Bible 2 India Mobile
[VER] : [ODIYA]     [PL]  [PB] 
 <<  2 Samuel 3 >> 

1ଅନନ୍ତର ଶାଉଲ ବଂଶ ଓ ଦାଉଦ ବଂଶ ମଧ୍ୟରେ ଦୀର୍ଘ କାଳ ଯୁଦ୍ଧ ହେଲା; ପୁଣି ଦାଉଦ ଧିରେଧିରେ ବଳବାନ ହେଲେ, ମାତ୍ର ଶାଉଲ ବଂଶ ଧିରେ ଧିରେ କ୍ଷୀଣ ହେଲେ ।

2ପୁଣି ହିବ୍ରୋଣରେ ଦାଉଦଙ୍କର କେତେକ ପୁତ୍ର ଜାତ ହେଲେ; ତାଙ୍କର ପ୍ରଥମଜାତ ଅମ୍ନୋନ, ସେ ଯିଷ୍ରିୟେଲୀୟା ଅହୀନୋୟମଠାରୁ ଜାତ;

3ପୁଣି ଦ୍ୱିତୀୟ ପୁତ୍ର କିଲାବ୍‍, ସେ କର୍ମିଲୀୟ ନାବଲର ଭାର୍ଯ୍ୟା ଅବୀଗଲଠାରୁ ଜାତ, ପୁଣି ତୃତୀୟ ଅବଶାଲୋମ୍‍, ସେ ଗଶୂରର ରାଜା ତଲ୍ମୟର କନ୍ୟା ମାଖାର ପୁତ୍ର ।

4ପୁଣି ଚତୁର୍ଥ ଅଦୋନୀୟ, ସେ ହଗୀତର ପୁତ୍ର; ପୁଣି ପଞ୍ଚମ ଶଫଟୀୟ, ସେ ଅବିଟଲର ପୁତ୍ର ।

5ଷଷ୍ଠ ଯିତ୍ରିୟମ, ସେ ଦାଉଦଙ୍କର ଭାର୍ଯ୍ୟା ଇଗ୍ଲାର ପୁତ୍ର; ହିବ୍ରୋଣରେ ଦାଉଦଙ୍କର ଏହିସବୁ ପୁତ୍ର ଜାତ ହେଲେ ।

6ଶାଉଲ ବଂଶ ଓ ଦାଉଦ ବଂଶ ମଧ୍ୟରେ ଯୁଦ୍ଧ ଲାଗିଥିବା ବେଳେ ଅବ୍‍ନର ଶାଉଲ ବଂଶ ମଧ୍ୟରେ ଆପଣାକୁ ବଳବାନ କଲା ।

7ମାତ୍ର ଶାଉଲଙ୍କର ଏକ ଉପପତ୍ନୀ ଥିଲା, ତାହାର ନାମ ରିସ୍‍ପା, ସେ ଅୟାର କନ୍ୟା; ପୁଣି (ଈଶ୍‍ବୋଶତ) ଅବ୍‍ନରକୁ କହିଲା, "ତୁମ୍ଭେ କାହିଁକି ମୋହର ପିତାଙ୍କ ଉପପତ୍ନୀ ସହିତ ସହବାସ କଲ ?"

8ତେବେ ଅବ୍‍ନର ଈଶ୍‍ବୋଶତର କଥା ସକାଶୁ ଅତି କ୍ରୋଧ କରି କହିଲା, "ମୁଁ କି ଯିହୁଦାର କୁକୁର ମୁଣ୍ଡ ? ମୁଁ ଆଜି ତୁମ୍ଭ ପିତା ଶାଉଲ ବଂଶକୁ ଓ ତାଙ୍କର ଭାଇ ଓ ବନ୍ଧୁମାନଙ୍କୁ ଦୟା କରୁଅଛି, ମଧ୍ୟ ତୁମ୍ଭକୁ ଦାଉଦ ହସ୍ତରେ ସମର୍ପଣ କରି ନାହିଁ, ତଥାପି ତୁମ୍ଭେ ଆଜି ଏହି ସ୍ତ୍ରୀ ବିଷୟରେ ମୋ' ଉପରେ ଆରୋପ କରୁଅଛ ?

9ସଦାପ୍ରଭୁ ଦାଉଦଙ୍କ ବିଷୟରେ ଯେଉଁ ଶପଥ କରିଅଛନ୍ତି, ତଦନୁସାରେ ଯେବେ ମୁଁ ତାଙ୍କ ପ୍ରତି ନ କରେ, ତେବେ ପରମେଶ୍ୱର ଅବ୍‍ନରକୁ ସେହି ଦଣ୍ଡ ଓ ତହିଁରୁ ଅଧିକ ଦେଉନ୍ତୁ,

10ଶାଉଲ ବଂଶରୁ ରାଜ୍ୟ ଅନ୍ତର କରିବାକୁ ଓ ଦାନ୍‍ଠାରୁ ବେର୍‍ଶେବା ପର୍ଯ୍ୟନ୍ତ ଇସ୍ରାଏଲ ଓ ଯିହୁଦା ଉପରେ ଦାଉଦଙ୍କର ସିଂହାସନ ସ୍ଥାପନ କରିବାକୁ ।"

11ତହିଁରେ ସେ ଅବ୍‍ନରକୁ ଗୋଟିଏ କଥା ଉତ୍ତର ଦେଇ ପାରିଲା ନାହିଁ, କାରଣ ସେ ତାହାକୁ ଭୟ କଲା ।

12ଏଉତ୍ତାରେ ଅବ୍‍ନର ଆପଣା ପକ୍ଷରୁ ଦାଉଦଙ୍କ ନିକଟକୁ ବାର୍ତ୍ତାବହ ପଠାଇ କହିଲା, "ଏ ଦେଶ କାହାର ? ଆହୁରି କହିଲା, 'ଆପଣ ମୋ' ସଙ୍ଗରେ ନିୟମ କରନ୍ତୁ, ତହିଁରେ ଦେଖନ୍ତୁ, ସମସ୍ତ ଇସ୍ରାଏଲକୁ ଆପଣଙ୍କ ନିକଟକୁ ଆଣିବା ପାଇଁ ମୋ' ହସ୍ତ ଆପଣଙ୍କର ସହାୟ ହେବ ।'"

13ଏଥିରେ ଦାଉଦ କହିଲେ, "ଭଲ; ମୁଁ ତୁମ୍ଭ ସଙ୍ଗରେ ନିୟମ କରିବି; ମାତ୍ର ମୁଁ ତୁମ୍ଭଠାରୁ ଗୋଟିଏ କଥା ଚାହେଁ, ତାହା ଏହି, ତୁମ୍ଭେ ମୋ' ମୁଖ ଦେଖିବାକୁ ଆସିବା ବେଳେ ପ୍ରଥମେ ଶାଉଲଙ୍କର କନ୍ୟା ମୀଖଲକୁ ନ ଆଣିଲେ ମୋ' ମୁଖ ଦେଖି ପାରିବ ନାହିଁ ।"

14ତହୁଁ ଦାଉଦ ଶାଉଲଙ୍କର ପୁତ୍ର ଈଶ୍‍ବୋଶତ ନିକଟକୁ ବାର୍ତ୍ତାବହ ମାନଙ୍କୁ ପଠାଇ କହିଲେ, "ମୁଁ ପଲେଷ୍ଟୀୟ-ମାନଙ୍କର ଏକ ଶହ ସୁନ୍ନତ ଚର୍ମ ଦେଇ ଯାହାକୁ ବିବାହ କରିଅଛି, ମୋହର ଭାର୍ଯ୍ୟା ସେହି ମୀଖଲକୁ ମୋତେ ଦିଅ ।"

15ତହଁରେ ଈଶ୍‍ବୋଶତ ଲୋକ ପଠାଇ ଲୟିଶର ପୁତ୍ର ପଲ୍‍ଟୀୟେଲ ନାମକ ତାହାର ସ୍ୱାମୀ ନିକଟରୁ ମୀଖଲକୁ ନେଲା ।

16ଏଣୁ ତାହାର ସ୍ୱାମୀ ରୋଦନ କରି କରି ତାହା ସଙ୍ଗେ ଆସି ବହୁରୀମ ପର୍ଯ୍ୟନ୍ତ ତାହା ପଛେ ପଛେ ଗଲା । ଏଥିରେ ଅବ୍‍ନର ତାହାକୁ କହିଲା, "ଯାଅ ଗୃହକୁ ଫେରିଯାଅ", ତହୁଁ ସେ ଫେରିଗଲା ।

17ଅନନ୍ତର ଅବ୍‍ନର ଇସ୍ରାଏଲର ପ୍ରାଚୀନବର୍ଗ ସହିତ ଏରୂପ କଥାବାର୍ତ୍ତା କଲା, "ପୂର୍ବରେ ତୁମ୍ଭେମାନେ ଆପଣାମାନଙ୍କ ଉପରେ ରାଜା ହେବା ପାଇଁ ଦାଉଦଙ୍କୁ ଚାହିଁଥିଲ;

18ଏବେ ତାହା କର; କାରଣ ସଦାପ୍ରଭୁ ଦାଉଦଙ୍କ ବିଷୟରେ କହିଅଛନ୍ତି, ଆମ୍ଭେ ଆପଣା ଦାସ ଦାଉଦର ହସ୍ତ ଦ୍ୱାରା ଆପଣା ଲୋକମାନଙ୍କୁ ପଲେଷ୍ଟୀୟମାନଙ୍କ ହସ୍ତରୁ ଓ ସେମାନଙ୍କ ସମସ୍ତ ଶତ୍ରୁ ହସ୍ତରୁ ଉଦ୍ଧାର କରିବା ।"

19ଆଉ ଅବ୍‍ନର ବିନ୍ୟାମୀନର କର୍ଣ୍ଣଗୋଚରରେ ମଧ୍ୟ ସେହି କଥା କହିଲା; ପୁଣି ଇସ୍ରାଏଲ ଓ ବିନ୍ୟାମୀନର ସମସ୍ତ ବଂଶ ଦୃଷ୍ଟିରେ ଯାହା ଭଲ ଦେଖାଗଲା, ଅବ୍‍ନର ସେସମସ୍ତ କଥା ଦାଉଦଙ୍କର କର୍ଣ୍ଣଗୋଚରରେ ମଧ୍ୟ କହିବା ପାଇଁ ହିବ୍ରୋଣକୁ ଯାତ୍ରା କଲା ।

20ଏରୂପେ ଅବ୍‍ନର ଆପଣା ସଙ୍ଗରେ କୋଡ଼ିଏ ଜଣକୁ ନେଇ ହିବ୍ରୋଣରେ ଦାଉଦଙ୍କ ନିକଟରେ ଉପସ୍ଥିତ ହେଲା । ତହିଁରେ ଦାଉଦ ଅବ୍‍ନର ଓ ତାହାର ସଙ୍ଗୀ ଲୋକମାନଙ୍କ ପାଇଁ ଭୋଜ ପ୍ରସ୍ତୁତ କଲେ ।

21ଏଉତ୍ତାରେ ଅବ୍‍ନର ଦାଉଦଙ୍କୁ କହିଲା, "ମୁଁ ଉଠିଯାଇ ସମସ୍ତ ଇସ୍ରାଏଲକୁ ମୋହର ପ୍ରଭୁ ମହାରାଜଙ୍କ ନିକଟରେ ସଂଗ୍ରହ କରିବି; ତହିଁରେ ସେମାନେ ଆପଣଙ୍କ ସହିତ ନିୟମ କରିବେ ଓ ଆପଣ ସମସ୍ତଙ୍କ ଉପରେ ନିଜ ପ୍ରାଣର ଇଚ୍ଛାମତେ ରାଜତ୍ୱ କରିବେ ।" ତହୁଁ ଦାଉଦ ଅବ୍‍ନରକୁ ବିଦାୟ କରନ୍ତେ, ସେ କୁଶଳରେ ପ୍ରସ୍ଥାନ କଲା ।

22ଏଉତ୍ତାରେ, ଦାଉଦଙ୍କର ସୈନ୍ୟଦଳ ଓ ଯୋୟାବ ପ୍ରଚୁର ଲୁଟଦ୍ରବ୍ୟ ସଙ୍ଗରେ ନେଇ ଆସିଲେ; ମାତ୍ର ଅବ୍‍ନର ହିବ୍ରୋଣରେ ଦାଉଦଙ୍କ ସଙ୍ଗରେ ନ ଥିଲା, କାରଣ ଦାଉଦ ତାହାକୁ ବିଦାୟ କରିବାରୁ ସେ କୁଶଳରେ ଯାଇଥିଲା ।

23ଯୋୟାବ ଓ ତାହାର ସଙ୍ଗୀ ସୈନ୍ୟଦଳ ଉପସ୍ଥିତ ହୁଅନ୍ତେ, ଲୋକମାନେ ଯୋୟାବକୁ କହିଲେ, "ନରର ପୁତ୍ର ଅବ୍‍ନର ରାଜାଙ୍କ ନିକଟକୁ ଆସିଥିଲା ଓ ସେ ତାହାକୁ ବିଦାୟ କରିବାରୁ ସେ କୁଶଳରେ ଯାଇଅଛି" ।

24ଏଥିରେ ଯୋୟାବ ରାଜାଙ୍କ ନିକଟକୁ ଆସି କହିଲା, "ଆପଣ କଅଣ କଲେ ? ଦେଖନ୍ତୁ, ଅବ୍‍ନର ଆପଣଙ୍କ ନିକଟକୁ ଆସିଥିଲା, ଆପଣ କାହିଁକି ତାହାକୁ ବିଦାୟ କରି ଦେଲେ, ସେ ତ ଗଲାଣି ?

25ଆପଣ କ'ଣ ଜାଣନ୍ତି ନାହିଁ, ନରର ପୁତ୍ର ଅବ୍‍ନର ଆପଣଙ୍କୁ ଭୁଲାଇବାକୁ ଓ ଆପଣଙ୍କ ଗମନାଗମନ ଜାଣିବାକୁ ଓ ଆପଣ ଯାହା ଯାହା କରନ୍ତି, ସେସବୁ ଜାଣିବାକୁ ଆସିଥିଲା ?"

26ଏଉତ୍ତାରେ ଯୋୟାବ ଦାଉଦଙ୍କ ନିକଟରୁ ବାହାରି ଆସି ଅବ୍‍ନରର ପଛରେ ବାର୍ତ୍ତାବହ ପଠାନ୍ତେ, ସେମାନେ ସିରାକୂପ ନିକଟରୁ ତାହାକୁ ଫେରାଇ ଆଣିଲେ; ମାତ୍ର ଦାଉଦ ଏହା ଜାଣିଲେ ନାହିଁ ।

27ପୁଣି ଅବ୍‍ନର ହିବ୍ରୋଣକୁ ଫେରି ଆସନ୍ତେ, ଯୋୟାବ ତାହା ସଙ୍ଗରେ ନିରୋଳାରେ ଆଳାପ କରିବା ପାଇଁ ତାହାକୁ ନଗର-ଦ୍ୱାର ଭିତରକୁ ନେଇଗଲା, ମାତ୍ର ଆପଣା ଭାଇ ଅସାହେଲର ରକ୍ତପାତ ହେତୁରୁ ତାହାର ପେଟରେ ଆଘାତ କରନ୍ତେ, ସେ ମଲା ।

28ଏଥିଉତ୍ତାରେ ଦାଉଦ ତାହା ଶୁଣି କହିଲେ, "ନରର ପୁତ୍ର ଅବ୍‍ନରର ରକ୍ତପାତ ବିଷୟରେ ମୁଁ ଓ ମୋହର ରାଜ୍ୟ ସଦାପ୍ରଭୁଙ୍କ ସାକ୍ଷାତରେ ଅନନ୍ତ କାଳ ନିର୍ଦ୍ଦୋଷ;

29ତାହା ଯୋୟାବର ମସ୍ତକରେ ଓ ତାହାର ପିତୃବଂଶ ସମସ୍ତଙ୍କ ଉପରେ ବର୍ତ୍ତୁ ଓ ଯୋୟାବ-ବଂଶରେ ପ୍ରମେହୀ କି କୁଷ୍ଠୀ କି ଯଷ୍ଟିରେ ନିର୍ଭରଶୀଳ କି ଖଡ଼୍‍ଗହତ କି ଭକ୍ଷ୍ୟହୀନ ଲୋକର ଅଭାବ ନ ହେଉ ।"

30ଏହିରୂପେ ଯୋୟାବ ଓ ତାହାର ଭାଇ ଅବୀଶୟ, ଅବ୍‍ନରକୁ ବଧ କଲେ; ଯେହେତୁ ସେ ଗିବୀୟା-ଯୁଦ୍ଧରେ ସେମାନଙ୍କ ଭାଇ ଅସାହେଲକୁ ମାରିଥିଲା ।

31ଅନନ୍ତର ଦାଉଦ ଯୋୟାବକୁ ଓ ତାହାର ସଙ୍ଗୀ ଲୋକ ସମସ୍ତଙ୍କୁ କହିଲେ, "ତୁମ୍ଭେମାନେ ଆପଣା ଆପଣା ବସ୍ତ୍ର ଚିରି ଅଖା ପିନ୍ଧ ଓ ଅବ୍‍ନରର ଆଗେ ଆଗେ ଶୋକ କରି ଚାଲ ।" ପୁଣି ଦାଉଦ ରାଜା ଶବଶଯ୍ୟାର ପଛେ ପଛେ ଚାଲିଲେ ।

32ଆଉ ସେମାନେ ହିବ୍ରୋଣରେ ଅବ୍‍ନରକୁ କବର ଦେଲେ ଓ ରାଜା ରବ ଉଠାଇ ଅବ୍‍ନର-କବର ନିକଟରେ ରୋଦନ କଲେ ଓ ସମସ୍ତ ଲୋକ ମଧ୍ୟ ରୋଦନ କଲେ ।

33ପୁଣି ରାଜା ଅବ୍‍ନର ପାଇଁ ବିଳାପ କରି କହିଲେ," ଯେପରି ମୂଢ଼ ମରେ, ସେପରି କି ଅବ୍‍ନରକୁ ମରିବାକୁ ହେଲା ?

34ତୁମ୍ଭ ହାତ ବନ୍ଧା ନ ଥିଲା, କି ବେଡ଼ିରେ ତୁମ୍ଭ ପାଦ ବନ୍ଧା ନ ଥିଲା; ଯେପରି ମନୁଷ୍ୟ ଅଧର୍ମୀ-ସନ୍ତାନମାନଙ୍କ ଆଗରେ ପଡ଼େ, ସେପରି ତୁମ୍ଭେ ପଡ଼ିଲ ।" ଏଥିରେ ସମସ୍ତ ଲୋକ ପୁନର୍ବାର ତାହା ପାଇଁ ରୋଦନ କଲେ ।

35ଏଉତ୍ତାରେ ଦିନ ଥାଉ ଥାଉ ଦାଉଦଙ୍କୁ ଭୋଜନ କରାଇବା ନିମନ୍ତେ ସମସ୍ତ ଲୋକ ଆସିଲେ; ମାତ୍ର ଦାଉଦ ଶପଥ କରି କହିଲେ, "ସୂର୍ଯ୍ୟାସ୍ତ ପର୍ଯ୍ୟନ୍ତ ଯେବେ ମୁଁ ରୋଟୀ କି ଆଉ କିଛି ସ୍ପର୍ଶ କରେ, ତେବେ ପରମେଶ୍ୱର ମୋତେ ସେହି ଦଣ୍ଡ ଓ ତହିଁରୁ ଅଧିକ ଦେଉନ୍ତୁ ।"

36ତହିଁରେ ସମସ୍ତ ଲୋକ ବୁଝିଲେ ଓ ତାହା ସେମାନଙ୍କ ଦୃଷ୍ଟିରେ ଭଲ ଦେଖାଗଲା; ରାଜା ମଧ୍ୟ ଯାହା ଯାହା କଲେ, ତାହାସବୁ ସମସ୍ତ ଲୋକଙ୍କ ଦୃଷ୍ଟିରେ ଭଲ ଥିଲା ।

37ଏହିରୂପେ ନରର ପୁତ୍ର ଅବ୍‍ନରକୁ ବଧ କରାଇବା ଯେ ରାଜାଙ୍କ ଆଡ଼ୁ ହୋଇ ନାହିଁ, ଏହା ସମସ୍ତ ଲୋକ ଓ ସମୁଦାୟ ଇସ୍ରାଏଲ ସେହି ଦିନ ଜାଣିଲେ ।

38ଆହୁରି ରାଜା ଆପଣା ଦାସମାନଙ୍କୁ କହିଲେ, "ଆଜି ଇସ୍ରାଏଲ ମଧ୍ୟରେ ଜଣେ ଅଧିପତି ଓ ମହାନ ପୁରୁଷ ଯେ ପତିତ ହେଲା, ଏହା କି ତୁମ୍ଭେମାନେ ଜାଣ ନାହିଁ ?

39ଏଣୁ ମୁଁ ରାଜାଭିଷିକ୍ତ ହେଲେ ହେଁ ଆଜି ଦୁର୍ବଳ ହେଲି; ଏହି ପୁରୁଷମାନେ, ଅର୍ଥାତ୍‍, ସରୁୟାର ପୁତ୍ରମାନେ ଆମ୍ଭ ପ୍ରତି ନିଷ୍ଠୁର; ସଦାପ୍ରଭୁ ଏହି କୁକ୍ରିୟାକାରୀକୁ ତାହାର କୁକର୍ମ ଅନୁସାରେ ପ୍ରତିଫଳ ଦେଉନ୍ତୁ ।"


  Share Facebook  |  Share Twitter

 <<  2 Samuel 3 >> 


Bible2india.com
© 2010-2024
Help
Dual Panel

Laporan Masalah/Saran