Bible 2 India Mobile
[VER] : [ODIYA]     [PL]  [PB] 
 <<  2 Samuel 17 >> 

1ଆହୁରି ଅହୀଥୋଫଲ ଅବଶାଲୋମଙ୍କୁ କହିଲା, "ମୁଁ ବାର ହଜାର ଲୋକ ବାଛି ଆଜି ରାତ୍ରି ଉଠି ଦାଉଦଙ୍କର ପଛେ ଗୋଡ଼ାଇବି ।

2ପୁଣି ସେ କ୍ଳାନ୍ତ ଓ ଶିଥିଳହସ୍ତ ଥିବା ବେଳେ ମୁଁ ତାଙ୍କୁ ଆକ୍ରମଣ କରି ଭୟ ଦେଖାଇବି; ତହିଁରେ ତାଙ୍କର ସମସ୍ତ ସଙ୍ଗୀ ଲୋକ ପଳାଇବେ; ପୁଣି ମୁଁ କେବଳ ରାଜାଙ୍କୁ ଆଘାତ କରିବି ।

3ଆଉ ମୁଁ ସମସ୍ତ ଲୋକଙ୍କୁ ତୁମ୍ଭ ନିକଟକୁ ଫେରାଇ ଆଣିବି; ଯେପରି ସ୍ତ୍ରୀ ସ୍ୱାମୀଙ୍କ ନିକଟକୁ ଫେରି ଆସିବା ତୁଲ୍ୟ; ତହିଁରେ ସମସ୍ତ ଲୋକ ତୁମ ଅଧିନରେ ଶାନ୍ତିରେ ରହିବେ ।"

4ସେତେବେଳେ ଏହି କଥା ଅବଶାଲୋମର ଓ ଇସ୍ରାଏଲୀୟ ସମସ୍ତ ପ୍ରାଚୀନବର୍ଗର ଦୃଷ୍ଟିରେ ପସନ୍ଦ ହେଲା ।

5ତେବେ ଅବଶାଲୋମ କହିଲା, "ଅର୍କୀୟ ହୂଶୟକୁ ମଧ୍ୟ ଡାକ, ଆଉ ସେ କ'ଣ କହେ, ତାହା ମଧ୍ୟ ଶୁଣିବା ।"

6ତହୁଁ ହୂଶୟ ଅବଶାଲୋମ ନିକଟକୁ ଆସନ୍ତେ, ଅବଶାଲୋମ ତାହାକୁ କହିଲା, "ଅହୀଥୋଫଲ ଏପରି ଏପରି କହୁଅଛି; ଆମ୍ଭେମାନେ ତାହା କଥାନୁସାରେ କରିବା କି ? ଯେବେ ନ କରିବା, ତେବେ ତୁମ୍ଭେ କୁହ ।"

7ତହିଁରେ ହୂଶୟ ଅବଶାଲୋମଙ୍କୁ କହିଲା, "ଅହୀଥୋଫଲ ଯେଉଁ ମନ୍ତ୍ରଣା ଦେଇଅଛି, ତାହା ଭଲ ନୁହେଁ ।"

8ହୂଶୟ ଆହୁରି କହିଲା, "ଆପଣ ଆପଣା ପିତାଙ୍କୁ ଓ ତାଙ୍କ ଲୋକମାନଙ୍କୁ ଜାଣନ୍ତି, ସେମାନେ ତ ବୀର ଓ କ୍ଷେତ୍ରରେ ଛୁଆହରା ଭଲ୍ଲୁକୀ ପରି ସେମାନେ ଉଗ୍ର ହୋଇଥିବେ, ପୁଣି ଆପଣଙ୍କ ପିତା ଯୋଦ୍ଧା ଓ ସେ ରାତ୍ରିରେ ଲୋକମାନଙ୍କ ସଙ୍ଗରେ ରହିବେ ନାହିଁ ।

9ଦେଖନ୍ତୁ, ସେ ଏବେ କୌଣସି ଗର୍ତ୍ତରେ କି ଅନ୍ୟ କୌଣସି ସ୍ଥାନରେ ଲୁଚି କରି ଅଛନ୍ତି; ଆଉ ପ୍ରଥମେ ଏମାନଙ୍କ ମଧ୍ୟରୁ କେତେକ ପତିତ ହେଲେ ବୋଲି କେହି ଶୁଣିଲେ କହିବ ଯେ, 'ଅବଶାଲୋମର ଅନୁଗାମୀ ଲୋକମାନଙ୍କ ମଧ୍ୟରେ ସଂହାର ହେଉଅଛି ।'

10ତାହାହେଲେ, ଯେଉଁ ବିକ୍ରମଶାଳୀର ହୃଦୟ ସିଂହର ହୃଦୟ ତୁଲ୍ୟ, ସେ ମଧ୍ୟ ନିତାନ୍ତ ତରଳି ଯିବ; କାରଣ ଆପଣଙ୍କ ପିତା ଯେ ବୀର ଓ ତାଙ୍କ ସଙ୍ଗୀମାନେ ଯେ ବିକ୍ରମଶାଳୀ ଲୋକ, ଏହା ସମୁଦାୟ ଇସ୍ରାଏଲ ଜାଣନ୍ତି ।

11ମାତ୍ର ମୋହର ମନ୍ତ୍ରଣା ଏହି ଯେ, ଦାନ୍‍ଠାରୁ ବେରଶେବା ପର୍ଯ୍ୟନ୍ତ ସମୁଦାୟ ଇସ୍ରାଏଲ ସମୁଦ୍ରତୀରସ୍ଥ ବାଲୁକା ତୁଲ୍ୟ ଅସଂଖ୍ୟ ହୋଇ ଆପଣଙ୍କ ନିକଟରେ ସଂଗୃହୀତ ହେଉନ୍ତୁ; ପୁଣି ଆପଣ ସ୍ୱୟଂ ଯୁଦ୍ଧକୁ ଯାଉନ୍ତୁ ।

12ତହିଁରେ ଯେଉଁ ସ୍ଥାନରେ ତାଙ୍କର ସନ୍ଧାନ ମିଳିବ, ସେସ୍ଥାନରେ ଆମ୍ଭେମାନେ ତାଙ୍କ ନିକଟରେ ଉପସ୍ଥିତ ହେବୁ ଓ ଭୂମିରେ ଶିଶିର ପଡ଼ିବା ପରି ତାଙ୍କ ଉପରେ ପଡ଼ିବୁ; ପୁଣି ତାଙ୍କର ଓ ତାଙ୍କ ସଙ୍ଗୀମାନଙ୍କ ମଧ୍ୟରୁ ଜଣକୁ ହିଁ ଅବଶିଷ୍ଟ ରଖିବୁ ନାହିଁ ।

13ଆହୁରି ଯେବେ ସେ କୌଣସି ନଗରକୁ ଯାଇଥିବେ, ତେବେ ସମସ୍ତ ଇସ୍ରାଏଲ ସେହି ନଗରକୁ ଦଉଡ଼ି ଆଣିବେ ଓ ତହିଁରେ ଗୋଟିଏ ଗୋଡ଼ି ନ ରହିବା ପର୍ଯ୍ୟନ୍ତ ଆମ୍ଭେମାନେ ତାହା ନଦୀକି ଟାଣି ନେବୁ ।"

14ତହିଁରେ ଅବଶାଲୋମ ଓ ସମୁଦାୟ ଇସ୍ରାଏଲ ଲୋକ କହିଲେ, "ଅହୀଥୋଫଲର ମନ୍ତ୍ରଣା ଅପେକ୍ଷା ଅର୍କୀୟ ହୂଶୟର ମନ୍ତ୍ରଣା ଉତ୍ତମ ।" ଯେହେତୁ ସଦାପ୍ରଭୁ ଅବଶାଲୋମ ପ୍ରତି ଅମଙ୍ଗଳ ଘଟାଇବା ଅଭିପ୍ରାୟରେ ଅହୀଥୋଫଲର ଉତ୍ତମ ମନ୍ତ୍ରଣା ବ୍ୟର୍ଥ କରିବା ପାଇଁ ସ୍ଥିର କରିଥିଲେ ।

15ଅନନ୍ତର ସାଦୋକ ଓ ଅବୀୟାଥର ଯାଜକମାନଙ୍କୁ ହୂଶୟ କହିଲା, "ଅବଶାଲୋମଙ୍କୁ ଓ ଇସ୍ରାଏଲର ପ୍ରାଚୀନଗଣଙ୍କୁ ଅହୀଥୋଫଲ ଏପରି ଏପରି ମନ୍ତ୍ରଣା ଦେଇଥିଲା, ମାତ୍ର ମୁଁ ଏପରି ଏପରି ମନ୍ତ୍ରଣା ଦେଲି ।

16ଏହେତୁ ଏବେ ଶୀଘ୍ର ଲୋକ ପଠାଇ ଦାଉଦଙ୍କୁ ଜଣାଇ କୁହ, 'ପ୍ରାନ୍ତରସ୍ଥ ଘାଟୀ ନିକଟରେ ଆଜି ରାତ୍ରି ଯାପନ କର ନାହିଁ, ମାତ୍ର କୌଣସି-ମତେ ପାର ହୋଇ ଚାଲିଯାଅ; ନୋହିଲେ ମହାରାଜା ଓ ତାଙ୍କ ସଙ୍ଗୀ ଲୋକ ସମସ୍ତେ ସଂହାରିତ ହେବେ ।'"

17ସେସମୟରେ ଯୋନାଥନ ଓ ଅହୀମାସ୍‍ ଐନ୍‍-ରୋଗେଲରେ ରହିଥିଲେ; ଆଉ ସେମାନେ ଯେପରି ନଗରକୁ ଆସିବାର ଦେଖା ନ ଯିବେ, ଏଥିପାଇଁ ଏକ ଦାସୀ ଯାଇ ସେମାନଙ୍କୁ ସମ୍ବାଦ ଦେଉଥାଏ; ଆଉ ସେମାନେ ଯାଇ ଦାଉଦ ରାଜାଙ୍କୁ ସମ୍ବାଦ ଦେଉଥା'ନ୍ତି।

18ମାତ୍ର ଏକ ଯୁବା ସେମାନଙ୍କୁ ଦେଖି ଅବଶାଲୋମଙ୍କୁ ଜଣାଇଲା; ତହୁଁ ସେ ଦୁହେଁ ଶୀଘ୍ର ଯାଇ ବହୁରୀମରେ ଜଣକର ଗୃହରେ ପ୍ରବେଶ କଲେ ଓ ତାହାର ପ୍ରାଙ୍ଗଣ ମଧ୍ୟରେ ଏକ କୂପ ଥିବାରୁ, ସେମାନେ ତହିଁ ଭିତରକୁ ଗଲେ ।

19ତହିଁରେ ଗୃହିଣୀ ଗୋଟିଏ ଢାଙ୍କୁଣୀ ନେଇ କୂପ ମୁଖରେ ଦେଇ ତହିଁ ଉପରେ ମର୍ଦ୍ଦିତ ଶସ୍ୟ ବିଛାଇ ଦେଲା; ଏଣୁ କିଛି ଜଣା ପଡ଼ିଲା ନାହିଁ ।

20ଏଉତ୍ତାରେ ଅବଶାଲୋମର ଦାସମାନେ ସେହି ସ୍ତ୍ରୀର ଗୃହକୁ ଆସି ପଚାରିଲେ, "ଅହୀମାସ୍‍ ଓ ଯୋନାଥନ କାହାନ୍ତି ?" ତହିଁରେ ସେ ସ୍ତ୍ରୀ ସେମାନଙ୍କୁ କହିଲା, "ସେମାନେ ନଦୀ ପାର ହୋଇ ଗଲେଣି ।" ତହୁଁ ସେମାନେ ଖୋଜି ନ ପାଇବାରୁ ଯିରୂଶାଲମକୁ ଫେରି ଗଲେ ।

21ଏଣୁ ସେମାନେ ଗଲା ଉତ୍ତାରେ ସେ ଦୁଇ ଜଣ କୂପରୁ ବାହାରି ଦାଉଦ ରାଜାଙ୍କ ନିକଟକୁ ଯାଇ ଜଣାଇଲେ; ଆଉ ସେମାନେ ଦାଉଦଙ୍କୁ କହିଲେ, "ତୁମ୍ଭେମାନେ ଉଠ, ଶୀଘ୍ର ଜଳ ପାର ହୋଇ ଯାଅ, କାରଣ ଅହୀଥୋଫଲ ତୁମ୍ଭମାନଙ୍କ ବିରୁଦ୍ଧରେ ଏପରି ଏପରି ମନ୍ତ୍ରଣା ଦେଇଅଛି ।"

22ଏଥିରେ ଦାଉଦ ଓ ତାଙ୍କ ସଙ୍ଗୀ ସମସ୍ତ ଲୋକ ଉଠି ଯର୍ଦ୍ଦନ ପାର ହୋଇଗଲେ; ପ୍ରଭାତ ଆଲୁଅ ସମୟ ପୁର୍ବରୁ ଯେ ଯର୍ଦ୍ଦନ ପାର ହୋଇ ଯାଇ ନ ଥିଲା, ଏପରି ଜଣେ ଅବଶିଷ୍ଟ ରହିଲା ନାହିଁ ।

23ଏଉତ୍ତାରେ ଅହୀଥୋଫଲ ଆପଣା ମନ୍ତ୍ରଣାନୁସାରେ କର୍ମ କରା ନ ଯିବାର ଦେଖି ଆପଣା ଗର୍ଦ୍ଦଭ ସଜାଇ ଉଠି ନିଜ ଗୃହ ଓ ନିଜ ନଗରକୁ ଗଲା ଓ ଆପଣା ଗୃହ ସମସ୍ତ ବିଷୟ ସଜାଡ଼ି ଆପଣାକୁ ଫାଶୀ ଦେଲା; ଏରୂପେ ସେ ମଲା, ପୁଣି ଆପଣା ପିତାର କବରରେ କବର ପାଇଲା ।

24ଏଥି ମଧ୍ୟରେ ଦାଉଦ ମହନୟିମରେ ଉପସ୍ଥିତ ହେଲେ । ପୁଣି ଅବଶାଲୋମ ଓ ତାହାର ସଙ୍ଗୀ ସମସ୍ତ ଇସ୍ରାଏଲ ଲୋକ ଯର୍ଦ୍ଦନ ପାର ହେଲେ ।

25ଆଉ ଅବଶାଲୋମ ଯୋୟାବ ବଦଳରେ ଅମାସାକୁ ସୈନ୍ୟ ଉପରେ ନିଯୁକ୍ତ କଲା । ଏହି ଅମାସା ଇସ୍ରାଏଲୀୟ ଯେଥର ନାମକ ଏକ ବ୍ୟକ୍ତିର ପୁତ୍ର, ସେ ବ୍ୟକ୍ତି ଯୋୟାବର ମାତା ସରୁୟାର ଭଗିନୀ, ନାହଶର କନ୍ୟା ଅବୀଗଲ ସହିତ ସହବାସ କରିଥିଲା ।

26ପୁଣି ଇସ୍ରାଏଲ ଓ ଅବଶାଲୋମ ଗିଲୀୟଦ ଦେଶରେ ଛାଉଣି ସ୍ଥାପନ କଲେ ।

27ଅନନ୍ତର ଦାଉଦ ମହନୟିମରେ ଉପସ୍ଥିତ ହୁଅନ୍ତେ, ଅମ୍ମୋନ୍‍-ସନ୍ତାନଗଣର ରବ୍ବା ନିବାସୀ ନାହଶର ପୁତ୍ର ଶୋବି ଓ ଲୋ-ଦବାର ନିବାସୀ ଅମ୍ମୀୟେଲର ପୁତ୍ର ମାଖୀର, ଆଉ ରୋଗଲୀମ ନିବାସୀ ଗିଲୀୟଦୀୟ ବର୍ସିଲ୍ଲୟ ଦାଉଦ ଓ ତାଙ୍କର ସଙ୍ଗୀ ଲୋକମାନଙ୍କ ନିମନ୍ତେ

28ଶଯ୍ୟା ଓ ପାନପାତ୍ର ଓ ମୃତ୍ତିକା ପାତ୍ର, ପୁଣି ଆହାରାର୍ଥେ ଗହମ ଓ ଯବ ଓ ମଇଦା ଓ ଭଜାଶସ୍ୟ ଓ ଶିମ ଓ ମସୁର ଓ ଭଜା ବିରି

29ଓ ମଧୁ ଓ ଦହୀ ଓ ମେଷ ଓ ଗୋ-ଛେନା ଆଣିଲେ;ତହୁଁ ଦାଉଦ ଓ ତାଙ୍କ ସହିତ ଥିବା ଲୋକ ମାନେ ଖାଇଲେ; କାରଣ ସେମାନେ କହିଲେ, "ଲୋକମାନେ ପ୍ରାନ୍ତରରେ କ୍ଷୁଧିତ ଓ କ୍ଳାନ୍ତ ଓ ତୃଷିତ ହୋଇଥିବେ । "


  Share Facebook  |  Share Twitter

 <<  2 Samuel 17 >> 


Bible2india.com
© 2010-2024
Help
Dual Panel

Laporan Masalah/Saran