Bible 2 India Mobile
[VER] : [ODIYA]     [PL]  [PB] 
 <<  Job 35 >> 

1ଆହୁରି, ଇଲୀହୂ ଉତ୍ତର କରି କହିଲା,

2"ତୁମ୍ଭେ କି ଏହାକୁ ଆପଣାର ନ୍ୟାୟ ବୋଲି ଜ୍ଞାନ କରୁଅଛ ? ଅବା କହୁଅଛ ? ପରମେଶ୍ୱରଙ୍କ ଧାର୍ମିକତା ଅପେକ୍ଷା ମୋହର ଧାର୍ମିକତା ଅଧିକ ?

3ଏଥିପାଇଁ କି ତୁମ୍ଭେ କହୁଅଛ, ଏଥିରୁ ମୋହର କେଉଁ ଫଳ ହେବ ? ଓ ପାପ କଲେ ଯେଉଁ ଲାଭ ହୁଅନ୍ତା, ତହିଁରୁ କେଉଁ ଅଧିକ ଲାଭ ମୋହର ହେବ ?

4ମୁଁ ତୁମ୍ଭକୁ ଓ ତୁମ୍ଭ ସଙ୍ଗେ ତୁମ୍ଭ ସଙ୍ଗୀମାନଙ୍କୁ ଉତ୍ତର ଦେବି ।

5ଗଗନମଣ୍ଡଳ ପ୍ରତି ଦୃଷ୍ଟି କରି ଅନାଅ ଓ ତୁମ୍ଭ ଅପେକ୍ଷା ଉଚ୍ଚ ଆକାଶମଣ୍ଡଳକୁ ଦେଖ ।

6ତୁମ୍ଭେ ପାପ କଲେ, ପରମେଶ୍ୱରଙ୍କ ବିରୁଦ୍ଧରେ କଅଣ କର ? ଓ ତୁମ୍ଭର ଅପରାଧ ବୃଦ୍ଧି ପାଇଲେ, ତାହାଙ୍କ ପ୍ରତି ତୁମ୍ଭେ କଅଣ କର ?

7ତୁମ୍ଭେ ଧାର୍ମିକ ହେଲେ, ତାହାଙ୍କୁ କଅଣ ଦିଅ ? ଅବା ସେ ତୁମ୍ଭ ହସ୍ତରୁ କଅଣ ପାଆନ୍ତି ?

8ତୁମ୍ଭର ଦୁଷ୍ଟତା ତୁମ୍ଭ ତୁଲ୍ୟ ମନୁଷ୍ୟର କ୍ଷତି କରିପାରେ ଓ ତୁମ୍ଭର ଧାର୍ମିକତା ମନୁଷ୍ୟସନ୍ତାନର ଲାଭ କରିପାରେ ।

9ଉପଦ୍ରବର ବାହୁଲ୍ୟ ସକାଶୁ ଲୋକେ କ୍ରନ୍ଦନ କରନ୍ତି; ବଳବାନର ବାହୁ ସକାଶୁ ସେମାନେ ସାହାଯ୍ୟ ପାଇଁ ଡାକ ପକାନ୍ତି ।

10ମାତ୍ର ଯେ ରାତ୍ରିକାଳେ ଗାନ ପ୍ରଦାନ କରନ୍ତି, ଯେ ପୃଥିବୀର ପଶୁମାନଙ୍କ ଅପେକ୍ଷା ଆମ୍ଭମାନଙ୍କୁ ଅଧିକ ଶିକ୍ଷା ଦିଅନ୍ତି

11ଓ ଆକାଶର ପକ୍ଷୀଗଣ ଅପେକ୍ଷା ଆମ୍ଭମାନଙ୍କୁ ଅଧିକ ଜ୍ଞାନବାନ କରନ୍ତି, ଏପରି ମୋହର ସୃଷ୍ଟିକର୍ତ୍ତା ପରମେଶ୍ୱର କାହାନ୍ତି ? ଏହା କେହି ନ କହେ ।

12ଦୁଷ୍ଟ ଲୋକଙ୍କ ଅହଙ୍କାର ସକାଶୁ ସେମାନେ କ୍ରନ୍ଦନ କରନ୍ତି, ମାତ୍ର କେହି ଉତ୍ତର ଦିଏ ନାହିଁ ।

13ନିଶ୍ଚୟ ପରମେଶ୍ୱର ଅସାର କଥା ଶୁଣିବେ ନାହିଁ, କିଅବା ସର୍ବଶକ୍ତିମାନ ତାହା ଆଦର କରିବେ ନାହିଁ ।

14ତୁମ୍ଭେ ତ କହୁଅଛ, ମୁଁ ପରମେଶ୍ୱରଙ୍କୁ ଦେଖୁ ନାହିଁ, ବିଚାର ତାହାଙ୍କ ସମ୍ମୁଖରେ ଅଛି ଓ ମୁଁ ତାହାଙ୍କୁ ଅପେକ୍ଷା କରୁଅଛି; ତେବେ ମୁଁ ଏହି କଥାକୁ କେତେ ଅନାଦର କରିବି ।

15ମାତ୍ର ଏବେ, ସେ ନିଜ କ୍ରୋଧରେ ଶାସ୍ତି ଦେଇ ନାହାନ୍ତି, କିଅବା ଅହଙ୍କାର ପ୍ରତି ବଡ଼ ମନୋଯୋଗ କରନ୍ତି ନାହିଁ;

16ଏଥିପାଇଁ ଆୟୁବ ଅସାର କଥାରେ ଆପଣା ମୁଖ ଫିଟାଏ; ସେ ଅନେକ ଜ୍ଞାନବର୍ଜ୍ଜିତ କଥା କହେ ।



 <<  Job 35 >> 


Bible2india.com
© 2010-2024
Help
Single Panel

Laporan Masalah/Saran