Bible 2 India Mobile
[VER] : [ODIYA]     [PL]  [PB] 
 <<  Isaiah 24 >> 

1ଦେଖ, ସଦାପ୍ରଭୁ ପୃଥିବୀକୁ ଶୂନ୍ୟ ଓ ଉଜାଡ଼ କରୁଅଛନ୍ତି, ଆଉ ତାହା ଓଲଟାଇ ତହିଁର ନିବାସୀମାନଙ୍କୁ ଛିନ୍ନଭିନ୍ନ କରୁଅଛନ୍ତି ।

2ତହିଁରେ ଯେପରି ଲୋକମାନଙ୍କର, ସେପରି ଯାଜକର; ଯେପରି ଦାସର, ସେପରି ତାହାର କର୍ତ୍ତାର; ଯେପରି ଦାସୀର, ସେପରି ତାହାର କର୍ତ୍ତ୍ରୀର; ଯେପରି କ୍ରୟକାରୀର, ସେପରି ବିକ୍ରୟକାରୀର; ଯେପରି ମହାଜନର, ସେପରି ଖାତକର; ଯେପରି ସୁଧଗ୍ରାହୀର, ସେପରି ସୁଧଦାତାର ପ୍ରତି ଘଟିବ ।

3ପୃଥିବୀ ସମ୍ପୂର୍ଣ୍ଣ ରୂପେ ଶୂନ୍ୟ ଓ ସମ୍ପୂର୍ଣ୍ଣ ରୂପେ ଲୁଟିତିତ ହେବ; କାରଣ ସଦାପ୍ରଭୁ ଏହି କଥା କହିଅଛନ୍ତି ।

4ପୃଥିବୀ ଶୋକ କରି ନିସ୍ତେଜ ହେଉଅଛି, ଜଗତ ମ୍ଳାନ ହୋଇ ନିସ୍ତେଜ ହେଉଅଛି, ପୃଥିବୀର ଉଚ୍ଚ ଲୋକମାନେ ମ୍ଳାନ ହୁଅନ୍ତି ।

5ପୃଥିବୀ ତନ୍ନିବାସୀମାନଙ୍କ ପଦ ତଳେ ଅପବିତ୍ର ହୋଇଅଛି, କାରଣ ସେମାନେ ବ୍ୟବସ୍ଥାସବୁ ଲଙ୍ଘନ କରିଅଛନ୍ତି, ବିଧି ଅନ୍ୟଥା କରିଅଛନ୍ତି, ଅନନ୍ତକାଳସ୍ଥାୟୀ ନିୟମ ଭାଙ୍ଗିଅଛନ୍ତି ।

6ଏହେତୁ ଅଭିଶାପ ପୃଥିବୀକୁ ଗ୍ରାସ କରିଅଛି ଓ ତନ୍ନିବାସୀଗଣ ଅପରାଧୀ ହୋଇଅଛନ୍ତି; ତହିଁ ନିମନ୍ତେ ପୃଥିବୀ ନିବାସୀମାନେ ଦଗ୍ଧ ହୋଇଅଛନ୍ତି ଓ ଅଳ୍ପ ଲୋକ ଅବଶିଷ୍ଟ ଅଛନ୍ତି ।

7ନୂତନ ଦ୍ରାକ୍ଷାରସ ଶୋକ କରୁଅଛି, ଦ୍ରାକ୍ଷାଲତା ମ୍ଳାନ ହେଉଅଛି, ପ୍ରଫୁଲ୍ଲଚିତ୍ତ ସମସ୍ତେ ଦୀର୍ଘ ନିଶ୍ୱାସ ଛାଡ଼ୁଅଛନ୍ତି ।

8ତବଲାର ଆମୋଦ ନିବୃତ୍ତ ହେଉଅଛି, ଉଲ୍ଲାସକାରୀମାନଙ୍କର ଧ୍ୱନି ଶେଷ ହେଉଅଛି, ବୀଣାର ଆନନ୍ଦ ନିବୃତ୍ତ ହେଉଅଛି ।

9ଲୋକମାନେ ଗାନ ସହକାରେ ଦ୍ରାକ୍ଷାରସ ପାନ କରିବେ ନାହିଁ; ସୁରାପାୟୀମାନଙ୍କୁ ସୁରା ତିକ୍ତ ଲାଗିବ ।

10ନିର୍ଜନ ନଗର ଭଗ୍ନ ହୋଇଅଛି; କୌଣସି ମନୁଷ୍ୟ ଯେପରି ଭିତରକୁ ଯାଇ ନ ପାରିବ, ଏଥିପାଇଁ ପ୍ରତ୍ୟେକ ଗୃହ ରୁଦ୍ଧ ହୋଇଅଛି ।

11ଦ୍ରାକ୍ଷାରସ ସକାଶେ ସଡ଼କରେ ଚିତ୍କାର ହୁଏ; ସବୁ ପ୍ରକାର ଆନନ୍ଦ ଅନ୍ଧକାରାଚ୍ଛନ୍ନ ହୋଇଅଛି, ଦେଶର ଆମୋଦ ଯାଇଅଛି ।

12ନଗରରେ ଧ୍ୱଂସତା ମାତ୍ର ଅବଶିଷ୍ଟ ଥାଏ ଓ ଦ୍ୱାର ଭଗ୍ନ ହୋଇ ବିନଷ୍ଟ ହୋଇଅଛି ।

13କାରଣ ଯେପରି ଜୀତବୃକ୍ଷ ଝାଡ଼ିବା ବେଳେ ହୁଏ ଓ ଦ୍ରାକ୍ଷାଫଳ ସଂଗ୍ରହ ଉତ୍ତାରେ ଯେପରି ଦ୍ରାକ୍ଷା ସାଉଁଟିବାର ହୁଏ, ସେପରି ପୃଥିବୀସ୍ଥ ଗୋଷ୍ଠୀୟମାନଙ୍କ ମଧ୍ୟରେ ଘଟିବ ।

14ଏମାନେ ଉଚ୍ଚ ରବ କରିବେ, ଏମାନେ ଆନନ୍ଦଧ୍ୱନି କରିବେ; ସଦାପ୍ରଭୁଙ୍କର ମହିମା ହେତୁରୁ ସେମାନେ ସମୁଦ୍ରରୁ ଉଚ୍ଚ ଧ୍ୱନି କରିବେ ।

15ଏହେତୁ ତୁମ୍ଭେମାନେ ପୂର୍ବଦେଶରେ ସଦାପ୍ରଭୁଙ୍କର, ଅର୍ଥାତ୍‍, ଇସ୍ରାଏଲର ପରମେଶ୍ୱର ସଦାପ୍ରଭୁଙ୍କ ନାମର ଗୌରବ ସମୁଦ୍ରର ଦ୍ୱୀପସମୂହରେ ପ୍ରକାଶ କର ।

16ଧାର୍ମିକମାନେ ଶୋଭା ପାଆନ୍ତି, ଏହି ଗାନ ଆମ୍ଭେମାନେ ପୃଥିବୀର ପ୍ରାନ୍ତ ସୀମାରୁ ଶୁଣିଅଛୁ । ମାତ୍ର ମୁଁ କହିଲି, "ମୁଁ କ୍ଷୀଣ ହେଉଅଛି, ମୁଁ କ୍ଷୀଣ ହେଉଅଛି ! ମୁଁ ସନ୍ତାପର ପାତ୍ର !" ବିଶ୍ୱାସଘାତକମାନେ ବିଶ୍ୱାସଘାତକତା କରିଅଛନ୍ତି; ହଁ, ବିଶ୍ୱାସଘାତକମାନେ ଅତିଶୟ ବିଶ୍ୱାସଘାତକତା କରିଅଛନ୍ତି ।"

17ହେ ପୃଥିବୀନିବାସୀ ଲୋକ, ତୁମ୍ଭ ନିମନ୍ତେ ଭୟ, ଗର୍ତ୍ତ ଓ ଫାନ୍ଦ ପ୍ରସ୍ତୁତ ଅଛି ।

18ଆଉ, ଏପରି ଘଟିବ, କେହି ଯଦି ଭୟର ଶବ୍ଦରୁ ପଳାଏ, ସେ ଗର୍ତ୍ତରେ ପଡ଼ିବ; କେହି ଗର୍ତ୍ତ ମଧ୍ୟରୁ ଉଠି ଆସିଲେ, ସେ ଫାନ୍ଦରେ ଧରା ଯିବ; କାରଣ ଉର୍ଦ୍ଧ୍ୱସ୍ଥ ଝରକାସବୁ ମୁକ୍ତ ଅଛି ଓ ପୃଥିବୀର ମୂଳସବୁ କମ୍ପମାନ ହେଉଅଛି ।

19ପୃଥିବୀ ନିତାନ୍ତ ବିଦୀର୍ଣ୍ଣ ହେଉଅଛି, ପୃଥିବୀ ନିତାନ୍ତ ତରଳି ଯାଇଅଛି, ପୃଥିବୀ ଅତିଶୟ ବିଚଳିତ ହୋଇଅଛି ।

20ପୃଥିବୀ ମତ୍ତ ଲୋକ ପରି ଟଳଟଳ ହେବ ଓ କୁଡ଼ିଆ ଘର ପରି ଏଣେତେଣେ ଦୋହଲିବ; ଆଉ, ତାହାର ଅପରାଧ ତାହା ଉପରେ ଭାରୀ ହେବ, ତହିଁରେ ସେ ପଡ଼ିବ, ଆଉ ଉଠିବ ନାହିଁ ।

21ପୁଣି, ସେଦିନ ସଦାପ୍ରଭୁ ଉର୍ଦ୍ଧ୍ୱରେ ଉର୍ଦ୍ଧ୍ୱସ୍ଥମାନଙ୍କର ସୈନ୍ୟସାମନ୍ତକୁ ଓ ଭୂମଣ୍ଡଳରେ ଭୂମଣ୍ଡଳସ୍ଥ ରାଜାଗଣଙ୍କୁ ପ୍ରତିଫଳ ଦେବେ ।

22ତହିଁରେ ଯେପରି ବନ୍ଦୀମାନେ କୂପରେ ଏକତ୍ରୀକୃତ ହୁଅନ୍ତି, ସେପରି ସେମାନେ ଏକତ୍ରୀକୃତ ହୋଇ ବନ୍ଦୀଗୃହରେ ରୁଦ୍ଧ ହେବେ, ପୁଣି, ଅନେକ ଦିନ ଉତ୍ତାରେ ସେମାନଙ୍କର ତତ୍ତ୍ୱାନୁସନ୍ଧାନ କରାଯିବ ।

23ସେତେବେଳେ ଚନ୍ଦ୍ର ଅପ୍ରସ୍ତୁତ ଓ ସୂର୍ଯ୍ୟ ଲଜ୍ଜିତ ହେବ; କାରଣ ସୈନ୍ୟାଧିପତି ସଦାପ୍ରଭୁ ସିୟୋନ ପର୍ବତରେ, ଯିରୂଶାଲମରେ ଓ ତାହାଙ୍କ ପ୍ରାଚୀନବର୍ଗର ସମ୍ମୁଖରେ ମହାପ୍ରତାପରେ ରାଜତ୍ୱ କରିବେ ।



 <<  Isaiah 24 >> 


Bible2india.com
© 2010-2024
Help
Single Panel

Laporan Masalah/Saran