Bible 2 India Mobile
[VER] : [ODIYA]     [PL]  [PB] 
 <<  Judges 10 >> 

1ଅବୀମେଲକ୍‍ର ମରଣ ଉତ୍ତାରେ ଇଷାଖର ବଂଶୀୟ ଦୋଦୟର ପୌତ୍ର, ପୂୟାର ପୁତ୍ର ତୋଲୟ ଇସ୍ରାଏଲର ଉଦ୍ଧାର ନିମନ୍ତେ ଉତ୍ପନ୍ନ ହେଲେ; ସେ ଇଫ୍ରୟିମ ପର୍ବତମୟ ଦେଶସ୍ଥ ଶାମୀରରେ ବାସ କଲେ ।

2ପୁଣି ସେ ତେଇଶ ବର୍ଷ ଇସ୍ରାଏଲର ବିଚାର କଲେ; ତହିଁ ଉତ୍ତାରେ ସେ ମଲେ ଓ ଶାମୀରରେ କବର ପାଇଲେ ।

3ତାହା ଉତ୍ତାରେ ଗିଲୀୟଦୀୟ ଯାୟୀର ବିଚାରକର୍ତ୍ତା ହୋଇ ଉଠିଲେ, ସେ ବାଇଶ ବର୍ଷ ଇସ୍ରାଏଲର ବିଚାର କଲେ ।

4ପୁଣି ତାଙ୍କର ତିରିଶ ପୁତ୍ର ଥିଲେ, ସେମାନେ ତିରିଶ ଗର୍ଦ୍ଦଭରେ ଚଢ଼ିଲେ ଓ ସେମାନଙ୍କର ତିରିଶ ନଗର ଥିଲା, ସେହିସବୁକୁ ଆଜିଯାଏ ହବୋତ୍‍-ଯାୟୀର (ଯାୟୀର ଗ୍ରାମ) ବୋଲାଯାଏ; ତାହାସବୁ ଗିଲୀୟଦ ଦେଶରେ ଅଛି ।

5ଏ ଉତ୍ତାରେ ଯାୟୀର ମଲେ ଓ କାମୋନରେ କବର ପାଇଲେ ।

6ଅନନ୍ତର ଇସ୍ରାଏଲ-ସନ୍ତାନଗଣ ସଦାପ୍ରଭୁଙ୍କ ଦୃଷ୍ଟିରେ ଯାହା ମନ୍ଦ, ତାହା ପୁନର୍ବାର କଲେ, ଆଉ ବାଲ୍‍ ଦେବତାଗଣର ଓ ଅଷ୍ଟାରୋତ୍‍ ଦେବୀଗଣର ଓ ଅରାମ ଦେବଗଣର ଓ ସୀଦୋନ ଦେବଗଣର ଓ ମୋୟାବ ଦେବଗଣର ଓ ଅମ୍ମୋନ-ସନ୍ତାନମାନଙ୍କ ଦେବଗଣର ଓ ପଲେଷ୍ଟୀୟ ଦେବଗଣର ସେବା କଲେ; ପୁଣି ସେମାନେ ସଦାପ୍ରଭୁଙ୍କୁ ପାସୋରିଲେ ଓ ତାହାଙ୍କର ସେବା କଲେ ନାହିଁ ।

7ଏ ନିମନ୍ତେ ଇସ୍ରାଏଲ ବିରୁଦ୍ଧରେ ସଦାପ୍ରଭୁଙ୍କ କ୍ରୋଧ ପ୍ରଜ୍ୱଳିତ ହେଲା, ପୁଣି ସେ ପଲେଷ୍ଟୀୟମାନଙ୍କ ହସ୍ତରେ ଓ ଅମ୍ମୋନ-ସନ୍ତାନମାନଙ୍କ ହସ୍ତରେ ସେମାନଙ୍କୁ ବିକ୍ରୟ କଲେ ।

8ତହିଁରେ ସେମାନେ ସେହି ବର୍ଷ ଇସ୍ରାଏଲ ସନ୍ତାନଗଣକୁ ଚୂର୍ଣ୍ଣଶୀର୍ଣ୍ଣ କଲେ; ସେମାନେ ଅଠର ବର୍ଷ ପର୍ଯ୍ୟନ୍ତ ଯର୍ଦ୍ଦନପାରିସ୍ଥ ଗିଲୀୟଦର ଅନ୍ତର୍ଗତ ଇମୋରୀୟ ଦେଶ ନିବାସୀ ସମସ୍ତ ଇସ୍ରାଏଲ-ସନ୍ତାନ ପ୍ରତି (ଏପରି କଲେ) ।

9ଆହୁରି ଅମ୍ମୋନ-ସନ୍ତାନମାନେ ଯିହୁଦା ବିରୁଦ୍ଧରେ, ବିନ୍ୟାମୀନ ବିରୁଦ୍ଧରେ, ଇଫ୍ରୟିମ ବଂଶ ବିରୁଦ୍ଧରେ ଯୁଦ୍ଧ କରିବା ପାଇଁ ଯର୍ଦ୍ଦନ ପାର ହୋଇଗଲେ; ତହିଁରେ ଇସ୍ରାଏଲ ଅତିଶୟ କ୍ଳେଶ ପାଇଲେ ।

10ତେଣୁ ଇସ୍ରାଏଲ-ସନ୍ତାନଗଣ ସଦାପ୍ରଭୁଙ୍କ ନିକଟରେ କ୍ରନ୍ଦନ କରି କହିଲେ, ଆମ୍ଭେମାନେ ତୁମ୍ଭ ବିରୁଦ୍ଧରେ ପାପ କରିଅଛୁ, କାରଣ ଆମ୍ଭେମାନେ ଆପଣାମାନଙ୍କ ପରମେଶ୍ୱରଙ୍କୁ ପରିତ୍ୟାଗ କରିଅଛୁ ଓ ବାଲ୍‍ ଦେବତାଗଣର ସେବା କରିଅଛୁ ।

11ତହିଁରେ ସଦାପ୍ରଭୁ ଇସ୍ରାଏଲ-ସନ୍ତାନଗଣକୁ କହିଲେ, ଆମ୍ଭେ କି ମିସ୍ରୀୟମାନଙ୍କଠାରୁ ଓ ଇମୋରୀୟମାନଙ୍କଠାରୁ, ଅମ୍ମୋନ-ସନ୍ତାନମାନଙ୍କଠାରୁ ଓ ପଲେଷ୍ଟୀୟମାନଙ୍କଠାରୁ ତୁମ୍ଭମାନଙ୍କୁ ଉଦ୍ଧାର କରି ନାହୁଁ ?

12ଆହୁରି ସୀଦୋନୀୟମାନେ ଓ ଅମାଲେକୀୟମାନେ ଓ ମାୟୋନୀୟମାନେ ତୁମ୍ଭମାନଙ୍କ ପ୍ରତି ଉପଦ୍ରବ କଲେ; ତହିଁରେ ତୁମ୍ଭେମାନେ ଆମ୍ଭ ନିକଟରେ କ୍ରନ୍ଦନ କରନ୍ତେ, ଆମ୍ଭେ ସେମାନଙ୍କ ହସ୍ତରୁ ତୁମ୍ଭମାନଙ୍କୁ ଉଦ୍ଧାର କଲୁ ।

13ତଥାପି ତୁମ୍ଭେମାନେ ଆମ୍ଭକୁ ପରିତ୍ୟାଗ କରିଅଛ ଓ ଅନ୍ୟ ଦେବଗଣର ସେବା କରିଅଛ; ଏହେତୁ ଆମ୍ଭେ ଆଉ ତୁମ୍ଭମାନଙ୍କୁ ଉଦ୍ଧାର କରିବା ନାହିଁ ।

14ତୁମ୍ଭେମାନେ ଯେଉଁ ଦେବଗଣକୁ ମନୋନୀତ କରିଅଛ, ସେମାନଙ୍କ ନିକଟକୁ ଯାଇ କ୍ରନ୍ଦନ କର; ତୁମ୍ଭମାନଙ୍କ ସଙ୍କଟ ସମୟରେ ସେମାନେ ତୁମ୍ଭମାନଙ୍କୁ ଉଦ୍ଧାର କରନ୍ତୁ ।

15ଏଥିରେ ଇସ୍ରାଏଲ-ସନ୍ତାନମାନେ ସଦାପ୍ରଭୁଙ୍କୁ କହିଲେ, ଆମ୍ଭେମାନେ ପାପ କରିଅଛୁ; ତୁମ୍ଭକୁ ଯାହା କିଛି ଭଲ ଦିଶେ, ତାହା ଆମ୍ଭମାନଙ୍କ ପ୍ରତି କର ପଛେ, ମାତ୍ର ଆମ୍ଭେମାନେ ବିନୟ କରୁଅଛୁ, ଆଜି ଆମ୍ଭମାନଙ୍କୁ ରକ୍ଷା କର ।

16ଏଥି ଉତ୍ତାରେ ସେମାନେ ଆପଣାମାନଙ୍କ ମଧ୍ୟରୁ ବିଦେଶୀୟ ଦେବଗଣକୁ ଦୂର କରି ସଦାପ୍ରଭୁଙ୍କର ସେବା କଲେ; ତହିଁରେ ଇସ୍ରାଏଲର ଦୁଃଖରେ ତାହାଙ୍କର ପ୍ରାଣ ଅସ୍ଥିର ହେଲା ।

17ସେ ସମୟରେ ଅମ୍ମୋନ-ସନ୍ତାନଗଣ ଏକତ୍ରିତ ହୋଇ ଗିଲୀୟଦରେ ଛାଉଣି ସ୍ଥାପନ କରିଥିଲେ । ପୁଣି ଇସ୍ରାଏଲ-ସନ୍ତାନମାନେ ଏକତ୍ରିତ ହୋଇ ମିସ୍‍ପୀରେ ଛାଉଣି ସ୍ଥାପନ କରିଥିଲେ ।

18ତହିଁରେ ଗିଲୀୟଦୀୟ ଲୋକମାନେ, ଅର୍ଥାତ୍‍, ଅଧିପତିମାନେ ଏକକୁ ଆରେକ କହିଲେ, ଅମ୍ମୋନ ସନ୍ତାନମାନଙ୍କ ସଙ୍ଗରେ କିଏ ଯୁଦ୍ଧ ଆରମ୍ଭ କରିବ ? ସେ ଗିଲୀୟଦ ନିବାସୀ ସମସ୍ତ ଲୋକଙ୍କର ମସ୍ତକ ସ୍ୱରୂପ ହେବ ।


  Share Facebook  |  Share Twitter

 <<  Judges 10 >> 


Bible2india.com
© 2010-2024
Help
Dual Panel

Laporan Masalah/Saran