କୁ ଏକ ଏକ ସାଜ ପୋଷାକ ଦେଲା । କିନ୍ତୁ ତାହାର କ୍ରୋଧ ପ୍ରଜ୍ୱଳିତ ହେଲା, ପୁଣି ସେ ଆପଣା ପିତୃଗୃହକୁ ଚାଲିଗଲା ।

20ମାତ୍ର ଶାମ୍‍ଶୋନ୍‍ ଯାହାକୁ ଆପଣାର ବନ୍ଧୁ ପରି କରିଥିଲା, ତାହାକୁ ତାହାର ଭାର୍ଯ୍ୟା ଦିଆଗଲା ।


  Share Facebook  |  Share Twitter

 <<  Judges 14 >> 


Bible2india.com
© 2010-2024
Help
Dual Panel

Laporan Masalah/Saran