Bible 2 India Mobile
[VER] : [ODIYA]     [PL]  [PB] 
 <<  2 Samuel 13 >> 

1ଏଥିଉତ୍ତାରେ ଏହି ଘଟନା ହେଲା; ଦାଉଦଙ୍କର ପୁତ୍ର ଅବଶାଲୋମର ତାମର ନାମରେ ଏକ ସୁନ୍ଦରୀ ଭଉଣୀ ଥିଲା; ନିଜର ସାବତ ଭଉଣୀ ପ୍ରତି ଦାଉଦଙ୍କର ପୁତ୍ର ଅମ୍ନୋନ କାମାସକ୍ତ ହେଲା ।

2ପୁଣି ଅମ୍ନୋନ ଆପଣା ଭଉଣୀ ତାମର ଲାଗି ଏପରି ଆକୁଳ ହେଲା ଯେ, ସେ ପୀଡ଼ିତ ହେଲା; କାରଣ ତାମର ଅନୂଢ଼ା ଥିଲା ଓ ତାହା ପ୍ରତି କିଛି କରିବାକୁ ଅମ୍ନୋନକୁ କଷ୍ଟକର ବୋଧ ହେଲା ।

3ମାତ୍ର ଦାଉଦଙ୍କର ଭ୍ରାତା ଶିମୀୟର ପୁତ୍ର ଯୋନାଦବ୍‍ ନାମରେ ଅମ୍ନୋନର ଜଣେ ବନ୍ଧୁ ଥିଲା; ସେହି ଯୋନାଦବ୍‍ ଅତି ଚତୁର ।

4ଏଣୁ ଯୋନାଦବ୍‍ ଅମ୍ନୋନକୁ କହିଲା, "ହେ ରାଜପୁତ୍ର, ତୁମ୍ଭେ କାହିଁକି ଦିନକୁ ଦିନ ଏପରି କ୍ଷୀଣ ହୋଇ ଯାଉଅଛ; ମୋତେ କ'ଣ ତାହା କହିବ ନାହିଁ ?" ଏଥିରେ ଅମ୍ନୋନ ତାହାକୁ କହିଲା, "ମୁଁ ମୋର ଭ୍ରାତା ଅବଶାଲୋମର ଭଉଣୀ ତାମର ପ୍ରତି କାମାସକ୍ତ ଅଟେ ।"

5ଏଥିରେ ଯୋନାଦବ୍‍ ତାହାକୁ କହିଲା, "ତୁମ୍ଭେ ଶଯ୍ୟାରେ ପଡ଼ି ରୋଗର ବାହାନା କର; ପୁଣି ତୁମ୍ଭ ପିତା ତୁମ୍ଭକୁ ଦେଖିବାକୁ ଆସିଲେ ତାଙ୍କୁ କୁହ, 'ମୋହର ଭଗିନୀ ତାମରକୁ ମୋ' ନିକଟକୁ ଆସି ମୋତେ ଖାଦ୍ୟ ଦେବାକୁ ଅନୁମତି ଦେଉନ୍ତୁ, ସେ ମୋ' ଆଗରେ ଖାଦ୍ୟ ରାନ୍ଧିବ, ତହିଁରେ ମୁଁ ତାହା ଦେଖି ତାହା ହାତରୁ ଭୋଜନ କରିବି ।'"

6ଏଣୁ ଅମ୍ନୋନ ରୋଗର ବାହାନା କରି ପଡ଼ି ରହିଲା; ପୁଣି ରାଜା ତାହାକୁ ଦେଖିବାକୁ ଆସନ୍ତେ, ଅମ୍ନୋନ ରାଜାଙ୍କୁ କହିଲା, "ଦୟାକରି ମୋ' ଭଗିନୀ ତାମରକୁ ଆସିବାକୁ ଦେଉନ୍ତୁ, ପୁଣି ମୁଁ ଦେଖିବା ସମୟରେ ସେ ମୋ’ ନିମନ୍ତେ ଦୁଇ ରୋଟୀ ପ୍ରସ୍ତୁତ କରୁ, ତହିଁରେ ମୁଁ ତାହା ହାତରୁ ଖାଇବି ।"

7ତେବେ ଦାଉଦ ତାମରର ଗୃହକୁ ଲୋକ ପଠାଇ କହିଲେ, "ତୁମ୍ଭ ଭାଇ ଅମ୍ନୋନର ଘରକୁ ଟିକିଏ ଯାଇ ତାହାର ଖାଇବା ପାଇଁ କିଛି ରାନ୍ଧିଦିଅ ।"

8ତହିଁରେ ତାମର ଆପଣା ଭାଇ ଅମ୍ନୋନର ଗୃହକୁ ଗଲା; ସେତେବେଳେ ସେ ଶଯ୍ୟାରେ ଥିଲା । ତହୁଁ ତାମର ଚକଟା ମଇଦା ନେଇ ଦଳି ତାହା ଆଗରେ ରୋଟୀ ପ୍ରସ୍ତୁତ କରି ତାହା ସେକିଲା ।

9ପୁଣି ସେ ପାତ୍ର ନେଇ ତାହା ଆଗରେ ତାହା ଦେଲା, ମାତ୍ର ସେ ଭୋଜନ କରିବାକୁ ମନା କଲା । ଆଉ ଅମ୍ନୋନ କହିଲା, "ଆମ୍ଭ ନିକଟରୁ ସମସ୍ତଙ୍କୁ ବାହାର କରିଦିଅ ।" ତହିଁରେ ସମସ୍ତେ ତାହା ନିକଟରୁ ବାହାରି ଗଲେ ।

10ତହୁଁ ଅମ୍ନୋନ ତାମରକୁ କହିଲା, "ଖାଦ୍ୟଦ୍ରବ୍ୟ ଶୟନ-ଗୃହକୁ ଆଣ, ମୁଁ ତୁମ୍ଭ ହାତରେ ଭୋଜନ କରିବି ।" ଏଥିରେ ତାମର ଆପଣା ପ୍ରସ୍ତୁତ ରୋଟୀ ନେଇ ତାହା ଭାଇ ଅମ୍ନୋନର ଶୟନ-ଗୃହକୁ ଗଲା ।

11ପୁଣି ତାହାକୁ ଖୁଆଇବା ପାଇଁ ତାହା ନିକଟକୁ ନିଅନ୍ତେ, ସେ ତାମରକୁ ଧରି କହିଲା, "ଆସ, ମୋ' ଭଉଣୀ, ମୋ' ସଙ୍ଗରେ ଶୁଅ ।"

12ତହିଁରେ ସେ ଉତ୍ତର କଲା, "ନା ନା, ମୋର ଭାଇ, ମୋତେ ଭ୍ରଷ୍ଟ ନ କର; "କାରଣ ଇସ୍ରାଏଲ ମଧ୍ୟରେ ଏହିପରି କର୍ମ ନ କରାଯିବା ଉଚିତ୍ ।", ତୁମ୍ଭେ ଏହି ମୂଢ଼କର୍ମ ନ କର !

13ମୁଁ ମଧ୍ୟ ଆପଣା କଳଙ୍କ କେଉଁଠାକୁ ନେଇଯିବି ? ପୁଣି ତୁମ୍ଭେ ମଧ୍ୟ ଇସ୍ରାଏଲର ମୂଢ଼ମାନଙ୍କ ମଧ୍ୟରେ ଜଣକ ପରି ହେବ । ଏଣୁ ମୁଁ ବିନୟ କରୁଅଛି, ରାଜାଙ୍କ ସଙ୍ଗେ କଥାବାର୍ତ୍ତା କର, ସେ ତୁମ୍ଭ ପ୍ରତି ମୋତେ ଦେବା ପାଇଁ ଅସମ୍ମତ ହେବେ ନାହିଁ ।"

14ତଥାପି ଅମ୍ନୋନ ତାହାର ରବ ଶୁଣିଲା ନାହିଁ; ମାତ୍ର ଆପେ ତାହା ଅପେକ୍ଷା ବଳବାନ ହେବାରୁ ତାହାକୁ ବଳାତ୍କାର କରି ତାହା ସଙ୍ଗେ ଶୟନ କଲା ।

15ଏଉତ୍ତାରେ ଅମ୍ନୋନ ତାହାକୁ ଅତିଶୟ ଘୃଣା କଲା; ସେ ତାହାକୁ ଯେପରି ପ୍ରେମ କରିଥିଲା, ତା'ଠାରୁ ଅଧିକ ଘୃଣା କଲା । ଏଣୁ ଅମ୍ନୋନ ତାହାକୁ କହିଲା, ଉଠ୍‍, ଯା ।

16ତହିଁରେ ସେ କହିଲା, "ସେପରି ନ ହେଉ! କାରଣ ତୁମ୍ଭେ ମୋ' ପ୍ରତି ଯାହା କରିଅଛ, ତା ଅପେକ୍ଷା ମୋତେ ଏପରି ବାହାର କରିଦେବା ଅଧିକ ଅନ୍ୟାୟ !" ମାତ୍ର ସେ ତାହା କଥା ଶୁଣିବାକୁ ଅସମ୍ମତ ହେଲା ।

17ଏଥିରେ ଅମ୍ନୋନ ଆପଣା ସେବାକାରୀ ଯୁବାକୁ ଡାକି କହିଲା, "ତାମରକୁ ଆମ୍ଭ ନିକଟରୁ ବାହାର କରି କବାଟରେ ଅର୍ଗଳ ଦିଅ ।"

18ତାମର ଦେହରେ ଲମ୍ବା ଅଙ୍ଗରଖା ଥିଲା, କାରଣ ଅନୂଢ଼ା ରାଜକନ୍ୟାମାନେ ସେହି ପ୍ରକାର ବସ୍ତ୍ର ପିନ୍ଧୁଥିଲେ । ଏଥିରେ ଅମ୍ନୋନର ଦାସ ତାହାକୁ ବାହାରେ ଆଣି ତାହା ପଛେ କବାଟରେ ଅର୍ଗଳ ଦେଲା ।

19ତହୁଁ ତାମର ଆପଣା ମସ୍ତକରେ ଭସ୍ମ ଦେଇ ତାହା ଦେହର ଲମ୍ବା ଅଙ୍ଗରଖା ଚିରିଲା, ପୁଣି ସେ ଆପଣା ମସ୍ତକରେ ହସ୍ତ ଦେଇ କ୍ରନ୍ଦନ କରୁ କରୁ ଚାଲିଗଲା ।

20ଏଥିରେ ତାହାର ଭାଇ ଅବଶାଲୋମ ତାହାକୁ କହିଲା, "ତୁମ୍ଭ ଭାଇ ଅମ୍ନୋନ କି ତୁମ୍ଭର ବଳାତ୍କାର କରିଅଛି ? ହେଉ, ଆମ୍ଭ ଭଉଣୀ , ଏବେ ତୁନି ହୁଅ, ସେ ତୁମ୍ଭର ଭାଇ; ଏ କଥା ମନେ ଧର ନାହିଁ ।" ତହିଁରେ ତାମର ଉଦାସିନୀ ହୋଇ ଆପଣା ସହୋଦର ଅବଶାଲୋମର ଗୃହରେ ରହିଲା ।

21ମାତ୍ର ଦାଉଦ ରାଜା ଏହିସବୁ କଥା ଶୁଣି ଅତ୍ୟନ୍ତ କ୍ରୁଦ୍ଧ ହେଲେ ।

22ପୁଣି ଅବଶାଲୋମ ଅମ୍ନୋନକୁ ଭଲ କି ମନ୍ଦ କିଛି କହିଲା ନାହିଁ; କାରଣ ତାହାର ଭଉଣୀ ତାମରକୁ ବଳାତ୍କାର କରିବାରୁ ଅବଶାଲୋମ ଅମ୍ନୋନକୁ ଘୃଣା କଲା ।

23ଅନନ୍ତର ସମ୍ପୂର୍ଣ୍ଣ ଦୁଇ ବର୍ଷ ଉତ୍ତାରେ ଇଫ୍ରୟିମ ନିକଟସ୍ଥ ବାଲହାତ୍‍ସୋରରେ ଅବଶାଲୋମର ମେଷଲୋମ ଛେଦନ ହେଲା; ତହୁଁ ଅବଶାଲୋମ ସମସ୍ତ ରାଜପୁତ୍ରଙ୍କୁ ନିମନ୍ତ୍ରଣ କଲା ।

24ପୁଣି ଅବଶାଲୋମ ରାଜାଙ୍କ ନିକଟକୁ ଆସି କହିଲା, "ଦେଖନ୍ତୁ, ଆପଣଙ୍କ ଦାସର ମେଷଲୋମ ଛେଦନ ହେଉଅଛି, ଏଣୁ ମହାରାଜ ଓ ରାଜାଙ୍କ ଦାସମାନେ ଆପଣଙ୍କ ଏହି ଦାସର ସଙ୍ଗରେ ଆସନ୍ତୁ ।"

25ଏଥିରେ ରାଜା ଅବଶାଲୋମକୁ କହିଲେ, "ନାହିଁ, ମୋହର ପୁତ୍ର, ଆମ୍ଭେ ସମସ୍ତେ ନ ଯାଉ, ଗଲେ ତୁମ୍ଭ ପ୍ରତି ଭାର ସ୍ୱରୂପ ହେବୁ ।" ମାତ୍ର ସେ ବହୁତ ବାଧ୍ୟ କଲା; ତଥାପି ରାଜା ଯିବାକୁ ସମ୍ମତ ନୋହି ତାହାକୁ ଆଶୀର୍ବାଦ କଲେ ।

26ଏଥିରେ ଅବଶାଲୋମ କହିଲା, "ଯେବେ ଏହା ନ ହୁଏ, ତେବେ ଆପଣ ଆମ୍ଭ ଭାଇ ଅମ୍ନୋନକୁ ଆମ୍ଭମାନଙ୍କ ସଙ୍ଗରେ ଯିବାକୁ ଦିଅନ୍ତୁ ।" ତେବେ ରାଜା ତାହାକୁ କହିଲେ, "ଅମ୍ନୋନ କାହିଁକି ତୁମ୍ଭ ସଙ୍ଗେ ଯିବ ?"

27ମାତ୍ର ଅବଶାଲୋମ ବାଧ୍ୟ କରିବାରୁ ରାଜା ଅମ୍ନୋନକୁ ଓ ସବୁ ରାଜପୁତ୍ରଙ୍କୁ ତାହା ସଙ୍ଗେ ପଠାଇଲେ ।

28ଏଉତ୍ତାରେ ଅବଶାଲୋମ ଆପଣା ଯୁବାମାନଙ୍କୁ ଆଜ୍ଞା ଦେଇ କହିଲା, "ତୁମ୍ଭେମାନେ ଦେଖୁଥାଅ, ଦ୍ରାକ୍ଷାରସରେ ଅମ୍ନୋନର ଚିତ୍ତ ପ୍ରଫୁଲ୍ଲ ହେଲେ, ଯେତେବେଳେ ମୁଁ ତୁମ୍ଭମାନଙ୍କୁ କହିବି, 'ଅମ୍ନୋନକୁ ମାର,' ସେତେବେଳେ ତୁମ୍ଭେମାନେ ତାହାକୁ ବଧ କରିବ, ଭୟ କରିବ ନାହିଁ; ମୁଁ କ'ଣ ତୁମ୍ଭମାନଙ୍କୁ ଆଜ୍ଞା ଦେଇ ନାହିଁ ? ବଳ ବାନ୍ଧ ଓ ବିକ୍ରମଶାଳୀ ହୁଅ ।"

29ଏଥିରେ ଅବଶାଲୋମର ଆଜ୍ଞା ପ୍ରମାଣେ ଅବଶାଲୋମର ଯୁବାମାନେ ଅମ୍ନୋନ ପ୍ରତି କଲେ । ତହୁଁ ରାଜପୁତ୍ର ସମସ୍ତେ ଉଠି ପ୍ରତ୍ୟେକେ ଆପଣା ଆପଣା ଖଚର ଉପରେ ଚଢ଼ି ପଳାଇଲେ ।

30ସେମାନେ ବାଟରେ ଥାଉ ଥାଉ ଦାଉଦଙ୍କ ନିକଟରେ ସମ୍ବାଦ ଉପସ୍ଥିତ ହେଲା ଯେ, "ଅବଶାଲୋମ ସମସ୍ତ ରାଜପୁତ୍ରଙ୍କୁ ବଧ କରିଅଛି, ସେମାନଙ୍କ ମଧ୍ୟରୁ ଜଣେ ଅବଶିଷ୍ଟ ନାହିଁ ।"

31ତହିଁରେ ରାଜା ଉଠି ଆପଣା ବସ୍ତ୍ର ଚିରି ଭୂମିରେ ଲମ୍ବ ହୋଇ ପଡ଼ିଲେ ଓ ତାଙ୍କର ଦାସ ସମସ୍ତେ ଆପଣା ଆପଣା ବସ୍ତ୍ର ଚିରି ତାଙ୍କ ନିକଟରେ ଠିଆ ହେଲେ ।

32ସେତେବେଳେ ଦାଉଦଙ୍କର ଭ୍ରାତା ଶିମୀୟର ପୁତ୍ର ଯୋନାଦବ୍‍ ଉତ୍ତର ଦେଇ କହିଲା, "ସେମାନେ ରାଜକୁମାର ସମସ୍ତଙ୍କୁ ବଧ କରିଅଛନ୍ତି ବୋଲି ମୋହର ପ୍ରଭୁ ବୋଧ ନ କରନ୍ତୁ; କେବଳ ଅମ୍ନୋନ ମରିଅଛି, କାରଣ ଅବଶାଲୋମର ଭଗିନୀ ତାମରକୁ ଅମ୍ନୋନ ବଳାତ୍କାର କରିବା ଦିନାବଧି ଅବଶାଲୋମର ମୁଖରେ ଏହା ସ୍ଥିରୀକୃତ ହୋଇଥିଲା ।

33ଏହେତୁ ସମସ୍ତ ରାଜପୁତ୍ର ମରିଅଛନ୍ତି ବୋଲି ମୋହର ପ୍ରଭୁ ମହାରାଜ ମନରେ ନ ଘେନନ୍ତୁ; କାରଣ କେବଳ ଅମ୍ନୋନ ମରିଅଛି ।"

34ଏଥି ମଧ୍ୟରେ ଅବଶାଲୋମ ପଳାଇ ଯାଇଥିଲା । ଏଉତ୍ତାରେ ଯେଉଁ ଯୁବା ଲୋକ ପ୍ରହରୀକର୍ମ କରୁଥିଲା, ସେ ଅନାନ୍ତେ, ଦେଖିଲା ଯେ, ଦେଖ, ଆପଣା ପଶ୍ଚାଦ୍ଦିଗରୁ ପର୍ବତ-ପାର୍ଶ୍ୱସ୍ଥ ପଥ ଦେଇ ଅନେକ ଲୋକ ଆସୁଅଛନ୍ତି ।

35ତହିଁରେ ଯୋନାଦବ୍‍ ରାଜାଙ୍କୁ କହିଲା, "ଦେଖନ୍ତୁ, ରାଜପୁତ୍ରମାନେ ଆସୁଅଛନ୍ତି; ଆପଣଙ୍କ ଦାସ ଯେପରି କହିଲା, ସେପରି ହେଲା ।"

36ସେ ଏହି କଥା କହିବା ସମାପ୍ତ କଲା କ୍ଷଣେ ଦେଖ, ରାଜପୁତ୍ରମାନେ ଉପସ୍ଥିତ ହେଲେ ଓ ଆପଣା ଆପଣା ରବ ଉଠାଇ ରୋଦନ କଲେ; ଆଉ ରାଜା ଓ ତାଙ୍କ ଦାସମାନେ ମଧ୍ୟ ଅତିଶୟ ରୋଦନ କଲେ ।

37ମାତ୍ର ଅବଶାଲୋମ ପଳାଇ ଗଶୂରର ରାଜା ଅମ୍ମୀହୁରର ପୁତ୍ର ତଲ୍ମୟ ନିକଟକୁ ଗଲା । ପୁଣି ଦାଉଦ ପ୍ରତିଦିନ ଆପଣା ପୁତ୍ର ପାଇଁ ଶୋକ କଲେ ।

38ଏହିରୂପେ ଅବଶାଲୋମ ପଳାଇ ଗଶୂରକୁ ଯାଇ ସେଠାରେ ତିନି ବର୍ଷ ରହିଲା ।

39ପୁଣି ଦାଉଦ ରାଜାଙ୍କର ପ୍ରାଣ ଅବଶାଲୋମ ଆଡ଼େ ଯିବା ଆକାଂକ୍ଷାରେ ବ୍ୟାକୁଳ ହେଲା; କାରଣ ସେ ଅମ୍ନୋନକୁ ମୃତ ଜାଣି ତାହା ବିଷୟରେ ସାନ୍ତ୍ୱନାପ୍ରାପ୍ତ ହେଲେ ।



 <<  2 Samuel 13 >> 


Bible2india.com
© 2010-2024
Help
Single Panel

Laporan Masalah/Saran