Bible 2 India Mobile
[VER] : [ODIYA]     [PL]  [PB] 
 <<  2 Chronicles 26 >> 

1ଏଥିଉତ୍ତାରେ ଯିହୁଦାର ଲୋକ ସମସ୍ତେ ଷୋଳ ବର୍ଷ ବୟସ୍କ ଉଷୀୟଙ୍କୁ ନେଇ ତାଙ୍କର ପିତା ଅମତ୍‍ସୀୟଙ୍କର ପଦରେ ତାଙ୍କୁ ରାଜା କଲେ ।

2ରାଜା ଆପଣା ପିତୃଗଣଙ୍କ ସହିତ ଶୟନ କଲା ଉତ୍ତାରେ ଉଷୀୟ ଏଲତ୍‍-ନଗର ଦୃଢ଼ କରି ତାହା ପୁନର୍ବାର ଯିହୁଦାର ଅଧୀନକୁ ଆଣିଲେ ।

3ଉଷୀୟ ରାଜ୍ୟ କରିବାକୁ ଆରମ୍ଭ କରିବା ସମୟରେ ଷୋଳ ବର୍ଷ ବୟସ୍କ ହୋଇଥିଲେ ; ସେ ଯିରୂଶାଲମରେ ବାବନ ବର୍ଷ ରାଜ୍ୟ କଲେ ; ତାଙ୍କ ମାତାଙ୍କର ନାମ ଯିଖଲୀୟା, ସେ ଯିରୂଶାଲମ ନିବାସିନୀ ଥିଲେ ।

4ପୁଣି, ସେ ଆପଣା ପିତା ଅମତ୍‍ସୀୟଙ୍କର ସମସ୍ତ କ୍ରିୟାନୁସାରେ ସଦାପ୍ରଭୁଙ୍କ ଦୃଷ୍ଟିରେ ଯଥାର୍ଥ କର୍ମ କଲେ ।

5ଆଉ, ପରମେଶ୍ୱରୀୟ ଦର୍ଶନ ସମ୍ବନ୍ଧରେ ବୁଦ୍ଧିମାନ ଜିଖରିୟର ସମୟରେ ସେ ପରମେଶ୍ୱରଙ୍କର ଅନ୍ୱେଷଣ କରିବା ପାଇଁ ଆପଣାକୁ ନିବିଷ୍ଟ କଲେ ଓ ସେ ଯେତେ କାଳ ସଦାପ୍ରଭୁଙ୍କର ଅନ୍ୱେଷଣ କଲେ, ସେତେ କାଳ ପରମେଶ୍ୱର ତାଙ୍କୁ କୃତକାର୍ଯ୍ୟ ହେବାକୁ ଦେଲେ ।

6ପୁଣି, ସେ ଯାଇ ପଲେଷ୍ଟୀୟମାନଙ୍କ ପ୍ରତିକୂଳରେ ଯୁଦ୍ଧ କଲେ ; ଆଉ ଗାଥ୍‍-ନଗରର ପ୍ରାଚୀର ଓ ଯବ୍‍ନିର ପ୍ରାଚୀର ଓ ଅସ୍‍ଦୋଦ୍‍ର ପ୍ରାଚୀର ଭାଙ୍ଗି ପକାଇଲେ ; ପୁଣି ଅସ୍‍ଦୋଦ୍‍ ଦେଶରେ ଓ ପଲେଷ୍ଟୀୟମାନଙ୍କ ମଧ୍ୟରେ ନାନା ନଗର ନିର୍ମାଣ କଲେ

7ଆହୁରି, ପରମେଶ୍ୱର ପଲେଷ୍ଟୀୟମାନଙ୍କ ପ୍ରତିକୂଳରେ ଓ ଗୁରୁବାଲ୍‍-ନିବାସୀ ଆରବୀୟମାନଙ୍କ ଓ ମିୟୂନୀୟମାନଙ୍କ ପ୍ରତିକୂଳରେ ତାଙ୍କର ସାହାଯ୍ୟ କଲେ ।

8ପୁଣି, ଅମ୍ମୋନୀୟମାନେ ଉଷୀୟଙ୍କୁ ଦର୍ଶନୀ ଦେଲେ ଓ ତାଙ୍କର ନାମ ମିସରର ସୀମା ପର୍ଯ୍ୟନ୍ତ ବ୍ୟାପ୍ତ ହେଲା ; କାରଣ ସେ ବେଳକୁ ବେଳ ବଳିଷ୍ଠ ହେଲେ ।

9ଆହୁରି, ଉଷୀୟ ଯିରୂଶାଲମର କୋଣ-ଦ୍ୱାରରେ ଓ ଉପତ୍ୟକା-ଦ୍ୱାରରେ ଓ ପ୍ରାଚୀର-କୋଣରେ ଦୁର୍ଗ ନିର୍ମାଣ କରି ତାହାସବୁ ଦୃଢ କଲେ ।

10ପୁଣି, ସେ ପ୍ରାନ୍ତରରେ ଦୁର୍ଗମାନ ନିର୍ମାଣ କଲେ, ମଧ୍ୟ ତଳଭୂମିରେ ଓ ସମଭୂମିରେ ତାଙ୍କର ବହୁତ ପଶୁ ଥିବାରୁ ଅନେକ କୂପ ଖୋଳିଲେ ; ଆଉ, ପର୍ବତରେ ଓ ଫଳବତ୍‍ କ୍ଷେତ୍ରରେ ତାଙ୍କର କୃଷକ ଓ ଦ୍ରାକ୍ଷା-କୃଷକଗଣ ଥିଲେ ; କାରଣ ସେ କୃଷିପ୍ରିୟ ଥିଲେ ।

11ଆହୁରି, ଉଷୀୟଙ୍କର ଯୁଦ୍ଧକାରୀ ସୈନ୍ୟସାମନ୍ତ ଥିଲେ, ସେମାନେ ରାଜାଙ୍କର ହନାନୀୟ ନାମକ ଏକ ସେନାପତିର ଅଧୀନରେ ଯିୟୂୟେଲ ଲେଖକର ଓ ମାସେୟ ଶାସନକର୍ତ୍ତାର ଗଣିତ ସଂଖ୍ୟାନୁସାରେ ଦଳ ଦଳ ହୋଇ ଯୁଦ୍ଧ କରିବାକୁ ଯାତ୍ରା କଲେ ।

12ପିତୃବଂଶ-ପ୍ରଧାନ ଓ ମହାବିକ୍ରମଶାଳୀ ଲୋକଙ୍କର ସମୁଦାୟ ସଂଖ୍ୟା ଦୁଇ ହଜାର ଛଅ ଶହ ଥିଲା ।

13ପୁଣି, ସେମାନଙ୍କ ହସ୍ତାଧୀନରେ ତିନି ଲକ୍ଷ ସାତ ହଜାର ପାଞ୍ଚ ଶହ ଶିକ୍ଷିତ ସୈନ୍ୟ ଥିଲେ, ଏମାନେ ଶତ୍ରୁ ବିରୁଦ୍ଧରେ ରାଜାଙ୍କର ସାହାଯ୍ୟ ନିମନ୍ତେ ଅତି ପରାକ୍ରମରେ ଯୁଦ୍ଧ କଲେ ।

14ପୁଣି, ଉଷୀୟ ସେହି ସମସ୍ତ ସୈନ୍ୟଦଳ ନିମନ୍ତେ ଢାଲ, ବର୍ଚ୍ଛା, ଟୋପର, ସାଞ୍ଜୁଆ, ଧନୁ ଓ ଛାଟିଣୀ ପଥର ପ୍ରସ୍ତୁତ କଲେ ।

15ଆଉ, ସେ ଯିରୂଶାଲମରେ ଶିଳ୍ପକାରମାନଙ୍କ କଳ୍ପିତ ଯନ୍ତ୍ର ପ୍ରସ୍ତୁତ କରି ତଦ୍ଦ୍ୱାରା ତୀର ଓ ବଡ଼ ବଡ଼ ପଥର ନିକ୍ଷେପ କରିବା ନିମନ୍ତେ ତାହାସବୁ ଦୁର୍ଗ ସବୁରେ ଓ ପ୍ରାଚୀର-ଚୂଡ଼ାରେ ରଖିଲେ ପୁଣି, ତାଙ୍କର ନାମ ବହୁ ଦୂର ବ୍ୟାପ୍ତ ହେଲା ; କାରଣ ସେ ବଳିଷ୍ଠ ହେବା ପର୍ଯ୍ୟନ୍ତ ଆଶ୍ଚର୍ଯ୍ୟ ରୂପେ ସାହାଯ୍ୟ ପ୍ରାପ୍ତ ହେଲେ ।

16ମାତ୍ର ସେ ବଳବାନ୍ ହୁଅନ୍ତେ, ତାଙ୍କର ଅନ୍ତଃକରଣ ଉଦ୍ଧତ ହେଲା, ତହୁଁ ସେ ଦୁରାଚରଣ କରି ସଦାପ୍ରଭୁ ଆପଣା ପରମେଶ୍ୱରଙ୍କ ବିରୁଦ୍ଧରେ ସତ୍ୟ ଲଙ୍ଘନ କଲେ ; କାରଣ ସେ ଧୂପବେଦିରେ ଧୂପ ଜ୍ୱଳାଇବା ନିମନ୍ତେ ସଦାପ୍ରଭୁଙ୍କ ମନ୍ଦିରକୁ ଗଲେ ।

17ତହିଁରେ ଅସରୀୟ ଯାଜକ ଓ ତାହା ସଙ୍ଗେ ସଦାପ୍ରଭୁଙ୍କର ଅଶୀ ଜଣ ପରାକ୍ରାନ୍ତ ଯାଜକ ତାଙ୍କର ପଛେ ପଛେ ଗଲେ ;

18ପୁଣି, ସେମାନେ ଉଷୀୟ ରାଜାଙ୍କୁ ନିବାରଣ କରି ତାଙ୍କୁ କହିଲେ, ହେ ଉଷୀୟ, ସଦାପ୍ରଭୁଙ୍କ ଉଦ୍ଦେଶ୍ୟରେ ଧୂପ ଜ୍ୱଳାଇବା ପାଇଁ ଆପଣଙ୍କର ଅଧିକାର ନାହିଁ, ମାତ୍ର ହାରୋଣଙ୍କର ସନ୍ତାନ ଯେଉଁ ଯାଜକମାନେ ଧୂପ ଜ୍ୱଳାଇବା ପାଇଁ ପବିତ୍ରୀକୃତ ହୋଇଅଛନ୍ତି, ସେମାନଙ୍କର ଅଧିକାର ଅଟେ ; ପବିତ୍ର ସ୍ଥାନରୁ ବାହାରି ଯାଉନ୍ତୁ ; ଆପଣ ସତ୍ୟ ଲଙ୍ଘନ କରିଅଛନ୍ତି ; ଏହା ସଦାପ୍ରଭୁ ପରମେଶ୍ୱରଙ୍କଠାରୁ ଆପଣଙ୍କ ଗୌରବାର୍ଥେ ହେବ ନାହିଁ ।

19ସେତେବେଳେ ଉଷୀୟ କୋପାନ୍ୱିତ ହେଲେ ; ପୁଣି ଧୂପ ଜ୍ୱଳାଇବା ନିମନ୍ତେ ତାଙ୍କର ହସ୍ତରେ ଧୂପାଚି ଥିଲା ; ପୁଣି ସେ ଯାଜକମାନଙ୍କ ପ୍ରତି କୋପାନ୍ୱିତ ଥାଉ ଥାଉ ସଦାପ୍ରଭୁଙ୍କ ଗୃହରେ ଯାଜକମାନଙ୍କ ସାକ୍ଷାତରେ ଧୂପବେଦି ନିକଟରେ ତାଙ୍କର କପାଳରେ କୁଷ୍ଠ ପ୍ରକାଶ ପାଇଲା ।

20ତହିଁରେ ପ୍ରଧାନ ଯାଜକ ଅସରୀୟ ଓ ଅନ୍ୟ ସକଳ ଯାଜକ ତାଙ୍କୁ ଅନାନ୍ତେ, ଦେଖ, ତାଙ୍କର କପାଳରେ କୁଷ୍ଠ ହୋଇଅଛି, ତହୁଁ ସେମାନେ ଶୀଘ୍ର ତାଙ୍କୁ ସେଠାରୁ ତଡ଼ି ଦେଲେ ; ମଧ୍ୟ ସେ ଆପେ ବାହାରି ଯିବା ପାଇଁ ଚଞ୍ଚଳ ହେଲେ, କାରଣ ସଦାପ୍ରଭୁ ତାଙ୍କୁ ଆଘାତ କରିଥିଲେ ।

21ତହିଁରେ ଉଷୀୟ ରାଜା ଆପଣା ମରଣ ଦିନ ପର୍ଯ୍ୟନ୍ତ କୁଷ୍ଠୀ ହୋଇ ପୃଥକ୍‍ ଗୃହରେ ବାସ କଲେ ; କାରଣ ସେ ସଦାପ୍ରଭୁଙ୍କ ଗୃହରୁ ଉଚ୍ଛିନ୍ନ ହେଲେ ; ତହୁଁ ତାଙ୍କର ପୁତ୍ର ଯୋଥମ୍‍ ରାଜଗୃହର କର୍ତ୍ତା ହୋଇ ଦେଶସ୍ଥ ଲୋକମାନଙ୍କର ବିଚାର କଲେ ।

22ଏହି ଉଷୀୟଙ୍କର ଆଦ୍ୟନ୍ତ ଅବଶିଷ୍ଟ ବୃତ୍ତାନ୍ତ ଆମୋସର ପୁତ୍ର ଯିଶାଇୟ ଭବିଷ୍ୟଦ୍‍ବକ୍ତା ଲେଖିଲେ ।

23ଏହିରୂପେ ଉଷୀୟ ଆପଣା ପିତୃଗଣ ସହିତ ଶୟନ କଲେ ; ତହିଁରେ ଲୋକମାନେ ତାଙ୍କର ପିତୃଗଣ ସହିତ ରାଜାମାନଙ୍କ କବର କ୍ଷେତ୍ରରେ ତାଙ୍କୁ କବର ଦେଲେ ; କାରଣ ସେମାନେ କହିଲେ, ସେ କୁଷ୍ଠୀ ; ତହୁଁ ତାଙ୍କର ପୁତ୍ର ଯୋଥମ୍‍ ତାଙ୍କର ପଦରେ ରାଜ୍ୟ କଲେ ।


  Share Facebook  |  Share Twitter

 <<  2 Chronicles 26 >> 


Bible2india.com
© 2010-2024
Help
Dual Panel

Laporan Masalah/Saran