Bible 2 India Mobile
[VER] : [ODIYA]     [PL]  [PB] 
 <<  2 Samuel 5 >> 

1ଅନନ୍ତର ଇସ୍ରାଏଲର ସମସ୍ତ ବଂଶ ହିବ୍ରୋଣକୁ ଦାଉଦଙ୍କ ନିକଟକୁ ଆସି କହିଲେ, "ଦେଖ, ଆମ୍ଭେମାନେ ତୁମ୍ଭର ଅସ୍ଥି ଓ ତୁମ୍ଭର ମାଂସ ।

2ଅତୀତରେ ଶାଉଲ ଆମ୍ଭମାନଙ୍କ ଉପରେ ରାଜା ଥିବା ବେଳେ ତୁମ୍ଭେ ଇସ୍ରାଏଲର ସେନାକୁ ନେତୃତ୍ୱ ଦେଉଥିଲ; ପୁଣି ସଦାପ୍ରଭୁ ତୁମ୍ଭକୁ କହିଅଛନ୍ତି, ତୁମ୍ଭେ ଆମ୍ଭ ଇସ୍ରାଏଲ ଲୋକଙ୍କୁ ପାଳନ କରିବ ଓ ତୁମ୍ଭେ ଇସ୍ରାଏଲର ଅଗ୍ରଣୀ ହେବ ।"

3ଏହିରୂପେ ଇସ୍ରାଏଲର ସମସ୍ତ ପ୍ରାଚୀନ ହିବ୍ରୋଣକୁ ରାଜାଙ୍କ ନିକଟକୁ ଆସିଲେ; ତହିଁରେ ଦାଉଦ ରାଜା ହିବ୍ରୋଣରେ ସଦାପ୍ରଭୁଙ୍କ ସମ୍ମୁଖରେ ସେମାନଙ୍କ ସଙ୍ଗରେ ନିୟମ କଲେ ଓ ସେମାନେ ଇସ୍ରାଏଲ ଉପରେ ଦାଉଦଙ୍କୁ ରାଜାଭିଷିକ୍ତ କଲେ ।

4ଦାଉଦ ତିରିଶ ବର୍ଷ ବୟସରେ ରାଜତ୍ୱ କରିବାକୁ ଆରମ୍ଭ କଲେ ଓ ସେ ଚାଳିଶ ବର୍ଷ ରାଜତ୍ୱ କଲେ ।

5ସେ ହିବ୍ରୋଣରେ ଯିହୁଦା ଉପରେ ସାତ ବର୍ଷ ଛଅ ମାସ ରାଜତ୍ୱ କଲେ; ପୁଣି ସେ ଯିରୂଶାଲମରେ ସମସ୍ତ ଇସ୍ରାଏଲ ଓ ଯିହୁଦା ଉପରେ ତେତିଶ ବର୍ଷ ରାଜତ୍ୱ କଲେ ।

6ଏଉତ୍ତାରେ ରାଜା ଓ ତାଙ୍କର ଲୋକମାନେ ଦେଶବାସୀ ଯିବୂଷୀୟମାନଙ୍କ ବିରୁଦ୍ଧରେ ଯିରୂଶାଲମକୁ ଯାତ୍ରା କଲେ, ତହିଁରେ ଦାଉଦ ଏସ୍ଥାନକୁ ଆସି ପାରିବେ ନାହିଁ ବୋଲି ମନେ କରି ସେମାନେ ଦାଉଦଙ୍କୁ କହିଲେ, "ତୁମ୍ଭେ ଅନ୍ଧ ଓ ଛୋଟାମାନଙ୍କୁ ଦୂର ନ କଲେ, ଏସ୍ଥାନକୁ ଆସି ପାରିବ ନାହିଁ ।"

7ତଥାପି ଦାଉଦ ସିୟୋନର ଦୃଢ଼ ଗଡ଼କୁ ଅଧିକାର କଲେ; ଯାହା ଦାଉଦ-ନଗର ହେଲା ।

8ପୁଣି ଦାଉଦ ସେହି ଦିନ କହିଲେ, "ଯେ କେହି ଯିବୂଷୀୟମାନଙ୍କୁ ବଧ କରେ, ସେ ଜଳପ୍ରଣାଳୀକି ଯାଇ ଦାଉଦ-ପ୍ରାଣର ଘୃଣିତ ସେହି ଛୋଟା ଓ ଅନ୍ଧମାନଙ୍କୁ ବଧ କରୁ । ଏହେତୁ ଲୋକେ କହନ୍ତି, ଅନ୍ଧ ଓ ଛୋଟାମାନେ ସେଠାରେ ଅଛନ୍ତି; ସେ ଘର ଭିତରକୁ ଆସି ପାରିବ ନାହିଁ ।"

9ଅନନ୍ତର ଦାଉଦ ସେହି ଦୃଢ଼ ଗଡ଼ରେ ବାସ କରି ତାହାର ନାମ ଦାଉଦ-ନଗର ରଖିଲେ । ଆଉ ଦାଉଦ ମିଲ୍ଲୋଠାରୁ ଭିତର ଆଡ଼େ ଚତୁର୍ଦ୍ଦିଗରେ ଗଡ଼ ନିର୍ମାଣ କଲେ ।

10ଆଉ ସଦାପ୍ରଭୁ ସୈନ୍ୟାଧିପତି ପରମେଶ୍ୱର ଦାଉଦଙ୍କର ସହାୟ ହେବାରୁ ସେ ଅଧିକରୁ ଅଧିକ ମହାନ ହେଲେ ।

11ଅନନ୍ତର ସୋରର ରାଜା ହୀରମ୍‍ ଦାଉଦଙ୍କ ନିକଟକୁ ଦୂତଗଣ ଓ ଏରସ କାଠ ଓ ବଢ଼େଇ ଓ ରାଜମିସ୍ତ୍ରୀମାନଙ୍କୁ ପଠାଇଲା; ତହିଁରେ ସେମାନେ ଦାଉଦଙ୍କ ନିମନ୍ତେ ଗୃହ ନିର୍ମାଣ କଲେ ।

12ତହିଁରେ ସଦାପ୍ରଭୁ ଦାଉଦଙ୍କୁ ଇସ୍ରାଏଲର ରାଜପଦରେ ସ୍ଥିର କଲେ ଓ ଆପଣା ଇସ୍ରାଏଲ ଲୋକଙ୍କ ସକାଶୁ ତାଙ୍କ ରାଜ୍ୟ ଉନ୍ନତ କଲେ, ଏହା ସେ ବୁଝିଲେ ।

13ଅନନ୍ତର ଦାଉଦ ହିବ୍ରୋଣରୁ ଆସିଲା ଉତ୍ତାରେ ଯିରୂଶାଲମରେ ଆଉ ଅନେକ ଉପପତ୍ନୀ ଓ ଭାର୍ଯ୍ୟା ଗ୍ରହଣ କଲେ; ତହିଁରେ ଦାଉଦଙ୍କର ଆହୁରି ପୁତ୍ର କନ୍ୟା ଜାତ ହେଲେ ।

14ଯିରୂଶାଲମରେ ତାଙ୍କର ଔରସରେ ଯେଉଁମାନେ ଜନ୍ମିଲେ, ସେମାନଙ୍କର ନାମ ଏହି: ଯଥା :- ସମ୍ମୂୟ ଓ ଶୋବବ୍‍ ଓ ନାଥନ୍‍ ଓ ଶଲୋମନ୍‍

15ଓ ୟିଭର ଓ ଇଲୀଶୂୟ ଓ ନେଫଗ୍‍ ଓ ଯାଫୀୟ

16ଓ ଇଲୀଶାମା ଓ ଇଲୀୟାଦା ଓ ଇଲୀଫେଲଟ ।

17ଏଉତ୍ତାରେ ଲୋକମାନେ ଦାଉଦଙ୍କୁ ଇସ୍ରାଏଲ ଉପରେ ରାଜାଭିଷିକ୍ତ କରିଅଛନ୍ତି, ଏହା ପଲେଷ୍ଟୀୟମାନେ ଶୁଣି ସମସ୍ତ ପଲେଷ୍ଟୀୟ ଲୋକ ଦାଉଦଙ୍କୁ ଅନ୍ୱେଷଣ କରିବାକୁ ଆସିଲେ; ତହୁଁ ଦାଉଦ ତାହା ଶୁଣି ଗଡ଼କୁ ଚାଲିଗଲେ ।

18ଏହି ସମୟରେ ପଲେଷ୍ଟୀୟମାନେ ଆସି ରଫାୟିମ ତଳଭୂମିରେ ବିସ୍ତାର ହୋଇଥିଲେ

19ଏଥିରେ ଦାଉଦ ସଦାପ୍ରଭୁଙ୍କ ଠାରୁ ସାହାଯ୍ୟ ମାଗି କହିଲେ, "ମୁଁ କି ପଲେଷ୍ଟୀୟମାନଙ୍କ ବିରୁଦ୍ଧରେ ଉଠି ଯିବି ? ତୁମ୍ଭେ କି ସେମାନଙ୍କୁ ମୋ' ହସ୍ତରେ ସମର୍ପଣ କରିବ ? ତହିଁରେ ସଦାପ୍ରଭୁ ଦାଉଦଙ୍କୁ କହିଲେ, 'ଉଠି ଯାଅ', କାରଣ ଆମ୍ଭେ ନିଶ୍ଚୟ ପଲେଷ୍ଟୀୟମାନଙ୍କୁ ତୁମ୍ଭ ହସ୍ତରେ ସମର୍ପଣ କରିବା ।"

20ତହୁଁ ଦାଉଦ ବାଲ୍‍-ପରାସୀମକୁ ଆସିଲେ ଓ ଦାଉଦ ସେଠାରେ ସେମାନଙ୍କୁ ଆଘାତ କଲେ; ପୁଣି ସେ କହିଲେ, "ସଦାପ୍ରଭୁ ମୋ' ସମ୍ମୁଖରେ ମୋ' ଶତ୍ରୁମାନଙ୍କୁ ଜଳ ଦ୍ୱାରା ସେତୁଭଙ୍ଗ ତୁଲ୍ୟ ଭଗ୍ନ କରିଅଛନ୍ତି ।" ଏହେତୁ ସେ ସେହି ସ୍ଥାନର ନାମ ବାଲ୍‍-ପରାସୀମ (ଭଗ୍ନ-ସ୍ଥାନ) ରଖିଲେ ।

21ସେହି ସ୍ଥାନରେ ସେମାନେ ଆପଣା ପ୍ରତିମାଗଣକୁ ପରିତ୍ୟାଗ କରିଥିଲେ, ତହିଁରେ ଦାଉଦ ଓ ତାଙ୍କର ଲୋକମାନେ ସେସବୁ ଦଗ୍‍ଧ କଲେ ।

22ଏଥିଉତ୍ତାରେ ପଲେଷ୍ଟୀୟମାନେ ପୁନର୍ବାର ଆସି ରଫାୟିମ ତଳଭୂମିରେ ବିସ୍ତାର(ବିଶ୍ରାମ ନେଲେ) ହେଲେ ।

23ତହିଁରେ ଦାଉଦ ସଦାପ୍ରଭୁଙ୍କୁ ସାହାଯ୍ୟ ମାଗନ୍ତେ, ସେ କହିଲେ, "ତୁମ୍ଭେ ଉଠି ନ ଯାଅ; ସେମାନଙ୍କ ପଶ୍ଚାତ୍‍ ଘୁରି ଆସି ତୂତ ବୃକ୍ଷ ତୋଟା ସମ୍ମୁଖରେ ସେମାନଙ୍କୁ ଆକ୍ରମଣ କର ।

24ପୁଣି ତୁମ୍ଭେ ସେହି ତୂତ ବୃକ୍ଷ ତୋଟା ଉପରେ ସୈନ୍ୟଗମନର ଶବ୍ଦ ଶୁଣିଲେ ଆକ୍ରମଣ କରିବ; କାରଣ ସେତେବେଳେ ସଦାପ୍ରଭୁ ପଲେଷ୍ଟୀୟମାନଙ୍କ ସୈନ୍ୟଦଳକୁ ଆଘାତ କରିବା ପାଇଁ ତୁମ୍ଭ ସମ୍ମୁଖରେ ଅଗ୍ରସର ହେବେ ।"

25ତହିଁରେ ସଦାପ୍ରଭୁ ଯେପରି ଆଜ୍ଞା ଦେଲେ, ଦାଉଦ ସେପରି କଲେ ଓ ଗେବାଠାରୁ ଗେଷର ନିକଟ ପର୍ଯ୍ୟନ୍ତ ପଲେଷ୍ଟୀୟମାନଙ୍କୁ ଆଘାତ କଲେ ।


  Share Facebook  |  Share Twitter

 <<  2 Samuel 5 >> 


Bible2india.com
© 2010-2024
Help
Dual Panel

Laporan Masalah/Saran