Bible 2 India Mobile
[VER] : [ODIYA]     [PL]  [PB] 
 <<  Judges 1 >> 

1ଯିହୋଶୂୟଙ୍କର ମୃତ୍ୟୁ ପରେ ଇସ୍ରାଏଲ ସନ୍ତାନଗଣ ସଦାପ୍ରଭୁଙ୍କୁ ପଚାରିଲେ, “କିଣାନୀୟମାନଙ୍କ ବିରୁଦ୍ଧରେ ଆମ୍ଭମାନଙ୍କ ପାଇଁ ଯୁଦ୍ଧ କରିବାକୁ କିଏ ପ୍ରଥମେ ଯିବ ?”

2ତହୁଁ ସଦାପ୍ରଭୁ କହିଲେ, “ଯିହୁଦା ଯିବ; ଦେଖ, ଆମ୍ଭେ ତାହା ହସ୍ତରେ ସେହି ଦେଶ ସମର୍ପଣ କରିଅଛୁ ।”

3ତହିଁରେ ଯିହୁଦା ଆପଣା ଭ୍ରାତା ଶିମୀୟୋନକୁ କହିଲା, ଗୁଲିବାଣ୍ଟକ୍ରମେ ନିରୂପିତ ଆମ୍ଭ ଭାଗକୁ ଆସ, ଆମ୍ଭେମାନେ କିଣାନୀୟମାନଙ୍କ ବିରୁଦ୍ଧରେ ଯୁଦ୍ଧ କରିବା; ପୁଣି ଆମ୍ଭେ ମଧ୍ୟ ତୁମ୍ଭ ସଙ୍ଗେ ତୁମ୍ଭ ଭାଗକୁ ଯିବା । ତହିଁରେ ଶିମୀୟୋନ ତାହା ସଙ୍ଗେ ଗଲା ।

4ଏଥି ଉତ୍ତାରେ ଯିହୁଦା ଯାତ୍ରା କଲା; ପୁଣି ସଦାପ୍ରଭୁ ସେମାନଙ୍କ ହସ୍ତରେ କିଣାନୀୟ ଓ ପିରିଷୀୟମାନଙ୍କୁ ସମର୍ପଣ କଲେ; ତହିଁରେ ସେମାନେ ବେଷକରେ ସେମାନଙ୍କର ଦଶ ହଜାର ଲୋକଙ୍କୁ ବଧ କଲେ ।

5ପୁଣି ସେମାନେ ବେଷକରେ ଅଦୋନୀବେଷକ୍‌କୁ ପାଇ ତାହା ସଙ୍ଗେ ଯୁଦ୍ଧ କରି କିଣାନୀୟ ଓ ପିରିଷୀୟମାନଙ୍କୁ ବଧ କଲେ ।

6ମାତ୍ର ଅଦୋନୀବେଷକ୍‌ ପଳାଇଗଲା; ତହୁଁ ସେମାନେ ତାହା ପଛେ ଗୋଡ଼ାଇ ତାକୁ ଧରିଲେ ଏବଂ ତାହାର ହସ୍ତ ଓ ପାଦର ବୃଦ୍ଧାଙ୍ଗୁଳି ଛେଦନ କଲେ ।

7ଏଥିରେ ଅଦୋନୀବେଷକ୍‌ କହିଲା, “ସତୁରି ଜଣ ରାଜା ଯାହାଙ୍କର ହସ୍ତ ଓ ପାଦର ବୃଦ୍ଧାଙ୍ଗୁଳି ଛିନ୍ନ କରାଯାଇଥିଲା, ସେମାନେ ଆମ୍ଭ ମେଜ ତଳେ ଆପଣାମାନଙ୍କ ଆହାର ସାଉଣ୍ଟୁ ଥିଲେ; ମୁଁ ଯେପରି କଲି, ପରମେଶ୍ୱର ସେପରି ମୋତେ ପ୍ରତିଫଳ ଦେଲେ ।” ପୁଣି, ଲୋକମାନେ ତାକୁ ଯିରୂଶାଲମକୁ ଆଣିଲେ ଓ ସେ ସେଠାରେ ମଲା ।

8ଅନନ୍ତର ଯିହୁଦା-ସନ୍ତାନମାନେ ଯିରୂଶାଲମ ବିରୁଦ୍ଧରେ ଯୁଦ୍ଧ କରି ତାହା ହସ୍ତଗତ କଲେ ଓ ଖଡ଼୍‍ଗଧାରରେ ସମସ୍ତଙ୍କୁ ଆଘାତ କରି ଅଗ୍ନିରେ ନଗର ଦଗ୍‍ଧ କଲେ ।

9ଏଥି ଉତ୍ତାରେ ଯିହୁଦା-ସନ୍ତାନମାନେ ପର୍ବତମୟ ଦେଶ ଓ ଦକ୍ଷିଣ ଦିଗ ଓ ତଳଭୂମିରେ ବାସକାରୀ କିଣାନୀୟମାନଙ୍କ ବିରୁଦ୍ଧରେ ଯୁଦ୍ଧ କରିବାକୁ ଗଲେ ।

10ପୁଣି ଯିହୁଦା ହିବ୍ରୋଣବାସୀ କିଣାନୀୟମାନଙ୍କ ବିରୁଦ୍ଧରେ ଯାଇ ଶେଶୟକୁ ଓ ଅହୀମାନକୁ ଓ ତଲ୍ମୟକୁ ବଧ କଲା; ପୂର୍ବେ ଏହି ହିବ୍ରୋଣର ନାମ କିରୀୟଥର୍ବ ଥିଲା ।

11ଆଉ ସେ ସେଠାରୁ ଦବୀର-ନିବାସୀମାନଙ୍କ ବିରୁଦ୍ଧରେ ଗଲା । ପୂର୍ବେ ଏହି ଦବୀରର ନାମ କିରୀୟଥ୍‍-ସେଫର ଥିଲା ।

12ପୁଣି କାଲେବ୍‍ କହିଲେ, ଯେ କେହି କିରୀୟଥ୍‍-ସେଫରକୁ ଆଘାତ କରି ହସ୍ତଗତ କରିବ, ମୁଁ ତାହା ସହିତ ମୋ' କନ୍ୟା ଅକ୍‍ଷାର ବିବାହ ଦେବି ।

13ଏଥିରେ କାଲେବ୍‍ଙ୍କର କନିଷ୍ଠ ଭ୍ରାତା କନସର ପୁତ୍ର ଅତ୍ନୀୟେଲ ତାହା ହସ୍ତଗତ କରନ୍ତେ, ସେ ତାହା ସହିତ ଆପଣା କନ୍ୟା ଅକ୍‍ଷାର ବିବାହ ଦେଲେ ।

14ତହୁଁ ସେ ଗମନ କରିବା ବେଳେ ଆପଣା ପିତାକୁ ଖଣ୍ଡେ କ୍ଷେତ ମାଗିବା ପାଇଁ ସ୍ୱାମୀକି ମଣାଇଲା; ମାତ୍ର ସେ ଆପେ ଗର୍ଦ୍ଦଭରୁ ଓହ୍ଲାଇ ପଡ଼ିଲା; ଏଥିରେ କାଲେବ୍‍ ତାହାକୁ କହିଲେ, “ତୁମ୍ଭେ କଅଣ ଚାହଁ ?”

15ତହୁଁ ସେ କହିଲା, ମୋତେ ଏକ ଆଶୀର୍ବାଦ ପ୍ରଦାନ କରନ୍ତୁ; କାରଣ ଆପଣ ଦକ୍ଷିଣଆଡ଼ ଭୂମି ମୋତେ ଦେଇଅଛନ୍ତି, ମଧ୍ୟ ଜଳ-ନିର୍ଝର ମୋତେ ଦେଉନ୍ତୁ; ତହିଁରେ କାଲେବ୍‍ ଉପରିସ୍ଥ ଓ ତଳସ୍ଥ ନିର୍ଝର ତାହାକୁ ଦେଲେ ।

16ଅନନ୍ତର ମୋଶାଙ୍କର ପତ୍ନୀ-ଭ୍ରାତା କେନୀୟର ସନ୍ତାନମାନେ ଯିହୁଦା-ସନ୍ତାନମାନଙ୍କ ସହିତ ଖର୍ଜ୍ଜୁରପୁରରୁ ଅରାଦର ଦକ୍ଷିଣ ଦିଗସ୍ଥିତ ଯିହୁଦା ପ୍ରାନ୍ତରକୁ ଉଠି ଯାଇ ସେ ସ୍ଥାନରେ ଲୋକମାନଙ୍କ ମଧ୍ୟରେ ବାସ କଲେ ।

17ପୁଣି ଯିହୁଦା ଆପଣା ଭ୍ରାତା ଶିମୀୟୋନ ସହିତ ଗମନ କଲା ଓ ସେମାନେ ସଫାତ୍‍ବାସୀ କିଣାନୀୟମାନଙ୍କୁ ଆକ୍ରମଣ କରି ସେହି ନଗରକୁ ସମ୍ପୂର୍ଣ୍ଣ ରୂପେ ବିନାଶ କଲେ ଓ ସେହି ନଗରର ନାମ ହର୍ମା ହେଲା ।

18ଯିହୁଦା ମଧ୍ୟ ଘସା ଓ ତହିଁର ଅଞ୍ଚଳ, ଅସ୍କିଲୋନ ଓ ତହିଁର ଅଞ୍ଚଳ, ପୁଣି ଇକ୍ରୋଣ ଓ ତହିଁର ଅଞ୍ଚଳ ହସ୍ତଗତ କଲା ।

19ସଦାପ୍ରଭୁ ଯିହୁଦାର ସହାୟ ଥିଲେ; ଏଣୁ ସେ ସେହି ପର୍ବତମୟ ଦେଶ ନିବାସୀମାନଙ୍କୁ ତଡ଼ିଦେଲା; ମାତ୍ର ସେ ତଳଭୂମି ନିବାସୀମାନଙ୍କୁ ତଡ଼ିଦେଇ ପାରିଲା ନାହିଁ, କାରଣ ସେମାନଙ୍କର ଲୌହରଥ ଥିଲା ।

20ପୁଣି ସେମାନେ ମୋଶାଙ୍କ ଆଜ୍ଞାନୁସାରେ କାଲେବ୍‍ଙ୍କୁ ହିବ୍ରୋଣ ଦେଲେ, ଆଉ ସେ ସେହି ସ୍ଥାନରୁ ଅନାକର ତିନି ପୁତ୍ରଙ୍କୁ ତଡ଼ିଦେଲେ ।

21ବିନ୍ୟାମୀନ-ସନ୍ତାନମାନେ ଯିରୂଶାଲମ ନିବାସୀ ଯିବୂଷୀୟମାନଙ୍କୁ ତଡ଼ିଦେଲେ ନାହିଁ; ମାତ୍ର ଯିବୂଷୀୟମାନେ ଆଜିଯାଏ ବିନ୍ୟାମୀନ-ସନ୍ତାନଗଣ ସହିତ ବାସ କରୁଅଛନ୍ତି ।

22ଅନନ୍ତର ଯୋଷେଫ-ବଂଶ ମଧ୍ୟ ବୈଥେଲ୍‍ ପ୍ରତିକୂଳରେ ଗଲେ; ପୁଣି ସଦାପ୍ରଭୁ ସେମାନଙ୍କ ସଙ୍ଗେ ସଙ୍ଗେ ଥିଲେ ।

23ସେତେବେଳେ ଯୋଷେଫ-ବଂଶ ବୈଥେଲ୍‍ ଅନୁସନ୍ଧାନ କରିବାକୁ ଲୋକ ପଠାଇଲେ; ପୂର୍ବେ ସେହି ନଗରର ନାମ ଲୁସ୍‍ ଥିଲା ।

24ତହିଁରେ ସେହି ନିରୀକ୍ଷକମାନେ ସେ ନଗରରୁ ଜଣକୁ ବାହାରେ ଆସିବାର ଦେଖି କହିଲେ, ବିନୟ କରୁଅଛୁ, ସେହି ନଗରରେ ପ୍ରବେଶ କରିବା ପଥ ଆମ୍ଭମାନଙ୍କୁ ଦେଖାଅ; ତାହା କଲେ ଆମ୍ଭେମାନେ ତୁମ୍ଭ ପ୍ରତି ଦୟା ବ୍ୟବହାର କରିବା ।

25ତହୁଁ ସେ ସେମାନଙ୍କୁ ନଗରରେ ପ୍ରବେଶ କରିବା ପଥ ଦେଖାନ୍ତେ, ସେମାନେ ଖଡ଼୍‍ଗଧାରରେ ସେହି ନଗରକୁ ଆଘାତ କଲେ, ମାତ୍ର ସେହି ଲୋକକୁ ଓ ତାହାର ସବୁ ବଂଶକୁ ଛାଡ଼ିଦେଲେ ।

26ଏଥି ଉତ୍ତାରେ ସେ ଲୋକ ହିତ୍ତୀୟମାନଙ୍କ ଦେଶକୁ ଯାଇ ଏକ ନଗର ସ୍ଥାପନ କରି ତହିଁର ନାମ ଲୁସ୍‍ ରଖିଲା; ତହିଁର ସେହି ନାମ ଆଜିଯାଏ ଅଛି ।

27ଆଉ ମନଃଶି, ବୈଥ୍‍ସାନ୍‍ ଓ ତହିଁର ଉପନଗର, ତାନକ ଓ ତହିଁର ଉପନଗର ନିବାସୀମାନଙ୍କୁ, ଦୋର ଓ ତହିଁର ଉପନଗର-ନିବାସୀମାନଙ୍କୁ, ଯିବ୍ଲିୟିମ ଓ ତହିଁର ଉପନଗର-ନିବାସୀମାନଙ୍କୁ, ମଗିଦ୍ଦୋ ଓ ତହିଁର ଉପନଗର-ନିବାସୀମାନଙ୍କୁ ତଡ଼ିଦେଲା ନାହିଁ, ତେଣୁ କିଣାନୀୟମାନେ ସେହି ଦେଶରେ ବାସ କରିବାକୁ ମନସ୍ଥ କଲେ ।

28ଏଥି ଉତ୍ତାରେ ଇସ୍ରାଏଲ ପରାକ୍ରାନ୍ତ ହୁଅନ୍ତେ, ସେହି କିଣାନୀୟମାନଙ୍କୁ ବେଠି କର୍ମରେ ରଖିଲେ, ମାତ୍ର ସମ୍ପୂର୍ଣ୍ଣ ରୂପେ ସେମାନଙ୍କୁ ତଡ଼ି ଦେଲେ ନାହିଁ ।

29ଆଉ ଇଫ୍ରୟିମ ଗେଷର ନିବାସୀ କିଣାନୀୟମାନଙ୍କୁ ତଡ଼ି ଦେଲେ ନାହିଁ; ତହିଁରେ କିଣାନୀୟମାନେ ଗେଷରରେ ବାସ କଲେ ।

30ସବୂଲୂନ୍‍ କିଟ୍ରୋଣ ଓ ନହଲୋଲ ନିବାସୀମାନଙ୍କୁ ତଡ଼ିଦେଲା ନାହିଁ; ତହିଁରେ କିଣାନୀୟମାନେ ସେମାନଙ୍କ ମଧ୍ୟରେ ବାସ କରି ବେଠି କର୍ମ କଲେ ।

31ଆଶେର୍‍ ଅକ୍‍କୋ-ନିବାସୀମାନଙ୍କୁ କିଅବା ସୀଦୋନ କି ଅହଲବ୍‍ ଓ ଅକ୍‍ଷୀବ୍‍ କି ହିଲବା କି ଅଫିକ୍‍ କି ରହୋବନି ବାସୀମାନଙ୍କୁ ତଡ଼ିଦେଲା ନାହିଁ ।

32ମାତ୍ର ଆଶେରୀୟମାନେ ସେହି ଦେଶ ନିବାସୀ କିଣାନୀୟମାନଙ୍କୁ ତଡ଼ି ନ ଦେବାରୁ ସେମାନଙ୍କ ମଧ୍ୟରେ ବାସ କଲେ ।

33ନପ୍ତାଲି ବୈଥ୍‍-ଶେମଶ କି ବୈଥ୍‍ନାତ ନିବାସୀମାନଙ୍କୁ ତଡ଼ିଦେଲା ନାହିଁ; ମାତ୍ର ସେ ସେହି ଦେଶ ନିବାସୀ କିଣାନୀୟମାନଙ୍କ ମଧ୍ୟରେ ବାସ କଲା, ତଥାପି ବୈଥ୍‍-ଶେମଶ ଓ ବୈଥ୍‍ନାତ ନିବାସୀମାନେ ସେମାନଙ୍କର ବେଠି କର୍ମ କଲେ ।

34ଆଉ ଇମୋରୀୟମାନେ ଦାନ୍‍-ସନ୍ତାନଗଣକୁ ପର୍ବତମୟ ଦେଶରେ ରହିବାକୁ ବାଧ୍ୟ କଲେ; ଆଉ ତଳିଭୂମିକି ସେମାନଙ୍କୁ ଆସିବାକୁ ଦେଲେ ନାହିଁ ।

35ମାତ୍ର ଇମୋରୀୟମାନେ ହେରସ ପର୍ବତରେ ଅୟାଲୋନରେ ଓ ଶାଲବୀମରେ ବାସ କରିବାକୁ ମନସ୍ଥ କଲେ; ତଥାପି ଯୋଷେଫ-ବଂଶର ହସ୍ତ ପ୍ରବଳ ହୁଅନ୍ତେ, ସେମାନେ ବେଠି କର୍ମ କଲେ ।

36ପୁଣି ଅକ୍ରବ୍ବୀମ-ଘାଟୀ ଶୈଳଠାରୁ ଆଗକୁ ଇମୋରୀୟମାନଙ୍କ ସୀମା ଥିଲା ।


  Share Facebook  |  Share Twitter

 <<  Judges 1 >> 


Bible2india.com
© 2010-2024
Help
Dual Panel

Laporan Masalah/Saran