Bible 2 India Mobile
[VER] : [ODIYA]     [PL]  [PB] 
 <<  The Song of Songs 2 >> 

1ମୁଁ ଶାରୋଣର ଗୋଲାପ ଏବଂ ଉପତ୍ୟକାର କଇଁ ଫୁଲ ଅଟେ ।

2ଯେପରି କଣ୍ଟକ ମଧ୍ୟରେ କଇଁ ଫୁଲ, ସେହିପରି ଯୁବତୀଗଣ ମଧ୍ୟରେ ମୋହର ପ୍ରିୟା ।

3ଯେପରି ବନବୃକ୍ଷମାନଙ୍କ ମଧ୍ୟରେ ନାଗରଙ୍ଗ ବୃକ୍ଷ, ସେପରି ଯୁବାମାନଙ୍କ ମଧ୍ୟରେ ମୋହର ପ୍ରିୟତମ । ମୁଁ ପରମ ଆନନ୍ଦରେ ତାଙ୍କ ଛାୟା ତଳେ ବସିଲି ଓ ତାଙ୍କ ଫଳ ମୋ' ତୁଣ୍ଡକୁ ସ୍ୱାଦ ଲାଗିଲା ।

4ସେ ଆପଣା ଭୋଜନପାନର ଗୃହକୁ ମୋତେ ଆଣିଲେ, ମୋ' ଉପରେ ପ୍ରେମ ହିଁ ତାଙ୍କର ପତାକା ହେଲା ।

5ତୁମ୍ଭେମାନେ ଦ୍ରାକ୍ଷାଫଳ ଦେଇ ମୋତେ ସୁସ୍ଥିର କର, ନାଗରଙ୍ଗ ଫଳରେ ମୋତେ ଆଶ୍ୱାସ ଦିଅ; କାରଣ ମୁଁ ପ୍ରେମ ପୀଡ଼ିତା ।

6ତାଙ୍କ ବାମ ହସ୍ତ ମୋ' ମସ୍ତକ ତଳେ ଅଛି, ପୁଣି ତାଙ୍କ ଦକ୍ଷିଣ ହସ୍ତ ମୋତେ ଆଲିଙ୍ଗନ କରେ ।

7ହେ ଯିରୁଶାଲମର କନ୍ୟାଗଣ, ମୁଁ ତୁମ୍ଭମାନଙ୍କୁ କ୍ଷେତ୍ରସ୍ଥିତ ହରିଣୀ ଓ ମୃଗୀଗଣର ଶପଥ ଦେଉଅଛି ଯେ, ପ୍ରେମର ବାସନା ନୋହିବା ପର୍ଯ୍ୟନ୍ତ ତୁମ୍ଭେମାନେ ପ୍ରେମକୁ ଜଗାଅ ନାହିଁ, କି ଉତ୍ତେଜନା କର ନାହିଁ ।

8ଏହି ତ ମୋ' ପ୍ରିୟତମଙ୍କ ରବ ! ଦେଖ, ସେ ପର୍ବତଗଣ ଉପରେ କୁଦି କୁଦି, ଉପପର୍ବତଗଣ ଉପରେ ଡେଇଁ ଡେଇଁ ଆସୁଅଛନ୍ତି ।

9ମୋହର ପ୍ରିୟତମ ହରିଣ ଓ ତରୁଣ ମୃଗ ତୁଲ୍ୟ; ଦେଖ, ସେ ଆମ୍ଭମାନଙ୍କ ପ୍ରାଚୀର ପଛେ ଠିଆ ହେଉଅଛନ୍ତି, ସେ ଝରକାରେ ଅନାଉଅଛନ୍ତି, ସେ ଜାଲି ପରଦା ବାଟେ ଆପଣାକୁ ଦେଖାଉ ଅଛନ୍ତି ।

10ମୋହର ପ୍ରିୟତମ କଥା କହିଲେ ଓ ସେ ମୋତେ କହିଲେ, "ହେ ମୋହର ପ୍ରିୟେ, ମୋହର ସୁନ୍ଦରୀ, ଉଠ, ବାହାରି ଆସ ।

11କାରଣ, ଦେଖ, ଶୀତକାଳ ଗତ ହେଲା, ବୃଷ୍ଟି ଶେଷ ହୋଇଗଲା;

12ଭୂମିରେ ପୁଷ୍ପ ପ୍ରସ୍ପୁଟିତ ହେଉଅଛି, ପକ୍ଷୀଗଣର ଗାୟନକାଳ ଉପସ୍ଥିତ, ଆମ୍ଭମାନଙ୍କ ଦେଶରେ କପୋତର ରବ ଶୁଣା ଯାଉଅଛି;

13ଡିମିରି ବୃକ୍ଷ ସ୍ୱ ଅପକ୍ୱ ଫଳମାନ ପକ୍ୱ କରୁଅଛି ଓ ଦ୍ରାକ୍ଷାଲତା ପୁଷ୍ପିତ ହୋଇ ସୁବାସ ଦେଉଅଛି । ହେ ମୋହର ପ୍ରିୟେ, ମୋହର ସୁନ୍ଦରୀ, ଉଠ, ବାହାରି ଆସ ।

14ହେ ମୋହର କପୋତୀ, ତୁମ୍ଭେ ଶୈଳର ଫାଟରେ ଗଡ଼ନ୍ତି ସ୍ଥାନର ଅନ୍ତରାଳରେ ଅଛ, ମୋତେ ତୁମ୍ଭ ରୂପ ଦେଖିବାକୁ ଦିଅ, ମୋତେ ତୁମ୍ଭ ରବ ଶୁଣିବାକୁ ଦିଅ; କାରଣ ତୁମ୍ଭ ରବ ସୁମିଷ୍ଟ ଓ ତୁମ୍ଭ ରୂପ ମନୋହର ।

15ଆମ୍ଭମାନଙ୍କ ପାଇଁ ଦ୍ରାକ୍ଷାକ୍ଷେତ୍ରନାଶକ ଶୃଗାଳମାନଙ୍କୁ, କ୍ଷୁଦ୍ର ଶୃଗାଳମାନଙ୍କୁ ଧର; କାରଣ ଆମ୍ଭମାନଙ୍କ ଦ୍ରାକ୍ଷାକ୍ଷେତ୍ର ପୁଷ୍ପିତ ହୋଇଅଛି ।"

16ମୋ' ପ୍ରିୟତମ ମୋହର ଓ ମୁଁ ତାଙ୍କର ଅଟେ; ସେ କଇଁ ଫୁଲବନ ମଧ୍ୟରେ ଆପଣା ପଲ ଚରାଉଅଛନ୍ତି ।

17ହେ ମୋହର ପ୍ରିୟତମ, ଦିବସ ଶୀତଳ ହେବା ଓ ଛାୟା ବହିଯିବା ପର୍ଯ୍ୟନ୍ତ ତୁମ୍ଭେ ଫେରି ଆସି ବେଥର ପର୍ବତଶ୍ରେଣୀସ୍ଥ ହରିଣ ଓ ମୃଗଶାବକ ତୁଲ୍ୟ ହୁଅ ।



 <<  The Song of Songs 2 >> 


Bible2india.com
© 2010-2024
Help
Single Panel

Laporan Masalah/Saran