1ସେସମୟରେ ବିନ୍ୟାମୀନୀୟ ବିଖ୍ରିିର ପୁତ୍ର ଶେବଃ ନାମରେ ଜଣେ ଅସୁବିଧା ସୃଷ୍ଟିକାରୀ ଲୋକ ସେଠାରେ ଥିଲା; ପୁଣି ସେ ତୂରୀ ବଜାଇ କହିଲା, "ଦାଉଦଠାରେ ଆମ୍ଭମାନଙ୍କର କୌଣସି ଅଂଶ ନାହିଁ, କିଅବା ଯିଶୀର ପୁତ୍ରଠାରେ ଆମ୍ଭମାନଙ୍କର ଅଧିକାର ନାହିଁ; ହେ ଇସ୍ରାଏଲ, ପ୍ରତ୍ୟେକେ ଆପଣା ଆପଣା ତମ୍ବୁକୁ ଚାଲ ।"
2ତହିଁରେ ସମଗ୍ର ଇସ୍ରାଏଲ-ଲୋକ ଦାଉଦଙ୍କର ପଶ୍ଚାତ୍ଗମନରୁ ଫେରି ବିଖ୍ରିିର ପୁତ୍ର ଶେବଃର ପଶ୍ଚାତ୍ଗମନ କଲେ; ମାତ୍ର ଯର୍ଦ୍ଦନଠାରୁ ଯିରୂଶାଲମ ପର୍ଯ୍ୟନ୍ତ ଯିହୁଦା-ଲୋକମାନେ ଆପଣା ରାଜାଙ୍କଠାରେ ଆସକ୍ତ ରହିଲେ ।
3ଏଉତ୍ତାରେ ଦାଉଦ ଯିରୂଶାଲମର ଆପଣା ପ୍ରସାଦକୁ ଆସିଲେ; ପୁଣି ରାଜା ଆପଣାର ଯେଉଁ ଦଶ ଉପପତ୍ନୀଙ୍କୁ ପ୍ରସାଦ ଜଗିବାକୁ ଛାଡ଼ି ଯାଇଥିଲେ, ସେମାନଙ୍କୁ ପ୍ରହରୀ-ଗୃହରେ ରଖି ଖାଦ୍ୟ ଯୋଗାଇଲେ, ମାତ୍ର ସେମାନଙ୍କ ସହିତ ସହବାସ କଲେ ନାହିଁ । ଏଣୁ ସେମାନେ ମରଣ ଦିନ ପର୍ଯ୍ୟନ୍ତ ରୁଦ୍ଧ ହୋଇ ବିଧବା ପରି ରହିଲେ ।
4ଏଉତ୍ତାରେ ରାଜା ଅମାସାଙ୍କୁ କହିଲେ, "ତିନି ଦିନ ମଧ୍ୟରେ ଯିହୁଦାର ଲୋକମାନଙ୍କୁ ଡକାଇ ମୋ' ଠାରେ ଏକତ୍ର କର ଓ ତୁମ୍ଭେ ମଧ୍ୟ ଉପସ୍ଥିତ ହୁଅ ।"
5ତହିଁରେ ଅମାସା ଯିହୁଦାର ଲୋକମାନଙ୍କୁ ଡାକି ଏକତ୍ର କରିବାକୁ ଗଲା; ମାତ୍ର ସେ ରାଜାଙ୍କ ଦତ୍ତ ନିରୂପିତ ସମୟରୁ ଅଧିକ ବିଳମ୍ବ କଲା ।
6ତହିଁରେ ଦାଉଦ ଅବୀଶୟକୁ କହିଲେ, "ଏବେ ଅବଶାଲୋମ ଅପେକ୍ଷା ବିଖ୍ରିିର ପୁତ୍ର ଶେବଃ ଆମ୍ଭମାନଙ୍କର ଅଧିକ ଅନିଷ୍ଟ କରିବ; ତୁମ୍ଭେ ଆପଣା ପ୍ରଭୁଙ୍କ ଦାସମାନଙ୍କୁ ଓ ସୈନ୍ୟମାନଙ୍କୁ ନେଇ ତାହାର ପଛେ ପଛେ ଗୋଡ଼ାଅ, ନୋହିଲେ ସେ ପ୍ରାଚୀରବେଷ୍ଟିତ କୌଣସି କୌଣସି ନଗରକୁ ଯାଇ ଆମ୍ଭମାନଙ୍କ ଦୃଷ୍ଟିରୁ ପଳାଇବ ।"
7ଏଣୁ ଯୋୟାବର ଲୋକ ଓ କରେଥୀୟ ଓ ପଲେଥୀୟ ଲୋକ ଓ ସମସ୍ତ ବୀର ଲୋକମାନେ ତାହା ପଛରେ ବାହାରିଲେ, ଆଉ ସେମାନେ ଯିରୂଶାଲମରୁ ବାହାରି ବିଖ୍ରିିର ପୁତ୍ର ଶେବଃର ପଛେ ପଛେ ଗୋଡ଼ାଇଲେ ।
8ସେମାନେ ଗିବୀୟୋନସ୍ଥ ବୃହତ ପ୍ରସ୍ତର ନିକଟରେ ଉପସ୍ଥିତ ହୁଅନ୍ତେ, ଅମାସା ସେମାନଙ୍କର ନିକଟକୁ ଆସିଲେ । ସେସମୟରେ ଯୋୟାବ ଆପଣା ପରିହିତ ଯୁଦ୍ଧବସ୍ତ୍ର ଭିଡ଼ି ପିନ୍ଧିଥିଲା, ତହିଁ ଉପରେ ଏକ କଟିବନ୍ଧନ ଓ କୋଷାବଦ୍ଧ ଖଡ଼୍ଗ ତାହାର କଟିଦେଶରେ ବନ୍ଧା ଥିଲା; ପୁଣି ସେ ଯାଉ ଯାଉ ତାହା ବାହାରି ପଡ଼ିଲା ।
9ଏଥିରେ ଯୋୟାବ ଅମାସାଙ୍କୁ ପଚାରିଲା, "କି ଭାଇ, ସବୁ ମଙ୍ଗଳ ତ ?" ତହୁଁ ଯୋୟାବ ଅମାସାଙ୍କୁ ଚୁମ୍ବନ କରିବା ପାଇଁ ଆପଣା ଦକ୍ଷିଣ ହସ୍ତରେ ତାହାର ଦାଢ଼ି ଧରିଲା ।
10ମାତ୍ର ଯୋୟାବର ବାମ ହସ୍ତରେ ଥିବା ଖଡ଼୍ଗ ପ୍ରତି ଅମାସା କିଛି ମନୋଯୋଗ କଲା ନାହିଁ; ତହୁଁ ଯୋୟାବ ସେହି ଖଡ଼୍ଗରେ ତାହାର ଉଦରକୁ ଆଘାତ କରି ତାହାର ଅନ୍ତବୁଜୁଳି କାଢ଼ି ଭୂମିରେ ପକାଇ ଦେଲା, ସେ ଦ୍ୱିତୀୟ ଥର ଆଘାତ କଲା ନାହିଁ; ତହିଁରେ ହିଁ ସେ ମଲା । ଏଉତ୍ତାରେ ଯୋୟାବ ଓ ତାହାର ଭ୍ରାତା ଅବୀଶୟ ବିଖ୍ରିିର ପୁତ୍ର ଶେବଃର ପଛେ ଗୋଡ଼ାଇଲେ ।
11ଏଥି ମଧ୍ୟରେ ଯୋୟାବର ଜଣେ ଲୋକ ତାହା ନିକଟରେ ଠିଆ ହୋଇ କହିଲା, "ଯେ ଯୋୟାବକୁ ଭଲ ପାଏ ଓ ଯେ ଦାଉଦଙ୍କର ପକ୍ଷ, ସେ ଯୋୟାବର ପଛେ ଯାଉ ।"
12ସେସମୟରେ ଅମାସା ରାସ୍ତା ମଧ୍ୟରେ ଆପଣା ରକ୍ତରେ ଲଟ୍ପଟ୍ ହୋଇ ପଡ଼ିଥିଲା । ପୁଣି ସେହି ମନୁଷ୍ୟ ସମସ୍ତ ଲୋକଙ୍କୁ ଠିଆ ହେବାର ଦେଖି ଅମାସାଙ୍କୁ ରାସ୍ତାରୁ କ୍ଷେତ୍ରକୁ ନେଇଗଲା, ଆଉ ଯେତେ ଲୋକ ତାହା ନିକଟ ଦେଇ ଆସିଲେ, ପ୍ରତ୍ୟେକଙ୍କୁ ଠିଆ ହେବାର ଦେଖନ୍ତେ, ସେ ତାହା ଉପରେ ଖଣ୍ଡେ ବସ୍ତ୍ର ପକାଇଦେଲା ।
13ଅମାସା ରାସ୍ତାରୁ ବାହର କରାଯା'ନ୍ତେ, ସମସ୍ତ ଲୋକ ବିଖ୍ରିିର ପୁତ୍ର ଶେବଃର ପଛେ ଗୋଡ଼ାଇବା ପାଇଁ ଯୋୟାବର ଅନୁଗାମୀ ହେଲେ ।
14ଏଉତ୍ତାରେ ଯୋୟାବ ଇସ୍ରାଏଲର ସମସ୍ତ ବଂଶ ମଧ୍ୟଦେଇ ଆବେଲ୍ ଓ ବୈଥ୍ମାଖା ଓ ସମସ୍ତ ବେରୀମ୍ ଅଞ୍ଚଳ ପର୍ଯ୍ୟନ୍ତ ଗମନ କଲା; ତହିଁରେ ଲୋକମାନେ ଏକତ୍ରିତ ହେଲେ, ମଧ୍ୟ ତାହାର ପଛେ ପଛେ ଗମନ କଲେ ।
15ପୁଣି ସେମାନେ ଆସି ବୈଥ୍ମାଖାସ୍ଥିତ ଆବେଲ୍ରେ ଶେବଃଙ୍କୁ ଆକ୍ରମଣ କଲେ ଓ ନଗର ନିକଟରେ ଓ ଗଡ଼ପାଚେରୀ ନିକଟରେ ଏକ ଢିପିନିର୍ମିତ ହେଲା; ତହିଁରେ ଯୋୟାବର ସହିତ ଥିବା ସମସ୍ତ ସୈନ୍ୟ ପାଚେରୀ ଭୂମିସାତ୍ କରିବା ପାଇଁ ଭାଙ୍ଗିବାକୁ ଲାଗିଲେ ।
16ସେତେବେଳେ ନଗର ମଧ୍ୟରୁ ଏକ ବୁଦ୍ଧିମତୀ ସ୍ତ୍ରୀ ଡାକି କହିଲା, "ଶୁଣ, ଶୁଣ ! ମୁଁ ବିନୟ କରୁଅଛି, ଯୋୟାବକୁ ଏସ୍ଥାନକୁ (ଏଠାକୁ) ଆସିବାକୁ କୁହ, ଯେପରି ମୁଁ ତାଙ୍କ ସହିତ କଥାବାର୍ତ୍ତା କରିପାରେ ।"
17ତହୁଁ ସେ ତାହା ନିକଟକୁ ଆସନ୍ତେ, ସେ ସ୍ତ୍ରୀ ପଚାରିଲା, "ଆପଣ କ'ଣ ଯୋୟାବ ?" ସେ ଉତ୍ତର କଲା, "ହଁ ।" ତେବେ ସେ ସ୍ତ୍ରୀ ତାହାକୁ କହିଲା, "ଆପଣା ଦାସୀର କଥା ଶୁଣନ୍ତୁ ।" ସେ ଉତ୍ତର କଲା, "ମୁଁ ଶୁଣୁଅଛି ।"
18ତହୁଁ ସେ କହିଲା, "ପୂର୍ବକାଳରେ ଲୋକମାନେ କହୁଥା'ନ୍ତି, 'ଲୋକେ ଆବେଲ୍ରେ ଅବଶ୍ୟ ପରାମର୍ଶ ପଚାରିବେ,' ଆଉ ଏହିରୂପେ କାର୍ଯ୍ୟ ସମାପ୍ତ ହେବ ।
19ମୁଁ ଇସ୍ରାଏଲର ଶାନ୍ତ ଓ ବିଶ୍ୱସ୍ତ ଲୋକମାନଙ୍କ ମଧ୍ୟରୁ ଜଣେ; ଆପଣ ଏକ ନଗରକୁ ଓ ଇସ୍ରାଏଲ ମଧ୍ୟରେ ଏକ ମାତାକୁ ବିନାଶ କରିବା ପାଇଁ ଚେଷ୍ଟା କରୁଅଛନ୍ତି; ଆପଣ ସଦାପ୍ରଭୁଙ୍କ ଅଧିକାରକୁ କାହିଁକି ଗ୍ରାସ କରିବେ ?"
20ଏଥିରେ ଯୋୟାବ ଉତ୍ତର କରି କହିଲା, "ଏହା ଦୂର ହେଉ, ମୁଁ ଯେ ଗ୍ରାସ କରିବି କି ବିନାଶ କରିବି, ତାହା ମୋ'ଠାରୁ ଦୂର ହେଉ ।
21କଥା ସେପରି ନୁହେଁ; ମାତ୍ର ବିଖ୍ରିିର ପୁତ୍ର ଶେବଃ ନାମରେ ଜଣେ ଇଫ୍ରୟିମ-ପର୍ବତମୟ ଦେଶୀୟ ଲୋକ ଦାଉଦ ରାଜାଙ୍କ ପ୍ରତିକୂଳରେ ଆପଣା ହସ୍ତ ଉଠାଇଅଛି; କେବଳ ତାଙ୍କୁ ସମର୍ପି ଦିଅ, ତହିଁରେ ମୁଁ ଏ ନଗରରୁ ପ୍ରସ୍ଥାନ କରିବି ।" ତହୁଁ ସେ ସ୍ତ୍ରୀ ଯୋୟାବକୁ କହିଲା, "ଦେଖନ୍ତୁ, ପ୍ରାଚୀର ଦେଇ ତାହାର ମସ୍ତକ ଆପଣଙ୍କ ନିକଟକୁ ପକାଯିବ ।"
22ଏଉତ୍ତାରେ ସେ ସ୍ତ୍ରୀ ଆପଣା ବୁଦ୍ଧିରେ ସମସ୍ତ ଲୋକଙ୍କ ନିକଟକୁ ଗଲା । ତହୁଁ ଲୋକମାନେ ବିଖ୍ରିିର ପୁତ୍ର ଶେବଃର ମସ୍ତକ କାଟି ଯୋୟାବ ନିକଟକୁ ବାହାରେ ପକାଇଦେଲେ । ତହିଁରେ ସେ ତୂରୀ ବଜାନ୍ତେ, ଲୋକମାନେ ନଗରରୁ ଛିନ୍ନଭିନ୍ନ ହୋଇ ପ୍ରତ୍ୟେକ ଲୋକ ଆପଣା ଆପଣା ତମ୍ବୁକୁ ଗଲେ । ପୁଣି ଯୋୟାବ ଯିରୂଶାଲମକୁ ରାଜାଙ୍କ ନିକଟକୁ ଫେରିଗଲା ।
23ସେସମୟରେ ଯୋୟାବ ଇସ୍ରାଏଲର ସମସ୍ତ ସୈନ୍ୟଦଳର ଉପରେ ଥିଲା; ପୁଣି ଯିହୋୟାଦାର ପୁତ୍ର ବନାୟ କରେଥୀୟ ଓ ପଲେଥୀୟମାନଙ୍କ ଉପରେ ଥିଲା ।
24ଆଉ ଅଦୋରାମ୍ ବେଠି-କର୍ମକାରୀଙ୍କ ଅଧ୍ୟକ୍ଷ ଥିଲା ଓ ଅହୀଲୂଦର ପୁତ୍ର ଯିହୋଶାଫଟ ଇତିହାସ-ଲେଖକ,
25ଶିବା ଲେଖକ ଥିଲା; ପୁଣି ସାଦୋକ୍ ଓ ଅବୀୟାଥର ଯାଜକ ଥିଲେ;
26ପୁଣି ଯାୟୀରୀୟ ଈରା ମଧ୍ୟ ଦାଉଦଙ୍କର ମୁଖ୍ୟ ଦାସ ଥିଲା ।