Bible 2 India Mobile
[VER] : [ODIYA]     [PL]  [PB] 
 <<  Haggai 1 >> 

1ଦାରୀୟାବସ୍‍ ରାଜାର ଅଧିକାରର ଦ୍ୱିତୀୟ ବର୍ଷର ଷଷ୍ଠ ମାସର ପ୍ରଥମ ଦିନରେ ହାଗୟ ଭବିଷ୍ୟଦ୍‍ବକ୍ତାଙ୍କ ଦ୍ୱାରା ସଦାପ୍ରଭୁଙ୍କର ଏହି ବାକ୍ୟ ଶଲ୍‍ଟୀୟର ପୁତ୍ର ଯିରୁବ୍ବାବିଲ ନାମକ ଯିହୁଦୀୟ ଦେଶାଧ୍ୟକ୍ଷର ନିକଟରେ ଓ ଯିହୋଷାଦକର ପୁତ୍ର ଯିହୋଶୂୟ ମହାଯାଜକର ନିକଟରେ ଉପସ୍ଥିତ ହେଲା,

2ସୈନ୍ୟାଧିପତି ସଦାପ୍ରଭୁ ଏହି କଥା କହନ୍ତି, ଏହି ଲୋକମାନେ କହୁଅଛନ୍ତି, ଆମ୍ଭମାନଙ୍କର ଆସିବାର ଓ ସଦାପ୍ରଭୁଙ୍କ ଗୃହ ନିର୍ମିତ ହେବାର ସମୟ ଉପସ୍ଥିତ ହୋଇ ନାହିଁ ।

3ସେତେବେଳେ ହାଗୟ ଭବିଷ୍ୟଦ୍‍ବକ୍ତାଙ୍କ ଦ୍ୱାରା ସଦାପ୍ରଭୁଙ୍କର ଏହି ବାକ୍ୟ ଉପସ୍ଥିତ ହେଲା,

4ଏହି ଗୃହ ଭଗ୍ନ ଅବସ୍ଥାରେ ଥାଉ ଥାଉ ତୁମ୍ଭମାନଙ୍କର ନିଜର ଫଳକ ମଣ୍ଡିତ ଗୃହରେ ବାସ କରିବାର କି ସମୟ ଏହି ?

5ଏହେତୁ ସୈନ୍ୟାଧିପତି ସଦାପ୍ରଭୁ ଏହି କଥା କହନ୍ତି; ତୁମ୍ଭେମାନେ ଆପଣା ଆପଣା ପଥ ବିବେଚନା କର ।

6ତୁମ୍ଭେମାନେ ବହୁତ ବୁଣିଅଛ, ମାତ୍ର ଅଳ୍ପ ସଞ୍ଚୟ କରୁଅଛ; ତୁମ୍ଭେମାନେ ଭୋଜନ କରୁଅଛ, ମାତ୍ର ସନ୍ତୁଷ୍ଟ ହେଉ ନାହଁ; ତୁମ୍ଭେମାନେ ପାନ କରୁଅଛ, ମାତ୍ର ତହିଁରେ ତୃପ୍ତ ହେଉ ନାହଁ; ତୁମ୍ଭେମାନେ ବସ୍ତ୍ର ପିନ୍ଧୁଅଛ, ମାତ୍ର କେହି ଉଷ୍ମ ହେଉ ନାହଁ; ପୁଣି, ଯେ ବେତନ ଅର୍ଜନ କରେ, ସେ କଣା ଥଳୀରେ ତାହା ରଖିବା ପାଇଁ ଅର୍ଜନ କରେ ।

7ସୈନ୍ୟାଧିପତି ସଦାପ୍ରଭୁ ଏହି କଥା କହନ୍ତି; ତୁମ୍ଭେମାନେ ଆପଣା ଆପଣା ପଥ ବିବେଚନା କର ।

8ତୁମ୍ଭେମାନେ ପର୍ବତକୁ ଯାଇ କାଷ୍ଠ ଆଣ ଓ ଏହି ଗୃହ ନିର୍ମାଣ କର; ତହିଁରେ ଆମ୍ଭେ ତହିଁ ପ୍ରତି ପ୍ରସନ୍ନ ହେବା ଓ ଆମ୍ଭେ ଗୌରବାନ୍ୱିତ ହେବା, ଏହା ସଦାପ୍ରଭୁ କହନ୍ତି ।

9ତୁମ୍ଭେମାନେ ବହୁତ ନିମନ୍ତେ ଅପେକ୍ଷା କଲ, ଆଉ ଦେଖ, ତାହା ଅଳ୍ପ ହେଲା; ପୁଣି, ତାହା ଗୃହକୁ ଆଣିଲା ବେଳେ ଆମ୍ଭେ ତହିଁ ଉପରେ ଫୁଙ୍କି ଉଡ଼ାଇ ଦେଲୁ । ସୈନ୍ୟାଧିପତି ସଦାପ୍ରଭୁ କହନ୍ତି, ଏହାର କାରଣ କଅଣ ? ଏହି, ଆମ୍ଭର ଗୃହ ଭଗ୍ନ ହୋଇ ପଡ଼ିଅଛି, ମାତ୍ର ତୁମ୍ଭେମାନେ ପ୍ରତ୍ୟେକ ଜଣ ଆପଣା ଆପଣା ଗୃହ ବିଷୟରେ ଦୌଡ଼ୁଅଛ ।

10ଏଥିପାଇଁ ତୁମ୍ଭମାନଙ୍କ ସକାଶୁ ଆକାଶ ଶିଶିରରହିତ ହୋଇଅଛି ଓ ପୃଥିବୀ ଆପଣା ଫଳରହିତ ହୋଇଅଛି ।

11ପୁଣି, ଆମ୍ଭେ ଦେଶର ଓ ପର୍ବତଗଣର ଉପରେ, ଆଉ ଶସ୍ୟ, ଦ୍ରାକ୍ଷାରସ ଓ ତୈଳ ଉପରେ, ଆଉ ଭୂମିର ଉତ୍ପନ୍ନ ବସ୍ତୁ ଉପରେ ମନୁଷ୍ୟ ଓ ପଶୁର ଉପରେ, ପୁଣି ହସ୍ତକୃତ ସମସ୍ତ କାର୍ଯ୍ୟ ଉପରେ ମାରୁଡ଼ିକୁ ଆହ୍ୱାନ କଲୁ ।

12ସେତେବେଳେ ଶଲ୍‍ଟୀୟେଲଙ୍କ ପୁତ୍ର ଯିରୁବ୍ବାବିଲ ଓ ଯିହୋଷାଦକଙ୍କ ପୁତ୍ର ଯିହୋଶୂୟ ମହାଯାଜକ ଓ ଲୋକମାନଙ୍କର ଅବଶିଷ୍ଟାଂଶ ସମସ୍ତେ ସଦାପ୍ରଭୁ ସେମାନଙ୍କ ପରମେଶ୍ୱରଙ୍କ ରବରେ ଓ ସଦାପ୍ରଭୁ ସେମାନଙ୍କ ପରମେଶ୍ୱର ହାଗୟ ଭବିଷ୍ୟଦ୍‍ବକ୍ତାଙ୍କ ନିକଟକୁ ଯେଉଁ ସବୁ ବାକ୍ୟ ପ୍ରେରଣ କରିଥିଲେ, ସେହିସବୁରେ ମନୋଯୋଗ କଲେ; ଆଉ, ଲୋକମାନେ ସଦାପ୍ରଭୁଙ୍କ ଛାମୁରେ ଭୀତ ହେଲେ ।

13ତହିଁରେ ସଦାପ୍ରଭୁଙ୍କର ଦୂତ ହାଗୟ ଲୋକମାନଙ୍କୁ ସଦାପ୍ରଭୁଙ୍କର ସମ୍ବାଦ ଜଣାଇ କହିଲେ, ସଦାପ୍ରଭୁ କହନ୍ତି, ଆମ୍ଭେ ତୁମ୍ଭମାନଙ୍କର ସଙ୍ଗେ ସଙ୍ଗେ ଅଛୁ ।

14ପୁଣି, ସଦାପ୍ରଭୁ ଶଲ୍‍ଟୀୟେଲଙ୍କ ପୁତ୍ର ଯିହୁଦୀୟ ଦେଶାଧ୍ୟକ୍ଷ ଯିରୁବ୍ବାବିଲଙ୍କ ଆତ୍ମାକୁ ଓ ଯିହୋଷାଦକଙ୍କ ପୁତ୍ର ଯିହୋଶୂୟ ମହାଯାଜକଙ୍କ ଆତ୍ମାକୁ, ଆଉ ଲୋକମାନଙ୍କର ଅବଶିଷ୍ଟାଂଶ ସମସ୍ତଙ୍କର ଆତ୍ମାକୁ ଉତ୍ତେଜିତ କଲେ; ତହିଁରେ ସେମାନେ ଦାରୀୟାବସ୍‍ ରାଜାର ଅଧିକାରର ଦ୍ୱିତୀୟ ବର୍ଷର ଷଷ୍ଠ ମାସର ଚତୁର୍ବିଂଶ ଦିନରେ ଆସି,

15ସୈନ୍ୟାଧିପତି ସଦାପ୍ରଭୁ ଆପଣାମାନଙ୍କ ପରମେଶ୍ୱରଙ୍କ ଗୃହରେ କାର୍ଯ୍ୟ କଲେ ।


  Share Facebook  |  Share Twitter

 <<  Haggai 1 >> 


Bible2india.com
© 2010-2024
Help
Dual Panel

Laporan Masalah/Saran