1ଇସ୍ରାଏଲୀୟ ଲୋକମାନେ ମିସ୍ପୀରେ ଶପଥ କରି କହିଥିଲେ, ଆମ୍ଭମାନଙ୍କର କେହି ବିନ୍ୟାମୀନ ସହିତ ଆପଣା କନ୍ୟାର ବିବାହ ଦେବ ନାହିଁ ।
2ତେଣୁ ଲୋକମାନେ ବୈଥେଲ୍କୁ ଆସି ସନ୍ଧ୍ୟା ପର୍ଯ୍ୟନ୍ତ ସେହି ସ୍ଥାନରେ ପରମେଶ୍ୱରଙ୍କ ସମ୍ମୁଖରେ ବସି ରବ ଉଠାଇ ଅତ୍ୟନ୍ତ ରୋଦନ କଲେ ।
3ଆଉ ସେମାନେ କହିଲେ, ହେ ଇସ୍ରାଏଲର ପରମେଶ୍ୱର ସଦାପ୍ରଭୁ, ଆଜି ଯେ ଇସ୍ରାଏଲ ମଧ୍ୟରୁ ଏକ ବଂଶର ଊଣା ହେଲା, ଇସ୍ରାଏଲ ମଧ୍ୟରେ ଏପରି କାହିଁକି ଘଟିଲା ?
4ତହୁଁ ଆରଦିନ ଲୋକମାନେ ଅତି ପ୍ରଭାତରେ ଉଠି ଏକ ଯଜ୍ଞବେଦି ନିର୍ମାଣ କରି ହୋମବଳି ଓ ମଙ୍ଗଳାର୍ଥକ ବଳି ଉତ୍ସର୍ଗ କଲେ ।
5ପୁଣି ଇସ୍ରାଏଲ-ସନ୍ତାନମାନେ କହିଲେ, ସମାଜ ସହିତ ସଦାପ୍ରଭୁଙ୍କ ନିକଟକୁ ଯେ ନ ଆସିଲା, ଇସ୍ରାଏଲର ସମୁଦାୟ ବଂଶ ମଧ୍ୟରେ ଏପରି କିଏ ଅଛି ? କାରଣ ମିସ୍ପୀକୁ ସଦାପ୍ରଭୁଙ୍କ ନିକଟକୁ ଯେ ନ ଆସିବ, ସେ ଅବଶ୍ୟ ହତ ହେବ, ଏହା କହି ସେମାନେ ମହା ଶପଥ କରିଥିଲେ ।
6ପୁଣି ଇସ୍ରାଏଲ-ସନ୍ତାନମାନେ ଆପଣା ଭାଇ ବିନ୍ୟାମୀନ ପାଇଁ ଅନୁତାପ କରି କହିଲେ, ଆଜି ଇସ୍ରାଏଲ ମଧ୍ୟରୁ ଗୋଟିଏ ବଂଶ ଉଚ୍ଛିନ୍ନ ହେଲା ।
7ସେମାନଙ୍କ ମଧ୍ୟରେ ଯେଉଁମାନେ ଅବଶିଷ୍ଟ ଅଛନ୍ତି, ସେମାନଙ୍କ ବିବାହ ବିଷୟରେ ଆମ୍ଭେମାନେ କଅଣ କରିବା ? କାରଣ ସେମାନଙ୍କ ସହିତ ଆପଣା ଆପଣା କନ୍ୟାର ବିବାହ ଦେବୁ ନାହିଁ ବୋଲି ସଦାପ୍ରଭୁଙ୍କ ନାମରେ ଆମ୍ଭେମାନେ ଶପଥ କରିଅଛୁ ।
8ପୁଣି ସେମାନେ କହିଲେ, ମିସ୍ପୀକୁ ସଦାପ୍ରଭୁଙ୍କ ନିକଟକୁ ଯେ ନ ଆସିଲା, ଇସ୍ରାଏଲ-ବଂଶସମୂହ ମଧ୍ୟରେ ଏପରି କେଉଁ ବଂଶ ଅଛି ? ତହିଁରେ ଦେଖ, ଯାବେଶ-ଗିଲୀୟଦରୁ କେହି ଛାଉଣିସ୍ଥ ସମାଜକୁ ଆସି ନ ଥିଲେ ।
9କାରଣ ଲୋକମାନେ ଗଣିତ ହେବା ବେଳେ, ଦେଖ, ସେଠାରେ ଯାବେଶ-ଗିଲୀୟଦ ନିବାସୀମାନଙ୍କ ମଧ୍ୟରୁ କେହି ନ ଥିଲେ ।
10ତହୁଁ ମଣ୍ଡଳୀ ସେ ସ୍ଥାନକୁ ବାର ହଜାର ମହାବୀର ପୁରୁଷ ପଠାଇ ସେମାନଙ୍କୁ ଆଜ୍ଞା ଦେଇ କହିଲେ, ଯାଇ ସ୍ତ୍ରୀ ବାଳକ ସମେତ ଯାବେଶ-ଗିଲୀୟଦ ନିବାସୀମାନଙ୍କୁ ଖଡ଼୍ଗଧାରରେ ଆଘାତ କର ।
11ଆହୁରି ତୁମ୍ଭେମାନେ ଏହା କରିବ; ତୁମ୍ଭେମାନେ ପ୍ରତ୍ୟେକ ପୁରୁଷକୁ ଓ ପୁରୁଷ-ସହବାସିନୀ ପ୍ରତ୍ୟେକ ସ୍ତ୍ରୀ କି ବର୍ଜିତ ରୂପେ ବିନାଶ କରିବ ।
12ତହୁଁ ସେମାନେ ଯାବେଶ-ଗିଲୀୟଦ ନିବାସୀମାନଙ୍କ ମଧ୍ୟରେ ପୁରୁଷ-ସହବାସରହିତା ଚାରି ଶହ ଅବିବାହିତା କନ୍ୟା ପାଇଲେ; ଆଉ ସେମାନଙ୍କୁ କିଣାନ ଦେଶସ୍ଥ ଶୀଲୋ ଛାଉଣିକି ଆଣିଲେ ।
13ଅନନ୍ତର ସମଗ୍ର ମଣ୍ଡଳୀ ରିମ୍ମୋନ୍ ଶୈଳସ୍ଥିତ ବିନ୍ୟାମୀନ ସନ୍ତାନଗଣ ସହିତ ଆଳାପ କଲେ ଓ ଦୂତ ପଠାଇ ସେମାନଙ୍କ ନିକଟରେ ଶାନ୍ତି ପ୍ରଚାର କଲେ ।
14ସେ ସମୟରେ ବିନ୍ୟାମୀନୀୟ ଲୋକମାନେ ଫେରି ଆସିଲେ; ତହୁଁ ଯାବେଶ-ଗିଲୀୟଦର ଯେଉଁ ସ୍ତ୍ରୀମାନଙ୍କୁ ଇସ୍ରାଏଲୀୟମାନେ ବଞ୍ଚାଇ ରଖିଥିଲେ, ସେମାନଙ୍କୁ ସେମାନଙ୍କ ସହିତ ବିବାହ କରିଦେଲେ, ତଥାପି ସେମାନଙ୍କ ପାଇଁ କନ୍ୟା ଅଣ୍ଟିଲେ ନାହିଁ ।
15ଏହେତୁ ସଦାପ୍ରଭୁ ଇସ୍ରାଏଲ ବଂଶସମୂହ ମଧ୍ୟରେ ଛିଦ୍ର କରିବାରୁ ଲୋକମାନେ ବିନ୍ୟାମୀନୀୟମାନଙ୍କ ବିଷୟରେ ଅନୁତାପ କଲେ ।
16ତେବେ ମଣ୍ଡଳୀର ପ୍ରାଚୀନମାନେ କହିଲେ, ବିନ୍ୟାମୀନ ମଧ୍ୟରୁ ସ୍ତ୍ରୀମାନେ ଉଚ୍ଛିନ୍ନ ହୋଇଅଛନ୍ତି, ଏଣୁ ଅବଶିଷ୍ଟ ଲୋକମାନଙ୍କ ବିବାହ ବିଷୟରେ ଆମ୍ଭେମାନେ କଅଣ କରିବା ?
17ଆହୁରି ସେମାନେ କହିଲେ, ଇସ୍ରାଏଲ ମଧ୍ୟରୁ ଏକ ବଂଶର ଲୋପ ଯେପରି ନ ହୁଏ, ଏଥିପାଇଁ ବିନ୍ୟାମୀନର ଅଧିକାର ସେହି ଅବଶିଷ୍ଟ ଲୋକମାନଙ୍କର ହେଉ ।
18ତଥାପି ଆମ୍ଭେମାନେ ସେମାନଙ୍କ ସହିତ ଆପଣାମାନଙ୍କ କନ୍ୟାର ବିବାହ ଦେଇ ନ ପାରୁ, କାରଣ ଯେ କେହି ବିନ୍ୟାମୀନକୁ କନ୍ୟା ଦେବ, ସେ ଶାପଗ୍ରସ୍ତ ହେଉ ବୋଲି କହି ଇସ୍ରାଏଲ-ସନ୍ତାନଗଣ ଶପଥ କରିଅଛନ୍ତି ।
19ଆହୁରି ସେମାନେ କହିଲେ, ଦେଖ, ବୈଥେଲ୍ର ଉତ୍ତର ଦିଗରେ, ବୈଥେଲ୍ରୁ ଶିଖିମକୁ ଯିବା ସଡ଼କର ପୂର୍ବ ଆଡ଼େ ଓ ଲବୋନାର ଦକ୍ଷିଣ ଦିଗରେ ସ୍ଥିତ ଶୀଲୋରେ ପ୍ରତି ବର୍ଷ ସଦାପ୍ରଭୁଙ୍କ ଉଦ୍ଦେଶ୍ୟରେ ଏକ ଉତ୍ସବ ହୋଇଥାଏ ।
20ଏହେତୁ ସେମାନେ ବିନ୍ୟାମୀନ-ସନ୍ତାନଗଣକୁ ଆଜ୍ଞା ଦେଇ କହିଲେ, ତୁମ୍ଭେମାନେ ଯାଇ ଦ୍ରାକ୍ଷାକ୍ଷେତ୍ରରେ ଛକି ବସି ଅନାଅ;
21ଆଉ ଦେଖ, ଶୀଲୋର କନ୍ୟାମାନେ ମେଳ ମଧ୍ୟରେ ନାଚିବା ପାଇଁ ବାହାର ହୋଇ ଆସିଲେ, ତୁମ୍ଭେମାନେ ଦ୍ରାକ୍ଷାକ୍ଷେତ୍ରରୁ ବାହାରି ପ୍ରତ୍ୟେକେ ଆପଣା ଆପଣା ପାଇଁ ଶୀଲୋ କନ୍ୟାଗଣ ମଧ୍ୟରୁ ଭାର୍ଯ୍ୟା ଧରି ବିନ୍ୟାମୀନ ଦେଶକୁ ଚାଲି ଯାଅ ।
22ପୁଣି ସେମାନଙ୍କ ପିତା ଅବା ଭାଇମାନେ ଆମ୍ଭମାନଙ୍କ ନିକଟକୁ ବିବାଦ କରିବାକୁ ଆସିଲେ ଆମ୍ଭେମାନେ ସେମାନଙ୍କୁ କହିବୁ, ଆମ୍ଭମାନଙ୍କୁ ଅନୁଗ୍ରହ କରି ସେମାନଙ୍କୁ ଛାଡ଼ି ଦିଅ; କାରଣ ଆମ୍ଭେମାନେ ଯୁଦ୍ଧରେ ସେମାନଙ୍କର ପ୍ରତି ଜଣ ପାଇଁ ଭାର୍ଯ୍ୟା ନେଇ ନାହୁଁ; ଅବା ତୁମ୍ଭେମାନେ ହିଁ ସେମାନଙ୍କୁ ତୁମ୍ଭମାନଙ୍କ କନ୍ୟାଗଣ ବିବାହ ନିମନ୍ତେ ଦେଇ ନାହଁ; ନୋହିଲେ ତୁମ୍ଭେମାନେ ଏବେ ଅପରାଧୀ ହୁଅନ୍ତ ।
23ତହିଁରେ ବିନ୍ୟାମୀନ-ସନ୍ତାନଗଣ ସେରୂପ କରି ଆପଣାମାନଙ୍କ ସଂଖ୍ୟାନୁସାରେ ନୃତ୍ୟକାରିଣୀମାନଙ୍କ ମଧ୍ୟରୁ ଭାର୍ଯ୍ୟା ନେଇ ଚାଲିଗଲେ ଆଉ ସେମାନେ ଆପଣା ଆପଣା ଅଧିକାରକୁ ଫେରି ଯାଇ ନଗର ନିର୍ମାଣ କରି ତହିଁ ମଧ୍ୟରେ ବାସ କଲେ ।
24ତହୁଁ ଇସ୍ରାଏଲ-ସନ୍ତାନଗଣ ସେତେବେଳେ ସେଠାରୁ ପ୍ରସ୍ଥାନ କରି ପ୍ରତ୍ୟେକେ ଆପଣା ଆପଣା ବଂଶ ଓ ଗୋଷ୍ଠୀ ନିକଟକୁ ଯାଇ ସେଠାରୁ ଆପଣା ଆପଣା ଅଧିକାରକୁ ଗଲେ ।
25ସେ ସମୟରେ ଇସ୍ରାଏଲ ମଧ୍ୟରେ କୌଣସି ରାଜା ନ ଥିଲା; ଯାହା ଦୃଷ୍ଟିରେ ଯାହା ଭଲ, ସେ ତାହା କଲା ।