Bible 2 India Mobile
[VER] : [ODIYA]     [PL]  [PB] 
 <<  Hebrews 4 >> 

1ଅତଏବ ଆସ, ଆମ୍ଭେମାନେ ସାବଧାନ ହେଉ, କାଳେ ତାହାଙ୍କ ବିଶ୍ରାମରେ ପ୍ରବେଶ କରିବାର ପ୍ରତିଜ୍ଞା ଥିବା ସ୍ଥଳେ ସୁଦ୍ଧା ତୁମ୍ଭମାନଙ୍କ ମଧ୍ୟରୁ କେହି ସେଥିରୁ ବଞ୍ଚିତ ହେଲା ପରି ଦେଖାଯାଏ ।

2କାରଣ ସେମାନଙ୍କ ନିକଟରେ ଯେପରି, ଆମ୍ଭମାନଙ୍କ ନିକଟରେ ମଧ୍ୟ ସେହିପରି ସୁସମାଚାର ପ୍ରଚାରିତ ହୋଇଅଛି, କିନ୍ତୁ ଶ୍ରୋତାମାନେ ବିଶ୍ୱାସ ଦ୍ୱାରା ଶୁଣିଥିବା ବାକ୍ୟ ନିଜସ୍ୱ ନ କରିବାରୁ ତାହା ସେମାନଙ୍କ ପକ୍ଷରେ ଲାଭଜନକ ହେଲା ନାହିଁ ।

3ଯେଣୁ ବିଶ୍ୱାସ କରିଅଛୁ ଯେ ଆମ୍ଭେମାନେ, କେବଳ ଆମ୍ଭେମାନେ ସେହି ବିଶ୍ରାମରେ ପ୍ରବେଶ କରିବା, ଯେପରି ସେ କହିଅଛନ୍ତି, ଏଣୁ ଆମ୍ଭେ ଆପଣା କ୍ରୋଧରେ ଶପଥ କଲୁ, ସେମାନେ ଆମ୍ଭର ବିଶ୍ରାମରେ ପ୍ରବେଶ କରିବେ ନାହିଁ । କିନ୍ତୁ ଜଗତର ପତ୍ତନ ସମୟଠାରୁ ସମସ୍ତ କର୍ମ ସମାପ୍ତ ହୋଇଥିଲା;

4କାରଣ ସପ୍ତମ ଦିନ ସମ୍ବନ୍ଧରେ ସେ କୌଣସି ଏକ ସ୍ଥାନରେ ଏହି ପ୍ରକାରେ କହିଅଛନ୍ତି, ଈଶ୍ୱର ସପ୍ତମ ଦିନରେ ଆପଣାର ସମସ୍ତ କାର୍ଯ୍ୟରୁ ବିଶ୍ରାମ କଲେ;

5ଆଉ ଏହି ସ୍ଥାନରେ ସେ ପୁନଶ୍ଚ କହିଅଛନ୍ତି, ସେମାନେ ଆମ୍ଭର ବିଶ୍ରାମରେ ପ୍ରବେଶ କରିବେ ନାହିଁ ।

6ଅତଏବ, କେତେକଙ୍କର ସେଥିରେ ପ୍ରବେଶ କରିବାର ବାକି ଥିବାରୁ, ପୁଣି, ଯେଉଁମାନଙ୍କ ନିକଟରେ ସୁସମାଚାର ପୂର୍ବରେ ପ୍ରଚାରିତ ହୋଇଥିଲା, ସେମାନେ ଅବାଧ୍ୟତା ହେତୁ ପ୍ରବେଶ ନ କରିବାରୁ ସେ ପୁନର୍ବାର

7ଆଉ ଗୋଟିଏ ଦିନ, ଅର୍ଥାତ୍‍, ଆଜି ଦିନ ନିରୂପଣ କରି ଏତେକାଳ ପରେ ଦାଉଦଙ୍କ ଗ୍ରନ୍ଥରେ କହନ୍ତି, ଯେପରି ପୂର୍ବରେ କୁହାଯାଇଅଛି, ଆଜି ଯଦି ତୁମ୍ଭେମାନେ ତାହାଙ୍କ ବାଣୀ ଶୁଣ, ଆପଣା ଆପଣା ହୃଦୟ କଠିନ ନ କର ।

8କାରଣ ଯଦି ଯିହୋଶୂୟ ସେମାନଙ୍କୁ ବିଶ୍ରାମ ଦେଇଥାଆନ୍ତେ, ତେବେ ସେ ପରେ ଅନ୍ୟ ଦିନର କଥା କହି ନ ଥାଆନ୍ତେ ।

9ଅତଏବ ଈଶ୍ୱରଙ୍କ ଲୋକମାନଙ୍କ ନିମନ୍ତେ ବିଶ୍ରାମବାର ଭୋଗ କରିବାର ବାକି ଅଛି ।

10ଯେଣୁ ଯେ ତାହାଙ୍କ ବିଶ୍ରାମରେ ପ୍ରବେଶ କରିଅଛି, ଈଶ୍ୱର ଆପଣା କାର୍ଯ୍ୟରୁ ଯେପରି ବିଶ୍ରାମ କଲେ, ସେପରି ସେ ମଧ୍ୟ ଆପଣା କାର୍ଯ୍ୟରୁ ବିଶ୍ରାମ ପ୍ରାପ୍ତ ହୋଇଅଛି ।

11ଏଣୁ ଆସ, ଆମ୍ଭେମାନେ ସେହି ବିଶ୍ରାମରେ ପ୍ରବେଶ କରିବାକୁ ଯତ୍ନ କରୁ, ଯେପରି କୌଣସି ଲୋକ ଅବାଧ୍ୟତାର ସେହି ଦୃଷ୍ଟାନ୍ତ ଅନୁସାରେ ପତିତ ନ ହୁଏ ।

12କାରଣ ଈଶ୍ୱରଙ୍କ ବାକ୍ୟ ଜୀବନ୍ତ ଓ କାର୍ଯ୍ୟସାଧକ ପୁଣି, ଦ୍ୱିଧାର ଖଡ଼୍ଗଠାରୁ ତୀକ୍ଷ୍ମତର, ଆଉ ପ୍ରାଣ ଓ ଆତ୍ମା, ଗ୍ରନ୍ଥି ଓ ମଜ୍ଜାର ବିଚ୍ଛେଦ ପର୍ଯ୍ୟନ୍ତ ପରିଭେଦକ ଏବଂ ହୃଦୟର ଚିନ୍ତା ଓ ଭାବର ସୂକ୍ଷ୍ମ ବିଚାରକ ଅଟେ ।

13ଈଶ୍ୱରଙ୍କ ସମ୍ମୁଖରେ କୌଣସି ପ୍ରାଣୀ ଅପ୍ରକାଶିତ ନୁହେଁ, ମାତ୍ର ଯାହାଙ୍କ ଛାମୁରେ ଆମ୍ଭମାନଙ୍କୁ ନିକାଶ ଦେବାକୁ ହେବ, ତାହାଙ୍କ ଦୃଷ୍ଟିରେ ସମସ୍ତ ବିଷୟ ଉଲଙ୍ଗ ଓ ଅନାବୃତ ଅଟେ ।

14ଅତଏବ ସ୍ୱର୍ଗସମୂହ ମଧ୍ୟ ଦେଇ ଗମନ କରିଅଛନ୍ତି ଯେ ଈଶ୍ୱରଙ୍କ ପୁତ୍ର ଯୀଶୁ, ସେ ଆମ୍ଭମାନଙ୍କର ପ୍ରଧାନ ମହାଯାଜକ ହେବାରୁ ଆସ, ଆମ୍ଭେମାନେ ଆମ୍ଭମାନଙ୍କ ବିଶ୍ୱାସମତକୁ ଦୃଢ଼ ଭାବରେ ଧାରଣ କରୁ ।

15କାରଣ ଯେ ଆମ୍ଭମାନଙ୍କ ଦୁର୍ବଳତାରେ ଆମ୍ଭମାନଙ୍କ ପ୍ରତି ସହାନୁଭୂତି ଦେଖାଇବାକୁ ଅସମର୍ଥ, ଆମ୍ଭମାନଙ୍କର ଏପରି ମହାଯାଜକ ନାହାଁନ୍ତି, ବରଂ ସେ ପାପରହିତ ହୋଇ ଆମ୍ଭମାନଙ୍କ ପରି ସର୍ବତୋଭାବେ ପରୀକ୍ଷିତ ହେଲେ ।

16ଅତଏବ ଆସ, କୃପାପ୍ରାପ୍ତି ନିମନ୍ତେ ପୁଣି, ଉପଯୁକ୍ତ ସମୟରେ ଉପକାରକଙ୍କ ଅନୁଗ୍ରହ ପାଇବା ନିମନ୍ତେ ଆମ୍ଭେମାନେ ସାହସରେ ଅନୁଗ୍ରହ ସିଂହାସନ ନିକଟକୁ ଯାଉ ।



 <<  Hebrews 4 >> 


Bible2india.com
© 2010-2024
Help
Single Panel

Laporan Masalah/Saran