Bible 2 India Mobile
[VER] : [ODIYA]     [PL]  [PB] 
 <<  Psalms 107 >> 

1ସଦାପ୍ରଭୁଙ୍କୁ ଧନ୍ୟବାଦ ଦିଅ; କାରଣ ସେ ମଙ୍ଗଳମୟ; ତାହାଙ୍କ ଦୟା ଅନନ୍ତକାଳସ୍ଥାୟୀ ।

2ସେ ଯେଉଁମାନଙ୍କୁ ବିପକ୍ଷର ହସ୍ତରୁ ମୁକ୍ତ କରିଅଛନ୍ତି ଓ ନାନା ଦେଶରୁ, ପୂର୍ବ ଓ ପଶ୍ଚିମରୁ,

3ଉତ୍ତର ଓ ଦକ୍ଷିଣରୁ ସଂଗ୍ରହ କରିଅଛନ୍ତି, ସଦାପ୍ରଭୁଙ୍କ ସେହି ମୁକ୍ତ ଲୋକମାନେ ତାହା କହନ୍ତୁ ।

4ସେମାନେ ପ୍ରାନ୍ତରରେ ନିର୍ଜ୍ଜନ ପଥରେ ଭ୍ରମଣ କଲେ; ସେମାନେ କୌଣସି ବସତି-ନଗର ପାଇଲେ ନାହିଁ ।

5କ୍ଷୁଧିତ ଓ ତୃଷିତ ହୋଇ ସେମାନଙ୍କର ପ୍ରାଣ ସେମାନଙ୍କ ଅନ୍ତରରେ ମୂର୍ଚ୍ଛିତ ହେଲା ।

6ତେବେ ସେମାନେ ଆପଣାମାନଙ୍କ ସଙ୍କଟ ସମୟରେ ସଦାପ୍ରଭୁଙ୍କ ନିକଟରେ କାକୂକ୍ତି କଲେ, ତହିଁରେ ସେ ସେମାନଙ୍କ ଦୁର୍ଦ୍ଦଶାରୁ ସେମାନଙ୍କୁ ଉଦ୍ଧାର କଲେ ।

7ଆହୁରି, ସେମାନେ ଯେପରି ବସତି-ନଗରକୁ ଯାଇ ପାରିବେ, ଏଥିପାଇଁ ସେ ସେମାନଙ୍କୁ ସଳଖ ପଥରେ ଘେନି ଗଲେ ।

8ଆଃ, ଲୋକମାନେ ସଦାପ୍ରଭୁଙ୍କ ମଙ୍ଗଳଦାନ ଓ ମନୁଷ୍ୟସନ୍ତାନଗଣ ପ୍ରତି ତାହାଙ୍କ ଆଶ୍ଚର୍ଯ୍ୟକ୍ରିୟା ସକାଶୁ ତାହାଙ୍କର ପ୍ରଶଂସା କରନ୍ତୁ ।

9ଯେହେତୁ ସେ ତୃଷିତ ପ୍ରାଣକୁ ପରିତୃପ୍ତ କରନ୍ତି ଓ କ୍ଷୁଧିତ ପ୍ରାଣକୁ ଉତ୍ତମ ଦ୍ରବ୍ୟରେ ପୂର୍ଣ୍ଣ କରନ୍ତି ।

10କେହି କେହି ପରମେଶ୍ୱରଙ୍କ ବାକ୍ୟର ବିରୁଦ୍ଧାଚରଣ ଓ ସର୍ବୋପରିସ୍ଥଙ୍କ ମନ୍ତ୍ରଣା ତୁଚ୍ଛ କରିବା ସକାଶୁ,

11ସେମାନେ ଦୁଃଖ ଓ ଲୌହ ଶୃଙ୍ଖଳରେ ବଦ୍ଧ ହୋଇ ଅନ୍ଧକାରରେ ଓ ମୃତ୍ୟୁଛାୟାରେ ବସିଲେ;

12ସେ ସେମାନଙ୍କ ହୃଦୟକୁ କ୍ଳେଶରେ ଅବନତ କଲେ; ସେମାନେ ପତିତ ହେଲେ ଓ ସାହାଯ୍ୟ କରିବାକୁ କେହି ନ ଥିଲା ।

13ତେବେ ସେମାନେ ଆପଣାମାନଙ୍କ ସଙ୍କଟ ସମୟରେ ସଦାପ୍ରଭୁଙ୍କ ନିକଟରେ କାକୂକ୍ତି କଲେ, ତହିଁରେ ସେ ସେମାନଙ୍କ ଦୁର୍ଦ୍ଦଶାରୁ ସେମାନଙ୍କୁ ତ୍ରାଣ କଲେ ।

14ସେ ଅନ୍ଧକାର ଓ ମୃତ୍ୟୁଛାୟାରୁ ସେମାନଙ୍କୁ ବାହାର କରି ଆଣିଲେ ଓ ସେମାନଙ୍କ ବନ୍ଧନ ଛେଦନ କଲେ ।

15ଆଃ, ଲୋକମାନେ ସଦାପ୍ରଭୁଙ୍କ ମଙ୍ଗଳଦାନ ଓ ମନୁଷ୍ୟ-ସନ୍ତାନଗଣ ପ୍ରତି ତାହାଙ୍କ ଆଶ୍ଚର୍ଯ୍ୟକ୍ରିୟା ସକାଶୁ ତାହାଙ୍କର ପ୍ରଶଂସା କରନ୍ତୁ !

16ଯେହେତୁ ସେ ପିତ୍ତଳ-ଦ୍ୱାର ଭାଙ୍ଗିଅଛନ୍ତି ଓ ଲୌହ-ଅର୍ଗଳ କାଟି ପକାଇଅଛନ୍ତି ।

17ମୂର୍ଖମାନେ ଆପଣା ଆପଣା ଅପରାଧ ଓ ଅଧର୍ମାଚରଣ ସକାଶୁ କ୍ଳେଶ ପାଆନ୍ତି ।

18ସେମାନଙ୍କ ପ୍ରାଣ ସର୍ବପ୍ରକାର ଖାଦ୍ୟଦ୍ରବ୍ୟ ଘୃଣା କରଇ ଓ ସେମାନେ ମୃତ୍ୟୁଦ୍ୱାରର ନିକଟବର୍ତ୍ତୀ ହୁଅନ୍ତି ।

19ତେବେ ସେମାନେ ଆପଣା ଆପଣା ସଙ୍କଟ ସମୟରେ ସଦାପ୍ରଭୁଙ୍କ ନିକଟରେ କାକୂକ୍ତି କରନ୍ତି, ତହିଁରେ ସେ ସେମାନଙ୍କ ଦୁର୍ଦ୍ଦଶାରୁ ସେମାନଙ୍କୁ ତ୍ରାଣ କରନ୍ତି ।

20ସେ ଆପଣା ବାକ୍ୟ ପଠାଇ ସେମାନଙ୍କୁ ସୁସ୍ଥ କରନ୍ତି, ପୁଣି, ବିନାଶରୁ ସେମାନଙ୍କୁ ଉଦ୍ଧାର କରନ୍ତି ।

21ଆଃ, ଲୋକମାନେ ସଦାପ୍ରଭୁଙ୍କ ମଙ୍ଗଳଦାନ ଓ ମନୁଷ୍ୟ-ସନ୍ତାନଗଣ ପ୍ରତି ତାହାଙ୍କ ଆଶ୍ଚର୍ଯ୍ୟକ୍ରିୟା ସକାଶୁ ତାହାଙ୍କର ପ୍ରଶଂସା କରନ୍ତୁ ।

22ସେମାନେ ଧନ୍ୟବାଦରୂପ ବଳି ଉତ୍ସର୍ଗ କରନ୍ତୁ ଓ ଗାନ କରି ତାହାଙ୍କ କର୍ମସକଳ ବର୍ଣ୍ଣନା କରନ୍ତୁ ।

23ଯେଉଁମାନେ ଜାହାଜ ଚଢ଼ି ସମୁଦ୍ରଯାତ୍ରା କରନ୍ତି, ଯେଉଁମାନେ ମହାଜଳରାଶିରେ କାରବାର କରନ୍ତି,

24ସେମାନେ ସଦାପ୍ରଭୁଙ୍କ କାର୍ଯ୍ୟ ଓ ଗଭୀର ଜଳରେ ତାହାଙ୍କର ଅଦ୍‍ଭୁତ ବ୍ୟାପାର ଦେଖନ୍ତି ।

25ଯେହେତୁ ସେ ଆଜ୍ଞା ଦେଲେ, ପ୍ରଚଣ୍ଡ ବାୟୁ ଉଠଇ, ତଦ୍ଦ୍ୱାରା ସମୁଦ୍ରର ତରଙ୍ଗମାଳା ଉଠେ ।

26ସେମାନେ ଆକାଶକୁ ଉଠନ୍ତି, ପୁନର୍ବାର ସେମାନେ ଗଭୀର ଜଳକୁ ଉତ୍ତରନ୍ତି; ବିପଦ ସକାଶୁ ସେମାନଙ୍କ ପ୍ରାଣ ତରଳି ଯାଏ ।

27ସେମାନେ ମତ୍ତଲୋକ ପରି ଏଣେତେଣେ ଦୋହଲି ଢଳି ପଡ଼ନ୍ତି ଓ ସେମାନଙ୍କ ବୁଦ୍ଧି ହଜିଯାଏ ।

28ତେବେ ସେମାନେ ଆପଣା ଆପଣା ସଙ୍କଟ ସମୟରେ ସଦାପ୍ରଭୁଙ୍କ ନିକଟରେ କାକୂକ୍ତି କରନ୍ତି, ତହିଁରେ ସେ ସେମାନଙ୍କ ଦୁର୍ଦ୍ଦଶାରୁ ସେମାନଙ୍କୁ ଉଦ୍ଧାର କରନ୍ତି ।

29ସେ ବତାସକୁ ସୁସ୍ଥିର କରନ୍ତି, ତହୁଁ ସମୁଦ୍ରର ତରଙ୍ଗମାଳା ନିରସ୍ତ ହୁଏ ।

30ତେବେ ସେସବୁ ନିବୃତ୍ତ ହେବା ସକାଶୁ ସେମାନେ ଆନନ୍ଦ କରନ୍ତି; ଏହିରୂପେ ସେ ସେମାନଙ୍କୁ ବାଞ୍ଛିତ ବନ୍ଦରରେ ପ୍ରବେଶ କରାନ୍ତି ।

31ଆଃ, ଲୋକମାନେ ସଦାପ୍ରଭୁଙ୍କ ମଙ୍ଗଳଦାନ ଓ ମନୁଷ୍ୟ-ସନ୍ତାନଗଣ ପ୍ରତି ତାହାଙ୍କ ଆଶ୍ଚର୍ଯ୍ୟକ୍ରିୟା ସକାଶୁ ତାହାଙ୍କର ପ୍ରଶଂସା କରନ୍ତୁ !

32ଆହୁରି, ସେମାନେ ଲୋକମାନଙ୍କ ସମାଜରେ ତାହାଙ୍କର ପ୍ରତିଷ୍ଠା କରନ୍ତୁ ଓ ପ୍ରାଚୀନମାନଙ୍କ ସଭାରେ ତାହାଙ୍କର ପ୍ରଶଂସା କରନ୍ତୁ ।

33ସେ ନଦନଦୀକୁ ପ୍ରାନ୍ତର ଓ ନିର୍ଝରସକଳକୁ ଶୁଷ୍କ ଭୂମି କରନ୍ତି ।

34ସେ ଦେଶନିବାସୀମାନଙ୍କ ଦୁଷ୍ଟତା ସକାଶୁ ଉର୍ବରା ଦେଶକୁ ଲବଣ-ପ୍ରାନ୍ତର କରନ୍ତି ।

35ସେ ପ୍ରାନ୍ତରକୁ ଜଳାଶୟ ଓ ଶୁଷ୍କ ଭୂମିକୁ ଝରମୟ କରନ୍ତି ।

36ପୁଣି, କ୍ଷୁଧିତ ଲୋକମାନେ ଯେପରି ବସତି-ନଗର ନିର୍ମାଣ କରିବେ ଓ କ୍ଷେତ୍ରରେ ବୀଜ ବପନ ଓ ଦ୍ରାକ୍ଷାଲତା ରୋପଣ କରିବେ

37ଓ ତଦୁତ୍ପନ୍ନ ଫଳ ପ୍ରାପ୍ତ ହେବେ, ଏଥିପାଇଁ ସେସ୍ଥାନରେ ସେ ସେମାନଙ୍କୁ ବାସ କରାନ୍ତି ।

38ଆହୁରି, ସେ ସେମାନଙ୍କୁ ଆଶୀର୍ବାଦ କରନ୍ତି, ତହିଁରେ ସେମାନେ ଅତିଶୟ ବୃଦ୍ଧି ପାଆନ୍ତି; ପୁଣି, ସେ ସେମାନଙ୍କ ପଶୁପଲ ଊଣା ହେବାକୁ ଦିଅନ୍ତି ନାହିଁ ।

39ପୁନର୍ବାର ସେମାନେ ଉପଦ୍ରବ, ବିପଦ ଓ ଶୋକ ଦ୍ୱାରା ନ୍ୟୁନୀକୃତ ଓ ଅବନତ ହୁଅନ୍ତି ।

40ସେ ଅଧିପତିମାନଙ୍କ ଉପରେ ତୁଚ୍ଛତା ଢାଳି ଦିଅନ୍ତି, ପୁଣି, ସେମାନଙ୍କୁ ପଥହୀନ ମରୁଭୂମିରେ ଭ୍ରମଣ କରାନ୍ତି ।

41ତଥାପି ସେ ଦୀନହୀନକୁ ଦୁଃଖରୁ ଉଚ୍ଚରେ ସ୍ଥାପନ କରନ୍ତି ଓ ମେଷପଲ ତୁଲ୍ୟ ତାହାକୁ ପରିବାର ଦିଅନ୍ତି ।

42ସରଳ ଲୋକମାନେ ତାହା ଦେଖି ଆନନ୍ଦିତ ହେବେ; ପୁଣି, ସବୁ ଅଧର୍ମ ଆପଣା ମୁଖ ବନ୍ଦ କରିବ ।

43ଯେ ଜ୍ଞାନବାନ, ସେ ଏହିସବୁ ବିଷୟରେ ମନୋଯୋଗ କରିବ, ପୁଣି, ସେମାନେ ସଦାପ୍ରଭୁଙ୍କ ବିବିଧ ଦୟା ବିବେଚନା କରିବେ ।



 <<  Psalms 107 >> 


Bible2india.com
© 2010-2024
Help
Single Panel

Laporan Masalah/Saran