Bible 2 India Mobile
[VER] : [ODIYA]     [PL]  [PB] 
 <<  1 John 3 >> 

1ଦେଖ, ପିତା ଆମ୍ଭମାନଙ୍କୁ କି ପ୍ରକାର ପ୍ରେମ ଦାନ କରିଅଛନ୍ତି ଯେ, ଆମ୍ଭେମାନେ ଈଶ୍ୱରଙ୍କ ସନ୍ତାନ ବୋଲି ଖ୍ୟାତ ହେବୁ, ଆଉ ଆମ୍ଭେମାନେ ତାହା ହିଁ ଅଟୁ । ଏଥିସକାଶେ ଜଗତ ଆମ୍ଭମାନଙ୍କୁ ଚିହ୍ନୁ ନାହିଁ, କାରଣ ତାହା ତାହାଙ୍କୁ ଚିହ୍ନି ନ ଥିଲା ।

2ହେ ପ୍ରିୟମାନେ, ବର୍ତ୍ତମାନ ଆମ୍ଭେମାନେ ଈଶ୍ୱରଙ୍କ ସନ୍ତାନ ଅଟୁ, ଆଉ ଆମ୍ଭେମାନେ କ'ଣ ହେବା, ତାହା ଏପର୍ଯ୍ୟନ୍ତ ପ୍ରକାଶିତ ହୋଇ ନାହିଁ । ଆମ୍ଭେମାନେ ଜାଣୁ ଯେ, ସେ ଯେତେବେଳେ ପ୍ରକାଶିତ ହେବେ, ସେତେବେଳେ ଆମ୍ଭେମାନେ ତାହାଙ୍କ ସଦୃଶ ହେବା, କାରଣ ସେ ଯେପରି, ଆମ୍ଭେମାନେ ସେହିପରି ତାହାଙ୍କୁ ଦର୍ଶନ କରିବା ।

3ଆଉ ଯେ କେହି ତାହାଙ୍କଠାରେ ଏହି ଭରସା ସ୍ଥାପନ କରିଅଛି, ସେ ଯେପରି ପବିତ୍ର ଅଟନ୍ତି, ସେ ସେହିପରି ଆପଣାକୁ ପବିତ୍ର କରେ ।

4ଯେ କେହି ପାପ କରେ, ସେ ମଧ୍ୟ ମୋଶାଙ୍କ ବ୍ୟବସ୍ଥା ଲଙ୍ଘନ କରେ, କାରଣ ମୋଶାଙ୍କ ବ୍ୟବସ୍ଥା ଲଙ୍ଘନ ହିଁ ପାପ ।

5ଆଉ ତୁମ୍ଭେମାନେ ଜାଣ ଯେ, ସେ ପାପ ବୋହିନେଇଯିବା ପାଇଁ ପ୍ରକାଶିତ ହେଲେ, ଆଉ ତାହାଙ୍କଠାରେ ପାପ ନାହିଁ ।

6ଯେ କେହି ତାହାଙ୍କଠାରେ ରହେ, ସେ ପାପ କରେ ନାହିଁ; ଯେ କେହି ପାପ କରେ, ସେ ତାହାଙ୍କୁ ଦେଖି ନାହିଁ, କିଅବା ତାହାଙ୍କୁ ଜାଣି ନାହିଁ ।

7ହେ ବତ୍ସଗଣ, କେହି ତୁମ୍ଭମାନଙ୍କୁ ଭ୍ରାନ୍ତ ନ କରୁ; ଯେ ଧର୍ମାଚରଣ କରେ, ସେ ଯେପରି ଧାର୍ମିକ ଅଟନ୍ତି, ସେ ସେହିପରି ଧାର୍ମିକ ଅଟେ;

8ଯେ ପାପ କରେ, ସେ ଶୟତାନରୁ ଜାତ, କାରଣ ଶୟତାନ ଆରମ୍ଭରୁ ପାପ କରିଆସୁଅଛି। ଶୟତାନର କାର୍ଯ୍ୟ ବିନାଶ କରିବା ଉଦ୍ଦେଶ୍ୟରେ ହିଁ ଈଶ୍ୱରଙ୍କ ପୁତ୍ର ପ୍ରକାଶିତ ହେଲେ ।

9ଯେ କେହି ଈଶ୍ୱରଙ୍କଠାରୁ ଜାତ, ସେ ପାପ କରେ ନାହିଁ, କାରଣ ଈଶ୍ୱରଙ୍କ ବୀଜ ତାହାଠାରେ ରହେ, ଆଉ ସେ ଈଶ୍ୱରଙ୍କଠାରୁ ଜାତ ହେବାରୁ ପାପ କରି ପାରେ ନାହିଁ ।

10ଏଥିରେ କିଏ ଈଶ୍ୱରଙ୍କ ସନ୍ତାନ ଓ କିଏ ଶୟତାନର ସନ୍ତାନ, ଏହା ପ୍ରକାଶିତ ହୁଏ; ଯେ କେହି ଧର୍ମାଚରଣ କରେ ନାହିଁ, କିଅବା ଆପଣା ଭାଇକୁ ପ୍ରେମ କରେ ନାହିଁ, ସେ ଈଶ୍ୱରଙ୍କଠାରୁ ଜାତ ନୁହେଁ ।

11କାରଣ ଆମ୍ଭମାନଙ୍କର ଯେ ପରସ୍ପରକୁ ପ୍ରେମ କରିବା କର୍ତ୍ତବ୍ୟ, ଏହି ବାଣୀ ତୁମ୍ଭେମାନେ ଆଦ୍ୟରୁ ଶୁଣିଅଛ;

12ପାପାତ୍ମାର ସନ୍ତାନ ଯେ କୟିନ, ତାହା ପରି ହୁଅ ନାହିଁ, ସେ ଆପଣା ଭାଇକୁ ବଧ କଲା; ଆଉ ସେ ତାହାକୁ କାହିଁକି ବଧ କଲା ? କାରଣ ଏହି ଯେ, ତାହାର କାର୍ଯ୍ୟ ପାପମୟ, ଆଉ ତାହାର ଭାଇର କାର୍ଯ୍ୟ ଧର୍ମମୟ ଥିଲା ।

13ହେ ଭାଇମାନେ, ଜଗତ ତୁମ୍ଭମାନଙ୍କୁ ଘୃଣା କଲେ, ଆଶ୍ଚର୍ଯ୍ୟ ଜ୍ଞାନ କର ନାହିଁ ।

14ଆମ୍ଭେମାନେ ଜାଣୁ ଯେ, ଆମ୍ଭେମାନେ ମୃତ୍ୟୁକୁ ଅତିକ୍ରମ କରି ଜୀବନରେ ପ୍ରବେଶ କରିଅଛୁ, ଯେଣୁ ଆମ୍ଭେମାନେ ଭାଇମାନଙ୍କୁ ପ୍ରେମ କରୁଅଛୁ। ଯେ ପ୍ରେମ କରେ ନାହିଁ, ସେ ମୃତ୍ୟୁର ଅଧିନରେ ଥାଏ ।

15ଯେ କେହି ଆପଣା ଭାଇକୁ ଘୃଣା କରେ, ସେ ନରଘାତକ; ଆଉ ନରଘାତକଠାରେ ଯେ ଅନନ୍ତ ଜୀବନ ନ ଥାଏ, ଏହା ତୁମ୍ଭେମାନେ ଜାଣ ।

16ସେ ଆମ୍ଭମାନଙ୍କ ନିମନ୍ତେ ଆପଣା ପ୍ରାଣ ଦାନ କରିବା ଦ୍ୱାରା ଆମ୍ଭେମାନେ ପ୍ରେମର ପରିଚୟ ପାଇଅଛୁ; ପୁଣି, ଭାଇମାନଙ୍କ ନିମନ୍ତେ ଆମ୍ଭମାନଙ୍କର ମଧ୍ୟ ପ୍ରାଣ ଦାନ କରିବା ଉଚିତ ।

17କିନ୍ତୁ ଯେ ଜାଗତିକ ଭାବେ ଧନଶାଳୀ ହୋଇ ଆପଣା ଭାଇକୁ ଅଭାବଗ୍ରସ୍ତ ଦେଖିଲେ ହେଁ ତାହା ପ୍ରତି ଆପଣା ଦୟା ରୁଦ୍ଧ କରେ, ତାହାଠାରେ ଈଶ୍ୱରଙ୍କ ପ୍ରେମ କିପରି ରହିପାରେ ?

18ହେ ବତ୍ସଗଣ, ଆସ, ଆମ୍ଭେମାନେ ବାକ୍ୟରେ କି ଜିହ୍ୱାରେ ପ୍ରେମ ନ କରି କାର୍ଯ୍ୟରେ ଓ ସତ୍ୟରେ ପ୍ରେମ କରୁ ।

19ତାହା କଲେ, ଆମ୍ଭେମାନେ ଯେ ସତ୍ୟର ସନ୍ତାନ, ଏହା ଜାଣିବା,

20ପୁଣି, ଯେକୌଣସି ବିଷୟରେ ଆମ୍ଭମାନଙ୍କ ହୃଦୟ ଆମ୍ଭମାନଙ୍କୁ ଦୋଷୀ କରେ, ସେ ବିଷୟରେ ତଦ୍ୱାରା ତାହାଙ୍କ ଛାମୁରେ ଆପଣାମାନଙ୍କର ହୃଦୟ ସୁସ୍ଥିର କରି ପାରିବା; କାରଣ ଈଶ୍ୱର ଆମ୍ଭମାନଙ୍କ ହୃଦୟଠାରୁ ମହାନ ଓ ସେ ସବୁ ଜାଣନ୍ତି ।

21ହେ ପ୍ରିୟମାନେ, ଆମ୍ଭମାନଙ୍କ ହୃଦୟ ଯଦି ଆମ୍ଭମାନଙ୍କୁ ଦୋଷୀ ନ କରେ, ତାହାହେଲେ ଈଶ୍ୱରଙ୍କ ଛାମୁରେ ଆମ୍ଭମାନଙ୍କର ସାହସ ଅଛି,

22ପୁଣି, ଆମ୍ଭେମାନେ ଯାହା ଯାହା ମାଗୁ, ସେହି ସବୁ ତାହାଙ୍କଠାରୁ ପାଇଥାଉ, କାରଣ ଆମ୍ଭେମାନେ ତାହାଙ୍କର ଆଜ୍ଞା ପାଳନ କରୁ, ପୁଣି, ତାହାଙ୍କର ଦୃଷ୍ଟିରେ ଯାହା ସନ୍ତୋଷଜନକ, ତାହା କରିଥାଉ ।

23ତାହାଙ୍କର ଆଜ୍ଞା ଏହି ଯେ, ଆମ୍ଭେମାନେ ତାହାଙ୍କ ପୁତ୍ର ଯୀଶୁଖ୍ରୀଷ୍ଟଙ୍କ ନାମରେ ବିଶ୍ୱାସ କରିବା ଓ ତାହାଙ୍କ ଦତ୍ତ ଆଜ୍ଞାନୁସାରେ ପରସ୍ପରକୁ ପ୍ରେମ କରିବା ।

24ଯେ ତାହାଙ୍କ ଆଜ୍ଞା ପାଳନ କରେ, ସେ ତାହାଙ୍କଠାରେ ରହେ ଓ ସେ ତାହାଠାରେ ରହନ୍ତି; ଆଉ ସେ ଯେ ଆମ୍ଭମାନଙ୍କଠାରେ ରହନ୍ତି, ଏହା ଆମ୍ଭେମାନେ ତାହାଙ୍କ ଦତ୍ତ ଆତ୍ମାଙ୍କ ଦ୍ୱାରା ଜାଣୁଅଛୁ ।



 <<  1 John 3 >> 


Bible2india.com
© 2010-2024
Help
Single Panel

Laporan Masalah/Saran