Bible 2 India Mobile
[VER] : [ODIYA]     [PL]  [PB] 
 <<  1 Thessalonians 5 >> 

1କିନ୍ତୁ, ହେ ଭାଇମାନେ, କାଳ ଓ ନିର୍ଦ୍ଧିଷ୍ଟ ସମୟ ସମ୍ବନ୍ଧରେ ତୁମ୍ଭମାନଙ୍କ ନିକଟକୁ କିଛି ଲେଖିବା ଆବଶ୍ୟକ ନାହିଁ,

2କାରଣ ରାତ୍ରିରେ ଚୋର ଆସିଲା ପରି ପ୍ରଭୁଙ୍କ ଦିନ ଯେ ଆସିବ, ଏହା ତୁମ୍ଭେମାନେ ଉତ୍ତମ ରୂପେ ଜାଣ ।

3ଯେତେବେଳେ ଲୋକେ ଶାନ୍ତି ଓ ନିରାପଦ ବୋଲି କହୁଥିବେ, ସେତେବେଳେ ଗର୍ଭବତୀର ପ୍ରସବବେଦନା ତୁଲ୍ୟ ହଠାତ୍ ସେମାନଙ୍କ ବିନାଶ ଉପସ୍ଥିତ ହେବ, ଆଉ ସେମାନେ କୌଣସି ପ୍ରକାରେ ରକ୍ଷା ପାଇ ପାରିବେ ନାହିଁ ।

4କିନ୍ତୁ, ହେ ଭାଇମାନେ, ତୁମ୍ଭେମାନେ ଅନ୍ଧକାରରେ ନାହଁ ଯେ ସେ ଦିନ ଚୋରର ପରି ଅନପେକ୍ଷିତ ଭାବରେ ତୁମ୍ଭମାନଙ୍କ ନିକଟରେ ଉପସ୍ଥିତ ହେବ,

5କାରଣ ତୁମ୍ଭେମାନେ ସମସ୍ତେ ଆଲୋକ ଓ ଦିବସର ସନ୍ତାନ । ଆମ୍ଭେମାନେ ରାତ୍ରି କି ଅନ୍ଧକାରର ସନ୍ତାନ ନୋହୁଁ;

6ଅତଏବ ଆସ ଆମ୍ଭେମାନେ ଅଣଯିହୂଦୀମାନଙ୍କ ପରି ନିଦ୍ରିତ ନ ହେଉ, ମାତ୍ର ଜାଗ୍ରତ ହୋଇ ସଚେତନ ରହିବା ।

7ଯେଣୁ ଯେଉଁମାନେ ନିଦ୍ରା ଯାଆନ୍ତି, ଆଉ ଯେଉଁମାନେ ମାତାଲ ହୁଅନ୍ତି, ସେମାନେ ରାତ୍ରିରେ ମାତାଲ ହୁଅନ୍ତି ।

8କିନ୍ତୁ ଆସ, ଆମ୍ଭେମାନେ ଦିବସର ସନ୍ତାନ ହେବାରୁ ବିଶ୍ୱାସ ଓ ପ୍ରେମରୂପ ଉରସ୍ତ୍ରାଣ ପରିଧାନ କରି, ପରିତ୍ରାଣର ଭରସା ରୂପ ଶିରସ୍ତ୍ରାଣ ମସ୍ତକରେ ଦେଇ ସଚେତନ ରହିଥାଉ ।

9କାରଣ ଈଶ୍ୱର ଆମ୍ଭମାନଙ୍କୁ କ୍ରୋଧର ପାତ୍ର ହେବା ନିମନ୍ତେ ନିରୂପଣ ନ କରି ବରଂ ଆମ୍ଭମାନଙ୍କ ପ୍ରଭୁ ଯୀଶୁଖ୍ରୀଷ୍ଟଙ୍କ ଦ୍ୱାରା ପରିତ୍ରାଣ ପ୍ରାପ୍ତ ହେବା ନିମନ୍ତେ ନିରୂପଣ କରିଅଛନ୍ତି ।

10ସେ ଆମ୍ଭମାନଙ୍କ ନିମନ୍ତେ ମୃତ୍ୟୁଭୋଗ କଲେ, ଯେପରି ଆମ୍ଭେମାନେ ଜାଗ୍ରତ ଥାଉ କିମ୍ବା ନିଦ୍ରିତ ଥାଉ ତାହାଙ୍କ ସହିତ ଜୀବିତ ରହିବୁ ।

11ଏଣୁ ଯେପରି କରୁଅଛ, ସେହିପରି ପରସ୍ପରକୁ ସାନ୍ତ୍ୱନା ଦିଅ, ପୁଣି, ପରସ୍ପରର ନିଷ୍ଠା ଜନ୍ମାଅ ।

12ହେ ଭାଇମାନେ, ଆମ୍ଭେମାନେ ତୁମ୍ଭମାନଙ୍କୁ ଅନୁରୋଧ କରୁଅଛୁ, ଯେଉଁମାନେ ତୁମ୍ଭମାନଙ୍କ ମଧ୍ୟରେ ପରିଶ୍ରମ କରନ୍ତି ଓ ପ୍ରଭୁଙ୍କ ସେବାରେ ତୁମ୍ଭମାନଙ୍କ ନେତା ସ୍ୱରୂପେ ନିଯୁକ୍ତି ହୋଇ ତୁମ୍ଭମାନଙ୍କୁ ଚେତନା ଦିଅନ୍ତି, ସେମାନଙ୍କୁ ମାନ୍ୟ କର,

13ପୁଣି, ସେମାନଙ୍କ କାର୍ଯ୍ୟ ସକାଶେ ସେମାନଙ୍କୁ ପ୍ରେମରେ ଅତ୍ୟନ୍ତ ଆଦର କର । ପରସ୍ପର ସଙ୍ଗରେ ଶାନ୍ତିରେ ରୁହ ।

14ହେ ଭାଇମାନେ, ଆମ୍ଭେମାନେ ତୁମ୍ଭମାନଙ୍କୁ ନିବେଦନ କରୁଅଛୁ, ଅବିହିତ ଆଚରଣ କରୁଥିବା ଲୋକମାନଙ୍କୁ ଚେତନା ଦିଅ, ସାହସ ହୀନମାନଙ୍କୁ ସାନ୍ତ୍ୱନା ଦିଅ, ଦୁର୍ବଳମାନଙ୍କୁୁ ସାହାଯ୍ୟ କର, ସମସ୍ତଙ୍କ ପ୍ରତି ଦୀର୍ଘସହିଷ୍ଣୁ ହୁଅ ।

15ସାବଧାନ, କେହି କାହାରି ପ୍ରତି ଅପକାର ବଦଳରେ ଅପକାର ନ କରୁ, ବରଂ ତୁମ୍ଭେମାନେ ସର୍ବଦା ପରସ୍ପରର ଓ ସମସ୍ତଙ୍କର ମଙ୍ଗଳ କରିବାକୁ ସଚେଷ୍ଟା ହୁଅ ।

16ସର୍ବଦା ଆନନ୍ଦ କର; ନିରନ୍ତର ପ୍ରାର୍ଥନା କର;

17ସବୁ ଅବସ୍ଥାରେ ଧନ୍ୟବାଦ ଦିଅ;

18କାରଣ ତୁମ୍ଭମାନଙ୍କ ବିଷୟରେ ଖ୍ରୀଷ୍ଟ ଯୀଶୁଙ୍କଠାରେ ଏହା ଈଶ୍ୱରଙ୍କ ଅଭିମତ ।

19ଆତ୍ମାଙ୍କୁ ନିର୍ବାଣ ନ କର;

20ଭାବବାଣୀ ତୁଚ୍ଛ କର ନାହିଁ;

21ବରଂ ସମସ୍ତ ବିଷୟ ପରୀକ୍ଷା କର;

22ଯାହା ଉତ୍ତମ ତାହା ଧରି ରଖ; ସମସ୍ତ ପ୍ରକାର ମନ୍ଦତା ଠାରୁ ପୃଥକ୍ ହୋଇଥାଅ ।

23ଶାନ୍ତିଦାତା ଈଶ୍ୱର ସ୍ୱୟଂ ତୁମ୍ଭମାନଙ୍କୁ ସମ୍ପୂର୍ଣ୍ଣ ରୂପେ ପବିତ୍ର କରନ୍ତୁ, ପୁଣି, ଆମ୍ଭମାନଙ୍କ ପ୍ରଭୁ ଯୀଶୁଖ୍ରୀଷ୍ଟଙ୍କ ଆଗମନ ନିମନ୍ତେ ତୁମ୍ଭମାନଙ୍କ ଆତ୍ମା, ପ୍ରାଣ, ଶରୀର ସମ୍ପୂର୍ଣ୍ଣ ନିର୍ଦ୍ଦୋଷ ରୂପେ ରକ୍ଷିତ ହେଉ ।

24ଯେ ତୁମ୍ଭମାନଙ୍କୁ ଆହ୍ୱାନ କରିଅଛନ୍ତି, ସେ ବିଶ୍ୱସ୍ତ, ସେ ତୁମ୍ଭମାନଙ୍କୁ ସହାଯ୍ୟ କରିବେ ।

25ହେ ଭାଇମାନେ, ଆମ୍ଭମାନଙ୍କ ନିମନ୍ତେ ପ୍ରାର୍ଥନା କର ।

26ସମସ୍ତ ଭାଇଙ୍କୁ ପବିତ୍ର ଚୁମ୍ବନ ଦେଇ ନମସ୍କାର କର ।

27ସମସ୍ତ ଭାଇଙ୍କ ନିକଟରେ ଏହି ପତ୍ର ପାଠ କରାଇବା ନିମନ୍ତେ ମୁଁ ପ୍ରଭୁଙ୍କ ନାମରେ ତୁମ୍ଭମାନଙ୍କୁ ଶପଥ ଦେଇ ଅନୁରୋଧ କରୁଅଛି ।

28ଆମ୍ଭମାନଙ୍କ ପ୍ରଭୁ ଯୀଶୁଖ୍ରୀଷ୍ଟଙ୍କ ଅନୁଗ୍ରହ ତୁମ୍ଭମାନଙ୍କ ସହବର୍ତ୍ତୀ ହେଉ ।


  Share Facebook  |  Share Twitter

 <<  1 Thessalonians 5 >> 


Bible2india.com
© 2010-2024
Help
Dual Panel

Laporan Masalah/Saran