Bible 2 India Mobile
[VER] : [ODIYA]     [PL]  [PB] 
 <<  Psalms 10 >> 

1ହେ ସଦାପ୍ରଭୁ, ତୁମ୍ଭେ କାହିଁକି ଦୂରରେ ଠିଆ ହେଉଅଛ ? ସଙ୍କଟ ସମୟରେ ତୁମ୍ଭେ କାହିଁକି ଆପଣାକୁ ଲୁଚାଉଅଛ ?

2ଦୁଷ୍ଟର ଗର୍ବରେ ଦରିଦ୍ର ତପ୍ତ ଭାବରେ ତାଡ଼ିତ ହୁଏ; ସେମାନେ, ଆପଣାମାନଙ୍କ କଳ୍ପିତ କୌଶଳରେ ଧରା ପଡ଼ନ୍ତୁ ।

3କାରଣ ଦୁଷ୍ଟ ଆପଣା ମନୋବାଞ୍ଛା ବିଷୟରେ ଦର୍ପ କରେ; ଆଉ, ଲୋଭୀ ସଦାପ୍ରଭୁଙ୍କୁ ତ୍ୟାଗ କରେ, ମଧ୍ୟ ତାହାଙ୍କୁ ଅବଜ୍ଞା କରେ ।

4ସେ ତାହା ଅନୁସନ୍ଧାନ କରିବେ ନାହିଁ ବୋଲି ଦୁଷ୍ଟ ଆପଣା ମୁଖର ଅହଙ୍କାରରେ କହେ, ପରମେଶ୍ୱର ନାହାନ୍ତି, ଏହା ତାହାର ସକଳ ଚିନ୍ତାର ସାର ।

5ତାହାର ସମସ୍ତ ଗତି ସର୍ବଦା ଦୃଢ଼; ମାତ୍ର ତୁମ୍ଭର ଶାସନ ତାହାର ଦୃଷ୍ଟିରୁ ଅତି ଊର୍ଦ୍ଧ୍ୱବର୍ତ୍ତୀ, ସେ ଆପଣାର ସମସ୍ତ ବିପକ୍ଷ ପ୍ରତି ଫୁତ୍କାର କରେ ।

6ସେ ଆପଣା ମନେ ମନେ କହେ, "ମୋ' ପ୍ରତି କିଛି ବିପଦ ଘଟିବ ନାହିଁ; ପୁରୁଷାନୁକ୍ରମେ ମୁଁ ବିପଦଗ୍ରସ୍ତ ନୋହିବି ।"

7ତାହାର ମୁଖ ଅଭିଶାପ, ଛଳନା ଓ ଉପଦ୍ରବରେ ପରିପୂର୍ଣ୍ଣ; ତାହାର ଜିହ୍ୱା ତଳେ ଅନିଷ୍ଟ ଓ ଅଧର୍ମ ଥାଏ ।

8ସେ ଗ୍ରାମର ଗୁପ୍ତ ସ୍ଥାନରେ ବସେ; ସେ ଆବୃତ ସ୍ଥାନରେ ନିର୍ଦ୍ଦୋଷକୁ ହତ୍ୟା କରେ; ଅସହାୟ ଲୋକର ପ୍ରତିକୂଳରେ ତାହାର ଚକ୍ଷୁ ଗୋପନରେ ଥାଏ ।

9ଯେପରି ସିଂହ ଆପଣା ଗହ୍ୱରରେ, ସେପରି ସେ ଆବୃତ ସ୍ଥାନରେ ଛକି ବସେ, ସେ ଦରିଦ୍ରକୁ ଧରିବା ପାଇଁ ଛକି ବସେ; ସେ ଶିକାରୀ ସଦୃଶ୍ୟ ଦରିଦ୍ରକୁ ଧରି ଆପଣା ଜାଲରେ ଟାଣେ ।

10ସେ ଛକି ବସେ, ସେ ନଇଁ ପଡ଼େ, ତହୁଁ ଅସହାୟ ଲୋକେ ତାହାର ବଳିଷ୍ଠମାନଙ୍କ ଦ୍ୱାରା ପତିତ ହୁଅନ୍ତି ।

11ସେ ଆପଣା ମନେ ମନେ କହେ, "ପରମେଶ୍ୱର ପାସୋରି ଯାଇଅଛନ୍ତି; ସେ ଆପଣା ମୁଖ ଲୁଚାନ୍ତି; ସେ କେବେ ତାହା ଦେଖିବେ ନାହିଁ ।"

12ହେ ସଦାପ୍ରଭୁ, ଉଠ; ହେ ପରମେଶ୍ୱର, ଆପଣା ହସ୍ତ ଉଠାଅ; ଦୁଃଖୀମାନଙ୍କୁ ପାସୋର ନାହିଁ ।

13ଦୁଷ୍ଟଲୋକ କାହିଁକି ପରମେଶ୍ୱରଙ୍କୁ ଅବଜ୍ଞା କରେ ଓ "ତୁମ୍ଭେ ଅନୁସନ୍ଧାନ କରିବ ନାହିଁ" ବୋଲି ସେ ଆପଣା ମନେ ମନେ କହେ ?

14ତୁମ୍ଭେ ତାହା ଦେଖିଅଛ; କାରଣ ତୁମ୍ଭେ ହସ୍ତକ୍ଷେପ କରିବା ପାଇଁ ଉପଦ୍ରବ ଓ ଦ୍ୱେଷ ପ୍ରତି ଦୃଷ୍ଟି କରୁଅଛ; ଅସହାୟ ଲୋକ ଆପଣାକୁ ତୁମ୍ଭଠାରେ ସମର୍ପଣ କରେ; ତୁମ୍ଭେ ପିତୃହୀନର ସହାୟ ହୋଇଅଛ ।

15ତୁମ୍ଭେ ଦୁଷ୍ଟର ବାହୁ ଭାଙ୍ଗି ଦିଅ; ଆଉ, ତୁମ୍ଭେ ମନ୍ଦଲୋକର କୌଣସି ଦୁଷ୍ଟତା ନ ପାଇବା ପର୍ଯ୍ୟନ୍ତ ତାହା ଅନୁସନ୍ଧାନ କର ।

16ସଦାପ୍ରଭୁ ଅନନ୍ତକାଳ ରାଜା ଅଟନ୍ତି; ଅନ୍ୟ ଦେଶୀୟମାନେ ତାହାଙ୍କ ଦେଶରୁ ଲୁପ୍ତ ହୋଇଅଛନ୍ତି ।

17ହେ ସଦାପ୍ରଭୁ, ତୁମ୍ଭେ ନମ୍ର ଲୋକମାନଙ୍କର ବାଞ୍ଛା ଶୁଣିଅଛ; ତୁମ୍ଭେ ସେମାନଙ୍କର ଅନ୍ତଃକରଣ ପ୍ରସ୍ତୁତ କରିବ, ତୁମ୍ଭେ ଶୁଣିବା ପାଇଁ ଆପଣା କର୍ଣ୍ଣ ଡେରିବ;

18ପିତୃହୀନ ଓ ଉପଦ୍ରବଗ୍ରସ୍ତ ଲୋକଙ୍କର ବିଚାର କରିବ, ତହିଁରେ ମୃତ୍ତିକାଜାତ ମନୁଷ୍ୟ ଆଉ ଭୟଙ୍କର ହୋଇ ପାରିବ ନାହିଁ ।



 <<  Psalms 10 >> 


Bible2india.com
© 2010-2024
Help
Single Panel

Laporan Masalah/Saran