Bible 2 India Mobile
[VER] : [ODIYA]     [PL]  [PB] 
 <<  2 Samuel 10 >> 

1ଏଥି ଉତ୍ତାରେ ଅମ୍ମୋନ-ସନ୍ତାନଗଣର ରାଜା ମରନ୍ତେ, ତାହାର ପୁତ୍ର ହାନୂନ୍‍ ତାହାର ବଦଳରେ ରାଜା ହେଲା ।

2ତହିଁରେ ଦାଉଦ କହିଲେ, "ହାନୂନର ପିତା ନାହଶ ଯେପରି ମୋ' ପ୍ରତି ଦୟା ପ୍ରକାଶ କରିଥିଲା, ସେପରି ମୁଁ ହାନୂନ୍‍ ପ୍ରତି ଦୟା ପ୍ରକାଶ କରିବି ।" ତେଣୁ ତାହାକୁ ପିତୃଶୋକରୁ ସାନ୍ତ୍ୱନା କରିବା ନିମନ୍ତେ ଦାଉଦ ଆପଣା ଦାସମାନଙ୍କୁ ପଠାଇଲେ । ତହୁଁ ଦାଉଦଙ୍କର ଦାସମାନେ ଅମ୍ମୋନ-ସନ୍ତାନଗଣର ଦେଶରେ ଉପସ୍ଥିତ ହେଲେ ।

3ମାତ୍ର ଅମ୍ମୋନ-ସନ୍ତାନଗଣର ଅଧିପତିମାନେ ସେମାନଙ୍କ ପ୍ରଭୁ ହାନୂନ୍‍କୁ କହିଲେ, "ଦାଉଦ ଆପଣଙ୍କ ନିକଟକୁ ସାନ୍ତ୍ୱନାକାରୀମାନଙ୍କୁ ପଠାଇଅଛି ବୋଲି ସେ ଯେ ଆପଣଙ୍କ ପିତାଙ୍କର ସମ୍ଭ୍ରମ କରୁଅଛି, ଏହା କି ଆପଣ ବିଚାର କରନ୍ତି ? ଦାଉଦ କି ନଗର ଅନୁସନ୍ଧାନ କରିବା ଅଭିପ୍ରାୟରେ ତହିଁରେ ଭ୍ରମଣ କରିବାକୁ ଓ ତାହା ନାଶ କରିବାକୁ ଆପଣା ଦାସମାନଙ୍କୁ ତୁମ୍ଭ କତିକି ପଠାଇ ନାହିଁ ?"

4ତହିଁରେ ହାନୂନ୍‍ ଦାଉଦଙ୍କର ଦାସମାନଙ୍କୁ ଧରି ସେମାନଙ୍କ ଦାଢ଼ିର ଅଧେ କ୍ଷୌର କଲା ଓ ସେମାନଙ୍କ ପିଚା ପାଖ ବସ୍ତ୍ର ମଝିରୁ କାଟି ପକାଇ ସେମାନଙ୍କୁ ବିଦାୟ କରିଦେଲା ।

5ତହୁଁ ସେମାନେ ଦାଉଦଙ୍କୁ ଏହା ଜ୍ଞାତ କରାନ୍ତେ, ସେ ସେମାନଙ୍କୁ ଭେଟିବା ପାଇଁ ଲୋକ ପଠାଇଲେ; କାରଣ ସେମାନେ ଅତିଶୟ ଲଜ୍ଜିତ ଥିଲେ । ପୁଣି ରାଜା କହିଲେ, "ତୁମ୍ଭମାନଙ୍କ ଦାଢ଼ି ବଢ଼ିବା ପର୍ଯ୍ୟନ୍ତ ଯିରୀହୋରେ ଥାଅ, ତହିଁ ଉତ୍ତାରେ ଫେରି ଆସିବ ।"

6ଏଥିରେ ଅମ୍ମୋନ-ସନ୍ତାନମାନେ ଦେଖିଲେ ଯେ, ସେମାନେ ଦାଉଦଙ୍କ ସମ୍ମୁଖରେ ଦୁର୍ଗନ୍ଧ ସ୍ୱରୂପ ହୋଇଅଛନ୍ତି, ଏହେତୁ ଅମ୍ମୋନ-ସନ୍ତାନଗଣ ଲୋକ ପଠାଇ ବୈଥ୍‍ରହୋବସ୍ଥ ଓ ସୋବାସ୍ଥିତ ଅରାମୀୟ କୋଡ଼ିଏ ହଜାର ପଦାତିକକୁ ଓ ଏକ ହଜାର ଲୋକ ସହିତ ମାଖାର ରାଜାକୁ ଓ ଟୋବର ବାର ହଜାର ଲୋକଙ୍କୁ ବେତନ ଦେଇ ରଖିଲେ ।

7ଆଉ ଦାଉଦ ଏହା ଶୁଣି ଯୋୟାବକୁ ଓ ବୀର ସୈନ୍ୟ ସମସ୍ତଙ୍କୁ ପଠାଇଲେ ।

8ତହିଁରେ ଅମ୍ମୋନ-ସନ୍ତାନଗଣ ବାହାର ହୋଇ ଆସି ଦ୍ୱାର-ପ୍ରବେଶ ସ୍ଥାନ ନିକଟରେ ଯୁଦ୍ଧ କରିବାକୁ ପ୍ରସ୍ତୁତ କଲେ; ପୁଣି ସୋବା ଓ ରହୋବର ଅରାମୀୟ ଲୋକମାନେ, ଆଉ ଟୋବର ଓ ମାଖାର ଲୋକମାନେ କ୍ଷେତ୍ରରେ ଅଲଗା ରହିଲେ ।

9ଏହିରୂପେ ଯୋୟାବ ଆପଣା ବିରୁଦ୍ଧରେ ଆଗେ ଓ ପଛେ ଯୁଦ୍ଧ ପ୍ରସ୍ତୁତ ହେବାର ଦେଖି ଇସ୍ରାଏଲର ସମୁଦାୟ ବଛା ଲୋକ ମଧ୍ୟରୁ ଲୋକ ବାଛି ଅରାମୀୟମାନଙ୍କ ବିରୁଦ୍ଧରେ ସୈନ୍ୟ ସଜାଇଲା ।

10ପୁଣି ସେ ଅବଶିଷ୍ଟ ଲୋକମାନଙ୍କୁ ଆପଣା ଭାଇ ଅବୀଶୟ ହସ୍ତରେ ସମର୍ପଣ କଲା; ତହିଁରେ ସେ ସେମାନଙ୍କୁ ନେଇ ଅମ୍ମୋନ-ସନ୍ତାନଗଣ ବିରୁଦ୍ଧରେ ସୈନ୍ୟ ସଜାଇଲା ।

11ପୁଣି ସେ କହିଲା, "ଯେବେ ଅରାମୀୟମାନେ ମୋତେ ବଳିବେ, ତେବେ ତୁମ୍ଭେ ମୋତେ ସାହାଯ୍ୟ କରିବ; ମାତ୍ର ଯେବେ ଅମ୍ମୋନ-ସନ୍ତାନମାନେ ତୁମ୍ଭକୁ ବଳିବେ, ତେବେ ମୁଁ ଆସି ତୁମ୍ଭକୁ ସାହାଯ୍ୟ କରିବି ।

12ବଳବାନ ହୁଅ, ଆମ୍ଭେମାନେ ଆପଣା ଲୋକମାନଙ୍କ ନିମନ୍ତେ ଓ ଆମ୍ଭମାନଙ୍କ ପରମେଶ୍ୱରଙ୍କ ନଗରମାନଙ୍କ ନିମନ୍ତେ ଆପଣାମାନଙ୍କୁ ବଳବାନ କରୁ; ପୁଣି ସଦାପ୍ରଭୁଙ୍କ ଦୃଷ୍ଟିରେ ଯାହା ଭଲ, ସେ ତାହା କରନ୍ତୁ ।"

13ତହିଁରେ ଯୋୟାବ ଓ ତାହାର ସଙ୍ଗୀ ଲୋକମାନେ ଅରାମୀୟମାନଙ୍କ ବିରୁଦ୍ଧରେ ଯୁଦ୍ଧ କରିବା ପାଇଁ ନିକଟକୁ ଆସନ୍ତେ, ସେମାନେ ତାଙ୍କ ସମ୍ମୁଖରୁ ପଳାଇଲେ ।

14ଏଥିରେ ଅରାମୀୟମାନଙ୍କୁ ପଳାଇବାର ଦେଖି ଅମ୍ମୋନ-ସନ୍ତାନଗଣ ମଧ୍ୟ ଅବୀଶୟ ସମ୍ମୁଖରୁ ପଳାଇ ନଗରରେ ପ୍ରବେଶ କଲେ । ତେବେ ଯୋୟାବ ଅମ୍ମୋନ-ସନ୍ତାନମାନଙ୍କ ନିକଟରୁ ଯିରୂଶାଲମକୁ ଫେରି ଆସିଲା ।

15ଏଉତ୍ତାରେ ଅରାମୀୟମାନେ ଇସ୍ରାଏଲ ସମ୍ମୁଖରେ ଆପଣାମାନଙ୍କୁ ପରାସ୍ତ ଦେଖି ଏକତ୍ର ହେଲେ ।

16ପୁଣି ହଦଦେଷର ଲୋକ ପଠାଇ ଫରାତ୍ ନଦୀର ସେପାରିସ୍ଥିତ ଅରାମୀୟମାନଙ୍କୁ ଅଣାଇଲା; ତହୁଁ ସେମାନେ ହେଲମକୁ ଆସିଲେ; ହଦଦେଷରର ସେନାପତି ଶୋବକ ସେମାନଙ୍କର ଅଗ୍ରଗାମୀ ଥିଲା ।

17ଏଉତ୍ତାରେ ଦାଉଦଙ୍କୁ ଏହା ଜ୍ଞାତ କରାଯା'ନ୍ତେ, ସେ ସମୁଦାୟ ଇସ୍ରାଏଲକୁ ଏକତ୍ର କରି ଯର୍ଦ୍ଦନ ପାର ହୋଇ ହେଲମକୁ ଆସିଲେ । ତହିଁରେ ଅରାମୀୟମାନେ ଦାଉଦଙ୍କ ସମ୍ମୁଖରେ ସୈନ୍ୟ ସଜାଇ ତାଙ୍କ ସଙ୍ଗେ ଯୁଦ୍ଧ କଲେ ।

18ମାତ୍ର ଅରାମୀୟମାନେ ଇସ୍ରାଏଲ ସମ୍ମୁଖରୁ ପଳାଇଲେ; ପୁଣି ଦାଉଦ ଅରାମୀୟମାନଙ୍କ ସାତ ଶହ ରଥାରୂଢ଼ ଓ ଚାଳିଶ ହଜାର ଅଶ୍ୱାରୂଢ଼ ସୈନ୍ୟ ବଧ କଲେ, ପୁଣି ସେ ସେମାନଙ୍କ ସେନାପତି ଶୋବକକୁ ଆଘାତ କରନ୍ତେ, ସେ ସେହିଠାରେ ମଲା ।

19ତହୁଁ ହଦଦେଷରର ଅଧୀନ ସମସ୍ତ ରାଜା ଇସ୍ରାଏଲ ସମ୍ମୁଖରେ ଆପଣାମାନଙ୍କୁ ପରାସ୍ତ ଦେଖି ଇସ୍ରାଏଲ ସହିତ ଶାନ୍ତିର ଚୁକ୍ତି କରି ସେମାନଙ୍କର ଦାସ ହେଲେ । ଏହେତୁ ଅରାମୀୟମାନେ ଅମ୍ମୋନ-ସନ୍ତାନଗଣକୁ ଆଉ ସାହାଯ୍ୟ କରିବାକୁ ଭୟ କଲେ ।


  Share Facebook  |  Share Twitter

 <<  2 Samuel 10 >> 


Bible2india.com
© 2010-2024
Help
Dual Panel

Laporan Masalah/Saran