Bible 2 India Mobile
[VER] : [ODIYA]     [PL]  [PB] 
 <<  Ecclesiastes 3 >> 

1ସବୁ ବିଷୟର ଉଚିତ୍ ସମୟ ଅଛି ଓ ଆକାଶ ତଳେ ସବୁ ଉଦ୍ଦେଶ୍ୟର ଉଚିତ୍ ସମୟ ଅଛି;

2ଜନ୍ମ ହେବାର ସମୟ ଓ ମରିବାର ସମୟ; ରୋପିବାର ସମୟ, ଯାହା ରୋପିତ ହେଲା, ତାହା ଉପାଡ଼ିବାର ସମୟ;

3ବଧ କରିବାର ସମୟ ଓ ସୁସ୍ଥ କରିବାର ସମୟ; ଭାଙ୍ଗିବାର ସମୟ ଓ ନିର୍ମାଣ କରିବାର ସମୟ,

4ରୋଦନ କରିବାର ସମୟ ଓ ହସିବାର ସମୟ; ବିଳାପ କରିବାର ସମୟ ଓ ନୃତ୍ୟ କରିବାର ସମୟ;

5ପ୍ରସ୍ତର ପକାଇବାର ସମୟ ଓ ପ୍ରସ୍ତର ସଂଗ୍ରହ କରିବାର ସମୟ; ଆଲିଙ୍ଗନ କରିବାର ସମୟ ଓ ଆଲିଙ୍ଗନରୁ ନିବୃତ୍ତ ହେବାର ସମୟ,

6ଅନ୍ଵେଷଣ କରିବାର ସମୟ ଓ ହଜାଇବାର ସମୟ; ରଖିବାର ସମୟ ଓ ପକାଇ ଦେବାର ସମୟ;

7ଚିରିବାର ସମୟ ଓ ସିଲେଇ କରିବାର ସମୟ; ନୀରବ ରହିବାର ସମୟ ଓ କଥା କହିବାର ସମୟ;

8ପ୍ରେମ କରିବାର ସମୟ ଓ ଘୃଣା କରିବାର ସମୟ; ଯୁଦ୍ଧର ସମୟ ଓ ଶାନ୍ତିର ସମୟ ଅଛି ।

9କର୍ମକାରୀ ବ୍ୟକ୍ତିର ଆପଣା ପରିଶ୍ରମରେ କି ଲାଭ ?

10ପରମେଶ୍ୱର ମନୁଷ୍ୟ ସନ୍ତାନଗଣକୁ ବ୍ୟସ୍ତ ହେବା ପାଇଁ ଯେଉଁ କାର୍ଯ୍ୟ ଦେଇଅଛନ୍ତି, ତାହା ମୁଁ ଦେଖିଅଛି ।

11ସେ ପ୍ରତ୍ୟେକ ବିଷୟକୁ ତାହାର ସମୟରେ ଶୋଭିତ କରିଅଛନ୍ତି; ମଧ୍ୟ ସେ ସେମାନଙ୍କ ହୃଦୟରେ ଅନନ୍ତ କାଳ ରଖିଅଛନ୍ତି; ତଥାପି ପରମେଶ୍ୱର ପ୍ରଥମଠାରୁ ଶେଷ ପର୍ଯ୍ୟନ୍ତ ଯେଉଁ କାର୍ଯ୍ୟ କରିଅଛନ୍ତି, ମନୁଷ୍ୟ ତହିଁର ତତ୍ତ୍ୱ ପାଇ ପାରେ ନାହିଁ ।

12ମୁଁ ଜାଣେ ଯେ, ଯାବଜ୍ଜୀବନ ଆନନ୍ଦ ଓ ସୁକର୍ମ କରିବା ଅପେକ୍ଷା ସେମାନଙ୍କର ଆଉ କୌଣସି ମଙ୍ଗଳ ବିଷୟ ନାହିଁ ।

13ଆହୁରି, ପ୍ରତ୍ୟେକ ମନୁଷ୍ୟ ଭୋଜନ ପାନ କରି ଆପଣା ସକଳ ପରିଶ୍ରମରେ ସୁଖଭୋଗ କରିବ, ଏହା ପରମେଶ୍ୱରଙ୍କ ଦାନ ।

14ମୁଁ ଜାଣେ ଯେ, ପରମେଶ୍ୱର ଯାହା କିଛି କରନ୍ତି, ତାହା ଅନନ୍ତକାଳସ୍ଥାୟୀ; ତାହା ବଢ଼ାଯାଇ ନ ପାରେ, କିଅବା ତାହା ଊଣା କରାଯାଇ ନ ପାରେ; ଆଉ ମନୁଷ୍ୟମାନେ ପରମେଶ୍ୱରଙ୍କ ସମ୍ମୁଖରେ ଭୀତ ହେବା ପାଇଁ ସେ ତାହା କରିଅଛନ୍ତି ।

15ଯାହା ଅଛି, ତାହା ଥିଲା; ପୁଣି, ଯାହା ହେବ, ତାହା ହିଁ ଥିଲା; ଆଉ, ଯାହା ଗତ ହୋଇଅଛି, ପରମେଶ୍ୱର ତାହା ପୁନର୍ବାର ଅନ୍ଵେଷଣ କରନ୍ତି ।

16ଆହୁରି, ମୁଁ ସୂର୍ଯ୍ୟ ତଳେ ବିଚାର ସ୍ଥାନରେ ଦେଖିଲି, ସେଠାରେ ଦୁଷ୍ଟତା ଅଛି, ପୁଣି ଧର୍ମସ୍ଥାନରେ ଦେଖିଲି, ସେଠାରେ ହେଁ ଦୁଷ୍ଟତା ଅଛି ।

17ମୁଁ ମନେ ମନେ କହିଲି, “ପରମେଶ୍ୱର ଧାର୍ମିକ ଓ ଦୁଷ୍ଟର ବିଚାର କରିବେ; କାରଣ ପ୍ରତ୍ୟେକ ମନସ୍କାମନା ଓ ପ୍ରତ୍ୟେକ କାର୍ଯ୍ୟ ପାଇଁ ସମୟ ଅଛି ।”

18ମୁଁ ମନେ ମନେ କହିଲି, “ପରମେଶ୍ୱର ଯେପରି ମନୁଷ୍ୟ ସନ୍ତାନମାନଙ୍କୁ ପରୀକ୍ଷା କରିବେ ଓ ସେମାନେ ନିଜେ ଯେ କେବଳ ପଶୁ ତୁଲ୍ୟ, ଏହା ଯେପରି ସେମାନେ ଦେଖିବେ, ଏଥିପାଇଁ ସେମାନଙ୍କ ସକାଶୁ ଏହା ହେଉଅଛି ।”

19କାରଣ ମନୁଷ୍ୟ ସନ୍ତାନଗଣ ପ୍ରତି ଯାହା ଘଟେ, ପଶୁମାନଙ୍କ ପ୍ରତି ତାହା ଘଟେ; ସମସ୍ତଙ୍କ ପ୍ରତି ହିଁ ଏକରୂପ ଘଟଣା ଘଟେ; ଏ ଯେପରି ମରେ, ସେ ସେପରି ମରେ; ପୁଣି, ସମସ୍ତଙ୍କ ପ୍ରାଣ ବାୟୁ ଏକ; ଆଉ, ପଶୁଠାରୁ ମନୁଷ୍ୟର କୌଣସି ପ୍ରାଧାନ୍ୟ ନାହିଁ; କାରଣ ସବୁ ଅସାର ।

20ସମସ୍ତେ ଏକ ସ୍ଥାନକୁ ଯାଆନ୍ତି; ସମସ୍ତେ ଧୂଳିରୁ ଉତ୍ପନ୍ନ ଓ ସମସ୍ତେ ପୁନର୍ବାର ଧୂଳିରେ ଲୀନ ହୁଅନ୍ତି ।

21ମନୁଷ୍ୟର ଆତ୍ମା ଉର୍ଦ୍ଧ୍ୱଗାମୀ ଓ ପଶୁର ଆତ୍ମା ପୃଥିବୀର ଅଧୋଗାମୀ ହୁଏ ବୋଲି କିଏ ଜାଣେ ?

22ଏହେତୁ ମନୁଷ୍ୟ ସ୍ୱକର୍ମରେ ଆନନ୍ଦ କରିବା ଅପେକ୍ଷା ଆଉ ତାହାର କିଛି ଅଧିକ ମଙ୍ଗଳ ନାହିଁ ବୋଲି ମୁଁ ଦେଖିଲି; କାରଣ ଏହା ହିଁ ତାହାର ଅଧିକାର; ଆଉ, ତାହା ପରେ ଯାହା ଘଟିବ, ତାହା ଦେଖିବା ପାଇଁ କିଏ ତାହାକୁ ଫେରାଇ ଆଣି ପାରେ ?



 <<  Ecclesiastes 3 >> 


Bible2india.com
© 2010-2024
Help
Single Panel

Laporan Masalah/Saran