Bible 2 India Mobile
[VER] : [ODIYA]     [PL]  [PB] 
 <<  Habakkuk 3 >> 

1ହବକ୍‍କୂକ ଭବିଷ୍ୟଦ୍‍ବକ୍ତାଙ୍କର ପ୍ରାର୍ଥନା । ସ୍ୱରଶିଗୀୟୋନତ୍‍ ।

2ହେ ସଦାପ୍ରଭୁ, ମୁଁ ତୁମ୍ଭ ବିଷୟକ ବାର୍ତ୍ତା ଶୁଣି ଭୀତ ଅଛି; ହେ ସଦାପ୍ରଭୁ, ବର୍ଷମାନର ମଧ୍ୟରେ ଆପଣା କର୍ମ ସଜୀବ କର, ବର୍ଷମାନର ମଧ୍ୟରେ ତାହା ଜ୍ଞାତ କରାଅ; କୋପ ସମୟରେ ଦୟା ସ୍ମରଣ କର ।

3ପରମେଶ୍ୱର ତୈମନରୁ ଆସିଲେ ଓ ଯେ ଧର୍ମମୟ, ସେ ପାରଣ ପର୍ବତରୁ ଆସିଲେ । ସେଲା ତାହାଙ୍କର ପ୍ରତାପ ଆକାଶମଣ୍ଡଳକୁ ଆଚ୍ଛନ୍ନ କଲା, ଆଉ ପୃଥିବୀ ତାହାଙ୍କ ପ୍ରଶଂସାରେ ପରିପୂର୍ଣ୍ଣ ହେଲା ।

4ପୁଣି, ତାହାଙ୍କର ତେଜ ଦୀପ୍ତି ତୁଲ୍ୟ ହେଲା; ତାହାଙ୍କ ହସ୍ତରୁ କିରଣ ନିର୍ଗତ ହେଲା; ଆଉ, ସେ ସ୍ଥାନ ତାହାଙ୍କ ପରାକ୍ରମର ଅନ୍ତରାଳ ।

5ତାହାଙ୍କ ଆଗେ ଆଗେ ମହାମାରୀ ଗମନ କଲା, ଆଉ ତାହାଙ୍କ ପଦ-ଚିହ୍ନରୁ ଅଗ୍ନିବାଣ ନିର୍ଗତ ହେଲା ।

6ସେ ଠିଆ ହୋଇ ପୃଥିବୀର ପରିମାଣ କଲେ । ସେ ଦୃଷ୍ଟିପାତ କରି ଗୋଷ୍ଠୀଗଣକୁ ଭିନ୍ନଭିନ୍ନ କରି ତଡ଼ି ଦେଲେ; ଆଉ, ଚିରସ୍ଥାୟୀ ପର୍ବତଗଣ ଛିନ୍ନଭିନ୍ନ କରାଗଲେ, ନିତ୍ୟସ୍ଥାୟୀ ଉପପର୍ବତଗଣ ନତ ହେଲେ; ତାହାଙ୍କର ଗତି ପୁରାତନ କାଳର ଗତି ତୁଲ୍ୟ ଥିଲା ।

7ମୁଁ କୂଶନର ତମ୍ବୁସକଳକୁ କ୍ଳେଶରେ ଥିବାର ଦେଖିଲି; ମିଦୀୟନ ଦେଶର ଯବନିକାସକଳ କମ୍ପିତ ହେଲା ।

8ସଦାପ୍ରଭୁ କି ନଦ-ନଦୀ ପ୍ରତି ଅସନ୍ତୁଷ୍ଟ ହେଲେ ? ତୁମ୍ଭର କ୍ରୋଧ କି ନଦ-ନଦୀର ଉପରେ ବର୍ତ୍ତିଲା, ଅବା ତୁମ୍ଭର କୋପ କି ସମୁଦ୍ରର ଉପରେ ବର୍ତ୍ତିଲା ଯେ, ତୁମ୍ଭେ ଆପଣା ଅଶ୍ୱଗଣର ଉପରେ, ଆପଣା ତ୍ରାଣସ୍ୱରୂପ ରଥସମୂହରେ ଆରୋହଣ କଲ ?

9ତୁମ୍ଭର ଧନୁ ଅନାବୃତ ହେଲା; ଗୋଷ୍ଠୀଗଣର ପ୍ରତି ଶପଥ ସ୍ଥିରୀକୃତ ବାକ୍ୟ ହେଲା । ସେଲା । ତୁମ୍ଭେ ନଦ-ନଦୀ ଦ୍ୱାରା ପୃଥିବୀକୁ ବିଦୀର୍ଣ୍ଣ କଲ ।

10ପର୍ବତଗଣ ତୁମ୍ଭଙ୍କୁ ଦେଖି ଭୀତ ହେଲେ; ପ୍ରଚଣ୍ଡ ଜଳରାଶି ବହିଗଲା; ବାରିଧି ଆପଣା ରବ ଶୁଣାଇଲା ଓ ଆପଣା ହସ୍ତ ଉଚ୍ଚକୁ ଉଠାଇଲା ।

11ତୁମ୍ଭର ବାଣସ୍ୱରୂପ ଦୀପ୍ତିର ଗତିରେ, ତୁମ୍ଭର ଝଲମଲ ବର୍ଚ୍ଛାର ତେଜରେ ସୂର୍ଯ୍ୟ ଓ ଚନ୍ଦ୍ର ଆପଣା ଆପଣା ବାସସ୍ଥାନରେ ସ୍ଥଗିତ ହୋଇ ରହିଲେ ।

12ତୁମ୍ଭେ କୋପରେ ପୃଥିବୀ ମଧ୍ୟଦେଇ ଯାତ୍ରା କଲ । ତୁମ୍ଭେ କ୍ରୋଧରେ ଗୋଷ୍ଠୀଗଣକୁ (ଶସ୍ୟ ପରି) ମର୍ଦ୍ଦନ କଲ ।

13ତୁମ୍ଭେ ଆପଣା ଲୋକମାନଙ୍କର ପରିତ୍ରାଣ ନିମନ୍ତେ, ଆପଣା ଅଭିଷେକୀର ପରିତ୍ରାଣ ନିମନ୍ତେ ଯାତ୍ରା କଲ । ତୁମ୍ଭେ ଦୁଷ୍ଟର ଗୃହରୁ ମସ୍ତକ ଚୂର୍ଣ୍ଣ କଲ, ତୁମ୍ଭେ କଣ୍ଠସରିକି ମୂଳଦୁଆ ଅନାବୃତ କଲ । ସେଲା ।

14ତୁମ୍ଭେ ତାହାର ନିଜ ଯଷ୍ଟି ଦ୍ୱାରା ତାହାର ଯୋଦ୍ଧାମାନଙ୍କର ମସ୍ତକ ବିଦ୍ଧ କଲ: ସେମାନେ ମୋତେ ଛିନ୍ନଭିନ୍ନ କରିବା ପାଇଁ ଘୂର୍ଣ୍ଣବାୟୁର ନ୍ୟାୟ ଆସିଲେ; ଦରିଦ୍ରକୁ ଗୋପନରେ ଗ୍ରାସ କରିବା ପାଇଁ ସେମାନଙ୍କର ଆନନ୍ଦ ଥିଲା ।

15ତୁମ୍ଭେ ଆପଣା ଅଶ୍ୱଗଣ ଦ୍ୱାରା ସମୁଦ୍ରକୁ, ମହାଜଳରାଶିକୁ ଦଳି ପକାଇଲ ।

16ମୁଁ ଶୁଣିଲି ଓ ମୋ' ଉଦର କମ୍ପିଲା, ସେହି ରବରେ ମୋର ଓଷ୍ଠାଧର ଥର ଥର ହେଲା; ମୋ' ଅସ୍ଥିସକଳରେ ପଚାଭାବ ପ୍ରବେଶ କଲା ଓ ମୁଁ ସ୍ୱସ୍ଥାନରେ କମ୍ପିତ ହେଲି; ତହିଁରେ ଯେଉଁମାନେ ସୈନ୍ୟଦଳ ଘେନି ତାହାକୁ ଆକ୍ରମଣ କରିବାକୁ ଆସିବେ, ସେହି ଲୋକମାନଙ୍କ ବିରୁଦ୍ଧରେ ଯେତେବେଳେ ଦିନ ଆସିବ, ସେତେବେଳେ ସେହି ସଙ୍କଟ ଦିନରେ ମୋତେ ବିଶ୍ରାମ କରିବାକୁ ହେବ ।

17କାରଣ ଯଦ୍ୟପି ଡିମିରି ବୃକ୍ଷ ପୁଷ୍ପିତ ନୋହିବ, କିଅବା ଦ୍ରାକ୍ଷାଲତାରେ ଫଳ ନ ଧରିବ; ଜୀତବୃକ୍ଷ ଫଳ ନ ଫଳିବ ଓ କ୍ଷେତ୍ର ଖାଦ୍ୟଦ୍ରବ୍ୟ ଉତ୍ପନ୍ନ ନ କରିବ; ଖୁଆଡ଼ରୁ ମେଷପଲ ଉଚ୍ଛିନ୍ନ ହେବ, ଆଉ ଗୋଠରେ ଗୋରୁପଲ ନ ଥିବ;

18ତଥାପି ମୁଁ ସଦାପ୍ରଭୁଙ୍କଠାରେ ଆନନ୍ଦ କରିବି । ମୁଁ ଆପଣା ତ୍ରାଣର ପରମେଶ୍ୱରଙ୍କଠାରେ ଉଲ୍ଲାସ କରିବି ।

19ପ୍ରଭୁ ସଦାପ୍ରଭୁ ମୋର ବଳସ୍ୱରୂପ ଓ ସେ ମୋର ଚରଣ ହରିଣୀର ଚରଣ ସଦୃଶ କରନ୍ତି, ପୁଣି ମୋର ଉଚ୍ଚସ୍ଥଳୀରେ ମୋତେ ଗମନ କରାଇବେ । ମୋର ତାରଯୁକ୍ତ ଯନ୍ତ୍ରରେ ପ୍ରଧାନ ବାଦ୍ୟକର ନିମନ୍ତେ ।


  Share Facebook  |  Share Twitter

 <<  Habakkuk 3 >> 


Bible2india.com
© 2010-2024
Help
Dual Panel

Laporan Masalah/Saran