Bible 2 India Mobile
[VER] : [ODIYA]     [PL]  [PB] 
 <<  2 Samuel 8 >> 

1ଅନନ୍ତର ଦାଉଦ ପଲେଷ୍ଟୀୟମାନଙ୍କୁ ପରାସ୍ତ କରି ନତ କଲେ ଓ ଦାଉଦ ପଲେଷ୍ଟୀୟମାନଙ୍କ ହସ୍ତରୁ ଗାଥ୍ ଏବଂ ମାତୃନଗରର କର୍ତ୍ତୃତ୍ୱ ନେଲେ ।

2ପୁଣି ସେ ମୋୟାବକୁ ପରାସ୍ତ କରି ସେହି ଲୋକମାନଙ୍କୁ ଭୂମିରେ ଶୟନ କରାଇ ଦଉଡ଼ିରେ ମାପିଲେ ଓ ସେ ବଧ କରିବା ପାଇଁ ଦୁଇ ଦଉଡ଼ି ଓ ଜୀବିତ ରଖିବା ପାଇଁ ସମ୍ପୂର୍ଣ୍ଣ ଏକ ଦଉଡ଼ି ମାପିଲେ । ତହିଁରେ ମୋୟାବୀୟମାନେ ଦାଉଦଙ୍କର ଦାସ ହୋଇ ତାଙ୍କୁ କର ଦେଲେ ।

3ସୋବାର ରାଜା ରହୋବର ପୁତ୍ର ହଦଦେଷର ଫରାତ୍‍ ନଦୀ ନିକଟରେ ଆପଣା ରାଜ୍ୟ ପୁନର୍ବାର ପାଇବାକୁ ଯିବା ସମୟରେ ଦାଉଦ ତାହାକୁ ପରାସ୍ତ କଲେ ।

4ପୁଣି ଦାଉଦ ତାହାଠାରୁ ଏକ ସହସ୍ର ସାତ ଶହ ଅଶ୍ୱାରୂଢ଼ ଓ କୋଡ଼ିଏ ସହସ୍ର ପଦାତିକ ସୈନ୍ୟ ନେଲେ; ଆଉ ଦାଉଦ ରଥ-ଅଶ୍ୱ ସମସ୍ତର ଗୋଡ଼-ଶିରା କାଟି ପକାଇଲେ, ମାତ୍ର ତହିଁ ମଧ୍ୟରୁ ଶହେ ରଥ ପାଇଁ ଅଶ୍ୱ ରଖିଲେ ।

5ଏଉତ୍ତାରେ ଦମ୍ମେଶକର ଅରାମୀୟମାନେ ସୋବାର ହଦଦେଷର ରାଜାର ସାହାଯ୍ୟ କରିବାକୁ ଆସନ୍ତେ, ଦାଉଦ ସେହି ଅରାମୀୟମାନଙ୍କର ବାଇଶ ହଜାର ଲୋକଙ୍କୁ ଆଘାତ କଲେ ।

6ତହୁଁ ଦାଉଦ ଦମ୍ମେଶକର ଅରାମ ଦେଶରେ ପ୍ରହରୀ-ଦଳ ସ୍ଥାପନ କଲେ; ପୁଣି ଅରାମୀୟ ଲୋକମାନେ ଦାଉଦଙ୍କର ଦାସ ହୋଇ କର ଆଣିଲେ । ଏହି ପ୍ରକାରେ ଦାଉଦ ଯେଉଁଆଡ଼େ ଗଲେ, ସଦାପ୍ରଭୁ ତାଙ୍କୁ ଜୟ ଦେଲେ ।

7ଆଉ, ଦାଉଦ ହଦଦେଷରର ଦାସମାନଙ୍କ ସୁବର୍ଣ୍ଣ ଢାଲସବୁ ନେଇ ଯିରୂଶାଲମକୁ ଆଣିଲେ ।

8ପୁଣି ଦାଉଦ ରାଜା ହଦଦେଷର-ଅଧିକାରସ୍ଥ ବେଟହ ଓ ବେରୋଥା ନଗରରୁ ବହୁ ପରିମାଣର ପିତ୍ତଳ ଆଣିଲେ ।

9ଅନନ୍ତର ଦାଉଦ ହଦଦେଷରର ସମସ୍ତ ସୈନ୍ୟଦଳକୁ ପରାସ୍ତ କରିଅଛନ୍ତି, ଏହା ହମାତର ରାଜା ତୟି ଶୁଣନ୍ତେ,

10ଦାଉଦ ରାଜାଙ୍କର ମଙ୍ଗଳ ବାର୍ତ୍ତା ପଚାରିବା ନିମନ୍ତେ ଓ ହଦଦେଷର ପ୍ରତିକୂଳରେ ଯୁଦ୍ଧ କରି ପରାସ୍ତ କରିବା ସକାଶୁ ତାଙ୍କୁ ଧନ୍ୟବାଦ ଦେବା ନିମନ୍ତେ ସେ ଆପଣା ପୁତ୍ର ଯୋରାମକୁ ତାଙ୍କ ନିକଟକୁ ପଠାଇଲା; ଯେହେତୁ ହଦଦେଷର ସଙ୍ଗେ ତୟିର ଯୁଦ୍ଧ ଥିଲା । ପୁଣି ଯୋରାମ୍‍ ଆପଣା ସଙ୍ଗେ ରୂପାପାତ୍ର ଓ ସୁନାପାତ୍ର ଓ ପିତ୍ତଳପାତ୍ର ନେଇ ଆସିଥିଲା ।

11ଦାଉଦ ରାଜା ଏହିସବୁ ସଦାପ୍ରଭୁଙ୍କ ଉଦ୍ଦେଶ୍ୟରେ ପବିତ୍ର କଲେ, ପୁଣି ଯେସମସ୍ତ ଗୋଷ୍ଠୀକି ବଶୀଭୂତ କରିଥିଲେ, ସେମାନଙ୍କଠାରୁ,

12ଅର୍ଥାତ୍‍, ଅରାମ ଓ ମୋୟାବ ଓ ଅମ୍ମୋନ ସନ୍ତାନଗଣ ଓ ପଲେଷ୍ଟୀୟ ଲୋକ ଓ ଅମାଲେକୀୟମାନଙ୍କଠାରୁ ପ୍ରାପ୍ତ ସୁନା ଓ ରୂପା , ପୁଣି ସୋବାର ରାଜା ରହୋବର ପୁତ୍ର ହଦଦେଷରଠାରୁ ପ୍ରାପ୍ତ ଲୁଟଦ୍ରବ୍ୟ ମଧ୍ୟ ପବିତ୍ର କରିଥିଲେ ।

13ଆହୁରି ଦାଉଦ ଲବଣ ଉପତ୍ୟକାରେ ଅରାମୀୟମାନଙ୍କର ଅଠର ହଜାର ଲୋକ ବଧ କରି ଫେରି ଆସି ବଡ଼ ନାମ ପାଇଲେ ।

14ପୁଣି ସେ ଇଦୋମ ଦେଶରେ ପ୍ରହରୀଦଳ ସ୍ଥାପନ କଲେ; ସେ ଇଦୋମର ସର୍ବତ୍ର ପ୍ରହରୀଦଳ ସ୍ଥାପନ କଲେ, ଆଉ ଇଦୋମୀୟ ଲୋକ ସମସ୍ତେ ଦାଉଦଙ୍କର ଦାସ ହେଲେ । ଆଉ ଦାଉଦ ଯେଉଁଆଡ଼େ ଗଲେ, ସଦାପ୍ରଭୁ ତାଙ୍କୁ ଜୟ ଦେଲେ ।

15ଏହିରୂପେ ଦାଉଦ ସମୁଦାୟ ଇସ୍ରାଏଲ ଉପରେ ରାଜତ୍ୱ କଲେ; ପୁଣି ଦାଉଦ ଆପଣାର ସମସ୍ତ ଲୋକ ପ୍ରତି ବିଚାର ଓ ନ୍ୟାୟ କଲେ ।

16ଆଉ ସରୁୟାର ପୁତ୍ର ଯୋୟାବ ସୈନ୍ୟ ଉପରେ ପ୍ରଧାନ ଥିଲା; ଅହୀଲୂଦର ପୁତ୍ର ଯିହୋଶାଫଟ୍‍ ଇତିହାସ ଲେଖକ ଥିଲା;

17ପୁଣି ଅହୀଟୂବର ପୁତ୍ର ସାଦୋକ୍‍ ଓ ଅବୀୟାଥରର ପୁତ୍ର ଅହୀମେଲକ୍‍ ଯାଜକ ଥିଲେ; ସରାୟ ଲେଖକ ଥିଲା;

18ଆଉ ଯିହୋୟାଦାର ପୁତ୍ର ବନାୟ କରେଥୀୟ ଓ ପଲେଥୀୟମାନଙ୍କ ଉପରେ ନିଯୁକ୍ତ ଥିଲା, ପୁଣି ଦାଉଦଙ୍କର ପୁତ୍ରମାନେ ଯାଜକ ବା ଉପଦେଷ୍ଟା ଥିଲେ ।


  Share Facebook  |  Share Twitter

 <<  2 Samuel 8 >> 


Bible2india.com
© 2010-2024
Help
Dual Panel

Laporan Masalah/Saran