Bible 2 India Mobile
[VER] : [ODIYA]     [PL]  [PB] 
 <<  John 2 >> 

1ତୃତୀୟ ଦିବସରେ ଗାଲିଲୀର କାନାରେ ଗୋଟିଏ ବିବାହ ହେଲା, ଆଉ ଯୀଶୁଙ୍କ ମାତା ସେଠାରେ ଥିଲେ;

2ଯୀଶୁ ମଧ୍ୟ ଆପଣା ଶିଷ୍ୟମାନଙ୍କ ସହିତ ସେହି ବିବାହକୁ ନିମନ୍ତ୍ରିତ ହେଲେ ।

3ପରେ ଦ୍ରାକ୍ଷାରସ ସରିଯିବାରୁ ଯୀଶୁଙ୍କ ମାତା ତାହାଙ୍କୁ କହିଲେ, ସେମାନଙ୍କର ଦ୍ରାକ୍ଷାରସ ନାହିଁ ।

4ସେଥିରେ ଯୀଶୁ ତାଙ୍କୁ କହିଲେ, ଗୋ ନାରୀ, ମୋତେ କାହିଁକି ଏଥିରେ ଜଡ଼ିତ କରୁଅଛ ? ମୋହର ସମୟ ଏପର୍ଯ୍ୟନ୍ତ ଉପସ୍ଥିତ ହୋଇ ନାହିଁ ।

5ତାହାଙ୍କ ମାତା ପରିଚାରକମାନଙ୍କୁ କହିଲେ, ସେ ତୁମ୍ଭମାନଙ୍କୁ ଯାହା କିଛି କହନ୍ତି, ତାହା କର ।

6ଆଉ, ସେଠାରେ ଯିହୂଦୀମାନଙ୍କ ଶୁଚିକରଣ ରୀତି ଅନୁସାରେ ଦୁଇ ବା ତିନି ମହଣିଆ ଛଅଗୋଟା ପଥର ଜାହାଲା ରଖାଯାଇଥିଲା ।

7ଯୀଶୁ ସେମାନଙ୍କୁ କହିଲେ, ଜାହାଲାଗୁଡ଼ିକ ପାଣିରେ ଭର୍ତ୍ତି କର । ସେଥିରେ ସେମାନେ ସେହି ସବୁ ଫନ୍ଦ ପର୍ଯ୍ୟନ୍ତ ଭର୍ତ୍ତି କଲେ ।

8ଆଉ, ସେ ସେମାନଙ୍କୁ କହିଲେ, ଏବେ କାଢ଼ିନେଇ ଭୋଜର ଅଧ୍ୟକ୍ଷଙ୍କ ନିକଟକୁ ଘେନିଯାଅ । ସେଥିରେ ସେମାନେ ଘେନିଗଲେ ।

9ଭୋଜର ଅଧ୍ୟକ୍ଷ ଦ୍ରାକ୍ଷାରସ ହୋଇଥିବା ସେହି ପାଣିକୁ ଚାଖି ତାହା କେଉଁଠାରୁ ଆସିଲା, ଏହା ଜାଣି ନ ଥିବାରୁ (କିନ୍ତୁ ଯେଉଁ ପରିଚାରକମାନେ ପାଣି କାଢ଼ିଥିଲେ, ସେମାନେ ଜାଣିଥିଲେ) ବରଙ୍କୁ ଡାକି କହିଲେ,

10ସମସ୍ତେ ପ୍ରଥମରେ ଭଲ ଦ୍ରାକ୍ଷାରସ ଦେଇଥାଆନ୍ତି, ଆଉ ଲୋକେ ମାତାଲ ହେଲା ଉତ୍ତାରେ ମନ୍ଦ ଦିଅନ୍ତି; ତୁମ୍ଭେ ଏପର୍ଯ୍ୟନ୍ତ ଭଲ ଦ୍ରାକ୍ଷାରସ ରଖିଅଛ ।

11ଯୀଶୁ ଏହି ପ୍ରକାରେ ଗାଲିଲୀର କାନ୍ନାରେ ଆଶ୍ଚର୍ଯ୍ୟକର୍ମ ଆରମ୍ଭ କରି ଆପଣା ମହିମା ପ୍ରକାଶ କଲେ, ଆଉ ତାହାଙ୍କ ଶିଷ୍ୟମାନେ ତାହାଙ୍କଠାରେ ବିଶ୍ୱାସ କଲେ ।

12ଏଥିଉତ୍ତାରେ ସେ ଆପଣା ମାତା, ଭାଇବୃନ୍ଦ ଓ ଶିଷ୍ୟମାନଙ୍କ ସହିତ କଫର୍ନାହୂମକୁ ଗଲେ; ପୁଣି, ସେମାନେ ସେଠାରେ ଅଧିକ ଦିନ ରହିଲେ ନାହିଁ ।

13ସେତେବେଳେ ଯିହୂଦୀମାନଙ୍କର ନିସ୍ତାର ପର୍ବ ସନ୍ନିକଟ ହୋଇଥିଲା, ଆଉ ଯୀଶୁ ଯିରୂଶାଲମକୁ ଗଲେ ।

14ପୁଣି, ସେ ମନ୍ଦିରରେ ଗୋରୁ, ମେଣ୍ଢା ଓ କାପ୍ତା ବ୍ୟବସାୟୀମାନଙ୍କୁ ଆଉ ମୁଦ୍ରା ବ୍ୟବସାୟୀମାନଙ୍କୁ ବସିଥିବା ଦେଖି ଦଉଡ଼ିରେ ଗୋଟିଏ କୋରଡ଼ା ବନାଇ ମେଣ୍ଢା ଓ ଗୋରୁ ସହିତ ସମସ୍ତଙ୍କୁ ମନ୍ଦିରରୁ ବାହାର କରିଦେଲେ;

15ପୁଣି, ମୁଦ୍ରା ବ୍ୟବସାୟୀମାନଙ୍କର ମୁଦ୍ରାସବୁ ବିଞ୍ଚିଦେଇ ସେମାନଙ୍କ ମେଜଗୁଡ଼ାକ ଓଲଟାଇ ପକାଇଲେ;

16ଆଉ, ସେ କାପ୍ତା ବ୍ୟବସାୟୀମାନଙ୍କୁ କହିଲେ, ଏଗୁଡ଼ାକ ଏଠାରୁ ଘେନିଯାଅ, ମୋହର ପିତାଙ୍କର ଗୃହକୁ ବାଣିଜ୍ୟର ଗୃହ କର ନାହିଁ ।

17ତୁମ୍ଭ ଗୃହ ନିମନ୍ତେ ଉଦ୍‍ଯୋଗ ମୋତେ ଗ୍ରାସ କରିବ, ଏହା ଲେଖା ଅଛି ବୋଲି ତାହାଙ୍କ ଶିଷ୍ୟମାନଙ୍କର ମନରେ ପଡ଼ିଲା ।

18ସେଥିରେ ଯିହୂଦୀମାନେ ତାହାଙ୍କୁ ଉତ୍ତର ଦେଲେ, ତୁମ୍ଭେ ଯେ ଏ ସମସ୍ତ କରିବାକୁ ଅଧିକାର ପାଇଅଛ, ଆମ୍ଭମାନଙ୍କୁ ସେଥିର କି ଚିହ୍ନ ଦେଖାଉଅଛ ?

19ଯୀଶୁ ସେମାନଙ୍କୁ ଉତ୍ତର ଦେଲେ, ତୁମ୍ଭେମାନେ ଏହି ମନ୍ଦିରକୁ ବିନାଶ କର, ଆଉ ତିନି ଦିନ ମଧ୍ୟରେ ମୁଁ ତାହା ତୋଳି ଦେବି ।

20ସେଥିରେ ଯିହୂଦୀମାନେ କହିଲେ, ଏହି ମନ୍ଦିର ନିର୍ମାଣ କରିବା ନିମନ୍ତେ ଛୟାଳିଶ ବର୍ଷ ଲାଗିଅଛି; ଆଉ ତୁମ୍ଭେ କ'ଣ ତାହାକୁ ତିନି ଦିନରେ ତୋଳି ଦେବ ?

21କିନ୍ତୁ ସେ ଆପଣା ଶରୀରରୂପ ମନ୍ଦିର ସମ୍ବନ୍ଧରେ କହୁଥିଲେ ।

22ଏଣୁ ସେ ମୃତମାନଙ୍କ ମଧ୍ୟରୁ ଉତ୍ଥିତ ହେଲା ଉତ୍ତାରେ ତାହାଙ୍କ ଶିଷ୍ୟମାନେ ସେ ଏହା କହିଥିଲେ ବୋଲି ସ୍ମରଣ କଲେ; ପୁଣି, ସେମାନେ ଧର୍ମଶାସ୍ତ୍ର ଓ ଯୀଶୁଙ୍କ କଥିତ ବାକ୍ୟ ବିଶ୍ୱାସ କଲେ ।

23ନିସ୍ତାର ପର୍ବର ଉତ୍ସବ ସମୟରେ ସେ ଯିରୂଶାଲମରେ ଥିବା ସମୟରେ ଅନେକେ ତାହାଙ୍କ ସାଧିତ ଆଶ୍ଚର୍ଯ୍ୟ କର୍ମଗୁଡ଼ିକ ଦେଖି ତାହାଙ୍କ ନାମରେ ବିଶ୍ୱାସ କଲେ,

24କିନ୍ତୁ ଯୀଶୁ ସେମାନଙ୍କୁ ବିଶ୍ୱାସ ନ କରି ସେମାନଙ୍କଠାରୁ ଆପଣାକୁ ପୃଥକ୍‍ ରଖିଲେ, କାରଣ ସେ ସମସ୍ତଙ୍କୁ ଜାଣୁଥିଲେ,

25ପୁଣି, କେହି ଯେ ମନୁଷ୍ୟ ବିଷୟରେ ସାକ୍ଷ୍ୟ ଦେବ, ଏହା ତାହାଙ୍କର ପ୍ରୟୋଜନ ନ ଥିଲା, ଯେଣୁ ମନୁଷ୍ୟ ଅନ୍ତରରେ କ'ଣ ଅଛି, ତାହା ସେ ଆପେ ଜାଣୁଥିଲେ ।



 <<  John 2 >> 


Bible2india.com
© 2010-2024
Help
Single Panel

Laporan Masalah/Saran