Bible 2 India Mobile
[VER] : [ODIYA]     [PL]  [PB] 
 <<  1 Samuel 9 >> 

1ସେହି ସମୟରେ ବିନ୍ୟାମୀନ ବଂଶୀୟ ଅଫୀହର ବୃଦ୍ଧ ପ୍ରପୌତ୍ର, ବଖୋରତର ପ୍ରପୌତ୍ର, ସରୋରର ପୌତ୍ର, ଅବୀୟେଲର ପୁତ୍ର କୀଶ୍‍ ନାମକ ଜଣେ ମହାବିକ୍ରମଶାଳୀ ବିନ୍ୟାମୀନୀୟ ଲୋକ ଥିଲା ।

2ପୁଣି, ତାହାର ଶାଉଲ ନାମରେ ଏକ ପୁତ୍ର ଥିଲେ, ସେ ସୁନ୍ଦର ଯୁବା ପୁରୁଷ ; ଆଉ ଇସ୍ରାଏଲ-ସନ୍ତାନମାନଙ୍କ ମଧ୍ୟରେ ତାଙ୍କଠାରୁ ଅଧିକ ସୁନ୍ଦର ପୁରୁଷ ନ ଥିଲେ ; ସେ ସମସ୍ତ ଲୋକଙ୍କ ଅପେକ୍ଷା ସ୍କନ୍ଧରୁ ଉର୍ଦ୍ଧ୍ୱକୁ ଉଚ୍ଚ ଥିଲେ ।

3ଏକ ସମୟରେ ଶାଉଲଙ୍କ ପିତା କୀଶ୍‍ର ଗଧସବୁ ହଜିଲେ । ତହିଁରେ କୀଶ୍‍ ଆପଣା ପୁତ୍ର ଶାଉଲଙ୍କୁ କହିଲା, ତୁମ୍ଭେ ଯୁବାମାନଙ୍କ ମଧ୍ୟରୁ ଜଣକୁ ସଙ୍ଗେ ନେଇ ଗଧ ଖୋଜିବାକୁ ଉଠି ଯାଅ ।

4ତେଣୁ ସେ ଇଫ୍ରୟିମ ପର୍ବତମୟ ଦେଶ ଦେଇ ଗଲେ, ତହୁଁ ଶାଲିଶା ପ୍ରଦେଶ ଦେଇ ଗଲେ, ମାତ୍ର ସେମାନେ ସେମାନଙ୍କୁ ପାଇଲେ ନାହିଁ ; ତେବେ ସେମାନେ ଶାଲୀମ୍‍ ପ୍ରଦେଶ ଦେଇ ଗଲେ, ପୁଣି, ସେଠାରେ ଗଧମାନେ ନ ଥିଲେ ; ତହିଁ ଉତ୍ତାରୁ ସେ ବିନ୍ୟାମୀନ ପ୍ରଦେଶ ଦେଇ ଗଲେ, ମାତ୍ର ସେଠାରେ ସେମାନଙ୍କୁ ପାଇଲେ ନାହିଁ ।

5ଯେତେବେଳେ ସେମାନେ ସୂଫ ପ୍ରଦେଶରେ ଉପସ୍ଥିତ ହେଲେ, ସେତେବେଳେ ଶାଉଲ ଆପଣା ସଙ୍ଗୀ ଯୁବାକୁ କହିଲେ, ଆସ ଆମ୍ଭେମାନେ ଫେରି ଯାଉ; ନୋହିଲେ ମୋହର ପିତା ଗଧମାନଙ୍କ ବିଷୟରେ ଚିନ୍ତା କରିବା ଛାଡ଼ି ଆମ୍ଭମାନଙ୍କ ବିଷୟରେ ଚିନ୍ତା କରିବେ ।

6ତହିଁରେ ସେ ତାଙ୍କୁ କହିଲା, ଦେଖ, ଏହି ନଗରରେ ପରମେଶ୍ୱରଙ୍କର ଏକ ଲୋକ ଅଛନ୍ତି, ସେ ଅତି ମାନ୍ୟଗଣ୍ୟ ଲୋକ ; ସେ ଯାହାସବୁ କହନ୍ତି, ନିଶ୍ଚୟ ସଫଳ ହୁଏ ; ଆସ, ଆମ୍ଭେମାନେ ସେଠାକୁ ଯାଉ; ହୋଇପାରେ, ଆମ୍ଭେମାନେ ଯେଉଁ ଯାତ୍ରା କରୁଅଛୁ, ସେ ବିଷୟ ସେ ଆମ୍ଭମାନଙ୍କୁ ଜଣାଇ ପାରିବେ ।

7ତେବେ ଶାଉଲ ଆପଣା ଯୁବାକୁ କହିଲେ, ମାତ୍ର ଦେଖ, ଆମ୍ଭେମାନେ ଗଲେ, ସେ ଲୋକଙ୍କ ନିକଟକୁ କଅଣ ନେବା ? କାରଣ ଆମ୍ଭମାନଙ୍କ ପାତ୍ରରୁ ଖାଦ୍ୟସାମଗ୍ରୀ ସରିଲାଣି, ପରମେଶ୍ୱରଙ୍କ ଲୋକଙ୍କ ନିକଟକୁ ନେବା ପାଇଁ କୌଣସି ଦର୍ଶନୀ ନାହିଁ ; ଆମ୍ଭମାନଙ୍କ ପାଖରେ କଅଣ ଅଛି ?

8ତହିଁରେ ସେହି ଯୁବା ଶାଉଲଙ୍କୁ ପୁନର୍ବାର ଉତ୍ତର ଦେଇ କହିଲା, ଦେଖ, ଆମ୍ଭ ହାତରେ ଏକ ଶେକଲ ରୂପାର ଚତୁର୍ଥାଂଶ ଅଛି ; ଆମ୍ଭମାନଙ୍କ ଯାତ୍ରା ବିଷୟ ଆମ୍ଭମାନଙ୍କୁ ଜଣାଇବା ପାଇଁ ଆମ୍ଭେ ପରମେଶ୍ୱରଙ୍କ ଲୋକଙ୍କୁ ତାହା ଦେବା ।

9(ପୂର୍ବକାଳେ ଇସ୍ରାଏଲ ମଧ୍ୟରେ କାହାରି ପରମେଶ୍ୱରଙ୍କ ନିକଟରେ ପଚାରିବା ପାଇଁ ଯିବାର ହେଲେ, ସେ ଏପରି କହେ, ଆସ, ଆମ୍ଭେମାନେ ଦର୍ଶକ ନିକଟକୁ ଯାଉ ; କାରଣ, ବର୍ତ୍ତମାନ ଯାହାକୁ ଭବିଷ୍ୟଦ୍‍ବକ୍ତା କହନ୍ତି, ପୂର୍ବକାଳରେ ତାହାକୁ ଦର୍ଶକ କହୁଥିଲେ)।

10ଏହେତୁ ଶାଉଲ ଆପଣା ଯୁବାକୁ କହିଲେ, ଭଲ କହିଲ; ଆସ, ଆମ୍ଭେମାନେ ଯାଉ । ତହିଁରେ ପରମେଶ୍ୱରଙ୍କ ଲୋକ ଯେଉଁ ନଗରରେ ଥିଲେ, ସେଠାକୁ ସେମାନେ ଗଲେ ।

11ସେମାନେ ନଗରକୁ ଯିବା ଉଠାଣି ପଥରେ ଗଲା ବେଳେ ଜଳ କାଢ଼ିବା ପାଇଁ ବାହାରକୁ ଯିବା କେତେକ ଯୁବତୀଙ୍କି ଦେଖି ପଚାରିଲେ, ଏଠାରେ ଦର୍ଶକ ଅଛନ୍ତି କି ?

12ତହିଁରେ ସେମାନେ ଉତ୍ତର ଦେଇ କହିଲେ, ଅଛନ୍ତି ; ଦେଖ, ସେ ତୁମ୍ଭ ଆଗରେ ଅଛନ୍ତି ; ଶୀଘ୍ର ଯାଅ, କାରଣ ସେ ଆଜି ନଗରକୁ ଆସିଅଛନ୍ତି ; ଆଜି ଉଚ୍ଚସ୍ଥଳୀରେ ଲୋକମାନଙ୍କର ଏକ ବଳିଦାନ ଅଛି;

13ସେ ଭୋଜନ କରିବା ପାଇଁ ଉଚ୍ଚସ୍ଥଳୀକି ଯିବା ପୂର୍ବେ ତୁମ୍ଭେମାନେ ନଗରରେ ପହଞ୍ଚିଲେ, ସେହିକ୍ଷଣି ତାଙ୍କୁ ଦେଖିବ ; କାରଣ, ସେ ନ ଆସିବା ଯାଏ ଲୋକମାନେ ଭୋଜନ କରିବେ ନାହିଁ, ଯେହେତୁ ସେ ବଳିକି ଆଶୀର୍ବାଦ କଲା ଉତ୍ତାରେ ନିମନ୍ତ୍ରିତ ଲୋକମାନେ ଭୋଜନ କରନ୍ତି । ଏଣୁ ତୁମ୍ଭେମାନେ ଏହିକ୍ଷଣି ଉଠିଯାଅ, ଏତେବେଳେ ତୁମ୍ଭେମାନେ ତାଙ୍କୁ ପାଇବ ।

14ତହୁଁ ସେମାନେ ନଗରକୁ ଉଠିଗଲେ ; ନଗର ମଧ୍ୟରେ ଉପସ୍ଥିତ ହେବା ମାତ୍ରେ, ଦେଖ, ଉଚ୍ଚସ୍ଥଳୀକି ଯିବା ପାଇଁ ଶାମୁୟେଲ ବାହାରି ଆସି ସେମାନଙ୍କ ନିକଟରେ ଉପସ୍ଥିତ ହେଲେ ।

15ଶାଉଲ ଆସିବାର ଦିନକ ପୂର୍ବେ ସଦାପ୍ରଭୁ ଶାମୁୟେଲଙ୍କ କର୍ଣ୍ଣରେ ଏହି କଥା କହିଥିଲେ,

16କାଲି ପ୍ରାୟ ଏହି ସମୟରେ ଆମ୍ଭେ ବିନ୍ୟାମୀନ ପ୍ରଦେଶରୁ ତୁମ୍ଭ ନିକଟକୁ ଜଣେ ଲୋକ ପଠାଇବା, ଆଉ ତୁମ୍ଭେ ତାହାକୁ ଆମ୍ଭ ଇସ୍ରାଏଲ-ଲୋକଙ୍କ ଉପରେ ଅଗ୍ରଣୀ କରି ଅଭିଷିକ୍ତ କରିବ ଓ ସେ ଆମ୍ଭ ଲୋକମାନଙ୍କୁ ପଲେଷ୍ଟୀୟମାନଙ୍କ ହସ୍ତରୁ ଉଦ୍ଧାର କରିବ ; କାରଣ ଆମ୍ଭ ଲୋକମାନଙ୍କ କ୍ରନ୍ଦନ ଆମ୍ଭ କର୍ଣ୍ଣଗୋଚର ହେବାରୁ ଆମ୍ଭେ ସେମାନଙ୍କ ପ୍ରତି ଦୃଷ୍ଟିପାତ କଲୁ ।

17ଏଥିରେ ଶାମୁୟେଲ ଶାଉଲଙ୍କୁ ଦେଖନ୍ତେ, ସଦାପ୍ରଭୁ ତାଙ୍କୁ କହିଲେ, ଯାହା ବିଷୟରେ ଆମ୍ଭେ ତୁମ୍ଭକୁ କହିଥିଲୁ, ସେହି ବ୍ୟକ୍ତିକି ଦେଖ ! ସେ ଆମ୍ଭ ଲୋକମାନଙ୍କ ଉପରେ ଶାସନ କରିବ ।

18ସେତେବେଳେ ଶାଉଲ ନଗରଦ୍ୱାର ଭିତରେ ଶାମୁୟେଲଙ୍କର ନିକଟବର୍ତ୍ତୀ ହୋଇ କହିଲେ, ବିନୟ କରୁଅଛି, ଦର୍ଶକର ଗୃହ କେଉଁଠାରେ, ମୋତେ କୁହ ।

19ତହିଁରେ ଶାମୁୟେଲ ଶାଉଲଙ୍କୁ ଉତ୍ତର ଦେଇ କହିଲେ, ମୁଁ ସେହି ଦର୍ଶକ ; ସେ ଉଚ୍ଚସ୍ଥଳୀକି ମୋହର ଆଗେ ଯାଅ, କାରଣ ତୁମ୍ଭେମାନେ ଆଜି ମୋହର ସଙ୍ଗେ ଭୋଜନ କରିବ ; ଆଉ ସକାଳେ ମୁଁ ତୁମ୍ଭକୁ ବିଦାୟ କରିବି ଓ ତୁମ୍ଭ ମନରେ ଯେସବୁ କଥା ଅଛି, ତାହା ସବୁ ତୁମ୍ଭକୁ ଜଣାଇବି ।

20ପୁଣି, ତିନି ଦିନ ହେଲା ତୁମ୍ଭର ଯେଉଁସବୁ ଗଧ ହଜିଛନ୍ତି ; ସେମାନଙ୍କଠାରେ ମନ ଦିଅ ନାହିଁ ; କାରଣ ସେମାନେ ମିଳିଲେଣି । ପୁଣି, ଇସ୍ରାଏଲ ମଧ୍ୟରେ ସମସ୍ତ ବାଞ୍ଛନୀୟ ବିଷୟ କାହା ପାଇଁ ? ତାହା କି ତୁମ୍ଭ ନିମନ୍ତେ ଓ ତୁମ୍ଭର ସମସ୍ତ ପିତୃଗୃହ ନିମନ୍ତେ ନୁହେଁ ?

21ତହୁଁ ଶାଉଲ ଉତ୍ତର କରି କହିଲେ, ମୁଁ କି ଇସ୍ରାଏଲ- ବଂଶସମୂହ ମଧ୍ୟରେ କ୍ଷୁଦ୍ରତମ ବିନ୍ୟାମୀନ ବଂଶୀୟ ନୁହେଁ ? ଆଉ ବିନ୍ୟାମୀନ ବଂଶୀୟ ସମସ୍ତ ପରିବାର ମଧ୍ୟରେ ମୋର ପରିବାର କି କ୍ଷୁଦ୍ରତମ ନୁହେଁ ? ତେବେ ତୁମ୍ଭେ ମୋତେ ଏପ୍ରକାର କଥା କିହେତୁ କହୁଅଛ ?

22ଏଥିରେ ଶାମୁୟେଲ ଶାଉଲଙ୍କୁ ଓ ତାଙ୍କର ଯୁବାକୁ ନେଇ ଭୋଜନଶାଳାକୁ ଗଲେ ଓ ଊଣାଧିକ ତିରିଶ ନିମନ୍ତ୍ରିତ ଲୋକଙ୍କ ମଧ୍ୟରେ ସେମାନଙ୍କୁ ସର୍ବୋତ୍ତମ ସ୍ଥାନରେ ବସାଇଲେ ।

23ଏଉତ୍ତାରେ ଶାମୁୟେଲ ପାଚକକୁ କହିଲେ, ମୁଁ ତୁମ୍ଭକୁ ଯେଉଁ ଅଂଶ ଦେଇ ଆପଣା ନିକଟରେ ରଖିଥାଅ ବୋଲି କହିଥିଲି, ତାହା ଆଣ ।

24ତହିଁରେ ପାଚକ ଚଟୁଆ ଓ ତହିଁ ଉପରେ ଯାହା ଥିଲା, ତାହା ଆଣି ଶାଉଲଙ୍କ ଆଗରେ ଥୋଇଲା । ତହୁଁ ଶାମୁୟେଲ କହିଲେ, ଦେଖ ! ଏହା ରଖାଯାଇଥିଲା, ଆପଣା ଆଗରେ ରଖି ଭୋଜନ କର ; ଯେହେତୁ ନିରୂପିତ ସମୟ ଅପେକ୍ଷାରେ ଏହା ତୁମ୍ଭ ପାଇଁ ରଖାଯାଇଅଛି, କାରଣ ମୁଁ ଲୋକମାନଙ୍କୁ ନିମନ୍ତ୍ରଣ କରିଅଛି ବୋଲି କହିଥିଲି । ତହିଁରେ ସେହି ଦିନ ଶାଉଲ ଶାମୁୟେଲଙ୍କ ସଙ୍ଗେ ଭୋଜନ କଲେ ।

25ତହୁଁ ସେମାନେ ଉଚ୍ଚସ୍ଥଳୀରୁ ଓହ୍ଲାଇ ନଗରକୁ ଆସନ୍ତେ, ଶାମୁୟେଲ ଗୃହଛାତ ଉପରେ ଶାଉଲଙ୍କ ସଙ୍ଗେ ଆଳାପ କଲେ ।

26ଏଉତ୍ତାରେ ସେମାନେ ଅତି ପ୍ରଭାତରେ ଉଠିଲେ ; ପୁଣି, ପ୍ରାୟ ଦିବସ-ପ୍ରକାଶ ସମୟରେ ଶାମୁୟେଲ ଗୃହଛାତ ଉପରେ ଶାଉଲଙ୍କୁ ଡାକି କହିଲେ, ଉଠ, ମୁଁ ତୁମ୍ଭଙ୍କୁ ବିଦାୟ କରିବି । ତହିଁରେ ଶାଉଲ ଉଠିଲେ, ପୁଣି, ସେ ଓ ଶାମୁୟେଲ ଦୁହେଁ ବାହାରକୁ ଗଲେ ।

27ଆଉ ସେମାନେ ନଗର-ପ୍ରାନ୍ତରେ ହେବା ବେଳେ ଶାମୁୟେଲ ଶାଉଲଙ୍କୁ କହିଲେ, ଏହି ଯୁବାକୁ ଆମ୍ଭମାନଙ୍କ ଆଗେ ଯିବାକୁ କୁହ ; (ତହୁଁ ସେ ଆଗେ ଗଲା) ; ମାତ୍ର ତୁମ୍ଭେ ବର୍ତ୍ତମାନ ଠିଆ ହୁଅ, ଆମ୍ଭେ ତୁମ୍ଭକୁ ପରମେଶ୍ୱରଙ୍କ ବାକ୍ୟ ଶୁଣାଇବା ।


  Share Facebook  |  Share Twitter

 <<  1 Samuel 9 >> 


Bible2india.com
© 2010-2024
Help
Dual Panel

Laporan Masalah/Saran