Bible 2 India Mobile
[VER] : [ODIYA]     [PL]  [PB] 
 <<  Job 33 >> 

1ଯାହା ହେଉ, ବିନୟ କରୁଅଛି, ହେ ଆୟୁବ, ମୋ' କଥା ଶୁଣ ଓ ମୋହର ସମସ୍ତ ବାକ୍ୟରେ କର୍ଣ୍ଣପାତ କର ।

2ଏବେ ଦେଖ, ମୁଁ ଆପଣା ମୁଖ ଫିଟାଉଅଛି, ମୋ' ଜିହ୍ୱା ମୋ' ମୁଖ ଭିତରେ କଥା କହିଅଛି ।

3ମୋ' ବାକ୍ୟ ମୋ' ଅନ୍ତଃକରଣର ସରଳତା ପ୍ରକାଶ କରିବ ଓ ମୋହର ଓଷ୍ଠାଧର ଯାହା ଜାଣେ, ତାହା ସରଳ ଭାବରେ କହିବ ।

4ପରମେଶ୍ୱରଙ୍କ ଆତ୍ମା ମୋତେ ସୃଷ୍ଟି କରିଅଛନ୍ତି ଓ ସର୍ବଶକ୍ତିମାନଙ୍କ ନିଶ୍ୱାସ ମୋତେ ଜୀବନ ଦିଅନ୍ତି ।

5ତୁମ୍ଭେ ପାରିଲେ, ମୋତେ ଉତ୍ତର ଦିଅ, ମୋ' ସମ୍ମୁଖରେ ଆପଣା ବାକ୍ୟ ସଜାଇ ଠିଆ ହୁଅ ।

6ଦେଖ, ପରମେଶ୍ୱରଙ୍କ ପ୍ରତି ତୁମ୍ଭେ ଯେପରି, ମୁଁ ସେପରି ଅଟେ, ମୁଁ ମଧ୍ୟ ମୃତ୍ତିକାରୁ ନିର୍ମିତ ହୋଇଅଛି ।

7ଦେଖ, ମୋହର ଭୟାନକତା ତୁମ୍ଭକୁ ଭୀତ କରିବ ନାହିଁ, କିଅବା ମୋହର ଭାର ତୁମ୍ଭ ଉପରେ ଭାରୀ ହେବ ନାହିଁ ।

8ନିଶ୍ଚୟ ତୁମ୍ଭେ ମୋହର କର୍ଣ୍ଣଗୋଚରରେ କହିଅଛ ଓ ମୁଁ ତୁମ୍ଭ ବାକ୍ୟର ରବ ଶୁଣିଅଛି, ଯଥା,

9ମୁଁ ଶୁଚି, ଅପରାଧରହିତ; ମୁଁ ନିର୍ଦ୍ଦୋଷ, ମଧ୍ୟ ମୋ'ଠାରେ ଅଧର୍ମ ନାହିଁ;

10ଦେଖ, ସେ ମୋ' ଛିଦ୍ର ଅନ୍ଵେଷଣ କରନ୍ତି, ସେ ମୋତେ ଆପଣା ଶତ୍ରୁ ବୋଲି ଗଣନ୍ତି;

11ସେ ଯନ୍ତାରେ ମୋହର ପାଦ ରଖନ୍ତି, ସେ ମୋହର ସମସ୍ତ ପଥ ନିରୀକ୍ଷଣ କରନ୍ତି ।

12ଦେଖ, ମୁଁ ତୁମ୍ଭକୁ ଉତ୍ତର ଦେବି, ଏ ବିଷୟରେ ତୁମ୍ଭେ ଯଥାର୍ଥ ନୁହଁ; କାରଣ ପରମେଶ୍ୱର ମନୁଷ୍ୟ ଅପେକ୍ଷା ମହାନ ଅଟନ୍ତି ।

13ତୁମ୍ଭେ କାହିଁକି ତାହାଙ୍କ ସଙ୍ଗେ ବିବାଦ କରୁଅଛ ? ଯେଣୁ ସେ ଆପଣାର କୌଣସି ବିଷୟର କାରଣ ଜଣାନ୍ତି ନାହିଁ ।

14ପରମେଶ୍ୱର ଥରେ କହନ୍ତି, ଦୁଇ ଥର ହିଁ କହନ୍ତି, ତଥାପି ମନୁଷ୍ୟ ତହିଁରେ ମନ ଦିଏ ନାହିଁ;

15ସ୍ୱପ୍ନରେ, ରାତ୍ରିକାଳୀନ ଦର୍ଶନରେ; ମନୁଷ୍ୟମାନେ ଘୋର ନିଦ୍ରାରେ ମଗ୍ନ ହେବା ବେଳେ, ଶଯ୍ୟାରେ ଘୁମାଇବା ବେଳେ,

16ସେ ମନୁଷ୍ୟମାନଙ୍କର କର୍ଣ୍ଣ ମୁକ୍ତ କରନ୍ତି ଓ ସେମାନଙ୍କର ଶିକ୍ଷା ମୋହରାଙ୍କିତ କରନ୍ତି,

17ତଦ୍ଦ୍ୱାରା ସେ ମନୁଷ୍ୟକୁ ତାହାର ସଙ୍କଳ୍ପରୁ ନିବୃତ୍ତ କରନ୍ତି ଓ ମନୁଷ୍ୟଠାରୁ ଅହଙ୍କାର ଗୁପ୍ତ କରନ୍ତି ।

18ସେ ତାହାର ପ୍ରାଣକୁ ଗର୍ତ୍ତରୁ ଓ ତାହାର ଜୀବନକୁ ଖଡ଼୍‍ଗାଘାତରୁ ଅଟକାଇ ରଖନ୍ତି ।

19ମଧ୍ୟ ସେ ଆପଣା ଶଯ୍ୟାରେ ବ୍ୟଥା ଦ୍ୱାରା ଓ ଆପଣା ଅସ୍ଥି ମଧ୍ୟରେ ନିରନ୍ତର ଯୁଦ୍ଧ ଦ୍ୱାରା ଶାସ୍ତି ପାଏ;

20ତେଣୁ ତାହାର ଜୀବନ ଆହାରକୁ ଓ ତାହାର ପ୍ରାଣ ସୁସ୍ୱାଦୁ ଭକ୍ଷ୍ୟକୁ ଘୃଣା କରେ ।

21ତାହାର ମାଂସ କ୍ଷୟ ପାଇ ଅଦୃଶ୍ୟ ହୁଏ ଓ ତାହାର ଅଦୃଶ୍ୟ ଥିବା ଅସ୍ଥିସବୁ ଦେଖାଯାଏ ।

22ଆହୁରି, ତାହାର ପ୍ରାଣ ଗର୍ତ୍ତର ଓ ତାହାର ଜୀବନ ସଂହାରକର ସନ୍ନିକଟ ହୁଏ ।

23ଯେବେ ମନୁଷ୍ୟକୁ ତାହାର କର୍ତ୍ତବ୍ୟତା ଦେଖାଇବା ପାଇଁ ତାହା ସଙ୍ଗେ ଜଣେ ଦୂତ, ସହସ୍ର ମଧ୍ୟରୁ ଜଣେ ଅର୍ଥକାରକ ଥାଏ;

24ତେବେ ସେ ତାହାକୁ କୃପା କରି କହିବେ, ଗର୍ତ୍ତ ଗମନରୁ ତାହାକୁ ଉଦ୍ଧାର କର, ମୁଁ ପ୍ରାୟଶ୍ଚିତ୍ତ ପାଇଅଛି ।

25ତାହାର ମାଂସ ବାଳକର ମାଂସ ଅପେକ୍ଷା ସତେଜ ହେବ; ସେ ଆପଣା ଯୌବନ ଦିନ ପୁନର୍ବାର ପାଇବ;

26ସେ ପରମେଶ୍ୱରଙ୍କ ନିକଟରେ ପ୍ରାର୍ଥନା କରେ ଓ ସେ ତାହା ପ୍ରତି ପ୍ରସନ୍ନ ହୁଅନ୍ତି; ତେଣୁ ସେ ଆନନ୍ଦରେ ତାହାଙ୍କ ମୁଖ ଦର୍ଶନ କରେ; ଆଉ, ସେ ମନୁଷ୍ୟକୁ ତାହାର ଧାର୍ମିକତା ପୁନର୍ବାର ଦିଅନ୍ତି ।

27ସେ ମନୁଷ୍ୟମାନଙ୍କ ସାକ୍ଷାତରେ ଗାନ କରି କହେ, ମୁଁ ପାପ କରିଅଛି ଓ ନ୍ୟାୟର ବିପରୀତ କରିଅଛି ଓ ତାହା ମୋହର ଲାଭଜନକ ହୋଇ ନାହିଁ ।

28ସେ ମୋହର ପ୍ରାଣକୁ ଗର୍ତ୍ତଗମନରୁ ମୁକ୍ତ କରିଅଛନ୍ତି ଓ ମୋହର ଜୀବନ ଆଲୁଅ ଦେଖିବ ।

29ଦେଖ, ମନୁଷ୍ୟ ଯେପରି ଜୀବିତ ଲୋକଙ୍କ ଦୀପ୍ତିରେ ଦୀପ୍ତିମାନ ହେବ, ଏଥିପାଇଁ ଗର୍ତ୍ତରୁ ତାହାର ପ୍ରାଣ ଫେରାଇ ଆଣିବାକୁ,

30ପରମେଶ୍ୱର ତାହା ସହିତ ଦୁଇ ଥର, ମଧ୍ୟ ତିନି ଥର ଏହିସବୁ ବ୍ୟବହାର କରନ୍ତି ।

31ହେ ଆୟୁବ, ମନୋଯୋଗ କରି ମୋ' କଥା ଶୁଣ; ତୁମ୍ଭେ ନୀରବ ହୁଅ, ମୁଁ କଥା କହିବି ।

32ତୁମ୍ଭର କହିବାର କୌଣସି ବିଷୟ ଥିଲେ, ମୋତେ ଉତ୍ତର ଦିଅ; କୁହ, କାରଣ ତୁମ୍ଭକୁ ନିର୍ଦ୍ଦୋଷ କରିବାକୁ ମୋର ଇଚ୍ଛା ।

33ନୋହିଲେ ମୋ' କଥା ଶୁଣ; ନୀରବ ହୁଅ, ଆଉ ମୁଁ ତୁମ୍ଭକୁ ଜ୍ଞାନ ଶିଖାଇବି ।



 <<  Job 33 >> 


Bible2india.com
© 2010-2024
Help
Single Panel

Laporan Masalah/Saran